ସ୍ମୃତି-ଏକ ବିଚ୍ଛେଦର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି କେବେ ଭାବିନଥାଏ । ସେଦିନ ସୁଶାନ୍ତ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା ଏବଂ ଅପରପଟରୁ ଏକ ଅଜଣା ଅପରିଚିତା ଝିଅର କଣ୍ଠସ୍ୱର ଶୁଭିଥିଲା । ସେ କହୁଥିଲା, ନମସ୍କାର, ଚିହ୍ନିଲେ ମୁଁ କିଏ..? ସୁଶାନ୍ତ କିଛି ବୁଝି ପାରିନଥିଲେ ଏବଂ ପଚାରିଥିଲେ ନା ମୁଁ ଜାଣିପାରୁନି? ସେ କହୁଥିଲା, ମୁଁ ହେଉଛି ସୁଲତା, ଆପଣଙ୍କ ଫୋନ୍ ନମ୍ବର ମୋର କକେଇ ପୁଅ ଭାଇଙ୍କଠାରୁ ପାଇ ଫୋନ୍ କରୁଛି । ଆପଣ ମୋର ଏହି ଭାଇଙ୍କର ବାହାଘରକୁ ଆସିଥିଲେ, ଆପଣଙ୍କ ସହ କଥା ହେବାର ବିଶେଷ ସୁଯୋଗ ନଥିଲା, ସେତେବେଳେ ମୁଁ ହାଇସ୍କୁଲରେ ପଢ଼ୁଥିଲି, ଆପଣ ଗଲାବେଳେ ମୋ ହାତରେ ଗୋଟେ କୋଡ଼ିଏ ଟଙ୍କିଆ ନୋଟ୍ ଦେଇଥିଲେ । ଏହା ଭିତରେ ୩ ବର୍ଷ ବିତିଯାଇଛି । ମୁଁ ଏବେ ସେହି ଭାଇଙ୍କ ଘରକୁ ତାଙ୍କ ଝିଅର ଏକୋଇଶିଆକୁ ଯାଇଥିଲି । ଆପଣ ଆସିନଥିଲେ । ତେଣୁ ମୋର ଭାଇଙ୍କଠାରୁ ଆପଣଙ୍କର ଫୋନ୍ ନମ୍ବର ଆଣି ଆପଣଙ୍କୁ ଫୋନ୍ କରୁଛି । ସୁଶାନ୍ତ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ସୁଲତା, ହଁ ମନେ ପଡ଼ିଲା । ସେଦିନ ତୁମେ ବାରମ୍ବାର ମୋ ସହିତ ଦେଖା ହୋଇଥିଲ, କିନ୍ତୁ କିଛି କହୁନଥିଲ । ସଂକୋଚବୋଧ କରୁଥିଲ । କିନ୍ତୁ ତୁମ ଆଖିର ତୀର୍ଯ୍ୟକ ଚାହାଣୀରେ କିଛି ହୃଦୟର ଗୋପନ କଥା ହେବାର ସଂକେତ ଦେଉଥିଲ । ଆଜି କିପରି ମତେ ଫୋନ୍ କଲ? ମୁଁ ତୁମକୁ ପୁରା ଭୁଲିଯାଇଥିଲି । ଆଉ ଦେଖାହେବାର ସୁଯୋଗ ନଥିଲା । ସୁଲତା କହିଥିଲା, ମୁଁ ଆପଣଙ୍କୁ ଭୁଲିପାରି ନାହିଁ । ଆପଣଙ୍କର ସୁନ୍ଦର ମୁହଁ, ନମ୍ର ବ୍ୟବହାର ଓ ସମସ୍ତଙ୍କୁ ଆପଣାର କରିବାର ସ୍ନେହ ମତେ ବହୁତ ଆପଣଙ୍କ ପ୍ରତି ଆକର୍ଷଣ ସୃଷ୍ଟି କରିଛି । ମୁଁ ଆପଣଙ୍କୁ ଦେଖା କରିବାକୁ ଚାହେଁ । ଆପଣ ଆମ କଲେଜ ଛକ ପାଖକୁ ଆସନ୍ତୁ କହି ତାର କଲେଜ୍ ଠିକଣା ଜଣାଇଥିଲା । ମୋର ଏହି ଫୋନ୍ ନମ୍ବର ରଖନ୍ତୁ । କେବେ ଆସିବେ ମତେ ଜଣାଇବେ । ମୁଁ ଆପଣଙ୍କୁ ସେଠାରେ ଅପେକ୍ଷା କରିଥିବି । ସୁଶାନ୍ତ କହିଥିଲେ, ସୁଲତା, ହଉ ମୁଁ ଆସନ୍ତା ସପ୍ତାହରେ ସୁବିଧା ଦେଖି ଯିବି, ଏବଂ ତୁମକୁ ଫୋନ୍‌ରେ ଜଣାଇବି । ସୁଲତାର ଏପରି ଅଚାନକ ଫୋନ୍ ଏବଂ ତାକୁ ଦେଖା କରିବାକୁ ତାର ଉତ୍କଣ୍ଠା ତାଙ୍କୁ ଆଶ୍ଚର୍ଯ୍ୟ କରୁଥିଲା । ଦୀର୍ଘ ୩ ବର୍ଷ ପରେ ସୁଲତାର ତାଙ୍କ ପ୍ରତି ତାର ପ୍ରେମର ପରୋକ୍ଷ ସଂକେତ ସେ ଜଣାଇଥିଲା । ଅପ୍ରତ୍ୟାଶିତ ଭାବେ ତାର ଏପରି ଫୋନ୍ ତାଙ୍କୁ ବିଚଳିତ କରିଦେଇଥିଲା । ସୁଲତା ଦେଖିବାକୁ ଗୋରୀ, ସୁନ୍ଦରୀ, ଚକାମୁହଁ, ସୁଗଠିତ ତନୁ, ମଧ୍ୟମ ଉଚ୍ଚତା ଓ ତା ଆଖିର ତୀର୍ଯ୍ୟକ ଚାହାଣୀରେ ସୁଶାନ୍ତ ମଧ୍ୟ ତା ପ୍ରତି ଏକ ନିବିଡ଼ ସଂପର୍କର ଆକର୍ଷଣ ଅନୁଭବ କରୁଥିଲେ । ଆଜି ସୁଲତା ଦୀର୍ଘ ତିନି ବର୍ଷ ପରେ ତାଙ୍କୁ ଫୋନ୍ କରି ତାଙ୍କୁ ଦେଖା କରିବାକୁ ବ୍ୟଗ୍ର ହୋଇପଡ଼ିଛି । ଜୀବନରେ ଏକ ନୂତନ ପ୍ରେମ ଲାଭ କରିବାର କାମନା ସୁଲତାର ଫୋନ୍‌ରୁ ସୁଶାନ୍ତ ସେଦିନ ଅନୁଭବ କରୁଥିଲେ । ନିର୍ଦ୍ଧାରିତ ଦିନ ସେ ସୁଲତାକୁ ଦେଖା କରିବାକୁ ଯାଉଛନ୍ତି ବୋଲି ତାକୁ ଫୋନ୍‌ରେ ଜଣାଇ ତାର କଲେଜ୍ ଛକ ପାଖରେ ଥିବା ବସ ଷ୍ଟପଠାରେ ଅପରାହ୍ନରେ ପହଞ୍ଚି ଯାଇଥିଲେ । ପ୍ରାୟ ପନ୍ଦର ମିନିଟ୍ ପରେ ସୁଲତା ତାର କଲେଜର ଦୁଇ ଝିଅଙ୍କ ସହ ସେଠାରେ ପହଞ୍ଚି ତାଙ୍କର ପାଦ ଛୁଇଁ ନମସ୍କାର କରିଥିଲା । ସୁଲତା ତାର ସାଙ୍ଗରେ ଆସିଥିବା ଦୁଇ କଲେଜ୍ ଝିଅଙ୍କୁ କହିଥିଲା, ତୁମେ ଦୁହେଁ କଲେଜ ଯାଅ, ମୁଁ ଟିକେ ଭାଇଙ୍କ ସାଙ୍ଗଙ୍କ ସହ କଥା ହୋଇ ଯାଉଛି । ସେମାନେ ଚାଲିଯାଇଥିଲେ । ନିକଟସ୍ଥ ଏକ ହୋଟେଲକୁ ଯାଇ ସୁଲତା ଓ ସୁଶାନ୍ତ ଜଳଖିଆ ଖାଇଥିଲେ । ସୁଲତା କହିଥିଲା, ଆପଣଙ୍କୁ ମୁଁ ପ୍ରଥମ ଦେଖାରେ ଭଲ ପାଇ ବସିଛି । ପ୍ରେମ କଅଣ ମୁଁ ଜାଣିନଥିଲି, ଏବେ ଅନୁଭବ କରୁଛି ଯେ ମୋର ପ୍ରେମ ଆପଣଙ୍କୁ ମୋ ନିକଟରେ ପହଞ୍ଚାଇ ଦେଇଛି । ସୁଲତା ଗୋଟେ ଗୋଲାପି ରଙ୍ଗର ଡ୍ରେସ ପିନ୍ଧିଥାଏ । ପୂର୍ବାପେକ୍ଷା ତାର ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ହୋଇ ଆହୁରି ସୁନ୍ଦର ଦେଖାଯାଉଥିଲା । ସୁଲତାର ଏପରି କଥା ଶୁଣି ସୁଶାନ୍ତ ରୋମାଞ୍ଚିତ ହୋଇ କହିଥିଲେ, ସୁଲତା ତୁମର ଭବିଷ୍ୟତ ଅଛି, ତୁମେ ଏହି ବିପଦ ପଥକୁ ବରଣ କରନାହିଁ । ତୁମ ଭାଇ ଜାଣିଲେ ଆମର ସଂପର୍କ କଟିଯିବ । ସୁଲତା କହିଥିଲା, ଆପଣ ହେଉଛନ୍ତି ମୋ ଜୀବନର ସାରଥି, ଆପଣଙ୍କ ସ୍ନେହ ବିନା ମୁଁ ବଞ୍ଚିପାରିବି ନାହିଁ, ମତେ ଆପଣଙ୍କ ନିକଟକୁ ନେଇଯାଆନ୍ତୁ, ଆପଣଙ୍କୁ ମୋର ପ୍ରେମର ଅର୍ଘ୍ୟ ସମର୍ପଣ କଲେ ମୁଁ ଶାନ୍ତି ପାଇବି । ସୁଶାନ୍ତ କହିଥିଲେ, ସୁଲତା ତୁମେ ଧୈର୍ଯ୍ୟ ଧର, ଆସ୍ତେ ଆସ୍ତେ ସବୁକିଛି ସମ୍ଭବ ହୋଇପାରିବ । ସୁଲତାର ଆଖିରୁ ଦୁଇଧାର ନୀରବାଶ୍ରୁ ଝରି ଆସୁଥିଲା । ସୁଶାନ୍ତ ସୁଲତାର ଏପରି ପ୍ରେମ ନିବେଦନରେ ସମ୍ମୋହିତ ହୋଇ ପଡ଼ିଥିଲେ । କହିଥିଲେ, ସୁଲତା ତୁମେ କାନ୍ଦନାହିଁ, ତୁମ ପ୍ରେମର ବହ୍ନିରେ ମୁଁ ମଧ୍ୟ ଝାସ ଦେବାକୁ ଚାହେଁ । ସୁଲତା କହିଥିଲା, ମୋର ଆରମାସରେ ଜନ୍ମଦିନ ପଡ଼ିବ, ଆପଣ ଆମ ଘରକୁ ଆସନ୍ତୁ । ସେଦିନ କଥା ହେବା, ମୋର କଲେଜ୍ କ୍ଲାସ ଟାଇମ୍ ହୋଇଗଲାଣି । ମୁଁ ଯାଉଛି କହି ବିଦାୟ ନେଇ ଚାଲିଯାଇଥିଲା । ପ୍ରାୟ ପ୍ରତିଦିନ ସୁବିଧା ଦେଖି ସୁଲତା ତାଙ୍କୁ ଫୋନ୍ କରି ତାଙ୍କ ଦେହ କିପରି ଅଛି ପଚାରେ ଏବଂ ତାର ହୃଦୟର ଗୋପନ କଥା ନିଃସଙ୍କୋଚରେ କହି ଆନନ୍ଦ ଅନୁଭବ କରୁଥାଏ । ସୁଶାନ୍ତ ସୁଲତାର ଜନ୍ମଦିନ ତା’ଘରେ ସନ୍ଧ୍ୟାରେ ପହଞ୍ଚିଯାଇଥିଲେ । ସୁଲତାର ପିତାମାତା ତାଙ୍କୁ ଦେଖି ବହୁତ ଆନନ୍ଦିତ ହୋଇଥିଲେ । ସୁଲତା ତାଙ୍କୁ ତାର ଜନ୍ମଦିନ ପାଇଁ ହୋଇଥିବା ସୁସ୍ୱାଦୁକର ଖାଦ୍ୟ ଖାଇବା ପାଇଁ ଦେଇଥିଲା, କହୁଥିଲା, ସନ୍ଧ୍ୟା ହେଲାଣି, ଆଜି ଆମ ଘରେ ରହିଯାଆନ୍ତୁ, କାଲି ସକାଳେ ଆପଣ ଅଫିସ ଚାଲିଯିବେ । ସୁଲତା ବହୁତ କିଛି କହିବ ବୋଲି ଜଣାପଡୁଥିଲେ ମଧ୍ୟ କିଛି କହିପାରୁ ନଥାଏ । ହଠାତ୍ ତାଙ୍କ ପାଖରେ ଆସି ବସିପଡ଼ି ତାର ଦେହକୁ ତାଙ୍କ ଦେହରେ ଲଦି ଦେଇଥିଲା । ତାଙ୍କ ହାତକୁ ଧରି ତାର ବକ୍ଷରେ ଚାପିଧରି କହିଥିଲା, ଆଜି ଆମର ପ୍ରେମର ମିଳନ ହେବ, ମୁଁ ଆଜି ଆପଣଙ୍କ ପ୍ରେମର ତୃପ୍ତି ଅନୁଭବ କରିବାକୁ ଚାହେଁ । ସୁଲତା ଉତ୍ତେଜିତା ହୋଇପଡୁଥିଲା । ସୁଶାନ୍ତ ମଧ୍ୟ ସୁଲତାକୁ ଆଲିଙ୍ଗନ କରି ତାର ଶରୀରର ପ୍ରଥମ ସ୍ପର୍ଶ ଅନୁଭବ କରି ରୋମାଞ୍ଚିତ ହୋଇପଡ଼ିଥିଲେ । ହଠାତ୍ କିଏ ଆସୁଥିବାର ଜାଣିପାରି ସୁଲତା ତାଙ୍କ ପାଖରୁ ଉଠି ଚାଲିଯାଇଥିଲା । ରାତିରେ ଖାଇସାରି ସୁଶାନ୍ତ ଖଟରେ ଶୋଇପଡ଼ିଥିଲେ, ସୁଲତା ଅନ୍ୟ ଘରେ ତାର ପିତାମାତାଙ୍କ ସହ ଶୋଇପଡ଼ିଥିଲା । ପ୍ରାୟ ଅର୍ଦ୍ଧରାତ୍ରିରେ ସୁଲତା ଆସି ସୁଶାନ୍ତଙ୍କୁ ନିଦରୁ ଉଠାଇ ତାଙ୍କ ପାଖରେ ବସିପଡ଼ିଥିଲା । ତାର ଶରୀର ଯେପରି ତାଙ୍କ ପ୍ରେମର ସ୍ୱାଦ ପାଇବା ପାଇଁ ଉତ୍କଣ୍ଠିତ ହୋଇପଡୁଥିଲା । ସୁଶାନ୍ତ କିଛି କହିବା ପୂର୍ବରୁ ସୁଲତା ତାଙ୍କୁ ଆଲିଙ୍ଗନ କରି ଖଟରେ ଶୋଇପଡ଼ିଥିଲା । ସୁଶାନ୍ତ ମଧ୍ୟ ଏକ ଅପୂର୍ବ ଶିହରଣରେ ତାର ପ୍ରେମ ଲାଭ କରିବାକୁ ବ୍ୟଗ୍ର ହୋଇପଡ଼ିଥିଲେ । ଦୁଇଟି ଶରୀର କାମନାର ଅଗ୍ନିରେ ଝାସ ଦେଇଥିଲେ । ଦୁଇଟି ଦେହର ପ୍ରେମର ମିଳନ ହୋଇଯାଇଥିଲା । ସୁଲତା ଉଠି ଚାଲିଯାଇଥିଲା । ତା’ପରଦିନ ସକାଳେ ସୁଶାନ୍ତ ସୁଲତା ଠାରୁ ବିଦାୟ ନେଇ ତାଙ୍କ ଘରୁ ଚାଲିଆସିଥିଲେ । ସୁଲତା ଲାଜରେ ତାଙ୍କ ମୁହଁକୁ ଚାହିଁପାରୁନଥାଏ । ଆଉ ସୁଲତା ସହ ତାଙ୍କର ଦେଖାହେବାର ସୁଯୋଗ ନଥିଲା । ସୁଲତା ସମୟ ଓ ସୁବିଧା ଦେଖି ତାଙ୍କୁ ଫୋନ୍ କରି ତାର ପ୍ରେମର ପରିଭାଷା ବ୍ୟକ୍ତ କରୁଥିଲା । କହୁଥିଲା, ଆପଣଙ୍କ ପ୍ରେମ ଲାଭ କରି ମୋର ଅତୃପ୍ତ କାମନା ତୃପ୍ତି ଲାଭ କରିଛି । ଆପଣଙ୍କ ସହ ସାରା ଜୀବନ ମୁଁ ଶାରିରୀକ ସଂପର୍କ ରଖିବାକୁ ଚାହେଁ । ସୁଶାନ୍ତ କହିଥିଲେ, ଭଗବାନଙ୍କର ଆଶୀର୍ବାଦ ଥିଲେ ଆମ ପ୍ରେମର ପୁର୍ନମିଳନ ସମ୍ଭବ ହୋଇପାରିବ । ତାର କଲେଜ୍ ପରୀକ୍ଷା ସରିଯାଇଥାଏ । ହଠାତ୍ ସୁଲତା ସେଦିନ ଫୋନ୍ କରି ତାଙ୍କୁ କଲେଜ୍ ପାଖକୁ ଡକାଇଥିଲା । ସୁଲତା ବିଚଳିତ ଜଣାପଡୁଥିଲା, ମୁହଁ କାନ୍ଦକାନ୍ଦ ଦେଖାଯାଉଥାଏ । କହୁଥିଲା, ମୋର ବିବାହ ହଠାତ୍‍ ଠିକ୍ ହୋଇଯାଇଛି, ମୁଁ କ’ଣ କରିବି ଜାଣିପାରୁ ନାହିଁ । ମୁଁ ଜାଣେ ଆପଣଙ୍କ ସହ ମୋର ବିବାହ କେବେ ସମ୍ଭବପର ନୁହେଁ, ତଥାପି ଆପଣଙ୍କ ପ୍ରେମର ସ୍ମୃତି ନେଇ ମୁଁ ବଞ୍ଚିରହିବି, ଆପଣ ମୋ ବାହାଘର ଦିନ ଆମ ଘରକୁ ନିଶ୍ଚୟ ଆସିବେ । ମୋର ବିବାହ ପରେ ମଧ୍ୟ ମୁଁ ଆପଣଙ୍କ ସାନିଧ୍ୟ ପାଇବାକୁ ଚାହେଁ, ଆପଣ କ’ଣ ମୋର ଏତିକି ଆଶା ପୂରଣ କରିବେନି? ଏତେ ଶୀଘ୍ର ଆମ ପ୍ରେମରେ ଭଟ୍ଟା ପଡ଼ିଯିବ ବୋଲି ମୁଁ ଜାଣିନଥିଲି । ସୁଶାନ୍ତ କହିଥିଲେ, ସବୁ ଭଗବାନଙ୍କ ଉପରେ ନିର୍ଭର କରେ । ତୁମେ ସେହି ଭଗବାନଙ୍କ ନିର୍ଦ୍ଦେଶରେ ମୋ ସହିତ ସଂପର୍କ ରଖିପାରିଲ । ତୁମ ପ୍ରେମର ସ୍ୱାଦ ମତେ ପ୍ରଦାନ କରି ତୁମେ ମୋ ପ୍ରେମର ଆନନ୍ଦର ତୃପ୍ତି ଅନୁଭବ କଲ । ସେଦିନ ଆମ ପ୍ରେମର ମିଳନର ସ୍ମୃତି ଆମ ଜୀବନରେ ଅମର ହୋଇ ରହିଛି ଓ ରହିଥିବ ମଧ୍ୟ । ତେଣୁ ମନ ଦୁଃଖ କରନାହିଁ । ଯାହା ଭାଗ୍ୟରେ ଥିବ ଘଟିବ । ପଛକଥା ଭୁଲିଯାଇ ନିଜର ନୂତନ ସଂସାର ପଥରେ ଅଗ୍ରସର ହୋଇ ତୁମର ବିବାହିତ ଜୀବନ ସୁଖରେ କଟାଇବ । ମତେ ଫୋନ୍ କରି ତୁମର ସୁବିଧା ଓ ଅସୁବିଧା କଥା ଜଣାଉଥିବ । ସୁଲତା ବିବାହ କରି ଚାଲିଯାଇଥିଲା । ସୁଶାନ୍ତ ତାର ବିବାହ ଦିନ ସେଠାକୁ ଯାଇପାରି ନଥିଲେ । ତାର ଭାଇଙ୍କ ଫୋନରୁ ତାର ବିବାହର ଭିଡ଼ିଓ ଫଟୋ ଦେଖି ତାର ବିବାହିତ ଜୀବନର ସୁଖ କାମନା କରୁଥିଲେ । ସୁଲତାର ବିଚ୍ଛେଦରେ ତାର ପ୍ରେମର ସ୍ମୃତି ନେଇ ସୁଶାନ୍ତ ତାର ବିରହର ଦୁଃଖରେ ଭାଙ୍ଗି ପଡୁଥିଲେ । ସୁଲତା କିନ୍ତୁ ତାଙ୍କୁ ଆଉ ଫୋନ୍ କରିନଥିଲା । ସେ ଯେପରି ଦୂର ଦିଗ୍‌ବଳୟରେ ତାଙ୍କ ଜୀବନ ପଥରୁ ଅନ୍ତର୍ହିତ ହୋଇଯାଇଥିଲା? ଯେପରି ଲତାଟି ପରି ତାଙ୍କ ଶରୀରକୁ ସ୍ପର୍ଶ କରି ତାଙ୍କୁ ସୁଲତା ଶାନ୍ତି ପ୍ରଦାନ କରି ଚାଲିଯାଇଥିଲା । ସୁଶାନ୍ତ ସୁଲତାର ବିରହ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ତାର ବିଚ୍ଛେଦର ସ୍ମୃତିରେ ଅଧିର ଓ ଅଶାନ୍ତ ହୋଇପଡୁଥିଲେ ।


ଶ୍ରୀ କୃଷ୍ଣଚନ୍ଦ୍ର ଦାଶ
ରଘୁନାଥ ଭବନ, ବିଜେବି ନଗର, ଭୁବନେଶ୍ୱର,ମୋ-୯୮୬୧୩୫୧୪୩୬

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ସମ୍ପର୍କ ଏକ ଅତୀତର

    Share this:ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର...
  • ଅନୁଭୂତି – ଏକ ନୂତନ ସ୍ୱାଦର

    Share this:କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା...
  • ଦ୍ୱିତୀୟ ସୋପାନ

    Share this:ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର...
  • ସ୍ମୃତି ଏକ ବିଦାୟର

    Share this:ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ...
EDITOR
OFFICE