ସାହାଯ୍ୟ

ଓଡ଼ିଶାବାସୀଙ୍କ ପାଇଁ ଅଶୁଭର ଦିନ
୧୯୯୯ ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା। ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବହିଗଲା ମହାବାତ୍ୟା । ବାତ୍ୟା ସହିତ ବର୍ଷା ହେବା ଯୋଗୁ ପରିସ୍ଥିତି ଭୟାବହ ହୋଇପଡ଼ିଲା । ଏପରି ଏକ ବାତ୍ୟା ହେବା କଥା କେହି ବିଶ୍ୱାସ କରିପାରୁ ନଥିଲେ  । ସେ ସମୟରେ ସରକାରଙ୍କ ତରଫରୁ ଆଜିକା ଭଳି ଆଶ୍ରୟସ୍ଥଳୀ ନିର୍ମାଣ ହୋଇନଥିଲା  । ଟିଭି, ରେଡିଓ ବା ପାଣିପାଗ ବିଭାଗ ଗୁଡ଼ିକ ଆଜିଭଳି ସେତେ ପ୍ରଭାବଶାଳୀ ନଥିଲେ । ଲୋକେ ମଧ୍ୟ ସେଥିରେ ପ୍ରଚାରିତ ପାଣିପାଗ ଉପରେ ବିଶେଷ ଭରସା କରିପାରୁନଥିଲେ । ବାତ୍ୟା ସହ ବର୍ଷା କ୍ରମେ କ୍ରମେ ବଢ଼ିଲା । ସାମୁଦ୍ରିକ ଜୁଆର ମାଡ଼ିଆସିଲା । ଘଣ୍ଟାକୁ ୨୫୦ରୁ ୩୦୦ କିମି ବେଗରେ ପବନ ବହି ମହାଦ୍ରୁମ ଧରାଶୟୀ ହେଲେ । ଝୁଡ଼ି, ଝୁପୁଡି, ଚାଳଘର କଥା ପଚାରେ କିଏ? ଲୋକେ ଖୋଜି ବୁଲିଲେ ଆଶ୍ରୟସ୍ଥଳ । ଆଶ୍ରୟସ୍ଥଳ କାହିଁ ? ଏହାପୁଣି ବେଶୀ କ୍ଷୟକ୍ଷତି ହୋଇଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଲୋକଙ୍କୁ । ଆମ ଅଞ୍ଚଳରେ ଅଜା ଆମର କଡିବରାଗାର ଦୋସାହାଲା ଖୁବ୍‍ ମୋଟା କାନ୍ଥରେ ପକ୍କା ଘର କରିଥିଲେ  । କେତେ ବାତ୍ୟା ସେ ଘର ସହିଲାଣି । ଏହି ଘର ଅନେକବାର ଲୋକଙ୍କର ଆଶ୍ରୟସ୍ଥଳ ମନେକରି ପାଖ ପଡୋଶୀ, ଗ୍ରାମବାସୀ ଛୁଟିଲେ ଏଠାକୁ  । ଆମ ପରିବାରର ଚିରଶତ୍ରୁ, କପଟୀ, ହିଂସୁକ ଜମିବାଡ଼ି ନେଇ ଅଜାଙ୍କ ଅମଳରୁ ଗଡ଼ି ଆସୁଥିବା କୋର୍ଟ, କଚେରୀ କେସ୍‍କୁ ଭୁଲି ଗୋଟିଏ ପରିବାରର ଲୋକେ ପ୍ରଥମେ ଆଶୟ୍ର ପାଇଁ ଚାଲି ଆସିଲେ ସେମାନଙ୍କ ମୂଲ୍ୟବାନ ଜିନିଷପତ୍ର ଧରି । ମାଡ଼ି ବସିଲେ ଗୋଟିଏ ବଖରା ଘର । ଧୀରେ ଧୀରେ ଲୋକେ ପାଚେରୀ ଡେଇଁ, ଛାତକୁ ଲାଗିଥିବା ଗଛରେ ଚଢ଼ି ଆଶୟ୍ର ନେଲେ ଘର, ବାରଣ୍ଡାରେ । ସ୍ଥାନର ଅଭାବରୁ ବିରାଟ ଅମାର ଘରେ, ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ଗାଈ ଗୋଠ ଭଳି ଛୁଆ, ପିଲା, ସ୍ତ୍ରୀ, ପୁରୁଷ ଖୁନ୍ଦି ହୋଇଗଲେ  । ପ୍ରବଳ ବାତ୍ୟାରେ ବାରଣ୍ଡା ପାଣିରେ ଭର୍ତ୍ତି ହୋଇଯିବା ସତ୍ତେ୍ୱ ଲୋକେ ଛିଡ଼ାହୋଇ ରହିଲେ । ସୋରିଷ ପକାଇଲେ ମଧ୍ୟ ତଳେ ପଡ଼ିବାର ସମ୍ଭାବନା ନଥିଲା । ପ୍ରକୃତି ପାଖରେ ସମସ୍ତେ ସମାନ  । ଖାଦ୍ୟ ଖାଦକର, ଶତ୍ରୁ ମିତ୍ରଙ୍କର ମିଳନ ହୋଇଯାଏ ପ୍ରକୃତି ପାଖରେ । ଆମ ଘରେ ସେହି ଅବସ୍ଥା ହେଲା । ବର୍ଷା ଓ ବାତ୍ୟା ଚାଲିଲା ଅନବରତ ୩୫ ଘଣ୍ଟା ଧରି  । ଏହି ମଧ୍ୟରେ ବାହାରକୁ ଯିବାର କୌଣସି ଉପାୟ ନଥିଲା  । ଚତୁର୍ଦ୍ଦିଗ ଅନ୍ଧକାର  । ଲଣ୍ଠନ ପବନରେ ଲିଭିଗଲା, କାଣ୍ଡେଲ କଥା ପଚାରେ କିଏ ? ଏହି ସମୟରେ ଝାଡ଼ା, ପରିସ୍ରା ବି କରିବାକୁ ଯିବାର ଉପାୟ ନଥିଲା  । କେତେକ ବାରଣ୍ଡାରେ ପିଲାମାନେ ବସିଥିବା ସ୍ଥାନରେ ମଧ୍ୟ ପାଇଖାନା କଲେ । ଗୃହର ପରିବେଶ ହୋଇଗଲା ଦୁର୍ଗନ୍ଧଯୁକ୍ତ  । ଖାଇବେ କ’ଣ? ଦେବ କିଏ ? ଏଠି ସମସ୍ତେ ଏକ ଡଙ୍ଗାରେ ପଥିକ  । ବର୍ଷା ବାତ୍ୟା କମିଯିବାରୁ କ୍ଷୁଧାର୍ତ୍ତ ଲୋକେ ଚରିଗଲେ ବିରାଟ ଖୋଲା ବାରିରେ । ପ୍ରାୟ ସମସ୍ତ କଦଳୀ ବାଗନା, ନଡ଼ିଆ, ଆମ୍ବ, ପିଜୁଳି ଗଛ ସବୁଥିରେ ଧରାଶାୟୀ । ପ୍ରବଳ ନଡ଼ିଆ, ପଇଡ଼ ବିକ୍ଷିପ୍ତ ହୋଇ ପଡ଼ିରହିଥିଲା, ବିଭିନ୍ନ ଜାଗାରେ  । ଖାଇଲେ ପିଲାଙ୍କୁ ମଧ୍ୟ ଆଣିଦେଲେ  । ସହସ୍ର ଭୋକିଲା ଲୋକଙ୍କୁ ଅତିକମ୍‍ରେ ଭାତ, ଡାଲମାର ଗୋଟାଏ ବକ୍ତ୍‍ ବ୍ୟବସ୍ଥା କରାଇଲେ ମୋର ସାନ ଭାଇ । ତାହା ମଧ୍ୟ ଥିଲା କଷ୍ଟକର ବ୍ୟାପାର  । ଇନ୍ଧନର ଅଭାବ ଥିଲା ପ୍ରତିବନ୍ଧକ  । ତଥାପି ଲୋକଙ୍କ ସହାୟତାରେ କେତେଗୁଡ଼ିଏ ଗୃହ ଉପକରଣ ନିର୍ମାଣ ପାଇଁ କାଠ ଚିରି ରୋଷେଇର ବ୍ୟବସ୍ଥା ହେଲା  । ଆକାଶରେ ହେଲିକପ୍ଟର ଉଡ଼ିବାର ଦେଖିଲେ ଲୋକେ ଦୌଡ଼ିଲେ ରିଲିଫ୍‍ ପାଇଁ  । ଆକାଶ ମାର୍ଗରୁ ପଡୁଥିଲା ଚୁଡ଼ା, ଗୁଡ଼, ପାଉଁରୁଟି, ବିସ୍କୁଟ ପ୍ୟାକେଟ୍‍ମାନ । କିଏ ପାଇଲା, କିଏ ନିରାଶରେ ଫେରିଲେ । ନିଜ ନିଜ ଘରକୁ ଫେରିବାକୁ ଆଗ୍ରହୀ ଥିଲେ ବି ଘର ତ ଘର ହୋଇନଥିଲା । ସେସବୁ ମାଟିରେ ମିଶିଯାଇଥିଲା  । ମାଟି ତଳେ ପୋତିହୋଇ ଯାଇଥିବା କେତେକ ଗୃହ ଉପକରଣକୁ ଖୋଜାଖୋଜି କରି ବାହାର କଲେ  । କିନ୍ତୁ ସେଠାରେ ରାତ୍ରି ଯାପନ କରିବେ କିପରି ? ଦିନବେଳା ଘର ସଜାଡ଼ି ରାତ୍ରରେ ଫେରିଲେ ଆମ ଘରକୁ ବିଶ୍ରାମ ପାଇଁ  । ସରକାରୀ ସାହାଯ୍ୟ ପହଞ୍ଚିବାରେ ବିଳମ୍ବର କାରଣ ରାସ୍ତା ଘାଟରେ ପଡ଼ିରହିଥିଲା ସହସ୍ର ବୃକ୍ଷ  । ଯାହା ଆସୁଥିଲା ତାହା ବାଟରୁ ଲୁଟିନେଉଥିଲେ ଭୋକିଲା, ଗୁଣ୍ଡା, ଟାଉଟର ଲୋକେ । ବିଳମ୍ବରେ ଖୋଲିଲା ରିଲିଫ୍‍ କ୍ୟାମ୍ପ୍‍ ଯୋଗାଇ ଦିଆଗଲା ପଲିଥିନ୍‍,ବାଉଁଶ ଓ ଅନ୍ୟାନ୍ୟ ଉପକରଣ ଅସ୍ଥାୟୀ ଭାବେ ଆଶ୍ରୟ ନେବାକୁ  । ମହାବାତ୍ୟା ସମସ୍ତଙ୍କ ପାଇଁ ଯାହା ଥିଲା ଅଧିକ ଥିଲା ଆମ ପରିବାର ପାଇଁ  । ଗନ୍ଧପୂତ ପରିବେଶ ସଫା କରିବା ଥିଲା ଦୂରୁହ ବ୍ୟାପାର  । ପରିବାର ଚଳିବା ପାଇଁ ନଥିଲା ଘରେ ଚାଉଳ ଚୁଡ଼ା, କିରାସିନି, ଡାଲି  । ଘରେ ଖଣ୍ଡେବି ବାସନ ନଥିଲା ଥୋକେ ଜଳଖିଆ, ଛତର ଖାଇବା ପାଇଁ ନେଇଥିବା ବାସନ ଫେରିଲା ନାହିଁ  । ସବୁଠାରୁ ମର୍ମନ୍ତୁଦ, ଦୁଃଖଦାୟକ ଓ ହୃଦୟ ବିଦାରକ ହୋଇପଡ଼ିଥିଲା ଦେଖି ଘରେ ଥିବା ମୂଲ୍ୟବାନ କିଛି ଗହଣା, ଟଙ୍କା ଦାମୀ ଶାଢ଼ୀ ଉଭାନ୍‍ ହୋଇଯାଇଥିଲା ଆଲମାରୀ, ସିନ୍ଦୁକରୁ  । ଜାଣିିଲୁ ଯେଉଁ ବିଷଧର ସର୍ପକୁ ପ୍ରଥମେ ଗୃହରେ ଆଶ୍ରୟ ଦେଇଥିଲୁ ସେମାନେ ଏସବୁ ଲୁଟିନେଲେ । କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଆମକୁ ମିଳିବାରେ ପ୍ରତିବନ୍ଧକ ସାଜିଲେ ସେମାନେ । କାରଣ ଆମର ଥିଲା ପକ୍କାଗୃହ । କିନ୍ତୁ ଆମ ପରିବାର ପାଇଲେ ଅନେକ ସାହାଯ୍ୟ ଓ ସହାନୁଭୂତି ଦୂରରେ ରହୁଥିବା ବନ୍ଧୁ,ବାନ୍ଧବ ପରିଜନଙ୍କଠାରୁ  । ଏହି ବାତ୍ୟା ରହିଗଲା ଲିଖିତ ହୋଇ ରକ୍ତର ଇତିହାସ ।
କାଳିନ୍ଦୀ ଚରଣ ଭଞ୍ଜ
୭୮୯-ଲକ୍ଷ୍ମୀସାଗର, ଭୁବନେଶ୍ୱର, ମୋ- ୯୩୩୭୮୮୭୮୯୮
Categories
STORY & POEM

RELATED BY

  • ଶେଷହୀନ ସନ୍ତରଣ

    ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଶେଷହୀନ ସନ୍ତରଣ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ । ଫୋଟ-ଡାହଣରୁ ପ୍ରଥମ ରକ୍ଷକ ନାୟକ...
  • ‘ମଧୁଲିତା’ର

    ‘ମଧୁଲିତା’ ସାରସ୍ୱତ ଗଳ୍ପ ସମ୍ମାନରେ ସମ୍ମାନିତ ହେଉଛନ୍ତି ଗାଳ୍ପିକା ଅବନ୍ତି ବେହେରା । ଭୁବନେଶ୍ୱର : ମନନଶୀଳ ପାରିବାରିକ ପତ୍ରିକା ‘ମଧୁଲିତା’ର ଦ୍ୱାଦଶ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ...
  • ମୋନ।ଲିସା ହସ  

     ବିଜନବାଳା ପାଟଜୋଷୀ  ହସ ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ନିଜର ଭାବ ପ୍ରକାଶ କରିବାକୁ ଏକ ମଧୁର ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଭାବ। ହୃଦୟ, ମସ୍ତିଷ୍କ ଏବଂ ଶରୀରରେର ତ୍ରୀସ୍ତରୀୟ ପ୍ରକ୍ରିୟା ସଂଗଠିତ କରୁଥିବା ଏକ ପ୍ରକ୍ରିୟା  । ହସ ଦ୍ଵାରା...
  • ଲୋଭ

    ......
WhatsApp chat