ଡିସେମ୍ବର ୩୧ରୁ ଦାୟିତ୍ୱ ଗ୍ରହଣ କରିବେ ଜେନେରାଲ ନରୱାନେ

ଲେଫ୍ଟନାଣ୍ଟ ଜେନେରାଲ ଏମଏମ ନରୱାନେଙ୍କୁ ପରବର୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେଙ୍କୁ ପରବର୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେବା ଲାଗି ସରକାର ନିଷ୍ପତି ନେଇଛନ୍ତି । ସେ ବର୍ତମାନର ସ୍ଥଳସେନା ପ୍ରମୁଖ ବିପିନ ରାୱତଙ୍କ ଅବସର ପରେ କାର୍ଯ୍ୟଭାର ଗ୍ରହଣ କରିବେ । ସେନାମୁଖ୍ୟ ରାୱତ ଆସନ୍ତା ୩୧ ଡିସେମ୍ବର ୨୦୧୯ରେ ଅବସର ନେବେ । ଲେଫ୍ଟନାଣ୍ଟ ଜେନେରାଲ ନରୱାନେଙ୍କୁ ସେନାରେ ଉଲ୍ଲେଖନୀୟ ସେବା ନିମନ୍ତେ ପରମବିଶିଷ୍ଟ ସେବା ପଦକ, ଅତିବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ ଏବଂ ସେବା ପଦକରେ ସମ୍ମାନିତ କରାଯାଇସାରିଛି । ସେ ଡିସେମ୍ବର ୩୧ ଅପରାହ୍ଣ ଠାରୁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ । ଲେଫ୍ଟନାଣ୍ଟ ଜେନେରାଲ ନରୱାନେ ନିଜର ସ୍କୁଲ ଶିକ୍ଷା ପୁଣେ ସ୍ଥିତ ଦନୟାନା ପ୍ରବୋଧିନୀ ପ୍ରଶାଳାରୁ ସମାପ୍ତ କରିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଏବଂ ଭାରତୀୟ ସେନା ଏକାଡେମୀରୁ ମଧ୍ୟ ପ୍ରଶିକ୍ଷଣ ନେଇଛନ୍ତି । ଜୁନ ୧୯୮୦ରେ ତାଙ୍କୁ ଶିଖ ଲାଇଟ ଇନଫ୍ୟାଂଟ୍ରି ରେଜିମେଣ୍ଟର ସପ୍ତମ ବାଟାଲିଅନରେ ନିଯୁକ୍ତି ଦିଆଯାଇଥିଲା । ସେ ଡିଫେନ୍ସ ଷ୍ଟାଟେର୍ଜିରେ ସ୍ନାତୋକୋତର ଡିଗ୍ରୀ ଏବଂ ପ୍ରତିରକ୍ଷା ଓ ପରିଚାଳନା ବିଷୟରେ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି । ସେ ବର୍ତମାନ ଡକ୍ଟରେଟ ଅଧ୍ୟୟନ କରୁଛନ୍ତି । ସେନାବାହିନୀରେ ଚାରି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି କର୍ତବ୍ୟ ନିର୍ବାହ ସମୟରେ ଜେନେରାଲ ନରୱାନେ ଦେଶର ଉତର ପୂର୍ବାଂଚଳ ତଥା ଜମ୍ମୁ କଶ୍ମୀରରେ ଶାନ୍ତି ଓ ଯୁଦ୍ଧ ଉଭୟ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ନେତୃତ୍ୱ ନେଇଛନ୍ତି । ଏହାବ୍ୟତୀତ ସେ ଶ୍ରୀଲଙ୍କାରେ ‘ଅପରେସନ ପବନ’ ସମୟରେ ଭାରତୀୟ ଶାନ୍ତି ସେନାର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଜେନେରାଲ ନରୱାନେଙ୍କ ନିକଟରେ ବେଶ ଆହ୍ୱାନପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିବାର ସ୍ୱତନ୍ତ୍ର ଅଭିଜ୍ଞତା ରହିଛି । ସେ ରାଷ୍ଟ୍ରୀୟ ରାଇଫଲ୍ସର ୧୦୬ତମ ଇନଫ୍ୟାଂଟ୍ରି ବ୍ରିଗେଡ ଓ ଦ୍ୱିତୀୟ କୋରର ମଧ୍ୟ ନେତୃତ୍ୱ ନେଇ ସାରିଛନ୍ତି । ଏହାବ୍ୟତୀତ ସେ ଏକ ଇନଫ୍ୟାଂଟ୍ରି ବ୍ରିଗେଡର ମେଜର, ହେଡକ୍ୱାର୍ଟର ଏଷ୍ଟାବ୍ଲିଶମେଣ୍ଟ ନମ୍ବର ୨୨ରେ ଆସିଷ୍ଟାଂଟ ଆଡଜୁଟାଣ୍ଟ ଆଣ୍ଡ କ୍ୱାର୍ଟର ମାଷ୍ଟର ଜେନେରାଲ, ୟାଙ୍ଗୁନରେ ପ୍ରତିରକ୍ଷା ଆଟାଚେ ଏବଂ ଆର୍ମୀ ୱାର କଲେଜରେ ପ୍ରଶିକ୍ଷଣ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଦିଲ୍ଲୀସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ତାଙ୍କ ନିକଟରେ ରହିଛି । ଜେନେରାଲ ନରୱାନେଙ୍କୁ ଦିଲ୍ଲୀର ଜେନେରାଲ ଅଫିସର ଇନ କମାଣ୍ଡିଂ ଭାବେ ୨୦୧୭ ଗଣତନ୍ତ୍ର ଦିବସ ପରେଡର ନେତୃତ୍ୱ ନେବାର ସୁଯୋଗ ମିଳିସାରିଛି । ଶିମଲାସ୍ଥିତ ସେନା ପ୍ରଶିକ୍ଷଣ କମାଣ୍ଡର ସଫଳ ନେତୃତ୍ୱ ନେବା ପରେ ସେ ୧ ଅକ୍ଟୋବର ୨୦୧୮ରେ ସେନାର ପୂର୍ବ କମାଣ୍ଡ ଜେନେରାଲ ଅଫିସର ଇନ ଚିଫ ପଦରେ କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ବର୍ତମାନ ଏହି ପଦବୀରେ କାର୍ଯ୍ୟରତ ଅଛନ୍ତି ।