କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆରମ୍ଭ ହେବ ହାର୍ଟ ଅପରେସନ୍‌

ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ପରିଣତ ହେବ:ମନ୍ତ୍ରୀ ଶ୍ରୀ ଦାସ୍‌

ଭୁବନେଶ୍ୱର: ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବାକୁ ନିରନ୍ତର ପ୍ରୟାସ କରୁଥିବାବେଳେ ‘ମୋ ସରକାର’ ଏବଂ ୫ ‘ଟି’ ଭଳି ଯୋଜନାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ସମାଜର ତଳସ୍ତରରେ ଥିବା ସାଧାରଣ ଲୋକଟିଏ ଯେମିତି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଏ ସେଥିପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି, ଚିକିତ୍ସା ବ୍ୟବସ୍ଥାର ମାନ ବୃଦ୍ଧି ସହ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ତତ୍ପର ଅଟନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଘଟଣାକ୍ରମେ ସରକାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ହାର୍ଟ ସର୍ଜରୀ ୟୁନିଟ୍‌ ଆରମ୍ଭ କରିବାକୁ ଯାଉଛନ୍ତି ।

ଫଳରେ ଏଠାରେ ହାର୍ଟ ଅପରେସନ୍‌, ଓପନ ହାର୍ଟ ସର୍ଜରୀ, କମ୍ପେକ୍ସ ଆଞ୍ଜିଓଗ୍ରାଫି, ଡିଭାଇସ୍‌ କ୍ଲୋଜର, ଇଲେକେଫ୍ରା ଫିଜିଓଲୋଜିକାଲ ଷ୍ଟଡି ସମ୍ଭବ ହୋଇପାରିବ ।

ଏଥି ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ଏଥି ପାଇଁ ଆବଶ୍ୟକୀୟ ଗୃହ ଉପଲବ୍ଧ ଥିବାବେଳେ, ଅପରେସନ୍‌ ଥିଏଟର ପାଇଁ ଆନୁଷଙ୍ଗିକ ଚିକିତ୍ସା ସରଞ୍ଜାମ ଓ ଯନ୍ତ୍ରପାତି ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ।

ଏବେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଦୈନିକ ୩ ହଜାରରୁ ୩୫୦୦ ରୋଗୀ ବହିର୍ବିଭାଗରେ ଚିକିତ୍ସିତ ହେବା ପାଇଁ ଆସୁଥିବାବେଳେ, କାର୍ଡିଓଲୋଜି ବହିର୍ବଭାଗରେ ପ୍ରତିଦିନ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପରାମର୍ଶ ପାଇଁ ଆସୁଛନ୍ତି ।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ହାର୍ଟ ସର୍ଜରୀ କେନ୍ଦ୍ର ଖୋଲିବା ପୂର୍ବରୁ ସରକାର ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍‌ ହାୟ ମେଡିକାଲ୍‌ ସାଇନ୍ସେସ୍‌, ବାଙ୍ଗାଲୁରୁର କାର୍ଡିଆକ୍‌ ସାଇନ୍ସେସ୍‌ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସଙ୍କୁ ଏଠାରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ ।

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ଡା. ପ୍ରଭାତ କୁମାର ଦାସ ଭୁବନେଶ୍ୱର ପହଞ୍ଚିଥିଲେ ।

ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ସହ ଡା. ଦାସ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ହାର୍ଟ ଅପରେସନ୍‌ ପାଇଁ ଚିହ୍ନଟ ସ୍ଥଳ ବୁଲି ଦେଖି, ସନ୍ତୋଷ ପ୍ରକାଶ କରିଥିଲେ ।

ଏଠାରେ ଖୁବ୍‌ ଶୀଘ୍ର ହାର୍ଟ ଅପରେସନ୍‌ ଆରମ୍ଭ ହେବ ବୋଲି ଡା. ଦାସ ମତ ଦେଇଥିଲେ ।

ଏଥି ପ୍ରତି ସରକାରଙ୍କ ଆନ୍ତରିକତା ରହିଛି ଓ ସାହାଯ୍ୟ ଓ ସହଯୋଗ ରହିଛି । ଖୁବ୍‌ଶୀଘ୍ର ଅପରେସନ୍‌ ଥିଏଟର ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଫଳରେ ଏହା କାର୍ଡିଆକ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ପରିଣତ ହୋଇପାରିବ । ଏଠାରେ ଗୋଟିଏ ଅତିରିକ୍ତ କ୍ୟାଥ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବା ଫଳରେ ଅଳ୍ପ ସମୟ ମଧ୍ୟରେ ଏଠାରେ ଜଟିଳ ଆଞ୍ଜିଓପ୍ଲାଷ୍ଟି, ଯେମିତିକି ହାର୍ଟର ହୋଲ୍‌କୁ ବିନା ଅପରେସନ୍‌ରେ ବନ୍ଦ କରାଯାଇପାରିବ ।

ଏହା ସହିତ ହାର୍ଟର ଅନିୟମିତତା ସଂଚାଳନକୁ କରେଣ୍ଟ ଦେଇ ଠିକ୍‌ କରାଯାଇପାରିବା ଓ ଗୁରୁତର ହାର୍ଟ ରୋଗୀଙ୍କ ପାଇଁ ଓପନ୍‌ ହାର୍ଟ ସର୍ଜରୀ ଓ ଶିଶୁମାନଙ୍କ ହାର୍ଟ ସମ୍ବନ୍ଧୀୟ ଅସୁସ୍ଥତାର ମଧ୍ୟ ଚିକିତ୍ସା କରାଯାଇପାରିବ ।

ଏଠାରେ ସୂଚନାଯୋଗ୍ୟ ଯେ ଡା. ପ୍ରଭାତ କୁମାର ଦାସ ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍‌ ହାୟର ମେଡିକାଲ୍‌ ସାଇନ୍ସେସ୍‌ ବାଙ୍ଗାଲୁରୁ ଓ ପୁଟ୍ଟପୂର୍ତ୍ତି ଉଭୟ ହସ୍‌ପିଟାଲର କାର୍ଡିଆକ୍‌ ସାଇନ୍ସେସ୍‌ ବିଭାଗର ଅଧ୍ୟକ୍ଷ ଭାବେ ବିଗତ ୨୪ ବର୍ଷ ହେଲା ନିରନ୍ତର ଭାବେ ଉତ୍ସର୍ଗୀକୃତ ସେବା ମନୋଭାବ ନେଇ ହାର୍ଟ ରୋଗୀମାନଙ୍କର ଚିକିତ୍ସା କରି ଆସୁଛନ୍ତି । ହୃଦ୍‌ଚିକିତ୍ସା କ୍ଷେତ୍ରରେ ଡା. ଦାସଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ସରକାର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପରିସରରେ ହାର୍ଟ ସର୍ଜରୀ ୟୁନିଟ୍‌ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି । ଏଥିପାଇଁ ଆବଶ୍ୟକୀୟ ଅପରେସନ୍‌ ଥିଏଟର କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହୋଇ ଚିକିତ୍ସା ସେବା ଆରମ୍ଭ ହେବ, ଭବିଷ୍ୟତରେ ଆହୁରି ଦକ୍ଷ ହାର୍ଟ ବିଶେଷଜ୍ଞ ଏଠାରେ ଯୋଗଦେବେ, ସରକାର ହାର୍ଟକେୟାର କ୍ଷେତ୍ରରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ କରିବାକୁ ସବୁପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଖୁବ୍‌ ଶୀଘ୍ର ଏ ସଂପର୍କରେ ଅନ୍ୟଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡା. ଆଶୋକ କୁମାର ପଟ୍ଟନାୟକ କହିଲେ ଯେ, ହସ୍‌ପିଟାଲ୍‌ ପରିସରରେ ହାର୍ଟ ଅପରେସନ୍‌ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସରିଛି । ଖୁବ୍‌ ଶୀଘ୍ର ଅପରେସନ୍‌ ଥିଏଟରକୁ କାର୍ଯ୍ୟକ୍ଷମ କରାଯିବ । ସରକାର ଏ ଦିଗରେ ସବୁପ୍ରକାର ଉଦ୍ୟମ କରୁଛନ୍ତି । ଏହି ଅବସରରେ ଡା. ଆର୍‌.ଏସ୍‌.ଏନ୍‌ ମୂର୍ତ୍ତି, ଡା. ପି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ ।

RELATED BY

  • ଔଷଧୀୟ ବୃକ୍ଷ ଚାଷ ପାଇଁ ୪ହଜାର କୋଟି ଟଙ୍କାର ସହାୟତା

    ନୂଆଦିଲ୍ଲୀ:ଆତ୍ମ ନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଔଷଧୀୟ ବୃକ୍ଷ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୪ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି...
  • ଭୁବନେଶ୍ୱର ଏମ୍ସରେ ୬ହଜାର ରୋଗୀଙ୍କୁ ଟେଲି ମେଡ଼ିସିନ ଜରିଆରେ ଚିକିତ୍ସା ପରାମର୍ଶ

    ଭୁବନେଶ୍ୱର  : କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରାଯାଇ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଆସୁଛି । ଏହାବ୍ୟତୀତ ଅଣକୋଭିଡ ରୋଗୀଙ୍କ...
  • ଗୋଡ଼ ମାଧ୍ୟମରେ ହାତକୁ ସାନିଟାଇଜ କରିହେବ

    ମାଲକାନଗିରି: କରୋନା ଭୂତାଣୁ (କୋଭିଡ-୧୯)ର କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବା କାରଣରୁ ସତର୍କତା ହିଁ ଏହି ରୋଗରୁ ବର୍ତିବାର ଏକମାତ୍ର ଉପାୟ । ଏହି ଭୂତାଣୁ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ପର୍ଶ କଲେ ବ୍ୟାପିଥାଏ । ତେଣୁ ସାମାଜିକ ଦୂରତା...
  • ରକ୍ତଦାନ ଶିବିର ଅନୁଷ୍ଠିତ

    ଭୁବନେଶ୍ୱର :ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆଜିର ଏହି କରୋନା ମହାମାରୀ ସମୟରେ ସାଧାରଣ ରୋଗୀ ଙ୍କ ପାଇଁ ରକ୍ତର ଆବଶ୍ୟକତା ଜରୁରୀ ହୋଇପଡିଛି ସେତିକିବେଳେ ଯେତିକି ସଂଖ୍ୟକ ରକ୍ତ...