ଭୁବନେଶ୍ୱର ଏମ୍ସରେ ୬ହଜାର ରୋଗୀଙ୍କୁ ଟେଲି ମେଡ଼ିସିନ ଜରିଆରେ ଚିକିତ୍ସା ପରାମର୍ଶ

ଲକଡାଉନ ସମୟରେ ୨୯,୫୪୩ ରୋଗୀଙ୍କୁ ଜରୁରି ଚିକିତ୍ସା

Share this:

ଭୁବନେଶ୍ୱର  : କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରାଯାଇ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଆସୁଛି । ଏହାବ୍ୟତୀତ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଏହି ଜାତୀୟସ୍ତରର ପ୍ରତିଷ୍ଠାନ ପକ୍ଷରୁ ଟେଲି ମେଡ଼ିସିନ ସେବା, ଆପାତକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏମ୍ସ ପକ୍ଷରୁ ମାର୍ଚ୍ଚ ୧୭ ତାରିଖରେ କୋଭିଡ-୧୯ ସ୍କ୍ରିନିଂ ବହିର୍ବିଭାଗ (ଓପିଡି) ଆରମ୍ଭ କରାଯାଇଥିଲା ଏବଂ ବର୍ତମାନସୁଦ୍ଧା ଏଠାରେ ୨୦୫୨ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଠାରେ ୧୮୨ଟି ଶଯ୍ୟା ଏବଂ ୨୦ଟି ଆଇସିୟୁ ସହିତ ଏକ ପୃଥକ କୋଭିଡ-୧୯ ଚିକିତ୍ସା ବ୍ଲକ ସ୍ଥାପନ କରାଯାଇଛି । ବର୍ତମାନସୁଦ୍ଧା ଗୁରୁତର ଶ୍ୱାସକ୍ରିୟାଜନିତ ସଂକ୍ରମଣ ଥିବା ୩୧୦ ଜଣ ସନ୍ଦିଗ୍ଧ କୋଭିଡ ରୋଗୀ ଏଠାରେ ଭର୍ତି ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୩୦୪ ଜଣଙ୍କର ନମୁନା ନେଗେଟିଭ ଆସିଛି । ଦୁଇ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ପୂର୍ବରୁ ଏକାଧିକ ରୋଗରେ ପୀଡ଼ିତ ଥିବା ଜଣେ କୋଭିଡ ରୋଗୀଙ୍କର ପ୍ରାଣହାନି ଘଟିଛି । ବର୍ତମାନ ଓଡ଼ିଶା ସରକାରଙ୍କ ସମର୍ପିତ କୋଭିଡ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ହେଲେ ସେମାନଙ୍କର ଚିକିତ୍ସା ପାଇଁ ଏମ୍ସର କୋଭିଡ ବ୍ଲକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସେ କହିଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ନୂଆ କୋଭିଡ-୧୯ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେବାର ଦାୟିତ୍ୱ ଭାରତ ସରକାରଙ୍କ ଅଧୀନ ଆଇସିଏମଆର ପକ୍ଷରୁ ଭୁବନେଶ୍ୱର ଏମ୍ସକୁ ଦିଆଯାଇଛି । ଆଇସିଏମଆରର ଗାଇଡଲାଇନ ଅନୁଯାୟୀ ବୁର୍ଲାସ୍ଥିତ ଭିମସାର, ଭୁବନେଶ୍ୱରର ସମ ହସ୍ପିଟାଲକୁ କୋଭିଡ ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶିକ୍ଷଣ, ଅନୁମତି ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରିବାର ଅନୁମତି ପ୍ରଦାନ କରାଯାଇଛି । ଏହାଛଡ଼ା ରାଜ୍ୟର ୪ଟି ସରକାରୀ ଓ ଗୋଟିଏ ଘରୋଇ ଡାକ୍ତରଖାନା, ବ୍ରହ୍ମପୁରସ୍ଥିତ ଆଇଜର ଏବଂ କଟକ ଏଡିଆରଆଇକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି । ଏମ୍ସ ଭୁବନେଶ୍ୱର ପକ୍ଷରୁ ପଶ୍ଚିମବଙ୍ଗର ଗୋଟିଏ ଘରୋଇ ମେଡ଼ିକାଲ କଲେଜକୁ କୋଭିଡ-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ୮ଟି ମେଡ଼ିକାଲ କଲେଜକୁ ଅନୁମତି ଦେବାର ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାର ୫ଟି ମେଡ଼ିକାଲ କଲେଜର ଡାକ୍ତର ଓ ଟେକ୍ନିସିଆନମାନଙ୍କୁ କୋଭିଡ-୧୯ ପରୀକ୍ଷା ପାଇଁ ଏମ୍ସ ପକ୍ଷରୁ ଆବଶ୍ୟକ ତାଲିମ ଦିଆଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଶାଇ ୨୭ ଜଣ ତାଲିମ ନେଇଛନ୍ତି । ଆରଟି-ପିସିଆର ପଦ୍ଧତିରେ ଭୁବନେଶ୍ୱର ଏମ୍ସରେ ୪୨୬୭ ନମୁନା ପରୀକ୍ଷା କରାଯାଇସାରିଲାଣି । ଏଥିମଧ୍ୟରୁ ୧୭ଟି ପଜିଟିଭ ବାହାରିଛି । ଆଇସିଏମଆର ନିୟମ ଅନୁଯାୟୀ, ପ୍ରଫେସର ବୈଜୟନ୍ତୀମାଳା ମିଶ୍ରଙ୍କ ନେତୃତ୍ୱରେ ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ନମୁନା ପରୀକ୍ଷା ଓ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି । ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ୨୫ ମାର୍ଚ୍ଚ ପରଠାରୁ ସମସ୍ତ ସାଧାରଣ ଓପିଡି ଓ ଇଚ୍ଛାଧୀନ ଅସ୍ତ୍ରୋପଚାର ସେବାକୁ ବନ୍ଦ ରଖାଯାଇଛି । ତେବେ ଜରୁରିକାଳୀନ ଓପିଡି ଓ ଅସ୍ତ୍ରୋପଚାର ସେବା ଚାଲୁ ରହିଛି । ବର୍ତମାନ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୪ ତାରିଖ ଠାରୁ ଓପିଡି ସେବା ଆରମ୍ଭ କରାଯାଇଛି । ଲକଡାଉନ ଅବଧି ମାର୍ଚ୍ଚ ୨୫ ତାରିଖରୁ ମେ ୩ ତାରିଖ ମଧ୍ୟରେ ୨୨,୨୩୧ ଜରୁରି ଓପିଡି ସେବା, ୩୩୧୯ ଆପାତକାଳୀନ ସେବା, ୮୩୬ ଜରୁରିକାଳୀନ ଗୁରୁତର ଅସ୍ତ୍ରୋପଚାର, ୨୦୭୧ ଜରୁରି ଆଇପିଡି ଆଡମିଶନ, ୧୮୩୨ କୋଭିଡ-୧୯ ସ୍କ୍ରିନିଂ କ୍ଲିନିକ ସେବା ଯୋଗାଇ ଦିଆଯାଇଛି । ଏହାପରେ ମେ ୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସେବା ଆରମ୍ଭ ହୋଇଯାଇଛି । ମେ ୧୫ ସୁଦ୍ଧା ଏମ୍ସ ପକ୍ଷରୁ ୨୯,୫୪୩ ଜଣ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ଏହାଛଡ଼ା ୧୧ଟି ବିଶେଷଜ୍ଞ ଚିକିତ୍ସା ସେବା ବିଭାଗ ଯଥା ଭେଷଜ, ଶଲ୍ୟ ଚିକିତ୍ସା, ସ୍ତ୍ରୀ ଓ ପ୍ରସୂତୀ, ଶିଶୁରୋଗ, ଅସ୍ଥିଶଲ୍ୟ, ଶ୍ୱାସରୋଗ, ମୂତ୍ରରୋଗ ଚିକିତ୍ସା, ୟୁରୋଲୋଜି, ମାନସିକ ରୋଗ, ହୃଦରୋଗ, କର୍ଣ୍ଣ ନାସା ଓ ଗଳା ଏବଂ ଚର୍ମରୋଗ ଆଦିରେ ଟେଲି ମେଡ଼ିସିନ ସେବା ଯୋଗାଇ ଦିଆଯାଇଛି । ସୋମବାରରୁ ଶନିବାର (ଛୁଟିଦିନକୁ ଛାଡ଼ି) ସକାଳ ୯ଟା ଠାରୁ ଦିନ ୧ଟା ମଧ୍ୟରେ ହ୍ୱାଟ୍ସଆପ ଭଏସ ଓ ଭିଡିଓ କଲ ମାଧ୍ୟମରେ ରୋଗୀମାନେ ଡାକ୍ତରୀ ପରାମର୍ଶ ପାଇପାରୁଛନ୍ତି । ୧୫ ତାରିଖ ସୁଦ୍ଧା ୬ହଜାରରୁ ଊର୍ଦ୍ଧ୍ୱ ରୋଗୀ ଏହି ସୁବିଧାର ଲାଭ ନେଇସାରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ଆଇଟିଇସି କାର୍ଯ୍ୟକ୍ରମ ଅଧୀନରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ବାଂଲାଦେଶ ଓ ନାମିବିୟାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-୧୯ ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ଏହାଛଡ଼ା ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ବାଲେଶ୍ୱର, ଭଦ୍ରକ ଓ ବଲାଙ୍ଗିରକୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଯାଇଛି । ଏହି ଦଳ ସେଠାରେ ମହାମାରୀ ମୁକାବିଲା ଆବଶ୍ୟକତା ପୂରଣ କରିବ । ଭୁବନେଶ୍ୱର ଏମ୍ସ ପକ୍ଷରୁ ନିଜସ୍ୱ ଉଦ୍ୟମରେ ମୁହଁ ସୁରକ୍ଷା କବଚ ଓ ହ୍ୟାଣ୍ଡ ରବ ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ଆଇଏମଏମଟି ସହଯୋଗରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ସେନ୍ସର ଆଧାରିତ ହ୍ୟାଣ୍ଡ ସାନିଟାଇଜର, ଇଂଟ୍ୟୁବେସନ ହୁଡ ଏବଂ ପେଡାଲ ଟାଇପ ହାତଧୁଆ କିଓସ୍କ ବ୍ୟବସ୍ଥା କରାଯାଇଛି । ଏମ୍ସ ପକ୍ଷରୁ ସଚେତନତା ପୋଷ୍ଟର ଓ ଭିଡିଓ ପ୍ରସ୍ତୁତ କରାଯାଇ କୋଭିଡ-୧୯ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଛି । ଏହାଛଡ଼ା ଏମ୍ସର ଡାକ୍ତରମାନେ ବିଭିନ୍ନ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ-୧୯ ମୁକାବିଲା ସମ୍ପର୍କରେ ସେମାନଙ୍କର ମତ ରଖିଛନ୍ତି । ଏହାଛଡ଼ା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ମିଶି ରୋଗୀଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ।

RELATED BY

  • Pandemic impact on mental health : Dr. A.Singh

    Share this:Bhubaneswar:The Covid-19 pandemic has seriously affected people’s mental health requiring medical and psychological support says Eminent Psychologist Dr. A.Singh engaged in counseling. “The psychological impact of Covid-19 has...
  • ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ଖୋଲିବା ଉଚିତ

    Share this:ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅନେକ ଯୁବକ ଚାକିରି ହରାଇଛନ୍ତି । ବର୍ତମାନ ଦେଶବ୍ୟାପୀ ତାଲା ଖୋଲାଯାଇ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ସାରା ଦେଶରେ ଜିମ୍ ଏବଂ ଜିମ୍ନାସିୟମ୍ ବନ୍ଦ ହେବା ଠିକ୍...
  • ଅଁଳାର ଉପକାରୀତା

    Share this:ଅଁଳାଗଛ ଓଡ଼ିଶାର ଉଦ୍ୟାନ ଓ ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଗାଁମାନଙ୍କରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି ।...
  • ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    Share this:ନୂଆଦିଲ୍ଲୀ/ଭୁବନେଶ୍ୱର:ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ...