ଦିଲ୍ଲୀରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ବ୍ୟପାକ ପ୍ରସ୍ତୁତି, ଦୁଇଶହ ସାମାଜିକ ସଂସ୍ଥା ସାମିଲ ହେବେ

ଡିସେମ୍ବର ଆଠ ତାରିଖରୁ ତେର ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନଧରି ଚାଲିବ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆୟୋଜନ କରାଯାଉଥିବା ଅନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ମହୋତ୍ସବ ର ସଫଳତା ପାଇଁ ଏବେ ବ୍ୟପାକ ପ୍ରସ୍ତୁତି ଚାଲିଛି  ।

ପ୍ରଥମ ଥର ପାଇଁ ଜଗନ୍ନାଥଙ୍କର ଧର୍ମ ,ଦର୍ଶନ ,ଚେତନା ଓ ସଂସ୍କୃତି କୁ ଆଧାରକରି ଦେଶର ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ପଚାଶ ହଜାର ଜଗନ୍ନାଥ ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  ।

ଡିସେମ୍ବର ଆଠ ତାରିଖରୁ ତେର ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନଧରି ଚାଲିବାକୁ ଥିବା ଏହି ମହାସମାରୋହକୁ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଉଦଘାଟନ କରିବେ  ।

ଉଦଘାଟନୀ ଉତ୍ସଵ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗଦେବାକୁ ଉଦ୍ୟୋକ୍ତମାନେ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି  ।

ପ୍ରେସ କ୍ଲବ ଅଫ ଇଣ୍ଡିଆ ଠାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକମାନେ ଏହି ବିବରଣୀ ପ୍ରଦାନ କରିଛନ୍ତି ।

ଅନ୍ୟାନ୍ୟ ମାନ୍ୟଗଣ ଅତିଥି ତାଲିକା ମଧ୍ୟରେ ରାଷ୍ଟ୍ରପତି , ଉପରାଷ୍ଟ୍ରପତି ,ମୁଖ୍ୟମନ୍ତ୍ରୀ , ପୁରୀର ଶଙ୍କରାଚାର୍ଯ୍ୟ ଓ ଆମେରିକାର ମିନିଆ ପଲିସି ଠାରେ ସର୍ବବୃହତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଡ଼ ଶିତିକଣ୍ଠ ଦାଶ , ବାବା ରାମଦେବ ଓ ଶ୍ରୀ ଶ୍ରୀ ରବିଶଙ୍କର ପ୍ରମୁଖଙ୍କ ନାମ ଅନ୍ତର୍ଭୁକ୍ତ ଥିବା ସେମାନେ ଜଣେଇଛନ୍ତି  ।

ସମ୍ମିଳନୀ ଆୟୋଜନରେ ଦେଶ ବିଦେଶର ପଚାଶଟି ଜଗନ୍ନାଥ ମନ୍ଦିର ଓ ୨ଶହ ଟି ସାମାଜିକ ସଂସ୍ଥା ସାମିଲ ହୋଇଛନ୍ତି  ।

ଦିଲ୍ଲୀର ଛତରପୁର ଠାରେ ଥିବା ମାର୍କେଣ୍ଡେୟ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ଗୁରୁଗାଓଁ ସ୍ଥିତ କଳିଙ୍ଗ ଭାରତୀ ଫାଉଣ୍ଡେସନର ଶାଖା ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚେତନା ସମନ୍ୱୟ ସମିତି , ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଆମେରିକାର ଡ଼ ଦାଶ ଫାଉଣ୍ଡେସନ ମିଳିତ ଭାବେ ଆୟୋଜନ କରୁଛନ୍ତି  ।

 ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି , ସାରା ପୃଥିବୀରେ ଜଗନ୍ନାଥଙ୍କର ମହାନ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯିବା ସାଙ୍ଗକୁ ବିଶ୍ୱରେ ଶାନ୍ତି , ସମନ୍ୱୟ ,ଓ ସଦଭାବନା ପ୍ରତିଷ୍ଠା କରିବା ,ଏହି ସମାବେଶର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ ।

ସମାରୋହର ମୁଖ୍ୟ ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧକ୍ଷ ଅକ୍ଷୟ ସାମଲ , ଜାତି ଧର୍ମ , ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ଏହି ସମାରୋହରେ ସମସ୍ତେ ସାମିଲ ହୋଇ ବିଶ୍ୱ ଭାତୃତ୍ଵ ଓ “ବସୁଦେବ କୁଟୁମ୍ବକମ ” ବାର୍ତାକୁ ସାକାର କରିବାକୁ ଆହ୍ୱାନ ଜଣାଇଥିଲେ  ।

ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସ୍ୱାଗତ ସମ୍ଭାଷଣ କରିଥିଲେ  ।

ମହୋତ୍ସବର ଆନ୍ତର୍ଜାତିକ ସଂଯୋଜକ ସଞ୍ଜୟ ଦାସ କାର୍ଯକ୍ରମ ସଞ୍ଚାଳନା କରିଥିଲେ  ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଏନ .ଏନ .ମିଶ୍ର , ପି.କେ.ମିଶ୍ର ଓ ସଂଜୀବ ପାଟଜୋଷୀ ଉଦବୋଧନ ଦେଇଥିଲେ  ।

RELATED BY