ରାଜସ୍ୱ ଅଧିକାରୀମାନେ ହେଉଛନ୍ତି ପ୍ରକୃତ ନେତା: ରାଜସ୍ୱ ମନ୍ତ୍ରୀ

ସୁଦାମ ମାର୍ଣ୍ଡି

ଭୁବନେଶ୍ୱର: ରାଜସ୍ୱ ବିଭାଗକୁ ସରକାରଙ୍କ ମୁଖ ଭାବେ ଅଭିହିତ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ।

ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମ୍ମିଳନୀରେ ରାଜସ୍ୱ ଅଧିକାରୀମାନଙ୍କୁ ସମ୍ବୋଧନ କରି ଏହା ବର୍ଣ୍ଣନା କରିବା ସହ ରାଜନୈତିକମାନେ ନିର୍ବାଚିତ ନେତା ଭାବେ ବିବେଚିତ ହେଲାବେଳେ ରାଜସ୍ୱ ଅଧିକାରୀମାନେ ହେଉଛନ୍ତି ପ୍ରକୃତ ନେତା ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

ଆମ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇନଗୁଡ଼ିକର ସଠିକ୍‌ କାର୍ଯ୍ୟାନ୍ୱୟନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଚଳିତ ୫ ‘ଟି’ ଆଧାରରେ ଯୋଜାନଗୁଡ଼ିକର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଗୁରୁଦାୟିତ୍ୱ ହେଉଛି ରାଜସ୍ୱ ଅଧିକାରୀମାନଙ୍କର ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

ଖଣିଜ ଦ୍ରବ୍ୟ, ବାଲି, ପଥର ଆଦି ପ୍ରଚୁର ସମ୍ବଳର ସଠିକ୍‌ ଉପଯୋଗ ମାଧ୍ୟମରେ ସରକାର ଅଧିକ ରାଜଭାଗ ଅର୍ଜନ କରିପାରନ୍ତେ ।

ନିକଟରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ତହସିଲ୍‌ଗୁଡ଼ିକୁ ଅଚାନକ ଗସ୍ତ ସମୟରେ ଦାଖଲଖାରଜ, କିସମ ପରିବର୍ତ୍ତନ ଆଦି ମାମଲାରେ ହେଉଥିବା ବିଳମ୍ବ ପାଇଁ ରାଜସ୍ୱ ନିରୀକ୍ଷକ ସ୍ତରର କାର୍ଯ୍ୟଧାରାରେ ସୁଧାର ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ସମ୍ମିଳନୀକୁ ସମ୍ବୋଧନ କରି କହିଲେ ଯେ ସମ୍ଭବତଃ ରାଜସ୍ୱ ବିଭାଗ ହେଉଛି ସର୍ବପୁରାତନ ବିଭାଗ ଏବଂ ରାଜସ୍ୱ ଅଧିକାରୀମାନେ ସରକାରଙ୍କର ସର୍ବପ୍ରଧାନ ସେବାର ଅଧିକାରୀ ।

ଜିଲ୍ଲା ସ୍ତରରେ ଏହି ଅଧିକାରୀମାନେ ନେତୃତ୍ୱ ନେଉଥିବାରୁ ସେମାନେ ସ୍ଥୁଳ ଦୃଷ୍ଟିସଂପନ୍ନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

ଜିଲ୍ଲା ସ୍ତରରେ ସୂଚନା ପ୍ରଯୁକ୍ତି ଶିଳ୍ପାୟନର ବୃଦ୍ଧି, ରିଲିଫ୍‌ ଓ ପୁନଃବସତି କାର୍ଯ୍ୟକ୍ରମ ନିମନ୍ତେ ରାଜସ୍ୱ ଅଧିକାରୀମାନେ  କାର୍ଯ୍ୟକରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ ।

ତାମିଲନାଡ଼ୁ ମାଲେସିଆରୁ ବାଲି ଆମଦାନୀ କରୁଥିଲାବେଳେ ଏହା ଓଡ଼ିଶାର ଏକ ବୃହତ୍‌ ସମ୍ବଳ ଅଟେ ।

ଏହାର ସଠିକ୍‌ ଆଇନଗତ ଉତ୍ତୋଳନପୂର୍ବକ ରାଜସ୍ୱ ବୃଦ୍ଧିରେ ସହାୟକ ହେବା ପାଇଁ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ଅନ୍ତର୍ଗତ ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ସହଭାଗିତା ଓ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗପୂର୍ବକ ଜନସାଧାରଣଙ୍କର ସମୃଦ୍ଧି ନିମନ୍ତେ କାର୍ଯ୍ୟକରିବା ପାଇଁ
ପ୍ରବର୍ତ୍ତାଇ ଥିବାବେଳେ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି ବାବଦରେ ମୁଖ୍ୟ ଶାସନ ସଚିବ ଚେତେଇ ଦେଇଥିଲେ ।

ପ୍ରାରମ୍ଭରେ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ସ୍ୱାଗତ ଭାଷଣ ଦେଇ ଏହି ସମ୍ମିଳନୀ ସମୀକ୍ଷାମୂଳକ ନୁହେଁ ବରଂ ବିନିମୟମୂଳକ ବୋଲି ଅଭିହିତ କରିଥିଲେ ।

ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ କାର୍ଯ୍ୟସୂଚୀ ମୁତାବକ ଲଘୁ ଖଣିଜ ଅନ୍ତର୍ଗତ ଜିଲ୍ଲା ସର୍ଭେ ରିପୋର୍ଟ, ସଇରାତ୍‌ ଉତ୍ସ ବନ୍ଦୋବସ୍ତ, ରାଜସ୍ୱ ଆଦାୟ, ଲଘୁ ଖଣିଜ ଚୋରିକୁ ରୋକିବା ପାଇଁ ବ୍ୟବସ୍ଥିତ ରାଶିର ବ୍ୟବହାର, ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୫ ‘ଟି’ ପ୍ରୟୋଗ, ମୋ ସରକାର, ଦାଖଲଖାରଜ, କିସମ ପରିବର୍ତ୍ତନ ଆଦି ମାମଲା ଫଇସଲା, ବସୁନ୍ଧରା, ସରକାରୀ ଜମି ସୁରକ୍ଷା ଆଦି ଯୋଜନାର ଅଗ୍ରଗତି ସଂପର୍କିତ ସମସ୍ୟାଗୁଡ଼ିକର ବିସ୍ତୃତ ଆଲୋଚନା କରାଯାଇଥିଲା ।

ସମ୍ମିଳନୀରେ ପ୍ରମୁଖ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ରହି ମତବିନିମୟ କରିଥିଲେ ।

Newsroll
EDITOR
OFFICE