କରୋନା ମୁକାବିଲାରେ ସରକାରଙ୍କ ଆଡ଼ବାୟା ନୀତି,ଉପଯୁକ୍ତ ବିଶେଷଜ୍ଞଙ୍କ ଅଭାବରୁ ଜନସାଧାରଣ ଅଯଥାରେ ହଇରାଣ ହେଲେ

ମହାମାରୀ ରୋଗ ଆଇନ ୧୮୯୭ କୁ ଆୟୁଧ କରି ଲୋକଙ୍କ ଉପରେ ଜୁଲୁମ କଲେ

Share this:

ଭୁବନେଶ୍ୱର:କୋଭିଡ଼ ମହାମାରୀ ମୁକାବିଲା କରିବା ପାଇଁ ସରକାର ଯେଉଁସବୁ ନିଷ୍ପତ୍ତି ନେଇ ତାକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି ତାହା ଇତିହାସର ଆଡ଼ବାୟା ସୁଲତାନ ଭାବରେ ଅଖ୍ୟାତ ମହମ୍ମଦ ଘୋରୀ ତୋଗଲକଙ୍କର ଦିଲ୍ଲୀରୁ ରାଜଧାନୀ ଦୌଲତାବାଦ କାହାଣୀ ସହିତ ସାମଞ୍ଜସ୍ୟ ରଖେ । ସେତେବେଳେ ଦିଲ୍ଲୀର ରାଜଧାନୀ ଦୌଲତାବାଦକୁ ନେବା ଏବଂ କିଛିଦିନ ପରେ ଦୌଲତବାଦରୁ ଦିଲ୍ଲୀକୁ ପୁଣି ରାଜଧାନୀ ସ୍ଥାନାନ୍ତର କରିବା ପ୍ରକ୍ରିୟା ଭିତରେ ଲକ୍ଷ ଲକ୍ଷ ଲୋକ ଚରମ ଦୁର୍ଦ୍ଦଶାର ଶିକାର ହୋଇଥିଲେ । କରୋନା ମୁକାବିଲା କ୍ଷେତ୍ରରେ ସରକାର ସେହିଭଳି କାର୍ଯ୍ୟକଳାପ କରୁଥିବା ପରିଲକ୍ଷିତ ହେଉଛି । ଉଦାହରଣ ସ୍ୱରୂପ ପ୍ରଥମେ ସଙ୍ଗନିରୋଧ / କ୍ୱାରେଣ୍ଟାଇନ ପାଇଁ ୧୪ ଦିନର ସମୟ ଧାର୍ଯ୍ୟ କଲେ । ପରେ ପୁଣି କହିଲେ ୧୪  ଦିନ ଯଥେଷ୍ଟ ନୁହଁ, ୨୮ ଦିନକୁ କ୍ୱାରେଣ୍ଟାଇନ ଅବଧି ବୃଦ୍ଧି କଲେ । ୨୮ଦିନ ଭିତରୁ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବା ଏବଂ ୭ ଦିନ ନିଜ ଘରେ କ୍ୱାରେଣ୍ଟାଇନରେ ରହିବାର ପରାମର୍ଶ ସରକାର ଦେଲେ । ସେତେବେଳେ ଆମେ ଏହାକୁ ସମର୍ଥନ କରିବାକୁ ଯାଇ ଏକ ବିବୃତିରେ କହିଥିଲୁ, “ଯଦି ଏହା ବିଶେଷଜ୍ଞ ମାନଙ୍କର ମତାମତ ନେଇ କରାଯାଇଛି ତେବେ ତାହା ସ୍ୱାଗତଯୋଗ୍ୟ” । କିନ୍ତୁ ହଠାତ ସେ ନିଷ୍ପତ୍ତି ପରିବର୍ତ୍ତିତ ହୋଇ ପୁଣି ୧୪ ଦିନର କ୍ୱାରେଣ୍ଟାଇନ ପାଇଁ ସରକାର ଘୋଷଣା କରିଛନ୍ତି । ଏହା ଆଡ଼ବାୟା ମହମ୍ମଦ ଘୋରୀଙ୍କ କାର୍ଯ୍ୟକଳାପ ସହିତ ସାମଞ୍ଜସ୍ୟ ରଖୁନାହିଁ କି ? ଦ୍ଵିତୀୟତଃ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସରକାର ବାରମ୍ବାର ତାଗିଦ କଲେ । ସେଥିପାଇଁ ଲକଡାଉନ / ସଟ୍ ଡାଉନ, କଣ୍ଟନମେଣ୍ଟ, କ୍ୱାରେଣ୍ଟାଇନ ଇତ୍ୟାଦି ପଦକ୍ଷେପ ନେଲେ । ମହାମାରୀ ରୋଗ ଆଇନ ୧୮୯୭ କୁ ଆୟୁଧ କରି ଲୋକଙ୍କ ଉପରେ ଜୁଲୁମ କଲେ । ଲକ୍ଷ ଲକ୍ଷ ଲୋକ ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଗଲେ । କିନ୍ତୁ ବର୍ତ୍ତମାନ ସରକାରଙ୍କ ବୈଷୟିକ ମୁଖପାତ୍ର କହିଲେଣି କରୋନା ଗୋଷ୍ଠୀ ସଂକ୍ରମଣ ହେବା ବାଞ୍ଚନୀୟ । ଏହାଦ୍ୱାରା ଗୋଷ୍ଠୀ / ଲୋକଙ୍କ ପାଖରେ କରୋନାକୁ ପ୍ରତିରୋଧ କରିବାର ଶକ୍ତି ବୃଦ୍ଧି ପାଏ । ଏପରିକି ଗୋଟେ ଅଞ୍ଚଳରେ ୨ ତୃତୀୟାଂଶ ( ୨/୩ ) ଲୋକ ସଂକ୍ରମିତ ହେବା ବାଞ୍ଚନୀୟ ବୋଲି କହିବାକୁ ସେ ମଧ୍ୟ ପଛାଇଲେ ନାହିଁ । ତାଙ୍କ କଥା ଯଦି ସତ୍ୟ ଏବଂ ସେଥିପ୍ରତି ସରକାରଙ୍କର ଯଦି ସମର୍ଥନ ଅଛି ତେବେ ଲକଡାଉନ / ସଟ୍ ଡାଉନ ଇତ୍ୟାଦି ଏତେ ଫାର୍ସ ସରକାର କ’ଣ ପାଇଁ କଲେ ? ସେହିପରି ମାସ୍କ ପିନ୍ଧିବା ନେଇ ପ୍ରଥମେ କୁହାଗଲା, ସମସ୍ତେ ମାସ୍କ ପିନ୍ଧିବା ଉଚିତ । କିନ୍ତୁ ପରବର୍ତ୍ତୀ ସମୟରେ ସାମ୍ବାଦିକ ସମ୍ମିଳନୀରେ ସରକାର କହିଲେ, ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ନୁହଁ । ପରେ ପୁଣି ମତ ବଦଳାଇ କହିଲେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ ଜରିମାନାର ଭୟ ମଧ୍ୟ ଲୋକଙ୍କୁ ଦେଖାଇଲେ । ସେହିପରି ମଦ ପିଇବା କଥାରେ ସମ୍ବାଦିକ ସମ୍ମିଳନୀରେ ସରକାର ବାରମ୍ବାର କହିଥିବାର ଆମେ ଶୁଣିଲୁ ଯେ ମଦ ବା ନିଶା ସେବନ ଦ୍ୱାରା ମଣିଷ ଶରୀରର ପ୍ରତିରୋଧକ ଶକ୍ତି କମିଯାଏ ଏବଂ କରୋନା ସଂକ୍ରମଣର ସମ୍ଭାବନା ସୃଷ୍ଟି ହୁଏ । କିନ୍ତୁ ଶନିବାର ଦିନ ସରକାର ନିଷ୍ପତ୍ତି ନେଲେ ମଦକୁ ଲୋକଙ୍କ ଘରେ ଅନଲାଇନ ଡେଲିଭେରି ମାଧ୍ୟମରେ ପହଞ୍ଚାଇବେ । ସରକାରଙ୍କର ଏହିସବୁ କାର୍ଯ୍ୟକଳାପ ମହମ୍ମଦ ଘୋରୀ ତୋଗଲକଙ୍କର ଆଡ଼ବାୟା କାର୍ଯ୍ୟକଳାପ ସହିତ ତୁଳନୀୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ  ବୋଲି କୋଭିଡ଼ ୧୯ ରାଜ୍ୟ ନିୟନ୍ତ୍ରଣ କକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ସୁଦର୍ଶନ ଦାସ ମତ ରଖିଛନ୍ତି । ସତରେ କ’ଣ ତୋଗଲକଙ୍କର ଭୂତ ଏ ସରକାର ଉପରେ ସବାର ହୋଇଛି କି ?

 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE