ସ୍ମୃତି ଏକ ବିଦାୟର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର ସୁଖ ଠାରୁ ବିରହର ଦୁଃଖ ଓ ବେଦନାରେ ଛଟପଟ କରାନ୍ତି ଓ ତାହା ସହ୍ୟ କରିବାର ଶକ୍ତି ସେମାନେ ହରାଇ ବସନ୍ତି, ତାହା ହିଁ ଭଗବାନଙ୍କର ଏ ସଂସାରରେ ବିଚିତ୍ର ଲୀଳା… । ସେଦିନ ସ୍ମିତା ସୁକାନ୍ତଙ୍କୁ ଫୋନରେ କହିଥିଲା, ମୋର ବିବାହ ପାଇଁ ନିର୍ବନ୍ଧ ଗତକାଲି ହୋଇସାରିଛି ଓ ମୋର ଭାବି ସ୍ୱାମୀ ମୋ ହାତରେ ମୁଦି ପିନ୍ଧାଇ ଦେଇଛନ୍ତି, ମୁଁ ଆପଣଙ୍କୁ ଛାଡ଼ି କିପରି ବିବାହ କରିପାରିବି?” ସୁକାନ୍ତ ଭାବୁଥିଲେ, ଏଇ ତିନି ଚାରିଦିନ ହେବ ସ୍ମିତା ତାଙ୍କୁ ଫୋନ୍‍ କରୁନଥିଳା, ସେ ଯେପରି ନୀରବ ଜଡ଼ ପାଲଟି ଯାଇଥିଲା.. । ଆଜି ସେ ତା’ ଫୋନରୁ ବୁଝିପାରିଥିଲେ ଯେ ସ୍ମିତା ଉପରେ ଏକ ଝଡ଼ ବହିଯାଇଛି । ସ୍ମିତା ସହ ତାଙ୍କର ଆକସ୍ମିକ ଦେଖା ଭଲ ପାଇବାରେ ପରିଣତ ହୋଇଯାଇଥିଲା । ସ୍ମିତା ତାଙ୍କୁ କହୁଥିଲା, “ଆପଣ ହେଉଛନ୍ତି ମୋର ମନପ୍ରାଣ ଓ ଶରୀର ଅଧିକାରୀ । ମୋ ହୃଦୟର ପ୍ରଥମ ପ୍ରେମର ତୃପ୍ତି ଆପଣଙ୍କଠାରୁ ପାଇପାରିଛି । ମୋର ମନ ଓ ହୃଦୟ ଆପଣଙ୍କୁ ମୁଁ ସମର୍ପଣ କରିସାରିଛି । ଆପଣଙ୍କୁ ଦେଖିଲେ ମୋର ସମସ୍ତ ଦୁଃଖ ମୁଁ ଭୁଲିଯାଏ, ମୋ ଯୌବନର କାମନାଗ୍ନି ଶୀତଳ ହୋଇଯାଏ । ଆପଣଙ୍କ ଉଦାର ହୃଦୟରେ ମତେ ସ୍ଥାନ ଦେଇ ମୋତେ ଦେଖା କରିବାକୁ ଚାଲିଆସନ୍ତି, ଆପଣଙ୍କ ସ୍ନେହବୋଳା କଥାରେ ମୁଁ ଅଭିଭୂତ ହୋଇଯାଏ, ଆପଣଙ୍କୁ ମୁଁ ବିବାହ କରିପାରେ ବା ନକରିପାରେ; କିନ୍ତୁ ଆପଣ ସର୍ବଦା ମୋ ମନ ଓ ହୃଦୟର ଦେବତା ହୋଇ ରହିଥିବେ । ଆପଣଙ୍କ ସାନିଧ୍ୟ ମୋର ଚିରକାମ୍ୟ,ଆପଣଙ୍କ ବିନା ମୋର ଜୀବନଟା ଦୁଃଖମୟ ହୋଇଯିବ, ଆପଣଙ୍କୁ ଛାଡ଼ି ମୁଁ କିପରି ବଞ୍ଚିବି?’ ସୁକାନ୍ତ କହିଥିଲେ, ସ୍ମିତା ତୁମେ ବିଚଳିତ ହୁଅ ନାହିଁ, ପ୍ରେମ ହେଉଛି ସ୍ୱର୍ଗୀୟ, ପ୍ରେମ ହିଁ ସର୍ବଦା ହୃଦୟରେ ତିଷ୍ଠି ରହେ, ତୁମେ ବିବାହ କଲେ ମଧ୍ୟ ତୁମ ମଧ୍ୟରେ ମୋ ପ୍ରତି ତୁମର ପ୍ରେମ କେବେ କଳୁଷିତ ହେବ ନାର୍ହି ବରଂ ଅଧିକ ଉଜ୍ୱଳମୟ ହେବ, ତୁମ ବିବାହିତ ଜୀବନ ଅଧିକ ସୁଖମୟ ହେବ । ତୁମେ ତୁମ ସ୍ୱାମୀଙ୍କ ମଧ୍ୟରେ ମୋର ପ୍ରେମ ଅନୁଭବ କରିପାରିବ । କିନ୍ତୁ ମୋ ପ୍ରତି ତୁମର ପ୍ରେମ କେବେ କାହା ଆଗରେ ପ୍ରକାଶ କରିବ ନାହିଁ । ଯାହା ଫଳରେ ତୁମର ବିବାହିତ ଜୀବନରେ କେବେ ସନ୍ଦେହ ଓ ଅଶାନ୍ତି ଉପୁଜିବ ନାହିଁ । ତୁମର ବାପା ତୁମ ବିବାହ ଯେଉଁଠି ଠିକ୍‍ କରିଛନ୍ତି, ତାହା ତୁମର ମଙ୍ଗଳ ପାଇଁ ଏବଂ ତୁମର ଉନ୍ନତି ପାଇଁ । ତେଣୁ ସେମାନଙ୍କ ମନରେ ଦୁଃଖ ନଦେଇ ତୁମ ବିବାହରେ ବାଧା ସୃଷ୍ଟି କରିବ ନାହିଁ । ଆମର ବିବାହ ନହୋଇପାରିଲେ ମଧ୍ୟ ଆମ ପ୍ରେମ ସର୍ବଦା ଆମ ମନ ଓ ହୃଦୟରେ ବଜାୟ ରହିବ । ବିଚ୍ଛିନ୍ନତାରେ ପ୍ରେମର ପରିସମାପ୍ତି ହୁଏ ନାହିଁ । ବରଂ ପ୍ରେମ ଅଧିକ ସୁଦୃଢ଼ ରହିବ । ତ୍ୟାଗରେ ହିଁ ପ୍ରେମ ଅମର ହୋଇଥାଏ, ରାଧା କୃଷ୍ଣଙ୍କର ପ୍ରେମ ପରି ଆମର ପ୍ରେମ ବଞ୍ଚିରହିବ ?’ ସ୍ମିତା କାନ୍ଦି ପକାଇଥିଲା ଏବଂ କ୍ରନ୍ଦିତ ଚାପା ସ୍ୱରରେ ସେ କହିଥିଲା, “ ଆସନ୍ତାକାଲି ମୁଁ ଆପଣଙ୍କୁ ଦେଖା କରିବାକୁ ଯିବି, ମତେ ନିରାଶ କରିବେ ନାହିଁ?’ ବିବାହ ପୂର୍ବରୁ ଆପଣଙ୍କ ପାଖରେ ମୁଁ ନିଜକୁ ସମର୍ପଣ କରିବାକୁ ଚାହେଁ, ଏବଂ ଆପଣଙ୍କ ପ୍ରେମର ଉପଭୋଗର ସ୍ମୃତି ନେଇ ମୋର ଜୀବନ କଟାଇବାକୁ ଚାହେଁ, କହି ଫୋନ୍‍ ରଖିଦେଇଥିଲା । ପରଦିନ ସ୍ମିତା ଆସି ସୁକାନ୍ତଙ୍କୁ ଦେଖା କରିଥିଲା ଓ ତାଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଥିଲା । ଦୁଃଖରେ ସେ ଯେପରି ଭାଙ୍ଗିପଡ଼ିଛି ଜଣାପଡୁଥାଏ, ତାର ମୁହଁ ଶୁଖିଲା ଦେଖାଯାଉଥିଲା । ତାର ପ୍ରେମରେ ଏତେ ଶୀଘ୍ର ଭଟ୍ଟା ପଡ଼ିଯିବ, ଏହା ସେ କେବେ ଆଶା କରିନଥିଲା । ସୁକାନ୍ତ ପ୍ରେମ ହରାଇବାର ଦୁଃଖରେ ସେ ବିଚଳିତ ଜଣାପଡୁଥିଲା । ସୁକାନ୍ତଙ୍କ ହାତକୁ ନେଇ ସେ ତା ବକ୍ଷରେ ଚାପି ଧରି କାନ୍ଦି ପକାଇଥିଲା ଏବଂ କହିଥିଲା, “ଆପଣଙ୍କ ପ୍ରେମ ବିନା ମୋର ଜୀବନ ଦୁର୍ବିସହ ହୋଇଯିବ । ଆପଣଙ୍କୁ ଟିକେ ଦେଖିଦେଲେ ମୋର ମନ ଖୁସି ହୋଇଯାଏ, ଆପଣଙ୍କୁ ଛାଡ଼ି ମୁଁ କିପରି ଅନ୍ୟତ୍ର ବିବାହ କରିବି?’ ସୁକାନ୍ତ ତାର ମୁଣ୍ଡକୁ ଆଉଁସି ଦେଇ କହିଥିଲେ, ଧୈର୍ଯ୍ୟ ଧର ସ୍ମିତା, ମୋର ଆଶୀର୍ବାଦ ଓ ପ୍ରେମ ସର୍ବଦା ତୁମ ପ୍ରତି ରହିଛି ଓ ରହିଥିବ ମଧ୍ୟ । ମୋର ମନ ଓ ହୃଦୟର ପ୍ରେମକୁ ନେଇ ତୁମେ ଚାଲିଯାଉଛ । ମୁଁ ତୁମର ସ୍ମୃତି ନେଇ ବଞ୍ଚିରହିବି, ତୁମେ ମଧ୍ୟ ମୋର ସ୍ମୃତିରେ ତୁମର ନୂତନ ବିବାହିତ ଜୀବନ ସୁଖରେ କଟାଇବ, ଶରୀରର ପ୍ରେମ ସ୍ଥାୟୀ ନୁହେଁ, ମନ ଓ ହୃଦୟର ପ୍ରେମ ହେଉଛି ସ୍ଥ୍ରାୟୀ, ତାହା କେବେ ଲୋପ ହୁଏ ନାହିଁ, ହୃଦୟ ମନ୍ଦିରରେ ପ୍ରେମ ଅବରୁଦ୍ଧ ହୋଇ ରହିଯାଏ । ସେହି ପ୍ରେମର ସ୍ମୃତି ଶରୀରକୁ ରୋମାଞ୍ଚିତ କରେ ପ୍ରେମର ଉନ୍ମାଦନା ସୃଷ୍ଟିକରେ, କାମନାର ଜ୍ୱାଳାକୁ ଚନ୍ଦନର ପ୍ରଲେପ ପରି ଶୀତଳାତା ପ୍ରଦାନ କରେ । ତୁମର ନିର୍ବନ୍ଧ ହୋଇସାରିଛି । ତୁମ ଜୀନର ଗତିପଥ ପରିବର୍ତ୍ତନ ହୋଇଯାଇଛି । ତେଣୁ ଆପଣ ଏହି ପ୍ରେମକୁ ଭୁଲିଯାଇ ସ୍ୱାମୀଙ୍କ ପ୍ରେମରେ ନିଜକୁ ଉତ୍ସର୍ଗ କର, ଦେଖିବ, ତୁମେ ନୂତନ ପ୍ରେମର ସ୍ୱାଦ ପାଇବ । ଆମର ପ୍ରେମ ହେଉଛି ପବିତ୍ର । ସେହି ପବିତ୍ର ପ୍ରେମ ଆଜି କଳୁଷିତ ନହେଉ, ଆମ ପ୍ରେମରେ କଳଙ୍କ ନଲାଗୁ । ତୁମେ ଘରକୁ ଫେରି ଯାଅ ସ୍ମିତା… ଘରେ ତୁମକୁ ଅପେକ୍ଷା କରିଥିବେ’ । ସ୍ମିତା କହୁଥିଲା, ଜଣଙ୍କୁ ଭଲ ପାଇ ଆଉ ଜଣଙ୍କୁ ବିବାହ କରିବାଟା କ’ଣ ସମ୍ଭବ? ଜଣଙ୍କୁ ମନ, ପ୍ରାଣ ଓ ହୃଦୟ ସମର୍ପଣ କରି ଅନ୍ୟ ପାଖରେ କିପରି ନିଜକୁ ଉତ୍ସର୍ଗ କରିପାରିବି? ମୁଁ ଆପଣଙ୍କ ଅନାବିଳ ପ୍ରେମକୁ କିପରି ଭୁଲିପାରିବି? ଆପଣଙ୍କୁ ମୋ ହୃଦୟରେ ସ୍ଥାନ ଦେଇସାରିଛି, ସେ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ, ଆପଣଙ୍କ ପ୍ରେମ ହିଁ ମୋର କାମ୍ୟ, ମତେ ଦୂରେଇ ଦିଅନ୍ତୁ ନାହିଁ,’ କହି ସ୍ମିତା କାନ୍ଦି ଉଠିଥିଲା । ସୁକାନ୍ତ କହିଥିଲେ, ‘ଦେଖ ସ୍ମିତା, ତୁମ ପିତାମାତା ଓ ପରିବାରର ସ୍ୱାର୍ଥ ପାଇଁ ତୁମେ ମୋର ସ୍ମୃତିକୁ ପାଥେୟ କରି ବିବାହ କର, ମୁଁ ତୁମ ମନ ଓ ହୃଦୟ ମଧ୍ୟରେ ସର୍ବଦା ରହିଛି ଓ ରହିଥିବି ମଧ୍ୟ । ତୁମେ ବିବାହ କରିସାରି ଘରକୁ ଯେବେ ଆସିବ, ମତେ ଦେଖା କରିବ । ସେତେବେଳେ ତୁମେ ତୁମର ଅତୃପ୍ତ କାମନା ଓ ପ୍ରେମର ସ୍ୱାଦ ମୋ ଠାରୁ ପାଇବ, ଅନ୍ତତଃ ସେ ପର୍ଯ୍ୟନ୍ତ ତୁମେ ଅପେକ୍ଷା କର, ତୁମ ଜୀବନରେ କେବେ ଅଶାନ୍ତି ହେଉ, ମୁଁ ଚାହେଁ ନାହିଁ, ତୁମ ବିବାହିତ ଜୀବନର ସୁଖ ମୁଁ କାମନା କରୁଛି, ହଉ ଯାଉଛି କହି ସ୍ମିତା ସୁକାନ୍ତଙ୍କ ଠାରୁ ଅଶ୍ରୁଳ ନୟନରେ ବିଦାୟ ନେଇ ଚାଲିଯାଇଥିଲା । ତା’ ପରଦିନ ସ୍ମିତାର ବିବାହ ସମ୍ପନ୍ନ ହୋଇ ସେ ସ୍ୱାମୀଙ୍କ ସହ ବହୁ ଦୂରକୁ ଚାଲିଯାଇଥିଲା । ସ୍ମିତା ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା, ସୁକାନ୍ତ ସ୍ମିତାର ସ୍ମୃତିରେ ଅବସନ୍ନ ହୋଇପଡ଼ିଥିଲେ… । ଏକ ମାସ ପରେ ହଠାତ୍‍ ସୁକାନ୍ତ ସ୍ମିତାର ଫୋନ୍‍ କଲ ସେଦିନ ରାତିରେ ପାଇଥିଲେ । ସ୍ମିତା ତା ସ୍ୱାମୀଙ୍କର ଫୋନରୁ ଫୋନ୍‍ କରି ପ୍ରଣାମ ଜଣାଇଥିଲା । ସେ ଅତ୍ୟନ୍ତ ଖୁସି ଜଣାପଡୁଥିଲା ଓ ତାଙ୍କୁ କହିଥିଲା, ମୁଁ ଏବେ ଘରକୁ ଯିବି, ଆପଣଙ୍କୁ ଦେଖିବାକୁ ଭାରି ଇଚ୍ଛା ହେଉଛି । ଫ୍ଲାଇଟରେ ଆଙ୍କ ସହ ଯାଉଛି, ଅପାଣ ଏୟାରପୋର୍ଟ ପାଖକୁ ନିଶ୍ଚୟ ଆସିବେ, ଆଙ୍କ ସହ କଥା ହୁଅନ୍ତୁ’ କହି ଫୋନ୍‍ ତାର ସ୍ୱାମୀଙ୍କୁ ଦେଇଥିଲା । ସ୍ମିତାର ସ୍ୱାମୀ ତାଙ୍କୁ ନମସ୍କାର ଜଣାଇ କହିଥିଲେ, “ସ୍ମିତା ଆପଣଙ୍କ କଥା ମତେ ସର୍ବଦା କୁହେ ଆପଣ ତାକୁ କେତେ ସାହାଯ୍ୟ କରିଛନ୍ତି, ଆପଣ କେତେ ସ୍ନେହୀ ଓ କେତେ ଉଦାର । ଆମର ପ୍ଲେନ୍‍ ବିଳମ୍ବିତ ରାତିରେ ଆପଣଙ୍କ ସହରରେ ପହଞ୍ଚିବ, ଆପଣ ସେଠାକୁ ନିଶ୍ଚୟ ଆସିବେ, ଦେଖାହେବ ।’ ସୁକାନ୍ତ କହିଥିଲେ, ହଉ ମୁଁ ନିଶ୍ଚୟ ଏୟାରପୋର୍ଟକୁ ଯାଇ ସେଠାରେ ଆପଣଙ୍କୁ ସାକ୍ଷାତ କରିବି’ । ଏହା କହି ଫୋନ୍‍ ରଖିଦେଇଥିଲେ । ସ୍ମିତା ସହ ତାଙ୍କର ଆଉ କଥା ହେବାର ସୁଯୋଗ ନଥିଲା । ସ୍ମିତା ଯେ ସୁଖରେ ଅଛି, ଏହା ସୁକାନ୍ତ ତା’ସହିତ ସେହି ସ୍ୱଳ୍ପ କଥାରୁ ବୁଝିପାରିଥିଲେ । ସ୍ମିତାକୁ ପୁନର୍ବାର ତାର ସ୍ୱାମୀଙ୍କ ଉପସ୍ଥିତିରେ ଦେଖା କରିବାଟା ଉଚିତ୍‍ ହେବ ନାହିଁ ଭାବି ସୁକାନ୍ତ ଆଉ ସେଦିନ ସେଠାକୁ ଯାଇପାରିନଥିଲେ । ସେଠାରେ ସ୍ମିତା ସହ ଆଉ କଣବା କଥା ହୋଇ ପାରିଥାଆନ୍ତେ? ସ୍ମିତାକୁ ଶେଷଥର ସାକ୍ଷାତରେ ସେ ବିଦାୟ ଦେଇସାରିଛନ୍ତି । ସେହି ବିଦାୟର ସ୍ମୃତି ନେଇ ସେ ଅବଶିଷ୍ଟ ଜୀବନପଥରେ ଅଗ୍ରସର ହେବେ ।


ଶ୍ରୀ କୃଷ୍ଣଚନ୍ଦ୍ର ଦାଶ
ରଘୁନାଥ ଭବନ ,ପ୍ଲଟ- ୭୦ ଏ ,ବିଜେବି ନଗର
ଭୁବନେଶ୍ୱର-୧୪,ମୋ:୯୮୬୧୩୫୧୪୩୬

RELATED BY

  • ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

    Share this: ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ ।...
  • ପ୍ରେମ ଏକ ବିଚ୍ଛେଦର

    Share this:ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ...
  • ପ୍ରତାରଣା ଏକ ପ୍ରେମର

    Share this:ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର...
  • ପ୍ରତୀକ୍ଷା-ଏକ ମିଳନର

    Share this:ମନୁଷ୍ୟ ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା ତାର ଜୀବନକୁ ଓଲଟପାଲଟ କରି ଦେଇଥାଏ । ମନର ସୁଖ ହରାଇସାରିବା ପରେ ପୁଣି ଏକ ସୁଖ ନେପଥ୍ୟରେ ତା’ପାଇଁ ଅପେକ୍ଷା କରିଥାଏ ତାର ଦୁଃଖପୂର୍ଣ୍ଣ ହୃଦୟକୁ ରୋମାଞ୍ଚକର...