କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

ଏକ ସୁଦୃଢ଼ ଖନନ ଏବଂ ଖଣିଜ କ୍ଷେତ୍ର ବିନା ‘ଆତ୍ମନିର୍ଭରତା’ ସମ୍ଭବ ନୁହେଁ : ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ବାଣିଜ୍ୟିକ ଖନନ ଲାଗି ୪୧ଟି କୋଇଲା ଖଣି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାଗୁଡ଼ିକର ଏହା ଏକ ଅଂଶବିଶେଷ । କୋଇଲା ମନ୍ତ୍ରଣାଳୟ ପକ୍ଷରୁଫିକ୍କି ସହଯୋଗରେ ଏହି କୋଇଲା ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଖଣିଗୁଡ଼ିକର ଆବଣ୍ଟନ ଲାଗି ଦୁଇଟି ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ ନିଲାମୀ ପ୍ରକ୍ରିୟା ଗ୍ରହଣ କରାଯାଉଛି । ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଥିଲେ ଯେ ଭାରତ ‘କୋଭିଡ-୧୯’ ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିବ ଏବଂ ଆମ ରାଷ୍ଟ୍ର ଏହି ସଙ୍କଟକୁ ଏକ ସୁଯୋଗରେ ପରିଣତ କରିଦେବ । ସେ କହିଥିଲେ ଯେ ଏହି ସଙ୍କଟରୁ ଭାରତ ‘ଆତ୍ମନିର୍ଭରଶୀଳ’ ହେବାର ଶିକ୍ଷା ଲାଭ କରିଛି । ସେ କହିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଏଥିସହିତ ଆମଦାନୀ ପାଇଁ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରାର ସଂଚୟ କରିବା । ଏହାର ଅନ୍ତର୍ଗତ ଭାରତ ସମ୍ବଳଗୁଡ଼ିକୁ ଘରୋଇ ସ୍ତରରେ ହିଁ ବିକଶିତ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଦେଶକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ, ଏହାର ଅର୍ଥ ଆମେ ସେହିସବୁ ବସ୍ତୁର ସବୁଠୁ ବଡ଼ ରପ୍ତାନିକାରୀ ପାଲଟିବା ଯେଉଁଗୁଡ଼ିକର ଆମେ ଏବେ ଆମଦାନୀ କରୁଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାକୁ ହାସଲ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଉତ୍ପାଦ ଓ ପ୍ରତ୍ୟେକ ସେବାକୁ ଧ୍ୟାନରେ ରଖାଯିବା ଉଚିତ ଏବଂ କୌଣସି ବିଶେଷ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସାମଗ୍ରିକ ଭାବେ କାମ କରିବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଆଜି ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ କେବଳ କୋଇଲା ଖନନ କ୍ଷେତ୍ରରେ ସଂସ୍କାର ଆଣିବ ନାହିଁବରଂ ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେ କହିଥିଲେ ଯେ ଆଜି ଆମେ କେବଳ  କୋଇଲାର ବାଣିଜ୍ୟିକ ଖନନ ପାଇଁ ନିଲାମୀ କରୁନାହୁଁ, ବରଂ ବହୁଦଶନ୍ଧି ଧରି ଲକଡାଉନରେ ଫସି ରହିଥିବା କୋଇଲା କ୍ଷେତ୍ରକୁ ମୁକ୍ତ ମଧ୍ୟ କରୁଛୁ । ସେ ଏକ ବିଡ଼ମ୍ବନା ପ୍ରତି ଆଲୋକପାତ କରି କହିଥିଲେ ଯେ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ କୋଇଲା ଭଣ୍ଡାର ଏବଂ ଦ୍ୱିତୀୟ ସବୁଠୁ ବଡ଼ କୋଇଲା ଉତ୍ପାଦକ ହୋଇଥିବା ସତ୍ୱେ ଆଜି ଭାରତ ଦ୍ୱିତୀୟ ସର୍ବବୃହତ କୋଇଲା ଆମଦାନୀକାରୀ ମଧ୍ୟ ପାଲଟିଛି । ସେ କହିଥିଲେ ଯେ ବିଗତ କିଛି ଦଶନ୍ଧି ଧରି ଏଭଳି ସ୍ଥିତି ଲାଗି ରହିଛି ଏବଂ କୋଇଲା କ୍ଷେତ୍ରକୁ କ୍ୟାପ୍ଟିଭ ଓ ଅଣକ୍ୟାପ୍ଟିଭ ଖଣିର ଜାଲରେ ନିରନ୍ତର ଛନ୍ଦି ରଖାଯାଇଛି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏହି କ୍ଷେତ୍ରକୁ ପ୍ରତିଦ୍ୱନ୍ଦ୍ୱିତା ଏବଂ ପାରଦର୍ଶିତାରୁ ବଞ୍ଚିତ ରଖାଯାଇଛି, ଯାହା ଏକ ବଡ଼ ସମସ୍ୟା ଥିଲା । ସେ କହିଥିଲେ ଯେ ଏହି କାରଣରୁ କୋଇଲା କ୍ଷେତ୍ରରେ ନିବେଶର ଅଭାବ ଦେଖିବାକୁ ମିଳିଛି ଏବଂ ଏହାର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରର ବିକାଶକୁ ନୂଆ ଗତି ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୪ରେ କୋଇଲା ଲିଙ୍କେଜର ଶୁଭାରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ଅଧିକ ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତିର ଉପଯୋଗ ଲାଗି କୋଇଲା ଏବଂ ଖନନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି । ସେ କହିଥିଲେ ଯେ ଘରୋଇ ଖନନ କ୍ଷେତ୍ରରେ ନୂଆ ଉଦ୍ୟୋଗ ଏବଂ କମ୍ପାନୀଗୁଡ଼ିକୁ ଯେପରି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ିବ ତାହା ସୁନିଶ୍ଚିତ କରିବା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରି କହିଥିଲେ ଯେ ଏକ ସୁଦୃଢ଼ ଖନନ ଏବଂ ଖଣିଜ କ୍ଷେତ୍ର ବିନା ଆତ୍ମନିର୍ଭରତା ସମ୍ଭବ ନୁହେଁ, କାରଣ ଏହି ଦୁଇଟି କ୍ଷେତ୍ର ଆମ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍କାର ପରେ କୋଇଲା ଉତ୍ପାଦନ ଏବଂ ସମଗ୍ର କୋଇଲା କ୍ଷେତ୍ର ଆତ୍ମନିର୍ଭରଶୀଳ ହୋଇପାରିବ । ଏବେ ବଜାରକୁ କୋଇଲା ଲାଗି ଖୋଲି ଦିଆଯାଇଛି, ସେଥିପାଇଁ ଯେକୌଣସି କ୍ଷେତ୍ର ନିଜର ଆବଶ୍ୟକତା ଅନୁସାରେ କୋଇଲା କିଣିପାରିବେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍କାର ଦ୍ୱାରା କେବଳ କୋଇଲା କ୍ଷେତ୍ର ନୁହେଁ, ବରଂ ଇସ୍ପାତ, ଆଲୁମିନିୟମ, ସାର ଏବଂ ସିମେଂଟ ଭଳି ଅନ୍ୟ କ୍ଷେତ୍ର ମଧ୍ୟ ଲାଭାନ୍ୱିତ ହେବେ । କେବଳ ସେତିକି ନୁହେଁ, ଏହା ବିଦ୍ୟୁତ ଉତ୍ପାଦନ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖଣିଜ କ୍ଷେତ୍ରରେ ସଂସ୍କାର ଆଣିବା ଫଳରେ କୋଇଲା ଖନନ କ୍ଷେତ୍ରରେ ବ୍ୟାପକ ସୁଧାର ଆସିପାରିଛି । କାରଣ ଲୁହା, ବକ୍ସାଇଟ ଏବଂ ଅନ୍ୟ ଖଣିଜ ଦ୍ରବ୍ୟ ବାସ୍ତବରେ କୋଇଲା ଖଣିର ଖୁବ ନିକଟରେ ରହିଛନ୍ତି । ସେ କହିଥିଲେ ଯେ ବାଣିଜ୍ୟିକ କୋଇଲା ଖନନ ଲାଗି ଆଜି ହୋଇଥିବା ନିଲାମୀର ଆରମ୍ଭ ସମସ୍ତ ଅଂଶୀଦାର ଉଦ୍ୟୋଗ ଲାଗି ଲାଭଦାୟକ ହେବ । ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ଅପେକ୍ଷାକୃତ ଅଧିକ ରାଜସ୍ୱ ମିଳିବ ଏବଂ ଦେଶରେ ବହୁସଂଖ୍ୟକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଆଉ ଏକ ବିଶେଷ କଥା ହେଉଛି ଯେ ପ୍ରତ୍ୟେକ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ସଂସ୍କାର ଲାଗୁ କରିବା ସମୟରେ ପରିବେଶର ସୁରକ୍ଷା ଲାଗି ଭାରତର ପ୍ରତିବଦ୍ଧତା ଯେପରି ଆଦୌ ଦୁର୍ବଳ ନହୁଏ ସେଥିପ୍ରତି ପ୍ରତି ଧ୍ୟାନ ଦିଆଯାଇଛି । ସେ କହିଥିଲେ ଯେ କୋଇଲାରୁ ବାଷ୍ପ ଉତ୍ପାଦନ ଲାଗି ନବୀନତମ ଜ୍ଞାନକୌଶଳର ଉପଯୋଗ କରାଯାଇପାରିବ ଏବଂ କୋଇଲା ବାଷ୍ପୀକରଣ ଭଳି ପଦକ୍ଷେପ ଦ୍ୱାରା ପରିବେଶର ସଂରକ୍ଷଣ କରାଯାଇପାରିବ । କୋଇଲାରୁ ମିଳୁଥିବା ବାଷ୍ପର ଉପଯୋଗ ପରିବହନ ଏବଂ ଖାଦ୍ୟ ପ୍ରସ୍ତୁତିରେ କରାଯିବ । ଏହାଦ୍ୱାରା ୟୁରିଆ ଏବଂ ଇସ୍ପାତ ଉତ୍ପାଦନ ଉଦ୍ୟୋଗଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ୨୦୩୦ ସୁଦ୍ଧା ପାଖାପାଖି  ୧୦୦ ମିଲିୟନ ଟନ କୋଇଲାର ବାଷ୍ପୀକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଉଦ୍ଦେଶ୍ୟ ଲାଗି ଚାରିଟି ପ୍ରକଳ୍ପର ଚିହ୍ନଟ କରାଯାଇଛି ଏବଂ ଏଥିରେ ପାଖାପାଖି ୨୦ ହଜାର କୋଟି ଟଙ୍କାର ନିବେଶ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ଲାଗୁ କରାଯାଇଥିବା ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟମ ଭାରତ ସମେତ ଆମର ଆଦିବାସୀ କ୍ଷେତ୍ର ବିକାଶର ନୂଆ ସ୍ତମ୍ଭ ହୋଇପାରିବେ । ସେ କହିଥିଲେ ଯେ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ଆକାଂକ୍ଷୀ ଜିଲ୍ଲା ରହିଛନ୍ତି ଏବଂ ସେଗୁଡ଼ିକ ପ୍ରଗତି ଓ ସମୃଦ୍ଧିର ଆଶାନୁରୂପ ସ୍ତରରେ ପହଁଚିବାରେ ସମର୍ଥ ହୋଇପାରୁନାହାନ୍ତି । ସେ କହିଥିଲେ ଯେ ଦେଶର ୧୬ଟି ଆକାଂକ୍ଷୀ ଜିଲ୍ଲାରେ ବିପୁଳ ପରିମାଣରେ କୋଇଲା ଗଛିତ ହୋଇ ରହିଛି ଏବଂ କୋଇଲା ଭଣ୍ଡାର ରହିଛି, କିନ୍ତୁ ଏହି କ୍ଷେତ୍ରର ଲୋକମାନଙ୍କୁ ଏହାର ପର୍ଯ୍ୟାପ୍ତ ଲାଭ ମିଳିପାରିନାହିଁ । କେବଳ ସେତିକି ନୁହେଁ, ଏହି ସ୍ଥାନଗୁଡ଼ିକ ବା କ୍ଷେତ୍ରଗୁଡ଼ିକର ଲୋକମାନଙ୍କୁ ରୋଜଗାର ପାଇଁ ଦୂରବର୍ତୀ ସହରକୁ ଯିବାକୁ ପଡ଼ୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଣିଜ୍ୟିକ ଖନନ ଦିଗରେ ନିଆଯାଇଥିବା ପଦକ୍ଷେପ ପୂର୍ବ ଏବଂ ମଧ୍ୟ ଭାରତର ସ୍ଥାନୀୟ ଲୋକମାନଙ୍କ ପାଇଁ ଯଥେଷ୍ଟ ସହାୟକ ହୋଇପାରିବ କାରଣ ସେମାନଙ୍କୁ ନିଜ ନିଜ ଘର ପାଖରେ ରୋଜଗାର ମିଳିବା ସମ୍ଭବ ହୋଇପାରିବ । ସେ କହିଥିଲେ ଯେ ସରକାର କୋଇଲା ଖନନ ଏବଂ ପରିବହନ ଲାଗି ମୌଳିକ ଭିତିଭୂମି ସୁବିଧା ନିର୍ମାଣ ନିମନ୍ତେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ମଧ୍ୟ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ଲାଗୁ ହୋଇଥିବା ସୁଧାର ଏବଂ ନିବେଶ ଜନଜାତୀୟ ଲୋକମାନଙ୍କ ଜୀବନକୁ ସହଜ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କୋଇଲା ଉତ୍ପାଦନ ଜରିଆରେ ସୃଷ୍ଟି ହେଉଥିବା ଅତିରିକ୍ତ ରାଜସ୍ୱର ଉପଯୋଗ ଏହି କ୍ଷେତ୍ରରେ ଜନକଲ୍ୟାଣକାରୀ ଯୋଜନାରେ କରାଯିବ । ସେ କହିଥିଲେ ଯେ ରାଜ୍ୟଗୁଡ଼ିକୁ ‘ଜିଲ୍ଲା ଖଣିଜ ପାଣ୍ଠି’ ବ୍ୟତୀତ ଅତିରିକ୍ତ ସହାୟତା ମଧ୍ୟ ମିଳିପାରିବ । ଯାହାର ଏକ ବୃହତ ଅଂଶର ଉପଯୋଗ ପାଶ୍ୱର୍ବର୍ତୀ କ୍ଷେତ୍ରରେ ଆବଶ୍ୟକ ସୁବିଧା ବିକଶିତ କରିବାରେ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଲାମୀ ଏପରି ସମୟରେ ହେଉଛି ଯେତେବେଳେ ଆର୍ଥିକ ଗତିବିଧି ପୂର୍ବରୁ ଭଳି ସ୍ୱାଭାବିକ ହେବା ସ୍ଥିତି ଆଡ଼କୁ ଗତି କରୁଛି । ଉପଯୋଗ ଏବଂ ଚାହିଦା ଦ୍ରୁତଗତିରେ କୋଭିଡ-୧୯ ପୂର୍ବ ସ୍ଥିତିରେ ପହଁଚିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସେହିସବୁ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଯେ ଯେଉଁ କ୍ଷେତ୍ରରେ ଚାହିଦା କୋଭିଡ-୧୯ ପୂର୍ବର ସ୍ତରକୁ ଦ୍ରୁତ ଗତିରେ ଛୁଇଁବାକୁ ଯାଉଛି । ଏସବୁ କ୍ଷେତ୍ର ମଧ୍ୟରେ ରହିଛି ବିଦ୍ୟୁତ ବ୍ୟୟ, ପେଟ୍ରୋଲିୟମ ଉତ୍ପାଦର ଚାହିଦା, ଇ-ୱେବିଲ, ଟୋଲ ସଂଗ୍ରହ, ରେଳ ଜରିଆରେ ମାଲ ପରିବହନ, ଡିଜିଟାଲ ଖୁଚୁରା କାରବାର ସାମିଲ ରହିଛି । ସେ କହିଥିଲେ ଯେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ ଖରିଫ ଫସଲ ଚାଷ କ୍ଷେତ୍ର ବୃଦ୍ଧି ପାଇଛି ଏବଂ ଚଳିତ ବର୍ଷ ଗହମ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି । ଏହାର ଅର୍ଥ କୃଷକମାନଙ୍କ ପକେଟକୁ ଅଧିକ ଅର୍ଥ ଆସିଛି । ଏ ସମସ୍ତ ସଙ୍କେତକ ଦର୍ଶାଉଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ପୁଣିଥରେ ଲମ୍ବ ଡିଆଁ ମାରିବା ଏବଂ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେବାକୁ ପ୍ରସ୍ତୁତ ହୋଇସାରିଛି । ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ ଯେ ଭାରତ ଏହି ସଙ୍କଟରୁ ଠିକ ସେପରି ଭାବେ ମୁକୁଳିପାରିବ ଯେପରି ଭାବେ ଅତୀତରେ ଏହାଠାରୁ ଆହୁରି ବଡ଼ ସଙ୍କଟରୁ ମୁକ୍ତି ପାଇଛି । ଭାରତ ‘ଆତ୍ମନିର୍ଭର’ ହୋଇପାରିବ ଏବଂ ଭାରତର ସଫଳତା ଏବଂ ପ୍ରଗତି ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ । ସେ ଏଥିପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିଥିଲେ ଯେ କିଛି ସପ୍ତାହ ପୂର୍ବରୁ ଭାରତ ଏନ-୯୫ ମାସ୍କ, କୋରୋନା ଟେଷ୍ଟିଂ କିଟ, ପିପିଇ ଏବଂ  ଭେଂଟିଲେଟର ଚାହିଦା ଆମଦାନୀରୁ ପୂରଣ କରୁଥିଲା, ଏବେ ଏସବୁ ଆବଶ୍ୟକତା ‘ମେକ ଇନ ଇଣ୍ଡିଆ’ ମାଧ୍ୟମରେ ପୂରଣ ହୋଇପାରୁଛି । ଏଥିସହିତ ପ୍ରଧାନମନ୍ତ୍ରୀ ଭରସା ବ୍ୟକ୍ତ କରିଥିଲେ ଯେ ଖୁବଶୀଘ୍ର ଆମେ ଚିକିତ୍ସା ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନିକାରୀ ହୋଇପାରିବୁ । ନିରନ୍ତର ଭରସା ଓ ମନୋବଳ ବଜାୟ ରଖିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ, ଯାହା ଫଳରେ ଆମେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ସ୍ୱପ୍ନ ସାକାର କରିପାରିବୁ । 

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY