ଅଁଳାର ଉପକାରୀତା

ଔଷଧୀୟ ଗୁଣ ଭରପୁର ରହିଅଛି

Share this:

ଅଁଳାଗଛ ଓଡ଼ିଶାର ଉଦ୍ୟାନ ଓ ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଗାଁମାନଙ୍କରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି । କେତେକ ମଧ୍ୟ ପ୍ରତିଦିନ ପୂଜା କରନ୍ତି । ଏହାର ଫୁଲ, ଫଳ, ଛେଲି, ଚେର, ପତ୍ର ସବୁଥିରେ ଔଷଧୀୟ ଗୁଣ ଭରପୁର ରହିଅଛି । ତେଣୁ ଏହାକୁ ଅମୃତ ଫଳ ବୋଲି କୁହାଯାଏ ।

ଅଲସର: ପ୍ରତିଦିନ ଅଁଳା ରସ ଓ ୩ ଗ୍ରାମ ଲେଖାଏଁ ଅଁଲା ଗୁଣ୍ଡ ସକାଳ ଓ ସନ୍ଦ୍ୟାରେ ପାଣି ସହିତ ସେବନ କଲେ ଅଲସର ରୋଗରେ ଲାଭ ମିଳିଥାଏ । ଝାଳ ଗନ୍ଧ ହେଲେ: ଶୁଖିଲା ଅଁଳା ଗୁଣ୍ଡ ୩ ଗ୍ରାମ ଲେଖାଏଁ ସକାଳ ଓ ସନ୍ଧ୍ୟାରେ ସେବନ କଲେ ଝାଳ ଗନ୍ଧ ହୁଏ ନାହିଁ । ଆଖି ରୋଗ: କଞ୍ଚା ଅଁଳା ୨୦-୫୦ ଗ୍ରାମକୁ କୁଟି ଅଧ କିଲୋ ପାଣିରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସିଝାଇବା ପରେ ଥଣ୍ଡା କରି କପଡ଼ାରେ ଛାଣି ଦିନରେ ୨-୩ ଥର ସେହି ପାଣିରେ ଆଖି ଧୋଇଲେ ଆଖିର ସମସ୍ତ ରୋଗରେ ଲାଭ ମିଳିଥାଏ । କଞ୍ଚା ଅଁଳା ନମିଳିଲେ ରାତିରେ ଶୁଖିଲା ଅଁଳା ୫-୧୦ ଗ୍ରାମକୁ ପାଣିରେ ଭିଜାଇ ସକାଳେ କପଡ଼ାରେ ଛାଣି ସେହି ପାଣିରେ ଆଖି ଧୋଇଲେ ଆଖିର ସମସ୍ତ ରୋଗରେ ଲାଭ ମିଳେ । ଗୋଲାପ ଜଳରେ ଶୁଖିଲା ଅଁଳାକୁ ରାତିରେ ଭିଜାଇ ସକାଳେ କପଡ଼ାରେ ଛାଣି ଆଖିରେ ପକାଇଲେ ଆଖି ରୋଗ ଭଲ ହୁଏ । କେଶ ରୋଗ: ଶୁଖିଲା ଅଁଳା ୩୦ ଗ୍ରାମ, ଆମ୍ବ କୋଇଲି ୫୦ ଗ୍ରାମ ଓ ଲୌହ ଉଷ୍ମ ୧୦ ଗ୍ରାମକୁ ରାତିରେ ଅଳ୍ପ ପାଣି ସହିତ ଲୁହା କଡ଼େଇରେ ଭିଜାଇ ରଖି ସକାଳେ ଏହାକୁ ମିଶାଇ କେଶର ଲୋପ ଦେଲେ କିଛି ଦିନରେ ଅଳ୍ପ ବୟସରେ ହୋଇଥିବା ଧଳା କେଶ କଳା ହୋଇଯାଏ । ଶୁଖିଲା ଅଁଳା, ସିକାକାଇ, ରୀଠା, ଭୃଙ୍ଗରାଜକୁ ଚୂର୍ଣ୍ଣ କରି ପାଣିରେ ଗୋଳି କେଶରେ ଲଗାଇଲେ କେଶ ସୁନ୍ଦର ଓ ଲମ୍ବା ହୋଇଥାଏ । କଞ୍ଚା ଅଁଳା ଓ ଆମ୍ବ କୋଇଲିକୁ ବାଟି କେଶରେ ଲଗାଇଲେ କେଶ ଦୃଢ଼ ଓ ଲମ୍ବା ହୁଏ । କଞ୍ଚା ଅଁଳାକୁ ପାଣିରେ ସିଝାଇ ସେହି ପାଣିରେ କେଶ ଧୋଇଲେ କେଶ ସୁନ୍ଦର ଓ ଦୃଢ଼ ହୁଏ, । ପ୍ରଦର/ପ୍ରମେହ: ଅଁଳାକୁ ଶୁଖାଇ ଚୂର୍ଣ୍ଣ କରି ୩-୫ ଗ୍ରାମ ମାତ୍ରାରେ ପାଣି ସହିତ କିଛିଦିନ ନିୟମିତ ରୂପେ ସେବନ କଲେ ବିଶେଷ ଲାଭ ମିଳିଥାଏ । ବାନ୍ତି: ଅଁଳା ରସ ୧୦-୨୦ ଗ୍ରାମରେ ୫-୧୦ ଗ୍ରାମ ମିଶ୍ରୀ ଗୁଣ୍ଡ ମିଶାଇ ସେବନ କଲେ ବାନ୍ତି ବନ୍ଦ ହୁଏ । ଶୁଖିଲା ଅଁଳା ଗୁଣ୍ଡ ଏକ ଚାମଚ ଲେଖାଏଁ ପାଣି ସହିତ ଖାଇଲେ ବାନ୍ତି ବନ୍ଦ ହୁଏ । ଅଁଳା ରସ ୨୦ ଗ୍ରାମରେ ଏକ ଚାମଚ ମହୁ ଓ ୧୦ ଗ୍ରାମ ଧଳା ଚନ୍ଦନ ଚୂର୍ଣ୍ଣ ମିଶାଇ ସେବନ କଲେ ବାନ୍ତି ବନ୍ଦ ହୁଏ । ସଂଗ୍ରହଣୀ: ଅଁଳା ପତ୍ର ଓ ମେଥିକୁ ପାଣିରେ ସିଝାଇ ସେହି ପାଣିରୁ ୧୦-୨୦ ଗ୍ରାମ ମାତ୍ରାରେ ଦିନରେ ଦୁଇଥର ପିଆଇଲେ ସଂଗ୍ରହଣୀ ଭଲ ହୁଏ । ମୂତ୍ରକୁଚ୍ଛ: ଅଁଳା ଛେଲି ରସ ୧୦-୨୦ ଗ୍ରାମରେ ୨ ଗ୍ରାମ ହଳଦୀ ଓ ୧୦ ଗ୍ରାମ ମହୁ ମିଶାଇ ସକାଳ ଓ ସନ୍ଧ୍ୟାରେ ସେବନ କଲେ ମୂତ୍ର କୁଚ୍ଛରେ ଲାଭ ମିଳିଥାଏ । ଅଁଳା ଛେଲି ଓ ପତ୍ରକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ଲାଭ ମିଳିଥାଏ । କାମଳ ରୋଗ: ଯକୃତ ଦୁର୍ବଳତା ଓ କାମଳ ରୋଗରେ କଞ୍ଚା ଅଁଳାକୁ ଚଟଣୀ କରି ମହୁ ମିଶାଇ ସକାଳ ଓ ସନ୍ଧ୍ୟାରେ ଖାଇଲେ ବିଶେଷ ଲାଭ ମିଳିଥାଏ । ରକ୍ତ ପିତ୍ତ: ଅଁଳା ଗୁଣ୍ଡ ୧୦ ଗ୍ରାମ ଓ ୫ ଗ୍ରାମ ହଳଦୀ ଗୁଣ୍ଡ ମିଶାଇ ସେବନ କଲେ ରକ୍ତ ପିତ୍ତରେ ଲାଭ ମିଳିଥାଏ । ଅର୍ଶ: ଅର୍ଶ ଯୋଗୁଁ ରକ୍ତସ୍ରାବ ହେଉଥିଲେ ଅଁଳା ଚୂର୍ଣ୍ଣ ୩-୮ ଗ୍ରାମକୁ ଲହୁଣୀ ସହିତ ଦିନରେ ୨-୩ ଥର ସେବନ କଲେ ରକ୍ତସ୍ରାବ ବନ୍ଦ ହୁଏ । ନାକରୁ ରକ୍ତ ପଡ଼ିଲେ: ଅଁଳା ରସ କିଛିଦିନ ୧୦-୧୫ମିଲି ମାତ୍ରାରେ ସେବନ କଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୁଏ । ରକ୍ତ ଝାଡ଼ା: ଅଁଳାକୁ ଶୁଖାଇ ଚୂର୍ଣ୍ଣ କରି ୩ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ସେବନ କଲେ ଲାଭ ମିଳେ । କୁଷ୍ଠ ରୋଗ: ଅଁଳା ଓ ନିମ୍ବ ପତ୍ର ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି ସେଥିରୁ ୬-୧୦ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ମହୁ ସହିତ ଚାଟିଲେ ଗଳିତ କୁଷ୍ଠରେ ଶୀଘ୍ର ଲାଭ ମିଳିଥାଏ । କଟା ଘା: କୌଣସି ଜାଗା ଚାକୁ କିମ୍ବା ବ୍ଲେଡରେ କଟି ରକ୍ତସ୍ରାବ ହେଉଥିଲେ ଅଁଳା ରସ କଟା ଜାଗାରେ ଲଗାଇ ଦେଲେ ଶୀଘ୍ର ରକ୍ତସ୍ରାବ ବନ୍ଦ ହୋଇଯାଏ । ମୁଣ୍ଡବ୍ୟଥା: କଞ୍ଚା ଅଁଳାକୁ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ମୁଣ୍ଡ ବୁଲାଇଲେ: ଶୁଖିଲା ଅଁଳା ୧-୨ଟି ଓ ଧନିଆଁ ଏକ ଚାମଚକୁ ରାତିରେ ପାଣି ସହିତ ଭିଜାଇ ସକାଳେ ଖାଲି ପେଟରେ ଛାଣି ପିଇଲେ ମୁଣ୍ଡ ବୁଲାଇବା ଦୂର ହୁଏ । ପରିସ୍ରା ପୋଡ଼ା: ଅଁଳା ରସ ୩୦-୫୦ ଗ୍ରାମ ସହିତ ୧-୨ ଚାମଚ ମହୁ ମିଶାଇ ସବେନ କଲେ ପରିସ୍ରା ପୋଡ଼ା ବନ୍ଦ ହୋଇଥାଏ । ହାକୁଡ଼ି: ଅଁଳା ଗୁଣ୍ଡ, ପିପ୍ପଳୀ, ଗୁଣ୍ଡ, ଶୁଣ୍ଠି ଗୁଣ୍ଡକୁ ମିଶାଇ ଏକ ଚାମଚ ମାତ୍ରାରେ କିଛିଦିନ ଖାଇବ ।

RELATED BY