ସମ୍ପର୍କ ଏକ ଅତୀତର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ସେଦିନ ଅପରାହ୍ନ, ବୈଶାଖ ମାସର ଝାଞ୍ଜି ପ୍ରବାହରେ ଅତ୍ୟନ୍ତ ଗୁଳୁଗୁଳି ଅନୁଭବ ହେଉଥାଏ । ଅବସନ୍ନ ହୋଇ ଶଯ୍ୟାରେ ବିଶ୍ରାମ ନେଉଥିଲେ ଶଶିକାନ୍ତ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା । ଅପରପଟୁ ଏକ ପରିଚିତ ମହିଳାଙ୍କର ମଧୁୁର କଣ୍ଠସ୍ୱର ଶୁଭିଥିଲା, ସେ ପଚାରିଥିଲା, ଆପଣ କିପରି ଅଛନ୍ତି? ଆପଣ ରହୁଥିବା ସହରରେ କରୋନା ପଜିଟିଭ୍ ବାହାରୁଛି, ପ୍ରତିଷେଧକ ଅବଲମ୍ବନ କରୁଥିବେ ଓ ବାହାରକୁ ବେଶୀ ବାହାରିବେନି । ଶଶିକାନ୍ତ ସେହି ପରିଚିତା ମହିଳାଙ୍କ କଣ୍ଠସ୍ୱରରୁ ଜାଣିପାରିଥିଲେ ଯେ ତାଙ୍କ ଜୀବନର ପ୍ରଥମ ପ୍ରେମିକା ଶ୍ୟାମଳୀ ତାଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଉଛି । ସେ କହିଥିଲେ, ଶ୍ୟାମଳୀ, ହଁ ମୁଁ ଭଲଅଛି । ତୁମେ କିପରି ଅଛ, ଏବେ କେଉଁଠି ଅଛ? ସେ କହିଥିଲା, ମୁଁ ବହୁ ଦୂରରେ ଅନ୍ୟ ଏକ ସହରରେ ପୁଅ ପାଖରେ ଅଛି । ପୁଅ ଏଠାରେ ଇଂଜିନିୟର ଅଛି । ମୁଁ ଭଲ ଅଛି…. । ଶଶିକାନ୍ତ ବାଭୁଥିଲେ, ଅତୀତରେ ସେ ଶ୍ୟାମାଳୀକୁ ଭଲ ପାଇ ବସିଥିଳେ । ଶ୍ୟାମଳୀ ସହ ଚକ୍ଷୁର ମିଳନରେ ତା ପ୍ରତି ଏକ ନିବିଡ଼ ଆକର୍ଷଣ ଅନୁଭବ କରୁଥିଲେ ଶଶିକାନ୍ତ । ଶ୍ୟାମଳୀ ଦେଖିବାକୁ ଶ୍ୟାମଳ ରଙ୍ଗର ଦେହ, ଉନ୍ନତ ସ୍ୱାସ୍ଥ୍ୟ, ସୁନ୍ଦର ଭସାଣିଆ ଆଖି, ଦୀର୍ଘକେଶୀ ଓ ହସହସ ମୁହଁ । ଶଶିକାନ୍ତ ଜୀବନରେ ପ୍ରେମ କ’ଣ ଜାଣିନଥିଲେ, କିନ୍ତୁ ଶ୍ୟାମଳୀକୁ ଦେଖି ତା’ପ୍ରତି ଏକ ପ୍ରେମର ଶିହରଣ ଅନୁଭବ କରୁଥିଲେ । ଆସ୍ତେ ଆସ୍ତେ ସେମାନଙ୍କର ଘନିଷ୍ଠତା ବୃଦ୍ଧି ପାଇଥିଲା । ଶ୍ୟାମଳୀ ତାଙ୍କୁ ଫୋନରେ କହୁଥିଲା, ମୁଁ ଆପଣଙ୍କୁ ମୋ ହୃଦୟରେ ସ୍ଥାନ ଦେଇସାରିଛି, ଆପଣ ମତେ କେବେ ଦୂରେଇ ଦେବେ ନାହିଁ ତ? ଶଶିକାନ୍ତ କହିଥିଲେ, ଶ୍ୟାମଳୀ ମୁଁ ମଧ୍ୟ ତୁମକୁ ବିବାହ କରିବାକୁ ଚାହେଁ, ତୁମକୁ ବିବାହ କଲେ ମୋର ପ୍ରେମ ସାର୍ଥକ ହେବ ଓ ମୋ ଜୀବନଟା ସଫଳ ହେବ । ତୁମ ପ୍ରେମ ଲାଭ କଲେ ମୁଁ ସ୍ୱର୍ଗର ସୁଖ ଅନୁଭବ କରିବି । ଶ୍ୟାମଳୀ ଅତ୍ୟନ୍ତ ଖୁସି ହୋଇ ତାଙ୍କ ଘରକୁ କଲେଜ ଛୁଟିଦିନ ଡାକିଥିଲା । ଶଶିକାନ୍ତ ଅପରାହ୍ନରେ ତା’ଘରେ ପହଞ୍ଚି ଯାଇଥିଲେ । ତାର ବୋଉ ତାଙ୍କୁ ଚା’ ଓ ଜଳଖିଆ ଆଣି ଦେଇଥିଲେ । ତା ବୋଉ କହିଥିଲେ, ଶ୍ୟାମଳୀ ଭଲ ଗୀତ ଗାଏ । ଶଶିକାନ୍ତ ଶ୍ୟାମଳୀକୁ ଗୋଟିଏ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ବହୁ କଷ୍ଟରେ ଲାଜଲାଜ ହୋଇ ଶ୍ୟାମଳୀ ଟିକେ ଦୂରରେ ତଳେ ବସି ଏହି ଗୀତଟି ଗାଇଥିଲା ।
‘ତୁମ୍‌ହି ମେରି ମନ୍ଦିର ତୁମହି ମେରି ପୂଜା
ତୁମ୍‌ହି ଦେବତା ହୋ ତୁମହି ଦେବତା ।
ଅତ୍ୟନ୍ତ ଧିର ଓ ମଧୁର କଣ୍ଠରେ ଶ୍ୟାମଳୀ ଗାଇଥିବା ସେ ଗୀତଟି ଶୁଣି ଶଶିକାନ୍ତ ଅତ୍ୟନ୍ତ ମୁଗ୍ଧ ହୋଇ କହିଥିଲେ, “ଶ୍ୟାମଳୀ ତୁମେ ଏତେ ସୁନ୍ଦର ଗୀତ ଗାଉଛ, ଲତା ମଙ୍ଗେସକରଙ୍କ ପରି ତୁମ କଣ୍ଠସ୍ୱର ଅତି ମଧୁର,’ ଶ୍ୟାମଳୀ କହିଥିଲା, “ମୁଁ ଆଜି ପ୍ରଥମେ ଆପଣଙ୍କ ଆଗରେ ଗୀତ ଗାଇଲି, ଆଗରୁ ଘରେ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲି । ଶଶିକାନ୍ତ କହିଥିଲେ ତୁମେ ଗୀତ ଗାଇବାର କଳା ଭଗବାନଙ୍କ ଆଶୀର୍ବାଦରୁ ପାଇପାରିଛ । ମତେ ଏମିତି ଗୀତ ଗାଇ ଶୁଣାଉଥିବ । ଶ୍ୟାମଳୀର ଗୀତ ଶୁଣି ସେଦିନ ଶଶିକାନ୍ତ ତା’ପ୍ରତି ଅତ୍ୟନ୍ତ ପ୍ରେମର ଆକର୍ଷଣ ଅନୁଭବ କରୁଥିଲେ, ଭାବୁଥିଲେ, ଶ୍ୟାମଳୀର ସ୍ନେହ ଓ ପ୍ରେମ ବିନା ସେ ବଞ୍ଚିପାରିବେ ନାହିଁ । ସେଦିନ ଶ୍ୟାମଳୀ କହିଥିଲା, ଗୋଟେ ଭଲ ଫିଲ୍ମ ପଡ଼ିଛି, ଆଜି ଆସନ୍ତୁ, ବୋଉ, ଆପଣ ଓ ମୁଁ ଏକାଠି ଫିଲ୍ମ ଦେଖିବାକୁ ଯିବା… । ଶଶିକାନ୍ତ ସେଦିନ ସନ୍ଧ୍ୟାରେ ଶ୍ୟାମଳୀ ଘରଠାରେ ପହଞ୍ଚି ଯାଇଥିଲେ । ଶ୍ୟାମଳୀର ସାନ ଭାଇ ଆଗରୁ ଟିକେଟ୍ କରିଦେଇଥିଲା । ସିନେମା ହଲ୍ ଭିତରେ ଶ୍ୟାମଳୀ ମଝିରେ ବସିଥିଲା, ତାର ବୋଉ ଆର ପାଖରେ ଓ ଏପଟେ ଶଶିକାନ୍ତ ଶ୍ୟାମଳୀ ପାଖରେ ବସିଥିଳେ । ସିନେମା ଆରମ୍ଭ ହୋଇଯାଇଥିଲା । ହଠାତ୍ ଶ୍ୟାମଳୀ ହାତର ସ୍ପର୍ଶ ତାଙ୍କ ହାତରେ ଅନୁଭବ କରିଥିଲେ । ଶଶିକାନ୍ତ ମଧ୍ୟ ତାର ହତାକୁ ଧରି ଚାପିବାରେ ଲାଗିଥିଲେ । ଶ୍ୟାମଳୀ ତାଙ୍କ ଆଡକୁ ଢଳି ପଡ଼ିଥିଲା । ଶଶିକାନ୍ତ ଏକ ନୂତନ ଉତ୍ତେଜନା ତାର ଶରୀରରେ ଧିରେଧିରେ ହସ୍ତ ସଞ୍ଚାଳନ କରି ଏକ ଅପୂର୍ବ ଶିହରଣ ଅନୁଭବ କରୁଥିଲେ । ଶ୍ୟାମଳୀ ମଧ୍ୟ ତାଙ୍କୁ କିଛି ବାଧା ଦେଇନଥିଲା । ଉଭୟେ ଯେପରି ପ୍ରେମର ପ୍ରଥମ ଅନୁଭୂତି ଅନୁଭବରେ ଲିପ୍ତ ହୋଇପଡ଼ିଥିଲେ… । ସିନେମା ସରିଯାଇଥିଲା, ଶ୍ୟାମଳୀ ଓ ତାର ବୋଉଙ୍କୁ ଘରେ ଛାଡ଼ି ସେ ଫେରି ଆସିଥିଲେ । ଶ୍ୟାମଳୀର ସାନିଧ୍ୟ ପାଇବା ପାଇଁ ଶଶିକାନ୍ତ ବ୍ୟସ୍ତ ହୋଇପଡ଼ି ଶ୍ୟାମଳୀର ବୋଉଙ୍କୁ କିଛିଦିନ ପରେ ଶ୍ୟାମଳୀ ସହିତ ତାଙ୍କର ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ୟାମଳୀର ବୋଉ କହିଥିଲେ, ଆପଣ ଆପଣଙ୍କ ପିତାମାତାଙ୍କୁ ଏ ବିବାହ ପ୍ରସ୍ତାବ ଜଣାନ୍ତୁ, ସେମାନେ ରାଜି ହେଲେ ଆମର କିଛି ଆପତ୍ତି ନାହିଁ । ଶ୍ୟାମଳୀର ବାପା ଓ ବୋଉଙ୍କୁ ସଙ୍ଗରେ ନେଇ ଶଶିକାନ୍ତ ତାଙ୍କ ଘରକୁ ଯାଇଥିଲେ ଓ ଏହି ବିବାହରେ ତାଙ୍କର ସମ୍ମତି ଅଛି ବୋଲି ଜଣାଇଥିଲେ । ଶଶିକାନ୍ତଙ୍କର ବାପା ଏହି ବିବାହକୁ ଦୃଢ଼ ବିରୋଧ କରି ସେମାନଙ୍କୁ ଏହି ବିବାହ ସମ୍ଭବପର ନୁହେଁ ବୋଲି ଜଣାଇଥିଲେ । ସେମାନେ ନିରାଶ ହୋଇ ଫେରିଯାଇଥିଲେ । ଶଶିକାନ୍ତ ମଧ୍ୟ ଶ୍ୟାମଳୀର ପ୍ରେମ ହରାଇବାର ଆଶଙ୍କାରେ ପାଗଳ ପ୍ରାୟ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ତାଙ୍କ ବାପା ଓ ବୋଉଙ୍କର ଚାପରେ ସେ ବାଧ୍ୟ ହୋଇ ଅଶ୍ରୁସିକ୍ତ ନୟନରେ ଅନ୍ୟତ୍ର ବିବାହ କରିଥିଲେ । ତାଙ୍କର ବିବାହ ସମ୍ବାଦ ପାଇ ଶ୍ୟାମଳୀ ଭାଙ୍ଗିପଡ଼ିଥିଲା ଏବଂ ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଇଥିଲା; କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ସେ ବଞ୍ଚିଯାଇଥିଲା । ଶ୍ୟାମଳୀର ଏପରି ଦାରୁଣ ସମ୍ବାଦ ପାଇ ଶଶିକାନ୍ତ ତା’ ଘରଠାରେ ପହଞ୍ଚି ଯାଇଥିଲେ । ତାର ପିତାମାତା ନୀରବ ହୋଇ ତାଙ୍କୁ କିଛି କହିନଥିଳେ । ଶ୍ୟାମଳୀର ଆଖିରୁ ଧାରଧାର ହୋଇ ନୀରବାଶ୍ରୁ ବହି ଚାଲିଥିଲା । ଶଶିକାନ୍ତ କହିଥିଲେ, ମୁଁ ପରିବାର ଚାପରେ ବିବାହ କରିଛି ସତ; ତଥାପି ମୁଁ ଶ୍ୟାମଳୀକୁ ବିବାହ କରିବାକୁ ଏବେ ବି ପ୍ରସ୍ତୁତ ଅଛି । ସେ ହେଉଛି ମୋର ପ୍ରକୃତ ପତ୍ନୀ, ମୁଁ ତାକୁ ହରାଇବାକୁ ଚାହେଁ ନାହିଁ । ଏ ସମାଜରେ ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ ଆମକୁ କେହି ବିଚ୍ଛିନ୍ନ କରିପାରିବେ ନାହିଁ । ଶ୍ୟାମଳୀର ବୋଉ କହିଥିଲେ, ତୁମେ ଅପେକ୍ଷା କର, ଦୁଇ ମାସ ପରେ ତାର ପରୀକ୍ଷା ସରିଯିବ, ସେତେବେଳେ ଆମେ ତୁମ ସହିତ ଶ୍ୟାମଳୀର ବିବାହ କରିଦେବୁ । ଆପଣ ଆପଣଙ୍କ ବିବାହିତା ପତ୍ନୀଙ୍କୁ ହତାଦର କରିବେ ନାହିଁ । ତାଙ୍କର ବା ଦୋଷ କଅଣ? ସବୁ ଆମ ଭାଗ୍ୟର ଦୋଷ । ଶଶିକାନ୍ତ ଶ୍ୟାମଳୀ ହାତରୁ ପାଣି ଗ୍ଲାସେ ପିଇ ତା’ ହାତରେ ଏକ ସୁନା ମୁଦି ପିନ୍ଧାଇ ସେଠାରୁ ଚାଲିଆସିଥିଲେ । ତା’ପରେ ଶଶିକାନ୍ତ ଅନେକ ଆଖି ଶ୍ୟାମଳୀକୁ ଦେଖା କରିବାକୁ ଯାଇ ତାର ବୋଉଙ୍କୁ ତାଙ୍କ ଘର ନିକଟସ୍ଥ ଛକଠାରେ ଦେଖା କରିଛନ୍ତି । ତାର ବୋଉ କହୁଥିଲେ, ଶ୍ୟାମଳୀର ଏବେ ମନ ପରିବର୍ତ୍ତନ ହୋଇଛି ସେ ପଢ଼ାପଢ଼ି କରୁଛି, ତାକୁ ଅଚାନକ ବାଟରେ ଦେଖା କରିବେ ନାହିଁ । ସେ ପୁଣି ଭାଙ୍ଗି ପଡ଼ିବ । ଆପଣ ଅପେକ୍ଷା କରନ୍ତୁ । ଶଶିକାନ୍ତ ନିରାଶ ହୋଇ ଫେରିଆସନ୍ତି । ଶ୍ୟାମଳୀକୁ ନଦେଖି ସେ ତାକୁ ବହୁତ ଝୁରି ହେଉଥିଲେ । ପ୍ରାୟ ପାଞ୍ଚ ବର୍ଷ ବିତିଯାଇଥିଲା । ଶ୍ୟାମଳୀ ବିଏ ପାସ୍ କରି ବିଇଡ଼ି ଟ୍ରେନିଂ ନେଇ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରୀ ପାଇଥିଲା ଏବଂ ସେହି ସ୍କୁଲର ଅନ୍ୟ ଏକ ଶିକ୍ଷକଙ୍କ ସହ ତାର ବିବାହ ମଧ୍ୟ ହୋଇଯାଇଥିଲା । ଶ୍ୟାମଳୀ ତାଙ୍କ ଜୀବନ ପଥରୁ ଅନ୍ତର୍ହିତ ହୋଇଯାଇଥିଲା । ହଠାତ୍‍ ଦିନେ ଶ୍ୟାମଳୀ ତାଙ୍କୁ ଫୋନ୍ କରି କହିଥିଲା, ଆପଣଙ୍କ ବିବାହିତ ଜୀବନରେ ବାଧା ନଆସୁ ଭାବି ମୁଁ ଆପଣଙ୍କ ଜୀବନରୁ ଦୂରେଇ ଯାଇ ଅନ୍ୟ ଜଣଙ୍କୁ ବିବାହ କରିବାକୁ ବାଧ୍ୟ ହେଲି । ମୋର ବିବାହ ଦିନ ମୁଁ ଭାଙ୍ଗି ପଡ଼ିଥିଲି, ପ୍ରବଳ ଜ୍ୱରରେ ମୁଁ କାନ୍ଦି କାନ୍ଦି ବିବାହ କରିଛି । କେବଳ ଆପଣଙ୍କର ଅନାବିଳ ପ୍ରେମ ମତେ ବଞ୍ଚେଇ ରଖିଛି । ଆପଣଙ୍କ ପ୍ରେମର ସ୍ମୃତିକୁ ହୃଦୟରେ ସାଇତି ରଖି ମୁଁ ଜୀବନ ଅତିବାହିତ କରୁଛି । ଏବେବି ମୁଁ ଆପଣଙ୍କୁ ପୂର୍ବପରି ପ୍ରେମ କରୁଛି । କିନ୍ତୁ ଭାଗ୍ୟର ବିଡ଼ମ୍ବନା । ପ୍ରେମମାନେ ବିବାହ ନୁହେଁ, ଆମର ବିବାହ ହୋଇ ନପାରିଥିଲେ ମଧ୍ୟ ଆମେ ଦୂରରେ ଥାଇ ଭଲ ପାଇବା ପାଇଁ ବଞ୍ଚି ରହିଛେ । ଆମର ପ୍ରେମ ହେଉଛି ରାଧାକୃଷ୍ଟଙ୍କର ପ୍ରେମ ପରି ଅମର । ବିଚ୍ଛିନ୍ନତା ପରେ ମଧ୍ୟ ଆମର ପ୍ରେମ ମଳିନ ପଡ଼ିନାହିଁ ଏବଂ ଏହା ସବୁଦିନ ପାଇଁ ଆମ ମଧ୍ୟରେ ତିଷ୍ଠି ରହିବ । ଆପଣ ଆପଣଙ୍କ ପତ୍ନୀଙ୍କୁ ସ୍ନେହ କରନ୍ତୁ । ମୁଁ ଯେମିତି ଆପଣଙ୍କ ପ୍ରେମକୁ ପାଥେୟ କରି ମୋର ବିବାହିତ ଜୀବନ ଅତିବାହିତ କରୁଛି, ସେମିତି ଆପଣ ମୋର ଅନୁରୋଧ ରକ୍ଷା କରି ପତ୍ନୀଙ୍କ ସହ ସୁଖରେ ରୁହନ୍ତୁ, ଦେଖନ୍ତୁ ଶାନ୍ତି ପାଇବେ । ସେଦିନ ଶ୍ୟାମଳୀ ଶଶିକାନ୍ତର ଅନୁରୋଧ ରକ୍ଷା କରି ଗୋଟିଏ ପୁରୁଣା ହିନ୍ଦୀ ଗୀତ ଗାଇଥିଲା । “ଆଜା ସନମ୍ ମଧୁର ଚାନ୍ଦନି ମେଁ ହମ୍ ଯେ ମିଲେ ତୁମ୍ ଯେ ମିଲେ । ଶଶିକାନ୍ତ ଅନୁଭବ କରୁଥିଲେ ଶ୍ୟାମଳୀ ଯେପରି ତାଙ୍କୁ ଭୁଲ୍ ବୁଝିନାହିଁ । ତାଙ୍କ ପାଖକୁ ଫେରି ଆସିଛି, ସେ ତାର ସ୍ମୃତିରେ ତନ୍ମୟ ହୋଇପଡ଼ିଥିଲେ । ଗୀତଟି ସରିଯାଇଥିଲା । ଶ୍ୟାମଳୀ କହିଥିଲା, ଦେଖନ୍ତୁ, ଆପଣଙ୍କ ପରିବାରର ସୁଖ ପାଇଁ ମୁଁ ସ୍ୱାର୍ଥ ତ୍ୟାଗ କରି ବିବାହ କଲି, ଆପଣ ପିତାଙ୍କ କଥା ମାନି ଅନ୍ୟ ଜଣଙ୍କୁ ବିବାହ କରିଥିଲେ ମଧ୍ୟ ମୁଁ ଆପଣଙ୍କୁ ଦୋଷ ଦେଇ ନାହିଁ । ପ୍ରଭୁ ରାମଚନ୍ଦ୍ର ମଧ୍ୟ ପିତୃସତ୍ୟ ପାଳନ କରି ରାଜଗାଦି ତ୍ୟାଗ କରି ଚଉଦ ବର୍ଷ ବନବାସ କରିଥିଲେ । ଆପଣ ହେଉଛନ୍ତି ମୋର ଦେବତା । ମୁଁ ଜାଣେ ଆପଣ ମୋତେ କେବେ ଭୁଲି ନାହାନ୍ତି କି ଦୂରେଇ ଦେଇ ନାହାନ୍ତି । ଆପଣଙ୍କର ମୋର ଏହି ପ୍ରେମ ହେଉଛି ପବିତ୍ର । ଏହା କେବେ କଳଙ୍କିତ ହେବ ନାହିଁ । ମୁଁ ଆପଣଙ୍କ ସୁବିଧା ହେଲେ ଚିଠି ଦେଉଥିବି ଏବଂ ଫୋନ୍ କରୁଥିବି ଏବଂ ଆପଣଙ୍କୁ ମଧ୍ୟ ଦେଖା କରିବି କହି ଫୋନ୍ ରଖିଦେଇଥିଲା । କିଛି ମାସ ପରେ ଶ୍ୟାମଳୀ ତାର ସ୍ୱାମୀଙ୍କ ସହ ତାଙ୍କ ଅଫିସକୁ ଆସି ତାଙ୍କୁ ଦେଖା କରିଥିଲା । ଶ୍ୟାମଳୀକୁ ଦେଖି ଶଶିକାନ୍ତ ସେଦିନ ସ୍ୱର୍ଗରୁ ଚାନ୍ଦ ପାଇବା ପରି ଆନନ୍ଦିତ ହୋଇପଡ଼ିଥିଲେ । ଶ୍ୟାମଳୀ କହିଥିଲା, ଏହି ନିକଟରେ ମୋର ଦିଅର ଚାକିରୀ କରୁଛନ୍ତି । ସେଠାକୁ ଆସିଥିଲି, ଏହି ସୁଯୋଗରେ ଆପଣଙ୍କୁ ଦେଖା ନକରି ରହିପାରିଲି ନାହିଁ । ଶଶିକାନ୍ତ ଦେଖୁଥିଲେ, ଶ୍ୟାମଳୀ ଆଖିରେ ଅନେକ କିଛି ପ୍ରେମର ଭାଷା ପ୍ରତିଫଳିତ ହେଉଛି; କିନ୍ତୁ କିଛି କହିପାରୁ ନଥିଲା । କିଛି ସମୟ ପରେ ତାଙ୍କ ପଦସ୍ପର୍ଶ କରି ଶ୍ୟାମଳୀ ଚାଲିଯାଇଥିଲା ଏବଂ ନିୟମିତ ବ୍ୟବଧାନରେ ତାଙ୍କୁ ଚିଠି ଦେଇ ତାଙ୍କୁ ତାଙ୍କ ପ୍ରେମର ବିରହ ବେଦନା ଲାଘବ କରିବା ପାଇଁ ସାନ୍ତ୍ୱନା ଜଣାଉଥିଲା । ଦୀର୍ଘ ଚାଳିଶ ବର୍ଷ ପରେ ଶ୍ୟାମଳୀ ଆଜି ତାଙ୍କୁ ଫୋନ୍ କରି ତାଙ୍କର କୁଶଳ ବାର୍ତ୍ତା ପଚାରୁଛି । ଏବେବି ସେ ତାଙ୍କୁ ମନେ ରଖିଛି ଏବଂ ତାଙ୍କ ଜୀବନ ସୁରକ୍ଷିତ ରହିବା ପାଇଁ କାମନା କରୁଛି । ତାଙ୍କର ପ୍ରେମ ଯେ ମରିନାହିଁ ଏବେବି ଜୀବନ୍ତ ହୋଇ ରହିଛି । ଶ୍ୟାମଳୀର ଫୋନ୍‌ରୁ ଅନୁଭବ କରି ସେଦିନ ଶଶିକାନ୍ତ ଶ୍ୟାମଳୀ ସହ ତାଙ୍କ ପୂର୍ବ ପ୍ରେମର ସ୍ମୃତିରେ ରୋମାଞ୍ଚିତ ହୋଇପଡୁଥିଲେ ।


ରଘୁନାଥ ଭବନ,
୭୦-ଏ, ବିଜେବି ନଗର, ଭୁବନେଶ୍ୱର-୧୪

RELATED BY

  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...
  • ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

    Share this: ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ ।...
  • ପ୍ରେମ ଏକ ବିଚ୍ଛେଦର

    Share this:ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ...
  • ପ୍ରତାରଣା ଏକ ପ୍ରେମର

    Share this:ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର...