ଆଜି ମନ ଦୁଃଖରେ ଭରି ରହିଛି : ପ୍ରଧାନମନ୍ତ୍ରୀ

ଶହୀଦ ପ୍ରସନ୍ନ ସାହୁଙ୍କ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ

 ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”
 ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ

 ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ଅଦମ୍ୟ ସାହସ ଓ ପତ୍ନୀଙ୍କ ଧୈର୍ଯ୍ୟକୁ ସଲାମ କରୁଛି ସାରା ଦେଶ

 ଶହୀଦଙ୍କ ପରିବାର ପରାକ୍ରମୀ ଭାରତର ଜୀବନ୍ତ ଉଦାହରଣ, ଉଜ୍ଜ୍ୱଳ ଭାରତର ଭବିଷ୍ୟ ପିଢି ପାଇଁ ପ୍ରେରଣା

 ବିର୍ସା ମୁଣ୍ଡାଙ୍କ ବୀରତ୍ଵ ଏବଂ ଜାମଶେଦଜୀ ଟାଟାଙ୍କ ଉଦ୍ୟମିତାକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

 Canal Man of Odisha ଦୈତାରୀ ନାୟକଙ୍କ ଉଦଯୋଗକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

 ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଜଣାଇଲେ ହାର୍ଦ୍ଦିକ ଶୁଭେଚ୍ଛା

 ମନ୍ କି ବାତ୍ ରେ ଲୋକଙ୍କ ସହ ଯୋଡି ହେବା ଏକ ସୁଖଦ ଅନୁଭୂତି

 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

“ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି ।

10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି । ଦେଶବାସୀ ଶାନ୍ତିରେ ଶୋଇପାରନ୍ତି, ଏଥିପାଇଁ ଆମର ଏହି ବୀର ସୁପୁତ୍ରମାନେ ଦିନ-ରାତି ଏକ କରିଦେଇଥିଲେ । ପୁଲୱାମାର ଆତଙ୍କବାଦୀ ଆକ୍ରମଣରେ ବୀର ଯବାନମାନଙ୍କ ବଳିଦାନ ପରେ ସମଗ୍ର ଦେଶର ଲୋକଙ୍କ ମନରେ ଆଘାତ ଏବଂ ଆକ୍ରୋଶ ଭାବ ରହିଛି । ଶହିଦ ଏବଂ ସେମାନଙ୍କ ପରିବାର ପ୍ରତି ଚତୁର୍ଦିଗରୁ ସମବେଦନାର ସୁଅ ଛୁଟିଛି । ଏହି ଆତଙ୍କବାଦୀ ହିଂସା ବିରୋଧରେ ଯେଉଁ ଆବେଗ ଆପଣଙ୍କ ଏବଂ ମୋ ମନରେ ରହିଛି ସେହି ଭାବନା ପ୍ରତ୍ୟେକ ଦେଶବାସୀଙ୍କ ଅନ୍ତର୍ମନରେ ରହିଛି ଏବଂ ମାନବିକତାରେ ବିଶ୍ୱାସ କରୁଥିବା ବିଶ୍ୱ ସମୁଦାୟର ମାନବତାବାଦୀଙ୍କ ମଧ୍ୟରେ ବି ରହିଛି । ଭାରତମାତାଙ୍କ ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ଦେଶର ସମସ୍ତ ବୀର ସୁପୁତ୍ରମାନଙ୍କୁ ମୁଁ ପ୍ରଣାମ କରୁଛି । ଏହି ବଳିଦାନ ଆତଙ୍କବାଦକୁ ସମୂଳେ ନଷ୍ଟ କରିବା ପାଇଁ ଆମକୁ ଅନବରତ ଭାବେ ପ୍ରେରଣା ଯୋଗାଇବ, ଆମ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ । ଦେଶ ସମ୍ମୁଖକୁ ଆସିଥିବା ଏହି ଆହ୍ୱାନର ମୁକାବିଲା ଆମ ସମସ୍ତଙ୍କୁ ଜାତିବାଦ, ସମ୍ପ୍ରଦାୟବାଦ, ଆଂଚଳିକତାବାଦ ଏବଂ ଅନ୍ୟ ସମସ୍ତ ଭେଦଭାବକୁ ଭୁଲି କରିବାକୁ ପଡ଼ିବ । ଆତଙ୍କବାଦ ବିରୁଦ୍ଧରେ ଆମର ପଦକ୍ଷେପ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସୁଦୃଢ଼ ହେଉ, ସଶକ୍ତ ହେଉ ଏବଂ ନିର୍ଣ୍ଣାୟକ ହେଉ । ଆମର ସଶସ୍ତ୍ର ବାହିନୀ ସବୁବେଳେ ଅଦ୍ୱିତୀୟ ସାହସ ଏବଂ ପରାକ୍ରମର ପରିଚୟ ଦେଇଆସିଛନ୍ତି । ଏକପକ୍ଷରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ଚମତ୍କାର କ୍ଷମତା ପ୍ରଦର୍ଶନ କରିଛନ୍ତି । ଅପରପକ୍ଷରେ ଆକ୍ରମଣକାରୀଙ୍କୁ ମଧ୍ୟ ସେମାନେ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆକ୍ରମଣର ଶହେ ଘଣ୍ଟା ମଧ୍ୟରେ ହିଁ କିଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି । ସେନାବାହିନୀ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ସଂକଳ୍ପ ଗ୍ରହଣ କରିସାରିଛନ୍ତି । ବୀର ସୈନିକମାନଙ୍କ ବଳିଦାନ ପରେ ଗଣମାଧ୍ୟମ ଜରିଆରେ ସେମାନଙ୍କ ପରିବାରଜନଙ୍କ ଯେଉଁ ପ୍ରେରଣାଦାୟୀ କଥାସବୁ ସମ୍ମୁଖକୁ ଆସିଛି ତାହା ସାରା ଦେଶକୁ ସାହସ ଏବଂ ଶକ୍ତି ପ୍ରଦାନ କରିଛି । ବିହାର ଭାଗଲପୁରର ଶହୀଦ ରତନ ଠାକୁରଙ୍କ ପିତା ରାମନିରଞ୍ଜନଜୀ ଦୁଃଖର ଏହି ମୁହୂର୍ତ୍ତରେ ମଧ୍ୟ ଯେଉଁ ସାହସର ପରିଚୟ ଦେଇଛନ୍ତି ତାହା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ସେ କହିଛନ୍ତି ଯେ, ସେ ନିଜର ଅନ୍ୟ ପୁଅକୁ ମଧ୍ୟ ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ପଠେଇବେ ଏବଂ ଦରକାର ପଡ଼ିଲେ ନିଜେ ମଧ୍ୟ ଲଢ଼ିବାକୁ ଯିବେ । ଓଡ଼ିଶାର ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଜୀଙ୍କ ଅଦମ୍ୟ ସାହସକୁ ମଧ୍ୟ ସାରା ଦେଶ ସଲାମ କରୁଛି । ସେ, ନିଜର ଏକମାତ୍ର ପୁଅକୁ ମଧ୍ୟ ସିଆରପିଏଫରେ ଭର୍ତ୍ତି କରେଇବା ପାଇଁ ସଂକଳ୍ପ କରିନେଇଛନ୍ତି । ଯେତେବେଳେ ତ୍ରିରଙ୍ଗାରେ ଆଚ୍ଛାଦିତ ଶହୀଦ ବିଜୟ ସୋରେନଙ୍କ ମରଶରୀର ଝାଡ଼ଖଣ୍ଡର ଗୁମ୍ଲା ପହଂଚିଲା ସେତେବେଳେ ତାଙ୍କ ବାଳୁତ ପୁଅ ଏକଥା ହିଁ କହିଲା ଯେ, ସେ ମଧ୍ୟ ସେନାବାହିନୀରେ ଯୋଗଦେବ । ଏହି କୋମଳମତି ବାଳକର ସାହସ ଆଜି ଭାରତବର୍ଷର ପ୍ରତ୍ୟେକ ବାଳକର ଭାବନାକୁ ପ୍ରକାଶ କରୁଛି । ଏହିଭଳି ଭାବନା ଆମର ବୀର, ପରାକ୍ରମୀ ଶହୀଦମାନଙ୍କ ଘରେ ଘରେ ଦେଖିବାକୁ ମିଳୁଛି । ଆମର ଜଣେ ହେଲେ ବୀର ଶହୀଦ ଏହାର ବ୍ୟତିକ୍ରମ ନୁହଁନ୍ତି କିମ୍ବା ତାଙ୍କର ପରିବାର ଏଥିରୁ ବାଦ ପଡ଼ିନି । ଦେୱରିୟାର ଶହୀଦ ବିଜୟ ମୌର୍ଯ୍ୟଙ୍କ ପରିବାର ହେଉ, କାଙ୍ଗଡ଼ାର ଶହିଦ ତିଲକରାଜଙ୍କ ପିତା-ମାତା ହୁଅନ୍ତୁ କିମ୍ବା କୋଟାର ଶହିଦ ହେମରାଜଙ୍କ ଛଅବର୍ଷର ପୁଅ ହେଉ, ଶହୀଦଙ୍କ ପ୍ରତ୍ୟେକ ପରିବାରର କାହାଣୀ ପ୍ରେରଣାରେ ଭରିରହିଛି । ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି, ଏହି ପରିବାରଗୁଡ଼ିକ ଯେଉଁ ସାହସ ଦେଖାଇଛନ୍ତି, ଯେଉଁ ଭାବନା ପ୍ରକାଶ କରିଛନ୍ତି ତାହାକୁ ଜାଣନ୍ତୁ, ବୁଝିବାର ପ୍ରୟାସ କରନ୍ତୁ । ଦେଶଭକ୍ତି କ’ଣ, ତ୍ୟାଗ-ତପସ୍ୟା କ’ଣ – ଏହା ବୁଝିବା ପାଇଁ ଆମକୁ ଇତିହାସର ପୁରୁଣା ଘଟଣାଗୁଡ଼ିକ ଆଡ଼କୁ ଯିବାର ଆବଶ୍ୟକତା ପଡ଼ିବନି । ଆମରି ଆଖି ଆଗରେ ଏମାନେ ଜୀବନ୍ତ ଉଦାହରଣ ଏବଂ ଏମାନେ ହିଁ ଉଜ୍ଜ୍ୱଳ ଭାରତର ଭବିଷ୍ୟତ ପାଇଁ ପ୍ରେରଣାର କାରଣ ।

ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତା ପ୍ରାପ୍ତି ପରେ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଯେଉଁ ଯୁଦ୍ଧ ସ୍ମାରକୀର ପ୍ରତୀକ୍ଷା ଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛି । ଏହା ବିଷୟରେ ଦେଶବାସୀଙ୍କ ଜିଜ୍ଞାସା, ଉତ୍ସୁକତା ଖୁବ୍ ସ୍ୱାଭାବିକ । NarendraModiAppରେ ଉଡୁପି, କର୍ଣ୍ଣାଟକର ଶ୍ରୀ ଓଁକାର ଶେଟ୍ଟିଜୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ତିଆରି ହେବାକୁ ନେଇ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ କୌଣସି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନ ଥିବା ଯୋଗୁଁ ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଏବଂ କଷ୍ଟ ମଧ୍ୟ ହେଉଥିଲା । ଏଭଳି ଏକ ସ୍ମାରକୀ, ଯେଉଁଠି ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଉଥିବା ବୀର ଯବାନମାନଙ୍କ ବୀରତ୍ୱର କାହାଣୀକୁ ସାଇତି କରି ରଖାଯାଇପାରିବ, ସେଭଳି ଗୋଟିଏ ସ୍ମାରକୀ ଦେଶରେ ନିହାତି ରହିବା ଆବଶ୍ୟକ ବୋଲି ମୁଁ ନିଷ୍ପତ୍ତି ଗ୍ରହଣ କରିଛି ।
ଆମେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କଲୁ ଏବଂ ମୋତେ ଖୁସି ଲାଗୁଛି ଯେ, ଏହି ସ୍ମାରକୀ ଏତେ କମ୍ ସମୟ ମଧ୍ୟରେ ତିଆରି ହୋଇସାରିଛି । ଆସନ୍ତାକାଲି, ଅର୍ଥାତ ଫେବୃଆରୀ 25 ତାରିଖ ଦିନ ଆମେ କୋଟି କୋଟି ଦେଶବାସୀ ଏହି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ କୁ ଆମ ସୈନ୍ୟବାହିନୀକୁ ସମର୍ପିତ କରିବାକୁ ଯାଉଛୁ । ଦେଶ ନିଜ ଋଣ ଶୁଝିବାର ଗୋଟିଏ ଛୋଟ ପ୍ରୟାସ କରିବ ।

ଦିଲ୍ଲୀର କେନ୍ଦ୍ରସ୍ଥଳ ଅର୍ଥାତ୍ ସେହି ସ୍ଥାନ ଯେଉଁଠି ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ରହିଛି ଠିକ୍ ଏହାରି ପାଖରେ ଏହି ନୂତନ ସ୍ମାରକୀର ନିର୍ମାଣ କରାଯାଇଛି । ଦେଶବାସୀଙ୍କ ପାଇଁ ଜାତୀୟ ସୈନିକ ସ୍ମାରକୀକୁ ଯିବା କୌଣସି ତୀର୍ଥସ୍ଥାନକୁ ଯିବା ସହ ସମାନ ହେବ ବୋଲି ମୋର ବିଶ୍ୱାସ । ଜାତୀୟ ସୈନିକ ସ୍ମାରକୀ ସ୍ୱାଧୀନତା ପରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କ ପ୍ରତି ରାଷ୍ଟ୍ରର କୃତଜ୍ଞତାର ପ୍ରତୀକ । ସ୍ମାରକୀର ଡିଜାଇନ ଆମର ଅମର ସୈନିକମାନଙ୍କ ଅଦମ୍ୟ ସାହସକୁ ପ୍ରଦର୍ଶିତ କରୁଛି । ଜାତୀୟ ସୈନିକ ସ୍ମାରକୀର ରୂପରେଖ Four Concentric Circle, ଅର୍ଥାତ୍ ଚାରୋଟି ଚକ୍ର ଉପରେ କେନ୍ଦ୍ରିତ । ଯେଉଁଠି ଜଣେ ସୈନିକର ଜନ୍ମଠାରୁ ଆତ୍ମବଳିଦାନ ପର୍ଯ୍ୟନ୍ତର ଯାତ୍ରାର ଚିତ୍ରଣ ରହିଛି । ଅମରଚକ୍ରର ଶିଖା-ଶହିଦ୍ ସୈନିକର ଅମରତ୍ୱର ପ୍ରତୀକ । ଦ୍ୱିତୀୟ ଚକ୍ରଟି ବୀରତ୍ୱର ଚକ୍ର । ଯାହା ସୈନିକମାନଙ୍କ ବୀରତ୍ୱ ଏବଂ ସାହସିକତାକୁ ପ୍ରଦର୍ଶିତ କରୁଛି । ଏହା ଏପରି ଏକ ଗ୍ୟାଲେରୀ ଯେଉଁଠି କାନ୍ଥ ଉପରେ ସୈନିକମାନଙ୍କ ବୀରତ୍ୱର କାହାଣୀଗୁଡ଼ିକ ବର୍ଣ୍ଣନା କରାଯାଇଛି । ଏହାପରେ ରହିଛି ତ୍ୟାଗଚକ୍ର । ଏହି ଚକ୍ର ସୈନିକମାନଙ୍କ ବଳିଦାନକୁ ପ୍ରଦର୍ଶିତ କରୁଛି । ଏଥିରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଯାଇଛି । ଏହାପରେ ରହିଛି ରକ୍ଷକ ଚକ୍ର ଯାହା ସୁରକ୍ଷାକୁ ପ୍ରଦର୍ଶିତ କରୁଛି । ଏହି ଚକ୍ରରେ ଘନ ବୃକ୍ଷଲତାର ପଂକ୍ତି ରହିଛି । ଏହି ବୃକ୍ଷଗୁଡ଼ିକ ସୈନିକମାନଙ୍କ ପ୍ରତୀକ ଏବଂ ଦେଶର ନାଗରିକମାନଙ୍କୁ ଭରସା ଦେଇ ଏହି ବାର୍ତ୍ତା ଦେଉଛନ୍ତି ଯେ, ପ୍ରତି ମୁହୂର୍ତ୍ତରେ ସୈନିକମାନେ ସୀମାରେ କର୍ତ୍ତବ୍ୟରତ ଏବଂ ଦେଶବାସୀ ସୁରକ୍ଷିତ । ମୋଟ ଉପରେ ଦେଖିବାକୁ ଗଲେ ରାଷ୍ଟ୍ରୀୟ ସୈନିକ ସ୍ମାରକୀର ପରିଚୟ ଗୋଟିଏ ଏଭଳି ସ୍ଥାନ ରୂପେ ହେବ ଯେଉଁଠି ଲୋକେ ଦେଶର ମହାନ ଶହୀଦମାନଙ୍କ ବିଷୟରେ ସୂଚନା ପ୍ରାପ୍ତ କରିବାକୁ, ନିଜର କୃତଜ୍ଞତା ଜଣାଇବାକୁ, ସେମାନଙ୍କ ଉପରେ ଗବେଷଣା କରିବାକୁ ଏଠାକୁ ଆସିବେ । ଏଠାରେ ସେହି ବଳିଦାନୀମାନଙ୍କ କାହାଣୀ ରହିଛି ଯେଉଁମାନେ ଦେଶ ପାଇଁ ନିଜ ପ୍ରାଣବଳି ଦେଇଛନ୍ତି ଯାହାଦ୍ୱାରା ଆମେ ଜୀବିତ ରହିପାରିବା, ଦେଶ ସୁରକ୍ଷିତ ରହିପାରିବ ଏବଂ ପ୍ରଗତି କରିପାରିବ । ଦେଶର ପ୍ରଗତିରେ ଆମ ସଶସ୍ତ୍ର ବାହିନୀ, ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ମହାନ ଅବଦାନକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ । ଗତବର୍ଷ ଅକ୍ଟୋବରରେ ମୋତେ ଜାତୀୟ ପୁଲିସ ମେମୋରିଆଲକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିବାର ସୌଭାଗ୍ୟ ମିଳିଥିଲା । ଏହା ମଧ୍ୟ ଆମର ସେହି ଚିନ୍ତାଧାରାର ପ୍ରତିବିମ୍ବ ଯେଉଁଥିରେ ଆମେ ବିଶ୍ୱାସ କରୁ ଯେ, ଦେଶ ସେହି ପୁରୁଷ ଏବଂ ମହିଳା ପୁଲିସକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ ଯେଉଁମାନେ ଅନବରତ ଭାବେ ଆମ ସୁରକ୍ଷା କାର୍ଯ୍ୟରେ ଲାଗିଥାନ୍ତି । ଆପଣ ଜାତୀୟ ସୈନିକ ସ୍ମାରକୀ ଏବଂ ଜାତୀୟ ପୁଲିସ ସ୍ମାରକୀ ନିଶ୍ଚୟ ଦେଖିବାକୁ ଯିବେ ବୋଲି ମୁଁ ଆଶା କରୁଛି । ଆପଣ ସେଠାକୁ ଗଲେ, ସେଠାରେ ଉଠାଇଥିବା ନିଜର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ବାଣ୍ଟିବେ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ଏବଂ ସେମାନେ ମଧ୍ୟ ଏହି ପବିତ୍ର ସ୍ଥଳ, ଏହି ସ୍ମାରକୀ ଦେଖିବାକୁ ଉତ୍କଣ୍ଠିତ ହେବେ ।

ମୋର ପ୍ରିୟ ଦେଶବାସୀଗଣ, ମନ କି ବାତ୍ ପାଇଁ ଆପଣମାନଙ୍କ ହଜାର ହଜାର ଚିଠି ଏବଂ ମତାମତ ମୋତେ ବିଭିନ୍ନ ମାଧ୍ୟମରୁ ପଢ଼ିବାକୁ ମିଳିଥାଏ । ଏଥର ଯେତେବେଳେ ମୁଁ ଆପଣମାନଙ୍କ ମତାମତ ପଢ଼ୁଥିଲି ସେତେବେଳେ ଆତୀଶ ମୁଖୋପାଧ୍ୟାୟ ଜୀଙ୍କର ଗୋଟିଏ ଖୁବ୍ ରୋଚକ ମତାମତ ମୋ ଦୃଷ୍ଟିକୁ ଆସିଲା । ସେ ଲେଖିଛନ୍ତି ଯେ, 1900 ମସିହା ମାର୍ଚ୍ଚ 3 ତାରିଖରେ ଇଂରେଜମାନେ ବିର୍ସା ମୁଣ୍ଡାଙ୍କୁ ଗିରଫ କରିଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର 25 ବର୍ଷ ଥିଲା । ସେହି ମାର୍ଚ୍ଚ 3 ତାରିଖ ଜାମଶେଦଜୀ ଟାଟାଙ୍କ ଜୟନ୍ତୀ ହୋଇଥିବା ଏକ ସଂଯୋଗ । ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ଦୁଇ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭାବେ ଭିନ୍ନ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି, ଯିଏ ଝାଡ଼ଖଣ୍ଡର ଇତିହାସ ଓ ପରମ୍ପରାକୁ ସମୃଦ୍ଧ କରିଯାଇଛନ୍ତି । ମନ କି ବାତରେ ବିର୍ସା ମୁଣ୍ଡା ଏବଂ ଜାମଶେଦଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏକ ପ୍ରକାର ଝାଡ଼ଖଣ୍ଡର ଗୌରବପୂର୍ଣ୍ଣ ଇତିହାସ ଏବଂ ପରମ୍ପରାକୁ ପ୍ରଣାମ କରିବା ସଦୃଶ । ଆତୀଶଜୀ, ମୁଁ ଆପଣଙ୍କ ସହ ଏକମତ । ଏହି ଦୁଇ ମହାନ ବ୍ୟକ୍ତି କେବଳ ଝାଡ଼ଖଣ୍ଡ ନୁହେଁ ସମଗ୍ର ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ସାରା ଦେଶ ସେମାନଙ୍କ ଅବଦାନ ପାଇଁ ତାଙ୍କଠାରେ କୃତଜ୍ଞ । ଆଜି ଯଦି ଆମର ଯୁବବର୍ଗଙ୍କୁ ମାର୍ଗଦର୍ଶନ ପାଇଁ କୌଣସି ପ୍ରେରଣାଦାୟୀ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି ତା’ହେଲେ ସେ ହେଉଛନ୍ତି ଭଗବାନ ବିର୍ସା ମୁଣ୍ଡା । ସେ ନିଦ୍ରାରତ ଥିବା ସମୟରେ ଇଂରେଜମାନେ ଲୁଚିରହି କୌଶଳକ୍ରମେ ତାଙ୍କୁ ଗିରଫ କରିଥିଲେ । ସେମାନେ ଏଭଳି କାପୁରୁଷତାପୂର୍ଣ୍ଣ ଉପାୟ କାହିଁକି ଅବଲମ୍ବନ କଲେ ତାହା ଆପଣ ଜାଣନ୍ତି କି? କାରଣ ଏତେ ବଡ଼ ସାମ୍ରାଜ୍ୟ ସୃଷ୍ଟି କରିଥିବା ଇଂରେଜମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ । ଭଗବାନ “ବିର୍ସା ମୁଣ୍ଡା” କେବଳ ନିଜର ପାରମ୍ପରିକ ଧନୁଶର ସାହାଯ୍ୟରେ ହିଁ ବନ୍ଧୁକ କମାଣ ଆଦି ରଖିଥିବା ଇଂରେଜ ପ୍ରଶାସନଙ୍କୁ ଦୋହଲାଇ ଦେଇଥିଲେ । ବାସ୍ତବରେ ଲୋକଙ୍କୁ ଯେତେବେଳେ ଏକ ପ୍ରେରଣାଦାୟୀ ନେତୃତ୍ୱ ମିଳେ ସେତେବେଳେ ଅସ୍ତ୍ରଶସ୍ତ୍ରର ଶକ୍ତି ଲୋକମାନଙ୍କ ସାମୁହିକ ଇଚ୍ଛାଶକ୍ତି ଆଗରେ ହାରମାନେ । ଭଗବାନ “ବିର୍ସା ମୁଣ୍ଡା” କେବଳ ରାଜନୈତିକ ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ସହ ଲଢ଼ିନଥିଲେ ବରଂ ଆଦିବାସୀମାନଙ୍କ ସାମାଜିକ ଏବଂ ଆର୍ଥିକ ଅଧିକାର ପାଇଁ ମଧ୍ୟ ସଂଗ୍ରାମ କରିଥିଲେ । ନିଜର ଅଳ୍ପାୟୁ ଜୀବନରେ ସେ ଏହା ସବୁକିଛି କରି ଦେଖାଇଲେ । ବଂଚିତ ଏବଂ ଶୋଷିତମାନଙ୍କ ଅନ୍ଧକାରପୂର୍ଣ୍ଣ ଜୀବନକୁ ସୂର୍ଯ୍ୟସମ ଆଲୋକିତ କଲେ । ଭଗବାନ ବିର୍ସାମୁଣ୍ଡା 25 ବର୍ଷର ଅଳ୍ପ ଆୟୁରେ ହିଁ ନିଜର ବଳିଦାନ ଦେଲେ । ବିର୍ସା ମୁଣ୍ଡାଙ୍କ ଭଳି ଭାରତମାତାଙ୍କ ସୁପୁତ୍ର ଦେଶର ପ୍ରତ୍ୟେକ ଭାଗରେ ଜନ୍ମଗ୍ରହଣ କରିଛନ୍ତି । ଭାରତର ଏଭଳି କୌଣସି ଅଂଚଳ ନ ଥିବ ଯେଉଁଠାରୁ ଶହ ଶହ ବର୍ଷ ଧରି ଚାଲିଆସିଥିବା ସ୍ୱାଧୀନତାର ଏହି ସଂଗ୍ରାମରେ କେହି ଯୋଗ ଦେଇନଥିବେ । କିନ୍ତୁ ଏମାନଙ୍କ ତ୍ୟାଗ, ଶୌର୍ଯ୍ୟ ଏବଂ ବଳିଦାନର କାହାଣୀ ନୂତନ ପିଢ଼ି ପର୍ଯ୍ୟନ୍ତ ପହଂଚି ନ ପାରିଥିବା ଦୁର୍ଭାଗ୍ୟର ବିଷୟ । ଯେମିତି ଭଗବାନ “ବିର୍ସା ମୁଣ୍ଡା”ଙ୍କ ଭଳି ବ୍ୟକ୍ତିତ୍ୱ ଆମକୁ ନିଜର ଅସ୍ତିତ୍ୱର ଅନୁଭବ କରାଇଲେ । ସେହିଭଳି ଜାମଶେଦ୍ ଜୀ ଟାଟାଙ୍କ ଭଳି ବ୍ୟକ୍ତି ଦେଶକୁ ବଡ଼ ବଡ଼ ସଂସ୍ଥାନ ଦେଲେ । ଜାମଶେଦଜୀ ଟାଟା ପ୍ରକୃତ ଅର୍ଥରେ ଜଣେ ଦୂରଦ୍ରଷ୍ଟା ଥିଲେ ଯିଏ କେବଳ ଭାରତର ଭବିଷ୍ୟତକୁ ଦେଖିନଥିଲେ ବରଂ ଏହାର ମଜଭୁତ ମୂଳଦୁଆ ପକାଇଥିଲେ । ଭାରତକୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପର କେନ୍ଦ୍ରକରି ଗଢ଼ିତୋଳିବା ଭବିଷ୍ୟତ ପାଇଁ ଏକ ଆବଶ୍ୟକତା ବୋଲି ସେ ଭଲଭାବେ ଜାଣିଥିଲେ । ଏହା ତାଙ୍କରି ଦୂରଦୃଷ୍ଟି ଥିଲା ଯାହାର ଫଳସ୍ୱରୂପ Tata Institute of Science ପ୍ରତିଷ୍ଠିତ ହୋଇଥିଲା ଯାହା ଏବେ Indian Institute of Science ନାମରେ ପରିଚିତ । କେବଳ ଏତିକି ନୁହେଁ, ସେ Tata Steel ଭଳି ଅନେକ ବିଶ୍ୱସ୍ତରୀୟ ସଂସ୍ଥା ଏବଂ ଶିଳ୍ପ ସେ ପ୍ରତିଷ୍ଠା କରିଥିଲେ । ଜାମଶେଦଜୀ ଟାଟା ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କ ସାକ୍ଷାତ ସେମାନଙ୍କ ଆମେରିକା ଯାତ୍ରା ସମୟରେ ଜଳଜାହାଜରେ ହୋଇଥିଲା । ସେତେବେଳେ ସେମାନଙ୍କ ଆଲୋଚନାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ- ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଚାର ଓ ପ୍ରସାର ସହ ଜଡ଼ିତ ଥିଲା । କୁହାଯାଏ ଯେ ଏହି ଆଲୋଚନା ଫଳରେ Indian Institute of Scienceର ମୂଳଦୁଆ ପଡ଼ିଥିଲା ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଭାଇ ଦେଶାଇଙ୍କ ଜନ୍ମ ଫେବୃଆରୀ 29 ତାରିଖରେ ହୋଇଥିଲା । ଆପଣମାନେ ଜାଣନ୍ତି ଯେ ଏହି ଦିନଟି ଚାରିବର୍ଷରେ ଥରେ ପଡ଼େ । ସରଳ, ଶାନ୍ତିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ମୋରାରଜୀ ଭାଇ ଦେଶର ସବୁଠାରୁ ଅନୁଶାସିତ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ସ୍ୱାଧୀନ ଭାରତରେ ସଂସଦରେ ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ ମୋରାରଜୀ ଭାଇ ଦେଶାଇଙ୍କ ନାମରେ ହିଁ ରହିଛି । ମୋରାରଜୀ ଦେଶାଇ ସେହି କଠିନ ସମୟରେ ଦକ୍ଷତାର ସହ ଭାରତକୁ ନେତୃତ୍ୱ ପ୍ରଦାନ କରିଥିଲେ ଯେତେବେଳେ ଦେଶର ଗଣତନ୍ତ୍ର ପ୍ରତି ବିପଦ ରହିଥିଲା । ଏଥିପାଇଁ ଆମର ଆଗାମୀ ପିଢ଼ି ମଧ୍ୟ ତାଙ୍କଠାରେ କୃତଜ୍ଞ ରହିବ । ମୋରାରଜୀ ଭାଇ ଦେଶାଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଆନ୍ଦୋଳନରେ ନିଜକୁ ସର୍ମପିତ କରିଦେଲେ । ସେଥିପାଇଁ ତାଙ୍କୁ ବାର୍ଦ୍ଧକ୍ୟ ସମୟରେ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ତତ୍କାଳୀନ ସରକାର ତାଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରିଦେଲେ । କିନ୍ତୁ 1977ରେ ଯେତେବେଳେ ଜନତା ଦଳ ନିର୍ବାଚନରେ ବିଜୟ ଲାଭ କଲା ସେତେବେଳେ ସେ ଦେଶର ପ୍ରଧାନମନ୍ତ୍ରୀ ହେଲେ । ତାଙ୍କରି କାର୍ଯ୍ୟକାଳରେ ସମ୍ବିଧାନର 44ତମ ସଂଶୋଧନ କରାଗଲା । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା 42ତମ ସମ୍ବିଧାନ ସଂଶୋଧନ ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟର କ୍ଷମତା ହ୍ରାସ କରିବା ସହ ଅନ୍ୟ ଏଭଳି ବ୍ୟବସ୍ଥା ଥିଲା ଯାହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଥିଲା । ସେଗୁଡ଼ିକୁ ପୁନଃସ୍ଥାପିତ କରାଗଲା । ଯେମିତିକି 44ତମ ସଂଶୋଧନ ମାଧ୍ୟମରେ ସଂସଦ ଏବଂ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ସମ୍ବାଦପତ୍ରରେ ପ୍ରକାଶନର ବ୍ୟବସ୍ଥା କରାଗଲା । ଏହାରି ବଳରେ ସର୍ବୋଚ୍ଚ ନ୍ୟାୟାଳୟର କିଛି କ୍ଷମତାକୁ ପୁନଃସ୍ଥାପିତ କରାଗଲା । ଏହି ସଂଶୋଧନରେ ଏ ବ୍ୟବସ୍ଥା ମଧ୍ୟ କରାଗଲା ଯେ, ସମ୍ବିଧାନର ଅନୁଚ୍ଛେଦ 20 ଏବଂ 21 ଦ୍ୱାରା ପ୍ରାପ୍ତ ମୌଳିକ ଅଧିକାରଗୁଡ଼ିକୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ । ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା କରାଗଲା ଯେ, ମନ୍ତ୍ରିମଣ୍ଡଳର ଲିଖିତ ସୁପାରିଶ ଆଧାରରେ ହିଁ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ । ଏଥିସଙ୍ଗେ ଏହା ମଧ୍ୟ ସ୍ଥିର କରାଗଲା ଯେ, ଜରୁରୀକାଳୀନ ପରିସ୍ଥିତି ଅବଧିକୁ ଥରକେ ଛଅମାସରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ । ଜରୁରୀକାଳୀନ ପରିସ୍ଥିତି ଜାରି ମାଧ୍ୟମରେ 1975ରେ ଯେଉଁଭଳି ଗଣତନ୍ତ୍ରର ହତ୍ୟା କରାଯାଇଥିଲା, ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନ ହୁଏ ଏହି କଥାକୁ ମୋରାରଜୀଭାଇ ସୁନିଶ୍ଚିତ କରିଥିଲେ । ଭାରତୀୟ ଗଣତନ୍ତ୍ରର ମହାତ୍ମ୍ୟକୁ ବଜାୟ ରଖିବାରେ ତାଙ୍କର ଅମୂଲ୍ୟ ଅବଦାନକୁ ଆଗାମୀ ପିଢ଼ି ସର୍ବଦା ମନେରଖିବ । ପୁଣିଥରେ ଏଭଳି ମହାନ ନେତାଙ୍କୁ ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପଦ୍ମ ପୁରସ୍କାରକୁ ନେଇ ଲୋକମାନଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ଥିଲା । ଆଜି ଆମେମାନେ ଗୋଟିଏ ନୂତନ ଭାରତ ଦିଗରେ ଅଗ୍ରସର । ଏଥିରେ ଆମେ ସେଇ ଲୋକମାନଙ୍କୁ ସମ୍ମାନିତ କରିବାକୁ ଚାହୁଁ ଯେଉଁମାନେ ତୃଣମୂଳ ସ୍ତରରେ ନିଜର କାମ ଅତି ନିଷ୍କାମ ଭାବରେ କରିଛନ୍ତି । ବିଭିନ୍ନ ଭାବରେ ନିଜର ପରିଶ୍ରମ ଦ୍ୱାରା ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛନ୍ତି । ଜନସେବା, ସମାଜସେବା ଓ ସର୍ବୋପରି ରାଷ୍ଟ୍ରସେବାରେ ସେମାନେ ନିଃସ୍ୱାର୍ଥପର ଭାବେ ଲାଗି ରହିଛନ୍ତି । ସେମାନେ ବାସ୍ତବରେ କର୍ମଯୋଗୀ । ଆପଣମାନେ ଦେଖିଥିବେ, ଯେତେବେଳେ ପଦ୍ମ ପୁରସ୍କାର ଘୋଷଣା ହୁଏ ସେତେବେଳେ ଲୋକେ ପଚାରନ୍ତି ଇଏ କିଏ ବୋଲି । ମୁଁ ଏହାକୁ ଏକ ବଡ଼ ସଫଳତା ଭାବରେ ମନେକରେ । କାରଣ ଏହି ଲୋକମାନେ ଟିଭି, ପତ୍ରପତ୍ରିକା କିମ୍ବା ଖବରକାଗଜର ମୁଖପୃଷ୍ଠାରେ ନ ଥାନ୍ତି । ଏମାନେ ଦୁନିଆର ଚାକଚକ୍ୟଠାରୁ ବହୁଦୂରରେ ରହିଥାନ୍ତି । କିନ୍ତୁ ଏମାନେ ଏଭଳି ଲୋକ ଯେଉଁମାନେ ନାଁ କମେଇବା ଆଶା ନ ରଖି ତୃଣମୂଳ ସ୍ତରରେ କାମ କରିବାରେ ବିଶ୍ୱାସ କରନ୍ତି । ‘ଯୋଗଃ କର୍ମସୁ କୌଶଳମ୍’ ଗୀତାର ଏହି ଉକ୍ତିକୁ ସେମାନେ ନିଜ ଜୀବନରେ ସାକାର କରିପାରିଛନ୍ତି ।

ମୁଁ ଆପଣମାନଙ୍କୁ ଏହିଭଳି କିଛି ଲୋକଙ୍କ ବିଷୟରେ କହିବାକୁ ଚାହେଁ । ଓଡ଼ିଶାର ଦୈତାରୀ ନାୟକଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ତାଙ୍କୁ ‘The Canal Man of Odisha’ ବୋଲି ବିନା କାରଣରେ କୁହାଯାଇନି । ଦୈତାରୀ ନାୟକ ନିଜ ହାତରେ ପାହାଡ଼କୁ କାଟି ତାଙ୍କ ଗାଁରେ ତିନି କିଲୋମିଟର ଲମ୍ବ ଗୋଟିଏ କେନାଲ ଖୋଳିପାରିଛନ୍ତି । ନିଜ ପରିଶ୍ରମ ବଳରେ ସେ ପାଣି ଓ ଜଳସେଚନର ସମସ୍ୟାର ଏକ ସ୍ଥାୟୀ ସମାଧାନ କରିପାରିଛନ୍ତି । ଗୁଜରାଟର ଅବଦୁଲ ଗଫୁର ଖତ୍ରୀଙ୍କୁ ଦେଖନ୍ତୁ । ସେ କଚ୍ଛ ଅଂଚଳର ପାରମ୍ପରିକ ‘ରୋଗନ୍ ଚିତ୍ରକଳା’କୁ ପୁନର୍ଜୀବିତ କରିବାର ଅଦ୍ଭୂତ କାମ କରିଦେଖାଇଛନ୍ତି । ସେ ଏହି ଦୁର୍ଲ୍ଲଭ ଚିତ୍ରକଳାକୁ ଆଧୁନିକ ଯୁବପିଢ଼ି ସହିତ ସଂଯୁକ୍ତ କରି ଏକ ବଡ଼ କାମ କରିଛନ୍ତି । ଅବଦୁଲ ଗଫୁର ଅଙ୍କନ କରିଥିବା Tree of Life ନାମକ କଳାକୃତିଟିକୁ ମୁଁ ଆମେରିକାର ପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଉପହାର ସ୍ୱରୂପ ଦେଇଥିଲି । ପଦ୍ମ ପୁରସ୍କାର ପାଇଥିବା ଆଉ ଜଣେ ହେଲେ ମରାଠୱାଡ଼ାର ସବୀର ସୈୟଦ୍ । ସେ ଜଣେ ବିଶିଷ୍ଟ ଗୋ-ସେବକ ଭାବରେ ଜଣାଶୁଣା । ସେ ସାରାଜୀବନ ଗୋମାତାଙ୍କ ସେବାରେ ସମର୍ପିତ କରି ଏକ ଅନୁପମ ଉଦାହରଣ ସୃଷ୍ଟି କରିପାରିଛନ୍ତି । ମଦୁରାଇ ଚିନ୍ନାପିଲ୍ଲୈ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କଲଂଜିୟମ ଆନ୍ଦୋଳନ ଦ୍ୱାରା ତାମିଲନାଡ଼ୁରେ ପୀଡ଼ିତ ଓ ଶୋଷିତମାନଙ୍କର ସଶକ୍ତିକରଣ ପାଇଁ ପ୍ରୟାସ କରିଥିଲେ । ତା’ ସଙ୍ଗେ ସଙ୍ଗେ ସମବାୟ ଆଧାରିତ ଲଘୁ ଅର୍ଥବ୍ୟବସ୍ଥାର ଆରମ୍ଭ ମଧ୍ୟ କରିଥିଲେ । ଆମେରିକାର Tao Porchon-Lynch ବିଷୟରେ ଜାଣିଲେ ଆପଣଙ୍କୁ ସୁଖଦ ଆଶ୍ଚର୍ଯ୍ୟ ଅନୁଭୂତ ହେବ । Lynch ଆଜି ଯୋଗର ଏକ ସଜୀବ ଅନୁଷ୍ଠାନ ଭାବରେ ପରିଚିତ । ଶହେବର୍ଷ ବୟସରେ ଆଜି ମଧ୍ୟ ସେ ବିଶ୍ୱର ଲୋକମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ ହଜାର ଲୋକଙ୍କୁ ଯୋଗ ଶିକ୍ଷକ ଭାବରେ ଗଢ଼ି ତୋଳିଛନ୍ତି । ଝାଡ଼ଖଣ୍ଡରେ Lady Tarjan ଭାବରେ ବିଖ୍ୟାତ ଯମୁନା ଟୁଡୁ କାଠ ମାଫିଆ ଓ ନକ୍ସଲମାନଙ୍କୁ ଦୃଢ଼ ମୁକାବିଲା କରିବାର ସାହସିକ କାମ କରିଛନ୍ତି । ସେ ପ୍ରାୟ 50 ହେକ୍ଟର ଜଙ୍ଗଲକୁ ଉଜୁଡ଼ିଯିବାରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରାୟ 10 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଏକତ୍ରିତ କରି ବୃକ୍ଷ ଏବଂ ବନ୍ୟଜୀବମାନଙ୍କର ସୁରକ୍ଷା ଦିଗରେ ପ୍ରେରଣା ଦେଇଛନ୍ତି । ଆଜି ଗ୍ରାମବାସୀମାନେ ପ୍ରତ୍ୟେକ ପିଲାର ଜନ୍ମ ଉପଲକ୍ଷେ 18ଟି ଗଛ ଲଗାଉଥିବା ବେଳେ ପ୍ରତି ଝିଅର ବିଭାଘର ଉପଲକ୍ଷେ 10ଟି ଗଛ ଲଗାଉଛନ୍ତି । ଏହା ଯମୁନାଜୀଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ । ଗୁଜରାଟର ମୁକ୍ତାବେନ୍ ଫଙ୍କଜକୁମାର ଦଗଲିଙ୍କ କଥା ଆପଣଙ୍କୁ ଭରପୁର ପ୍ରେରଣା ଯୋଗାଇବ । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଦିବ୍ୟାଙ୍ଗ ମହିଳାମାନଙ୍କର ଉତ୍ଥାନ ପାଇଁ ସେ ଯେଭଳି କାମ କରିଯାଇଛନ୍ତି ସେଭଳି ଉଦାହରଣ ମିଳିବା ବିରଳ । ଚକ୍ଷୁ ମହିଳା ସେବାକୁଞ୍ଜ ନାମକ ସଂସ୍ଥା ଗଠନ କରି ସେ ଦୃଷ୍ଟିହୀନ ପିଲାମାନଙ୍କୁ ଆତ୍ମନିର୍ଭର କରିବାର ପୂଣ୍ୟ କାମରେ ବ୍ରତୀ ହୋଇଛନ୍ତି । ବିହାର ମୁଜାଫରପୁର ଅଂଚଳର ‘କିସାନ ଚାଚି’ ଭାବେ ଜଣାଶୁଣା, ରାଜକୁମାରୀ ଦେବୀଙ୍କ କଥା ମଧ୍ୟ ବହୁତ ପ୍ରେରଣାଦାୟକ । ମହିଳା ସଶକ୍ତିକରଣ ତଥା କୃଷିକୁ ଲାଭଜନକ କରିବା ଦିଗରେ ସେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । କିସାନ ଚାଚି ନିଜ ଅଂଚଳର ତିନିଶହ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାର ପ୍ରେରଣା ଦେଇଛନ୍ତି । ସେ ଗ୍ରାମୀଣ ମହିଳାମାନଙ୍କୁ କୃଷିକର୍ମ ସହିତ ରୋଜଗାରର ଅନ୍ୟ ଉପାୟଗୁଡ଼ିକ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଛନ୍ତି । ବଡ଼କଥା ହେଲା ସେ କୃଷି ସହିତ ପ୍ରଯୁକ୍ତିକୁ ବି ଯୋଡ଼ିବାର ବିଶେଷ ପ୍ରୟାସ କରିଛନ୍ତି । ମୋର ଦେଶବାସୀଗଣ, ଏ ବର୍ଷ ଯେଉଁ ପଦ୍ମ ପୁରସ୍କାର ଦିଆଗଲା ସେମାନଙ୍କ ମଧ୍ୟରେ 12 ଜଣ କୃଷକଙ୍କୁ ପଦ୍ମ ପୁରସ୍କାର ମିଳିଛି, ବୋଧହୁଏ ପ୍ରଥମଥର ପାଇଁ ଏଭଳି ହୋଇଛି । ସାଧାରଣତଃ କୃଷିଜଗତ ସହ ଜଡ଼ିତ ବା ସିଧାସଳଖ କୃଷିକର୍ମ କରୁଥିବା ବହୁତ କମ୍ ଲୋକ ପଦ୍ମଶ୍ରୀ ତାଲିକାକୁ ଆସିଥାନ୍ତି । ସ୍ୱୟଂକ୍ରିୟ ଭାବେ ପରିବର୍ତ୍ତିତ ହେଉଥିବା ଭାରତର ଏହା ଏକ ଜୀବନ୍ତ ଚିତ୍ର ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ଆପଣମାନଙ୍କ ମନକୁ ଛୁଇଁଲା ଭଳି ଏଭଳି ଏକ କଥା କହିବାକୁ ଚାହେଁ ଯାହା ମୁଁ ଗତ କିଛିଦିନ ହେବ ଅନୁଭବ କରିଆସୁଛି । ମୁଁ ଆଜିକାଲି ଦେଶରେ ଯେଉଁଠିକି ବି ଯାଉଛି, ସେଠାରେ ମୁଁ ଆୟୁଷ୍ମାନ ଭାରତ ଯୋଜନା PM-JAY ଅର୍ଥାତ୍ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର କିଛି ହିତାଧିକାରୀଙ୍କ ସହିତ ଭେଟିବାକୁ ଚେଷ୍ଟା କରିଛି । କିଛି ଲୋକଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମଧ୍ୟ ମିଳିଛି । ମା’ଟିଏ ତା’ର ଛୋଟ ଛୋଟ ପିଲାମାନଙ୍କ ବ୍ୟତୀତ କେହି ନାହାନ୍ତି .ପଇସା ଅଭାବରୁ ନିଜର ଚିକିତ୍ସା କରାଇପାରୁ ନ ଥିଲା । ଏଇ ଯୋଜନା ସହାୟତାରେ ତା’ର ଚିକିତ୍ସା ହେଲା ଏବଂ ସେ ସୁସ୍ଥ ହୋଇପାରିଲା । ସେହିଭଳି ମଜୁରୀ ଖଟି ନିଜ ପରିବାର ପାଳୁଥିବା ଗୋଟିଏ ଘରର ମୁଖିଆ ଦୁର୍ଘଟଣାର ଶୀକାର ହୋଇ କାମ କରିପାରୁନଥିଲା – ଏହି ଯୋଜନାର ଲାଭ ତାକୁ ମିଳିଲା ଏବଂ ସେ ପୁଣି ସୁସ୍ଥ ହୋଇ ଏକ ନୂଆ ଜୀବନ ପାଇଲା ।

ଭାଇ ଓ ଭଉଣୀମାନେ ଗତ ପାଞ୍ଚମାସ ମଧ୍ୟରେ ପ୍ରାୟ ବାରଲକ୍ଷ ପରିବାର ଏହି ଯୋଜନା ଦ୍ୱାରା ଉପକୃତ ହୋଇସାରିଛନ୍ତି । ମୁଁ ଅନୁଭବ କଲି ଯେ ଗରିବ ଲୋକଟିର ଜୀବନରେ ଏହି ଯୋଜନା ଦ୍ୱାରା କେତେବଡ଼ ପରିବର୍ତ୍ତନ ଆସିପାରୁଛି । ଆପଣମାନେ ମଧ୍ୟ ଯଦି ଏଭଳି କୌଣସି ଗରିବ ଲୋକଙ୍କୁ ଜାଣନ୍ତି ଯିଏ ପଇସା ଅଭାବରେ ଚିକିତ୍ସା ପାଇପାରୁନି ତାକୁ ଏଇ ଯୋଜନା ସମ୍ବନ୍ଧରେ ନିଶ୍ଚିତ ଭାବେ ଜଣାନ୍ତୁ । ଏଇ ଯୋଜନାଟି ଏଇଭଳି ଗରିବମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।

ମୋର ପ୍ରିୟ ଦେଶବାସୀଗଣ, ସ୍କୁଲରେ ପରୀକ୍ଷାର ସମୟ ଆସୁଛି । ସାରା ଦେଶରେ ବିଭିନ୍ନ ଶିକ୍ଷାବୋର୍ଡ଼ ଆଗାମୀ କିଛିଦିନ ମଧ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆରମ୍ଭ କରିବେ । ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କର ଅଭିଭାବକ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା ।
କିଛିଦିନ ପୂର୍ବେ ଦିଲ୍ଲୀରେ “ପରୀକ୍ଷା ପେ ଚର୍ଚ୍ଚା” ନାମରେ Town Hallର Formatରେ ଗୋଟିଏ ବହୁତ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଏହି Town Hall କାର୍ଯ୍ୟକ୍ରମରେ Technology ମାଧ୍ୟମରେ ମୋତେ ଦେଶ ବିଦେଶର କୋଟି କୋଟି ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା ।

“ପରୀକ୍ଷା ପେ ଚର୍ଚ୍ଚା” – କାର୍ଯ୍ୟକ୍ରମର ଗୋଟିଏ ବଡ଼ ବିଶେଷତ୍ୱ ଥିଲା ଯେ ଏଥିରେ ପରୀକ୍ଷା ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ମନଖୋଲି କଥାବାର୍ତ୍ତା ହେଲା । ଏମିତି କିଛି ବିଷୟ ନଜରକୁ ଆସିଲା ଯାହା ବିଦ୍ୟାର୍ଥୀମାନଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ । ସମସ୍ତ ଛାତ୍ରଛାତ୍ରୀ, ତାଙ୍କର ପିତାମାତା ତଥା ଶିକ୍ଷକଗଣ Youtubeରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ରେକର୍ଡିଂ ଦେଖିପାରିବେ । ଆଗାମୀ ପରୀକ୍ଷା ପାଇଁ ସମସ୍ତ Exam Warriorମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଭାରତ ସମ୍ପର୍କରେ କଥା ହେଉଥିବ ଆଉ ପର୍ବପର୍ବାଣୀର କଥା ନ ଆସିବ ଏକଥା କେବେ ବି ହୋଇନପାରେ । ଆମ ଦେଶରେ ବୋଧହୁଏ ଏମିତି କୌଣସି ଦିନ ନାହିଁ ଯାହାର କିଛି ବିଶେଷତ୍ୱ ନ ଥିବ କିମ୍ବା କୌଣସି ପର୍ବପର୍ବାଣୀ ନ ଥିବ । କାରଣ ଆମ ପାଖରେ ହଜାର ହଜାର ବର୍ଷ ପୁରାତନ ସାଂସ୍କୃତିକ ପରମ୍ପରା ରହିଛି । କିଛିଦିନ ପରେ ମହାଶିବରାତ୍ରୀ ଆସିବ । ଏ ବର୍ଷ ଶିବରାତ୍ରୀ ସୋମବାର ଦିନ ପଡ଼ୁଛି । ଆଉ ଯଦି ଶିବରାତ୍ରୀ ସୋମବାର ଦିନ ପଡ଼େ ତେବେ ଆମ ମନରେ ତା’ପାଇଁ ଏକ ବିଶେଷ ମହତ୍ୱ ଛାଇ ହୋଇଯାଏ । ଶିବରାତ୍ରୀର ଏହି ପବିତ୍ର ଉତ୍ସବ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ମୁଁ କାଶୀ ଯାଇଥିଲି । ସେଠାରେ ମୋତେ ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ମିଳିଥିଲା । ସେମାନଙ୍କ ସାଥିରେ ଅନେକ ବିଷୟରେ ଆଲୋଚନା ହେଲା । ସେମାନଙ୍କର ଆତ୍ମବିଶ୍ୱାସ ବାସ୍ତବରେ ପ୍ରଭାବଶାଳୀ ଓ ପ୍ରେରଣାଦାୟୀ ଥିଲା । କଥାବାର୍ତ୍ତା ଭିତରେ ସେମାନଙ୍କ ମଧ୍ୟରୁ ଜଣେ ପ୍ରଜ୍ଞାଚକ୍ଷୁ ଯୁବକ ସହିତ ବାର୍ତ୍ତାଳାପ ଭିତରେ ସେ କହିଲେ ମୁଁ ଜଣେ ମଂଚ କଳାକାର । ମୁଁ ମନୋରଞ୍ଜନ କାର୍ଯ୍ୟକ୍ରମରେ Mimicry ବା ନକଲ କରୁଛି । ମୁଁ ହାଲୁକା ଭାବରେ ପଚାରିଦେଲି ତୁମେ କାହାର ନକଲ କରୁଛ – ସେ ଜବାବ ଦେଲେ ମୁଁ ପ୍ରଧାନମନ୍ତ୍ରୀଙ୍କର ନକଲ କରୁଛି । ମୁଁ ତାଙ୍କୁ କହିଲି ଆଚ୍ଛା ଟିକେ କରି ଦେଖାଅ ତ! ମୋ ପାଇଁ ଆନନ୍ଦ ଓ ଆଶ୍ଚର୍ଯ୍ୟର ବିଷୟ ଥିଲା ଯେ ମନ କି ବାତରେ ମୁଁ ଯେମିତି କଥା କହେ ସେ ଠିକ୍ ସେହିଭଳି କହିଲେ ଏବଂ ମନ୍ କି ବାତର ନକଲ ହିଁ କଲେ । ଶୁଣିବା ପରେ ମୋତେ ବହୁତ ଖୁସି ଲାଗିଲା ମୋତେ ବହୁତ ଭଲ ଲାଗିଲା ଯେ ଲୋକ ମନ୍ କି ବାତ୍ ଖାଲି ଶୁଣିନାହାଁନ୍ତି …. ବରଂ କେତେକ କ୍ଷେତ୍ରରେ ତାଙ୍କୁ ମନେ ବି ପକାଉଛନ୍ତି । ମୁଁ ସେହି ଦିବ୍ୟାଙ୍ଗ ଯୁବକ ଜଣଙ୍କର ଶକ୍ତି ଦ୍ୱାରା ସତରେ ପ୍ରଭାବିତ ହୋଇଛି ।

ମୋର ପ୍ରିୟ ଦେଶବାସୀଗଣ, ମନ କି ବାତ୍ କାର୍ଯ୍ୟକ୍ରମ ଦ୍ୱାରା ଆପଣମାନଙ୍କ ସହିତ ଯୋଡ଼ିହେବା ମୋ ପାଇଁ ଏକ ଅଭିନବ ଅନୁଭୂତି ଆଣିଦେଇଛି । ରେଡ଼ିଓ ମାଧ୍ୟମରେ ପ୍ରତି ମାସରେ କୋଟି କୋଟି ପରିବାର ସହିତ ମୁଁ ଏକ ପ୍ରକାର ସାମ୍ନାସାମ୍ନି କରୁଛି । ଆପଣଙ୍କ ସହିତ କଥାହୋଇ, ଆପଣମାନଙ୍କର ଚିଠିପଢ଼ି, ଆପଣମାନେ ଫୋନ ମାଧ୍ୟମରେ ବ୍ୟକ୍ତ କରିଥିବା ମତାମତକୁ ଶୁଣି ମୋତେ ଅନେକ ସମୟରେ ଲାଗେ ଆପଣମାନେ ମୋତେ ଆପଣଙ୍କର ପରିବାରର ଏକ ଅଙ୍ଗଭଳି ମାନିନେଇଛନ୍ତି । ମୋ ପାଇଁ ଏହା ଏକ ଅତ୍ୟନ୍ତ ସୁଖଦ ଅନୁଭୂତି ।

ବନ୍ଧୁଗଣ, ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ । ଆଗାମୀ ଦୁଇମାସ ଆମେମାନେ ନିର୍ବାଚନର ଗହଳ ଚହଳ ଭିତରେ ରହିବା । ମୁଁ ନିଜେ ମଧ୍ୟ ଏହି ନିର୍ବାଚନରେ ଜଣେ ପ୍ରାର୍ଥୀ ରହିବି । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଜଣାଇ ଆଗାମୀ ମନ୍ କି ବାତ୍ ମେ’ ମାସର ଶେଷ ରବିବାର ଦିନ ଅନୁଷ୍ଠିତ ହେବ । ଅର୍ଥାତ୍ ମାର୍ଚ୍ଚ ମାସ, ଅପ୍ରେଲ ମାସ ଓ ମେ’ ମାସ ଏ ତିନିମାସର ସମସ୍ତ ଭାବନାକୁ ନେଇ ନିର୍ବାଚନ ପରେ ଗୋଟିଏ ନୂତନ ବିଶ୍ୱାସର ସହିତ ଆପଣମାନଙ୍କର ଆଶୀର୍ବାଦର ଶକ୍ତି ନେଇ ମୁଁ ପୁଣି ମନ କି ବାତ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବି ଏବଂ ବର୍ଷ ବର୍ଷ ଧରି ଆପଣମାନଙ୍କୁ ମନର କଥା କହିବି । ଆପଣମାନଙ୍କୁ ପୁଣିଥରେ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ।

Categories
KNOWLEDGE

RELATED BY

  • ସପ୍ତଦଶ ନାରଦ ସମ୍ମାନ

    ଭୁବନେଶ୍ୱର: ଅଶୀରେ ଯେଉଁ କେତେଜଣ ଓଡିଆ ଯୁବ ସାମ୍ବାଦିକ ରାଜ୍ୟର ସାମ୍ବାଦିକତାକୁ ପେଶା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ପ୍ରଚେଷ୍ଠା କରି ସଫଳ ହୋଇଥିଲେ ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଅନ୍ୟତମ । ସେ...
  • ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଏହା ଶେଷ ଗ୍ରୁପ୍ ଫୋଟ

    ପଞ୍ଚଦଶ ବିଧାନସଭା ଅଧିବେସନ ଆଜି ଶେଷ ହୋଇଛି । ଏହି ଅବସରେ ଏକ ଗ୍ରୁପ୍ ଫୋଟ ଉତ୍ତୋଳନ କରାଯାଇଛି । ବାବାଚସ୍ପତି ପ୍ରଦିପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ , ମନ୍ତ୍ରୀବୃନ୍ଦ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ...
  • ସରକାର ସମସ୍ତଙ୍କୁ ଆବାସ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି

    ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ   • ୨୦୧୯ ବର୍ଷ ଆମ ଗଣତନ୍ତ୍ର ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ- ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛୁ ।...
  • ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ : ପ୍ରଧାନମନ୍ତ୍ରୀ

    ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା – ୨.୦ କାର୍ଯ୍ୟକ୍ରମ ପରୀକ୍ଷା ବଡ଼ ନୁହେଁ, ଜୀବନ ବଡ଼ ପିଲାଙ୍କୁ ଅନ୍ୟର ରେକର୍ଡ, ର‌୍ୟାଙ୍କିଙ୍ଗ୍ ସହ ତୁଳନା ନ କରିବାକୁ ପରାମର୍ଶ  ମହତ୍ୱାକାଂକ୍ଷା ଠାରୁ ଦୂରେଇ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ  ଲକ୍ଷ୍ୟ, ଆଶା,...
WhatsApp chat