ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ

- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ କ୍ରୋମିୟମ ବିକାଶ ସଂଘ ପକ୍ଷରୁ ଆୟୋଜିତ କ୍ରୋମିୟମ ୨୦୧୯ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ଵକ୍ରୋମ ଗଚ୍ଛିତ ଅଛି । ଯାହା ଅଧିକ ଗୁଣବତା ବା ଉଚ୍ଚ ମୂଲ୍ୟଯୁକ୍ତ ବିଶିଷ୍ଟ ।

ଦେଶରେ କ୍ରୋମିୟମ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ଓଡିଶା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି କରିବାର ମଧ୍ୟ କ୍ଷମତା ରଖିଛି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତିକୁ ହାସଲ କରିବାର ଲକ୍ଷ୍ୟ ରଖିଛି । ତେଣୁ ଦେଶରେ ଉଭୟ ବ୍ୟବସାୟିକ ଓ ଜନସାଧାରଣଙ୍କ ଜୀବନଶୈଳୀ ଉପରେ ଅଧିକ ଯୋର ଦିଆଯାଇଛି ।

ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଠାରେ ପୁଞ୍ଜିନିବେଶ ବୃଦ୍ଧି କରିବା ନେଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି ।

ରାଜନୈତିକ ସ୍ଥିରତା, ପୂର୍ବାନୁମାନ ନୀତି ଏବଂ ଗୋଟିଏ ବୃହତ ବଜାର ପାଇଁ ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ହୋଇପାରିଛି ।

ଭାରତୀୟ ଇସ୍ପାତ କ୍ଷେତ୍ର ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗତ ପଦକ୍ଷେପ ଏବଂ ଇସ୍ପାତ୍ ଶିଳ୍ପ ଗୁଡିକର ଉଦ୍ୟମ କାରଣରୁ ଭାରତୀୟ ଇସ୍ପାତ କ୍ଷେତ୍ରରେ ବିଗତ ଦିନମାନଙ୍କରେ ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି ।

ଭାରତରେ କଳଙ୍କ ଲାଗୁନଥିବା ଇସ୍ପାତର ଉତ୍ପାଦନ ଏବଂ ବ୍ୟବହାରର ବୃଦ୍ଧି ଦେଶର ଅର୍ଥନୀତିକୁ ମଜବୁତ୍ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ଇଜ୍ ଅଫ୍ ଡୁଇଙ୍ଗ୍ ବିଜେନେସ୍ ଅର୍ଥାତ୍ ବ୍ୟବସାୟ କାରବାରରେ ଭାରତ ଲମ୍ବା ଲମ୍ଭ ମାରିବା ଏବଂ କିଭଳି ପୁଞ୍ଜିନିବେଶ ନିମନ୍ତେ ଭାରତ ଏକ ଉକ୍ରୃଷ୍ଟ ସ୍ଥଳ ହୋଇପାରିଛି ତାହା ଉପରେ ଚର୍ଚ୍ଚା କରିଥିଲେ ।

ଏହି ଅବସରରେ ସେ ବିଭିନ୍ନ ଉଦ୍ୟୋଗୀ ଏବଂ ପୁଞ୍ଜିନିବେଶକାରୀଙ୍କୁ ଭାରତ ସହ ସହଯୋଗୀ ହୋଇ ଦେଶର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ ।

RELATED BY