ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ

ଅତ୍ୟାଧୁନିକ ସଂଗଣନା, କୃତ୍ରିମ ମେଧା ଓ ବୁଦ୍ଧି ସମ୍ପନ୍ନ କାରିଗରୀ ବିଜ୍ଞାନ ଉପରେ

ଭୁବନେଶ୍ୱର: ଶନିବାର ଦିନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅତ୍ୟାଧୁନିକ ସଂଗଣନା, କୃତ୍ରିମ ମେଧା, ବୁଦ୍ଧି ସମ୍ପନ୍ନ କାରିଗରୀ କୌଶଳ ସମ୍ପର୍କିତ ୪ର୍ଥ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇ ଯାଇଛି । କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସୁବ୍ରତ କୁମାର ବାଗଚି କହିଥିଲେ ଯେ କାରିଗରୀ କୌଶଳ, କୃତ୍ରିମ ମେଧା ଆଦି ବ୍ୟବହାର ଫଳରେ ଆମ ପରିକଳ୍ପନାର ବାହାରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । କାରିଗରୀ କୌଶଳ ଯୋଗୁଁ ମାନବ ମଙ୍ଗଳର ପରିସର ମଧ୍ୟ ପରିବ୍ୟାପ୍ତ ହୋଇଛି । ଅଧିକରୁ ଅଧିକ ଲୋକ ମାନବ ମଙ୍ଗଳର ପରିସରରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର, ସ୍ୱାସ୍ଥ୍ୟ କ୍ଷେତ୍ରରେ ରୋବଟର ବ୍ୟବହାର ଆଦି ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । କିନ୍ତୁ ଏହା ଦ୍ୱାରା ଅନେକ ଆଇନଗତ ଓ ନୈତିକ ପ୍ରଶ୍ନ ସୃଷ୍ଟି ହୋଇଛି ଯାହାର ଉତ୍ତର ବର୍ତ୍ତମାନ ଆମ ପାଖରେ ନାହିଁ । କିନ୍ତୁ ମାନବିକତାର ପ୍ରଶ୍ନ ସବୁ ସମୟରେ ମଣିଷର ସାଫଲ୍ୟର ଉର୍ଦ୍ଧ୍ଵରେ ବୋଲି ସେ ମତ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ତାଇୱାନ ର ଡଙ୍ଗ ହ୍ୱା ବିଶ୍ୱ ବିଦ୍ୟାଳୟର ଯୋଗାଯୋଗ କାରିଗରୀ ବିଦ୍ୟାର ପ୍ରଫେସର ଶେଙ୍ଗ ଲୁଙ୍ଗ ପିଙ୍ଗ ଯୋଗ ଦେଇ ଏଭଳି ଏକ ସମ୍ମିଳନୀ ଆୟୋଜନ କରିଥିବା ରମାଦେବୀ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ଆଶା ପ୍ରକଟ କରିଥିଲେ ଯେ ଏହି ଐତିହାସିକ ସମ୍ମିଳନୀରେ କୃତ୍ରିମ ମେଧା ଓ ଅତ୍ୟାଧୁନିକ ସଂଗଣନା କ୍ଷେତ୍ରରେ ଅନେକ ସାଫଲ୍ୟ ମିଳିବ । କୁଳପତି ପ୍ରଫେସର ପଦ୍ମଜା ମିଶ୍ର ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ଏହି ବିଶ୍ୱ ବିଦ୍ୟାଳୟ ଶୈଖିକ ପ୍ରକ୍ରିୟାକୁ ଉନ୍ନତ ଓ ଆକର୍ଷଣୀୟ କରିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛି । ଏହି ସମ୍ମିଳନୀ ଏହି ପ୍ରକ୍ରିୟାର ଏକ ଅଂଶ ବିଶେଷ ବୋଲି ସେ ମତ ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡଃ ସରିତା ସୂପକାର ସମ୍ମିଳନୀ ସମ୍ପର୍କରେ ଆଲୋକପାତ କରିଥିଲାବେଳେ ଡଃ ବିଭୂଦେନ୍ଦୁ ପତି ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ମାନଙ୍କୁ କୁଳପତି ସମ୍ବର୍ଦ୍ଧିତ କରିଥିଲେ । ଡଃ ଛବିରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ତିନିଦିନ ଧରି ଚାଲିବାକୁଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ କୃତ୍ରିମ ମେଧା, ଅତ୍ୟାଧୁନିକ ସଂଗଣନା, ବୁଦ୍ଧିମାନ କାରିଗରୀ କୌଶଳ, ଅତ୍ୟାଧୁନିକ ଯନ୍ତ୍ର ପ୍ରଶିକ୍ଷଣର ପ୍ରୟୋଗ, ଆଲଗୋରିଦାମ, କାରିଗରୀ କୌଶଳରେ ମହିଳା ଆଦି ବିଷୟ ବସ୍ତୁ ଉପରେ ଅଧିବେଶନ ମାନ ଅନୁଷ୍ଠିତ ହେବ । ପ୍ରାୟ ୧୦ରୁ ଉର୍ଦ୍ଧ୍ଵ ଦେଶରୁ ୨୦ରୁ ଉର୍ଦ୍ଧ୍ଵ ପ୍ରତିନିଧି ଓ ଦେଶ ଭିତରୁ ଶତାଧିକ ପ୍ରତିନିଧି ଏହି ସବୁ ବିଷୟବସ୍ତୁ ଉପରେ ନିଜସ୍ୱ ଗବେଷଣା ନିବନ୍ଧମାନ ଉପସ୍ଥାପନ କରିବେ । ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଶାନ୍ତ ମହାପାତ୍ର, ଅଷ୍ଟ୍ରେଲିଆର ମେଲବର୍ନ ବିଶ୍ୱ ବିଦ୍ୟାଳୟର ରାଜ କୁମାର ବୁୟା, କାନାଡାର କରଲେଟନ ବିଶ୍ୱବିଦ୍ୟାଳୟର ଶିଖାରେଷ ମଜୁମଦାର, ଆଲାସ୍କା ବିଶ୍ୱବିଦ୍ୟାଳୟର ଦେବେନ୍ଦ୍ର ଦାସ, ଆଇ.ଆଇ.ଟି. କାନପୁର, ଖଡଗପୁରର ଅଧ୍ୟାପକମାନେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିବେ । ଏହି ସମ୍ମିଳନୀକୁ ସଂଗଠିତ କରିବାରେ ଲୋକ ସମ୍ପର୍କ ଅଧିକାରୀ ଡଃ ମାନସ ବେହେରା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସେଠି, ରେବତୀ କାନ୍ତ ମହାରଣା, ମୋନାଲିସା ଜେନା, ମୋନାଲିସା ମହାନ୍ତି, ସୁଦାମ ଚନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।  ଉଦଯାପନୀ ଉତ୍ସବରେ ରିଜର୍ଭ ବ୍ୟାଙ୍କର ଉପଦେଷ୍ଠା ପ୍ରଫେସର ଦାମୋଦର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦୁଇଟି ଶ୍ରେଷ୍ଠ ନିବନ୍ଧକୁ ଓ ଦୁଇଟି ଛାତ୍ର ନିବନ୍ଧକୁ ପୁରସ୍କୃତ କରାଯିବ ।