ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ : ପ୍ରଧାନମନ୍ତ୍ରୀ

ପିଲାଙ୍କୁ ଅନ୍ୟର ରେକର୍ଡ, ର‌୍ୟାଙ୍କିଙ୍ଗ୍ ସହ ତୁଳନା ନ କରିବାକୁ ପରାମର୍ଶ

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ୨.୦ କାର୍ଯ୍ୟକ୍ରମ

ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼

ପିଲାଙ୍କୁ ଅନ୍ୟର ରେକର୍ଡ, ର‌୍ୟାଙ୍କିଙ୍ଗ୍ ସହ ତୁଳନା ନ କରିବାକୁ ପରାମର୍ଶ

 ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ

 ଲକ୍ଷ୍ୟ, ଆଶା, ଆକାଂକ୍ଷାରେ ସ୍ପଷ୍ଟତା ଓ ସରଳତା ରହିବା ଆବଶ୍ୟକ

 ଲକ୍ଷ୍ୟପ୍ରାପ୍ତିର ମାର୍ଗ ମଧ୍ୟ ସରଳ ଓ ଚାପମୁକ୍ତ ହେବା ଜରୁରୀ

 ପରୀକ୍ଷା ଏକ ଉତ୍ସବ, ଅବସାଦ ନୁହେଁ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ବିଦେଶର ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଜି ବିସ୍ତୃତ ଭାବେ ମତ ବିନିମୟ କରିଛନ୍ତି ।

ବାର୍ଷିକ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ରଖିବା ଏବଂ ଅବସାଦ ଶୂନ୍ୟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଥିଲା ।

ନୂଆଦିଲ୍ଲୀର ତାଲକୋଟାରା ଷ୍ଟାଡିୟମରୁ ପ୍ରଧାନମନ୍ତ୍ରୀ ଶହଶହ ଛାତ୍ରଛାତ୍ରୀଙ୍କ ସହ ମୁକ୍ତ ବିଚାର ଉପସ୍ଥାପନ କରିଥିଲେ ।

ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକମାନଙ୍କର ବିଭିନ୍ନ ପ୍ରଶ୍ନର ମଧ୍ୟ ଜବାବ ରଖିଥିଲେ ପ୍ରଧାନମନ୍ତ୍ରୀ ।

କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ଦେଶର ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ଜର୍ଜ ଫର୍ଣ୍ଣାଣ୍ଡେଜ୍ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ବହୁମୂଲ୍ୟ ଅବଦାନକୁ ଛାତ୍ରଛାତ୍ରୀଙ୍କ ଆଗରେ ଅବତାରଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ବିଦେଶରୁ ବିଶେଷକରି ରୁଷିଆ, ନାଇଜେରିଆ, ଇରାନ୍, ନେପାଳ, ସାଉଦି ଆରବ, ସିଙ୍ଗାପୁର, ଦୋହା, କୁଏତ୍ରୁ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସ୍କୁଲ ପରୀକ୍ଷା ଜୀବନରେ କେବେହେଲେ ବଡ଼ ନୁହେଁ ।

ଜୀବନରେ ବଂଚିବାକୁ ହେଲେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ।

ସ୍କୁଲ ପରୀକ୍ଷା ବା କଲେଜ ପରୀକ୍ଷା ସେମାନଙ୍କ ମଧ୍ୟରେ ଅନ୍ୟତମ ।

ଗୋଟିଏ ଖେଳନା ଭାଙ୍ଗିଗଲେ ବାଲ୍ୟ ଜୀବନ ନଷ୍ଟ ହୁଏନାହିଁ ।

ସେହିଭଳି ଗୋଟିଏ ପରୀକ୍ଷା ଖରାପ ହେଲେ ଜୀବନ ନଷ୍ଟ ହୁଏ ନାହିଁ ।

ଏଥିଲାଗି ଛାତ୍ରଛାତ୍ରୀ, ପିତାମାତା, ଶିକ୍ଷକ ଏବଂ ସ୍କୁଲ କର୍ତୃପକ୍ଷ କଦାପି ବିଚଳିତ ହେବା ଉଚିତ ନୁହେଁ ।

ଶିକ୍ଷକ ଓ ଅଭିଭାବକମାନେ ପିଲାଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଥାନ୍ତି ।

ତେଣୁ ସେମାନେ ବିଚଳିତ ନ ହୋଇ ପିଲାଙ୍କୁ ଅବସାଦ ମୁକ୍ତ ଏବଂ ଚାପଶୂନ୍ୟ ରହିବା ଦିଗରେ ଅନୁପ୍ରେରିତ କରିବାକୁ ପଡ଼ିବ ।

ର‌୍ୟାଙ୍କିଙ୍ଗ୍ ପଛରେ ନ ଗୋଡ଼ାଇ ଜୀବନକୁ ସରଳ, ସୁନ୍ଦର ଓ ସାବଲୀଳ କରିବା ଲାଗି ପିଲାଙ୍କୁ ଶିକ୍ଷା ଦେବାକୁ ପଡ଼ିବ ।

ବାର୍ଷିକ ପରୀକ୍ଷା ସମୟରେ ପିଲାଙ୍କୁ ସବୁବେଳେ ଖୁସିରେ ରଖିବା ଆବଶ୍ୟକ ।

ପିଲାଙ୍କଠାରେ ଯଦି ସାମାନ୍ୟ ମାନସିକ ଅବସାଦ କିମ୍ବା ଚାପ ପରିଲକ୍ଷିତ ହେଉଛି, ତାହାହେଲେ ମନୋବୈଜ୍ଞାନିକ ବିଶେଷଜ୍ଞ ତଥା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଏଥିଲାଗି ପିତାମାତା ତିଳେହେଲେ ସଂକୋଚ ପ୍ରକାଶ କରିବା ଉଚିତ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଛୋଟ ଭାରତ ଏବଂ ଭବିଷ୍ୟ ଭାରତର ପରିକଳ୍ପନାକୁ ପ୍ରତିଫଳିତ କରୁଛି ।

ଭବିଷ୍ୟତର ଯୁବପିଢି ତଥା ନାଗରିକ କିଭଳି ସରଳ ଓ ସୁନ୍ଦର ଜୀବନ ଜୀଇଁବେ ସେଥିଲାଗି ସେ ସେମାନଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଭରିବାକୁ ଚାହୁଁଛନ୍ତି ।

ସେ କହିଥିଲେ ଯେ “ଜୀବନ ମାନେ – ଗତି, ପ୍ରଗତି, ସ୍ୱପ୍ନ, ନିଷ୍ଠା ଓ ପ୍ରତିବଦ୍ଧତା ।” ସେ ପିଲାଙ୍କ ସାମର୍ଥ୍ୟକୁ ଭଲଭାବେ ହୃଦୟଙ୍ଗମ କରିବା ଲାଗି ଅଭିଭାବକ ଓ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ପିଲାଙ୍କ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ଖରାପ କଥା ନୁହେଁ ।

କିନ୍ତୁ ସେମାନଙ୍କ ମନରେ ଅଯଥା ଓ ଅନାବଶ୍ୟକ ମହତ୍ୱାକାଂକ୍ଷା ଭର୍ତି କରିବା ଦ୍ୱାରା ଛାତ୍ରଛାତ୍ରୀ କମ୍ ବୟସରୁ ଚାପଗ୍ରସ୍ତ ହୋଇ ମାନସିକ ଅବସାଦର ଶିକାର ହୋଇଥାନ୍ତି ।

ପିଲାଙ୍କ ବିଫଳତା ସତ୍ୱେ ସେମାନଙ୍କୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବାକୁ ପଡ଼ିବ ।

ସେମାନଙ୍କ ମଧ୍ୟରେ ଧୈର୍ଯ୍ୟ, ସାହସ ଓ ସକାରାତ୍ମକତା ଭରିବାକୁ ପଡ଼ିବ । କେବେହେଲେ ସେମାନଙ୍କ ମନ ଭିତରେ ନିରାଶା ଓ ହତାଶାର ଭାବ ସୃଷ୍ଟି ନ କରିବାକୁ” ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ସମୟରେ ତାଙ୍କୁ ଲୋକେ କହୁଛନ୍ତି ଯେ ସେ ଅନେକ ଆଶା ଓ ଆକାଂକ୍ଷା ଭରି ଦେଉଛନ୍ତି, ଯାହାକୁ ହାସଲ କରିବା କଷ୍ଟକର ହୋଇଥାଏ ।

କିନ୍ତୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶା ଓ ଆଗ୍ରହର ଅର୍ଥ ନୁହେଁ ଅନ୍ୟ ସହ ତୁଳନା କରିବା କିମ୍ବା ର‌୍ୟାଙ୍କିଙ୍ଗ୍ ପଛରେ ଗୋଡ଼ାଇବା ।

୧୨୫ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ଉତ୍ସାହ, ଉଦ୍ଦୀପନା ହିଁ ଦେଶକୁ ଆଗକୁ ନେବ ।

ପ୍ରତ୍ୟେକ ପରିବାରରେ ବାର୍ଷିକ ପରୀକ୍ଷା ବେଳେ ଚାପ ରହିଥାଏ ।

ପିଲାମାନେ କିପରି ଭଲ କରିବେ ସେଥିଲାଗି ପିତାମାତା ଉଚ୍ଚ ଆଶା ରଖିଥାନ୍ତି ।

ତେବେ ତାହା ଛାତ୍ରଛାତ୍ରୀଙ୍କ ମନରେ କୌଣସି ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା ଉଚିତ ନୁହେଁ ।

“ସାମାଜିକ ଉତ୍ସବାନୁଷ୍ଠାନ, ଅନ୍ୟାନ୍ୟ ପାରିବାରିକ ସମାରୋହ ବେଳେ ପିଲାର ପାଠପଢା, ସଫଳତା, ବିଫଳତା ଅଥବା ଅନ୍ୟ ପିଲା ସହ ନିଜ ପିଲାର ତୁଳନା କରିବା ଆଦି ପ୍ରସଙ୍ଗ କଦାପି ଆଲୋଚନା କରାଯିବା ସମୀଚିନ ନୁହେଁ ।

ଏହା ପିଲାଙ୍କ ଉପରେ ଅଯଥା ଚାପ ସୃଷ୍ଟି କରେ ଓ ନକାରାତ୍ମକ ଭାବନା ବୃଦ୍ଧି କରିଥାଏ ।

ପିତାମାତା ବିଶେଷ ଭାବେ ଏଥିରୁ ନିବୃତ ରହିବାକୁ” ସେ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଟେକ୍ନୋଲଜି ମଣିଷ ଜୀବନକୁ ସରଳ ଓ ସୁଗମ ତଥା ଜୀବନ ଧାରଣକୁ ସହଜ କରିବା ଲାଗି ଉଦ୍ଦିଷ୍ଟ ।

ଏହା କେବେହେଲେ ଜୀବନକୁ ସଂକୁଚିତ କରିବା ପାଇଁ ଅଭିପ୍ରେତ ନୁହେଁ । ଟେକ୍ନୋଲଜି ଆମର ଜ୍ଞାନ, ପରିବାର, ସମାଜ ଏବଂ ବାତାବରଣକୁ ପରିବ୍ୟାପ୍ତ ଓ ସଂପ୍ରସାରିତ କରିଥାଏ ।

ଏହାର ଉପଯୁକ୍ତ ଉପଯୋଗ ହେଲେ ସମାଜର ଅନେକ ମଙ୍ଗଳ ସାଧିତ ହୋଇଥାଏ ।

ସେହିପରି ଖେଳ ମଧ୍ୟ ଜୀବନର ଏକ ଅଭିନ୍ନ ଅଙ୍ଗ । ପିତାମାତା ପିଲାକୁ ସବୁବେଳେ ପାଠ ପଢିବା ଲାଗି ଚାପଗ୍ରସ୍ତ କରିବା ପରିବର୍ତେ ଦୈନିକ ଖେଳ କସରତରେ ମଗ୍ନ ରହିବାକୁ ଉତ୍ସାହିତ କରନ୍ତୁ ।

ଏହାଦ୍ୱାରା ପିଲାର ମାନସିକ ଅଭିବୃଦ୍ଧି ଘଟିବ ଏବଂ ଅବସାଦ ଦୂର ହେବ । ସେ କହିଥିଲେ ଯେ ଲକ୍ଷ୍ୟ ଦୁଇ ପ୍ରକାରର – ଛୋଟ ଓ ବ୍ୟାପକ ।

ଯାହାକି ପିଲାମାନଙ୍କ ଜୀବନକୁ ସୁନ୍ଦର କରିବା ଲାଗି ଉଦ୍ଦିଷ୍ଟ । ଲକ୍ଷ୍ୟ ପ୍ରାପ୍ତିର ମାର୍ଗ ମଧ୍ୟ ସରଳ ଓ ଚାପମୁକ୍ତ ହେବା ଆବଶ୍ୟକ

ପିଲାମାନଙ୍କ ମନରେ ପ୍ରେରଣା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଜୀବନରେ ଅନେକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ।

ଏଣୁ ଶିକ୍ଷାନୁଷ୍ଠାନର ପରୀକ୍ଷାଗୁଡ଼ିକ ଜୀବନ ପରୀକ୍ଷା ଆଗରେ ବିଶେଷ ବଡ଼ ନୁହେଁ ।

ପରୀକ୍ଷା ଛାତ୍ରଛାତ୍ରୀଙ୍କ ଏକ ନିର୍ଦ୍ଦିଷ୍ଟ ସମୟର ସାମର୍ଥ୍ୟ ଜାଣିବା ଲାଗି ଉଦ୍ଦିଷ୍ଟ ।

ଏଣୁ ମାର୍କ ପଛରେ ଦୌଡ଼ିଲେ ଜୀବନ ପଛରେ ପଡିଯିବ ।

କିନ୍ତୁ ଜୀବନ ସାଥୀରେ ତାଳଦେଇ ଚାଲିଲେ ପରୀକ୍ଷାର ମାର୍କ ଆପଣଙ୍କ ପଛେ ପଛେ ଦୌଡ଼ିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଲକ୍ଷ୍ୟ, ଭାବନା, ପରିକଳ୍ପନା, ଆଶା ଓ ଆକାଂକ୍ଷା ମଧ୍ୟରେ ସ୍ପଷ୍ଟତା ଓ ସରଳତା ରହିବା ଆବଶ୍ୟକ ।

ଫଳରେ ଏହା ହାସଲ କରିବା ଲାଗି ସହଜ ଓ ସୁଗମ ହୋଇପାରିବ ।

କାହା ଚାପରେ ନ ଆସି ନିଜ ସାମର୍ଥ୍ୟ ଆଧାରରେ ଛାତ୍ରଛାତ୍ରୀ ଲକ୍ଷ୍ୟ ସ୍ଥିର କରନ୍ତୁ ।

ଅତ୍ୟନ୍ତ ସୁସ୍ଥ ମନରେ ନିଜର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରନ୍ତୁ ।

ଏଥିଲାଗି ପିତାମାତା ଏବଂ ଶିକ୍ଷକ କେବେହେଲେ ସେମାନଙ୍କ ଉପରେ ଚାପ ଦିଅନ୍ତୁ ନାହିଁ ।

ପିଲାଙ୍କୁ ତୁଳନାତ୍ମକ ପରିବେଶ ଭିତରେ ଫିଙ୍ଗନ୍ତୁ ନାହିଁ । ଯାହାକି ସେମାନଙ୍କ ମନରେ ଆଘାତ ଆଣିବ । କାହା ସହିତ ପ୍ରତିଯୋଗିତା କରନ୍ତୁ ନାହିଁ , ବରଂ ନିଜର ପୂର୍ବ ରେକର୍ଡ ସହ ବର୍ତମାନର କାର୍ଯ୍ୟକୁ ତୁଳନା କରନ୍ତୁ ।

ଅନ୍ୟ ସହ ତୁଳନା ଠାରୁ ଦୂରେଇ ରହନ୍ତୁ । ଶିକ୍ଷକ, ସ୍କୁଲ କର୍ତୃପକ୍ଷ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉପଯୁକ୍ତ ମନୋବୈଜ୍ଞାନିକ ସମନ୍ୱୟ ରହିବା ଆବଶ୍ୟକ ।

ସବୁ ଭାଗିଦାର ରକ୍ଷଣଶୀଳ ମାନସିକତା ପରିହାର କରି ଏକ ନମନୀୟ ଭାବନା ମଧ୍ୟରେ ବଂଚିବାକୁ ପଡିବ । ଏହା ଛାତ୍ର ସମାଜ ମନରେ ଅପାର ଆନନ୍ଦ ଭରିଦେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଛାତ୍ରାବାସରେ ରହୁଥିବା ପିଲାମାନଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିତାମାତାଙ୍କ ଠାରୁ ଦୂରରେ ଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ବରିଷ୍ଠ ଓ ଅଭିଜ୍ଞ ବନ୍ଧୁମାନଙ୍କ ସହ ମିଳାମିଶା କରନ୍ତୁ ଏବଂ ନିଜର ମନୋଭାବନାକୁ ବାଂଟନ୍ତୁ ।

ବିଦ୍ୟାଳୟ ଓ କଲେଜର ଏକ ଭଲ ମିତ୍ରର ପରାମର୍ଶ ଜୀବନକୁ ହାଲ୍କା- ଫୁଲ୍କା ରଖିବ ଏବଂ ମନକୁ ସରସ ସୁନ୍ଦର କରିବ । କେବଳ ସେତିକି ନୁହେଁ, ଭଲ ପଢିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇବ ।

ଅପରପକ୍ଷରେ ପିତାମାତା ନିଜ ବୟସ ଅନୁପାତରେ ପିଲାମାନଙ୍କୁ ତୁଳନା କରନ୍ତୁ ନାହିଁ । ବରଂ ପିଲାର ବୟସକୁ ଚାହିଁ ଏବଂ ନିଜକୁ ସେହି ବୟସରେ ରଖି ସେମାନଙ୍କ ଭାବନା ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

ଜୀବନ ବଡ଼- ପରୀକ୍ଷା କେବେହେଲେ ବଡ଼ ନୁହେଁପରୀକ୍ଷାକୁ ଉତ୍ସବ ଭାବେ ପାଳନ୍ତୁ । ମହତ୍ୱାକାଂକ୍ଷାଠାରୁ ଦୂରେଇ ରହନ୍ତୁ” ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ କହିଥିଲେ ।

Categories
KNOWLEDGE

RELATED BY

  • ସପ୍ତଦଶ ନାରଦ ସମ୍ମାନ

    ଭୁବନେଶ୍ୱର: ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ...
  • ଆଜି ମନ ଦୁଃଖରେ ଭରି ରହିଛି : ପ୍ରଧାନମନ୍ତ୍ରୀ

     ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ  ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ  ଶହୀଦଙ୍କ ପରିବାର ପରାକ୍ରମୀ...
  • ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଏହା ଶେଷ ଗ୍ରୁପ୍ ଫୋଟ

    ପଞ୍ଚଦଶ ବିଧାନସଭା ଅଧିବେସନ ଆଜି ଶେଷ ହୋଇଛି । ଏହି ଅବସରେ ଏକ ଗ୍ରୁପ୍ ଫୋଟ ଉତ୍ତୋଳନ କରାଯାଇଛି । ବାବାଚସ୍ପତି ପ୍ରଦିପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ , ମନ୍ତ୍ରୀବୃନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ...
  • ସରକାର ସମସ୍ତଙ୍କୁ ଆବାସ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି

    ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ   • ୨୦୧୯ ବର୍ଷ ଆମ ଗଣତନ୍ତ୍ର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ- ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ ।...
WhatsApp chat