ନଗଡ଼ାର ନଗ୍ନଚିତ୍ର

ନିରାକାର ଦାସ

ତୁମ ନବଜନ୍ମର ସାତ ଦଶନ୍ଧିପରେ
ଦିଶିଲା ନଗଡ଼ାର ନଗ୍ନଚିତ୍ର,
ପୁଷ୍ଟିହୀନ, ଅଖାଦ୍ୟ, ଅନାହାର ମୃତ୍ୟୁର
ଏମିତି ନିଷ୍କରୁଣ ରୂପ ।

ଦିଶିଲା, ମାଉଁସ ଶୁଖି ଶୁଖୁଆ ପାଲଟିଥିବା ଶିଶୁଙ୍କର
ନ’ଅଙ୍କ ଦୃଶ୍ୟ,
ଶୁକୁଟା ମା’ ସ୍ତନକୁ ନିକୁଟି ନିକୁଟି
ଚେଁ ଚେଁ ବୋବାଉଥିବା ଭବିଷ୍ୟତର ଭୟଙ୍କର ଦୃଶ୍ୟ ।

ବିଗିଡ଼ା ଏ ଗଣତନ୍ତ୍ର ଫଟାକାନ୍ଥରେ
ତୁମେ ଯେତେ ଲେପ ମାରିଲେ ମାର
ସଜଡ଼ା ହୋଇପାରିବନି
ଅଲୋଡ଼ା ଅନେକ ନଗଡ଼ାର ଭାଗ୍ୟ ।

ଗଣତନ୍ତ୍ରର ପୂଜାରୀମାନେ
ବେପାରୀ କାନ୍ଧରେ ବୁଲି ବୁଲି
ବେପାରୀ ଆଖିରେ ଦେଖି ଦେଖି
ବେପାରୀ ପାଟିରେ ଚାଖି ଚାଖି
ତିଆରିଲେ ଯେତେ ନଥି ପୋଥି
ବଦଳିଯିବ କ’ଣ ନଗଡ଼ାର ଶୁଖିଲା ଭୋକିଲା ଭବିଷ୍ୟତ
ନା ବଦଳିବ ନିତି ନୀତିହୀନ ପାଲଟୁଥିବା
ଭୋକର ଏ ସେ ଭୌଗୋଳିକ ଚିତ୍ର ।

ତୁମକୁ ପିଠିରେ ନାଉ କରି  ନଚଉଥିବା ଶିଳ୍ପପତିଏ
ଚନ୍ଦ୍ରରେ ଘର, ବୃହସ୍ପତିରେ ଜଳକ୍ରୀଡ଼ା ପାଇଁ
ସାକାର କଲେଣି ତାଙ୍କ ବିକାର ମନସ୍ତତ୍ତ୍ୱ ।

ସ୍ମାର୍ଟ ସହର, ରେଳ, ରାସ୍ତା, ବନ୍ଦର କରଡ଼ର
ଆକାଶରେ ବିଛେଇଛ କେତେ ଗ୍ରହ ଉପଗ୍ରହ ଯନ୍ତ୍ର ।
ଅଣୁ-ପରମାଣୁ, ହାଇଡ୍ରୋଜେନ୍ ବୋମାରେ
ଭରି ଦେଇଛ ବିଶ୍ୱ,
ସାତ ମିନିଟରେ ସାରା ଦୁନିଆ କରିବାକୁ ଧ୍ୱଂସ ।

ଏଣେ ଶହ ଶହ ନଗଡ଼ା ରାସ୍ତାରେ ଚାଲୁଛି ଭେଳା
ପୋଖରୀସାରା ସାଲୁବାଲୁ ଦି’ମୁଣ୍ଡିଆ ପୋକ
ଝୁମ୍ପୁଡି ଛାତରୁ ଟପ ଟପ ଗଳୁଛି ବର୍ଷାଜଳ
ମଣିଷ ଏବେ ବି ଆଲୋକ ଦେଖୁନି
ଯେମିତି ସେମିତି ସର୍ବହରା ନିଃସ୍ୱ ।

ତୁମେ ପିଟି ଚାଲିଛ ନିତି ପ୍ରଗତିର ଘଣ୍ଟ
ଉଡ଼େଇ ଚାଲିଛ ସାତସିଆଁ ଗଣତନ୍ତ୍ର ନେତ ।
ତୁମେ ଯେତେବାର ହୁଅ ଅଭିଷେକ
ନଗଡ଼ାର ମାନଚିତ୍ର ନିଗୁଡୁଥିବ ଏମିତି
ଯନ୍ତ୍ରଣାର ରକ୍ତ ।

ନିରାକାର ଦାସ
ଭୁବନେଶ୍ୱର