ଜୁଲାଇ ମାସରେ କରୋନାର ମୁକାବିଲା ପାଇଁ ରାଜ୍ୟସରକାର କଣ କଣ ପଦକ୍ଷେପ ନେଇଛନ୍ତି ଜାଣନ୍ତୁ

ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ
ASHIT TRIPATHY_CS_IAS_ODISHA_30_06_2020

Share this:

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ମଙ୍ଗଳବାର ଦିନ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଜୁଲାଇ ମାସର କୋଭିଡ୍‌ ରଣନୀତି ସଂପର୍କରେ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଗତ ତିନି ମାସରୁ ଉର୍ଦ୍ଧ୍ଵ ସମୟ ଧରି କୋଭିଡ୍‌ ପରିଚାଳନାରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ୍‌ ମୁକାବିଲା ପାଇଁ ସେମାନଙ୍କ ମତାମତ ପ୍ରଦାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଗ୍ରାମ ପଞ୍ଚାୟତ ସ୍ତରରେ କୋଭିଡ୍‌ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ ଅସ୍ଥାୟୀ ଚିକିତ୍ସା ଶିବିର ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ୱାର୍ଡ ସ୍ତରରେ କୋଭିଡ୍‌ କୋର କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି ।  ବିଭିନ୍ନ ସରକାରୀ ଅଫିସଗୁଡ଼ିକ ଯେପରି ସଂକ୍ରମଣମୁକ୍ତ ରହିବ, ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍‌ ନିୟମର କଡ଼ାକଡ଼ି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା, କର୍ମଚାରୀମାନେ କ’ଣ କରିବେ, କ’ଣ ନକରିବେ, ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଘରୋଇ ହସ୍‌ପିଟାଲ୍‌ଗୁଡ଼ିକୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରି ସେଗୁଡ଼ିକ ଠିକ୍‌ ଭାବରେ କୋଭିଡ୍‌ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଏହି ନିୟମାବଳୀ ଜୁଲାଇ ୧ ତାରିଖରୁ ଜୁଲାଇ  ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜୁଲାଇ ମାସ ପାଇଁ ରାଜ୍ୟ ସରକାରଙ୍କ ସବିଶେଷ କୋଭିଡ୍‌ ଗାଇଡ୍‌ଲାଇନ୍‌ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ତରଫରୁ ଜାରି କରାଯାଇଛି ।  କୋଭିଡ୍‌ ପରିଚାଳନାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିକେନ୍ଦ୍ରୀକରଣ କରିଛନ୍ତି । ଏଥି ପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳରେ ୱାର୍ଡ ସ୍ତରୀୟ କମିଟିମାନ ଗଠନ କରାଯାଇଛି । କୋଭିଡ୍‌ ନିରୀକ୍ଷଣ ଓ ପରିଚାଳନା ପାଇଁ କମିଟିମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା କରାଯିବ । ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଏହା ପରିଚାଳିତ ହେବ । କେତୋଟି ପଞ୍ଚାୟତକୁ ନେଇ ଗଠିତ କ୍ଲଷ୍ଟରରେ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ କାର୍ଯ୍ୟ କରିବ । ଏହା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଭାବେ କାମ କରିବ ।  ପ୍ରତି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଅଡିଟ୍‌ ହେବ । ଅଫିସରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବାକୁ କଡ଼ାକଡ଼ି ଲାଗୁ କରିବା ଅଫିସ୍‌ ମୁଖ୍ୟଙ୍କ ଦାୟିତ୍ୱ ହେବ । ସର୍ବସାଧାରଣ ସ୍ଥାନମାନଙ୍କରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ଛେପ ନ ପକାଇବାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।  ସମସ୍ତ ଘରୋଇ ହସ୍‌ପିଟାଲ୍‌ମାନେ କୋଭିଡ୍‌ ଏସ.ଓ.ପି କଡ଼ାକଡ଼ି ଭାବେ ପାଳନ କରିବେ । ରାଜ୍ୟ ବାହାରୁ ବହୁଳ ସଂକ୍ରମିତ ସ୍ଥାନରୁ ଲୋକମାନଙ୍କର ଆଗମନକୁ ନିୟନ୍ତ୍ରଣ ଓ ନିରୀକ୍ଷଣ କରାଯିବ । ଜିଲ୍ଲାପାଳ ଓ ପୌରାଞ୍ଚଳ କମିଶନରମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟାମକ ଅନୁସାରେ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିବ । ଏହି ଅଞ୍ଚଳରେ ଘରକୁ ଘର ନିରୀକ୍ଷଣକୁ ବ୍ୟାପକ କରାଯିବ ।  କଣ୍ଟେନମେଣ୍ଟ ଜୋନ ବାହାରେ ସ୍ଥିତିକୁ ଦେଖି ଜିଲ୍ଲାପାଳ/ମୁନିସିପାଲ କମିଶନରମାନେ ସପିଂ ମଲ୍‌ ଖୋଲିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ ।  ସମସ୍ତ ସ୍କୁଲ, କଲେଜ, ତାଲିମ ଅନୁଷ୍ଠାନ, କୋଚିଂ ଅନୁଷ୍ଠାନ ଆଦି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଏସବୁ ସମ୍ବନ୍ଧିତ ପରୀକ୍ଷା ଓ ମୂଲ୍ୟାୟନ ଆଦିକୁ ଅନୁମତି ଦିଆଯିବ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟରୂଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଆଦି ୧୦ଟି ଜିଲ୍ଲାକୁ ଜୋନ୍‌-୧ ଭାବେ ଘୋଷଣା କରାଯାଇଛି । ଏହି ୧୦ଟି ଜିଲ୍ଲାରେ ଶନିବାର ଏବଂ ରବିବାର ସଟ୍‌ ଡାଉନ୍‌ ଜାରି ରହିବ । ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ କଟକଣା ଜାରି କରି ପାରିବେ । ଅବଶିଷ୍ଟ ୨୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ବ୍ୟତୀତ ଅନୁମତିପ୍ରାପ୍ତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜାରି ରହିବ । ବିଭିନ୍ନ ଜିଲ୍ଲା ଓ ସହରାଞ୍ଚଳର ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ବା ପୌର କମିଶନର ଆବଶ୍ୟକୀୟ କଟକଣା ଜାରି କରିପାରିବେ । ଜୁଲାଇ ମାସରେ ପ୍ରତ୍ୟେକ ସ୍ଥାନରେ (ଅଫିସ୍‌/ହସ୍‌ପିଟାଲ୍‌/ମାର୍କେଟ୍‌ କମ୍ପ୍ଲେକ୍ସ/ଦୋକାନ) ଅତର୍କିତ ଯାଞ୍ଚକୁ ଜୋରଦାର କରାଯିବ । କୋଭିଡ୍‌ ନିୟମାବଳୀର ଉଲ୍ଲଂଘନ କରୁଥିଲେ ଦୃଢ଼ରୁ ଦୃଢ଼ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ‘ମେକ୍‌ ଇନ୍‌ ଓଡ଼ିଶା’ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଧାତୁ, ଖାଦ୍ୟ ପ୍ରକ୍ରିୟାକରଣ, ଲଜିଷ୍ଟିକ୍‌ ଓ ଭିତ୍ତିଭୂମି କ୍ଷେତ୍ରରେ ୬୦୯ କୋଟି ଟଙ୍କାର ୫ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି (ସିଙ୍ଗଲ୍‌ ୱିଣ୍ଡୋ କମିଟି) ବୈଠକରେ ଉପରୋକ୍ତ ପ୍ରସ୍ତାବଗୁଡ଼ିକ ଅନୁମୋଦିତ ହୋଇଛି । ଏହି ୫ଟି ନୂଆ ଶିଳ୍ପ ସଂସ୍ଥା ମାଧ୍ୟମରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।  ଶିଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ସେସବୁରେ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନକୁ ସୁନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଶଳ୍ପି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦ ର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୨୯ରୁ ଜୁନ୍‌ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ, ୧ଟି ଗୁଜବ ପ୍ରଚାର ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍‌ ସଂପର୍କିତ କାରଣ ପାଇଁ ଅଟେ । ଗତକାଲି ୧୧ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

ସ୍ୱାସ୍ଥ୍ୟ ସୂଚନା

ଗୋଟିଏ ଦିନରେ ରାଜ୍ୟରେ ୨୪୩ କୋଭିଡ୍‌ ରୋଗୀ ଆରୋଗ୍ୟ ଲାଭ କରିବା ଏ ଯାବତ୍‌ ସର୍ବାଧିକ । କୋଭିଡ୍‌ ଯୋଦ୍ଧାମାନଙ୍କ ଅବିଶ୍ରାନ୍ତ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି ଏବଂ ଆମେ ସେମାନଙ୍କୁ ସମ୍ମାନ ଜଣାଉଛୁ । ଆରୋଗ୍ୟ ହାର:୭୩.୪ %, ମୃତ୍ୟୁ ହାର:୦.୩୫% । ଏହି ଉଭୟ ହାର ଦେଶରେ ସର୍ବନିମ୍ନ । ସୋମବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨,୬୫,୪୩୧୮ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ସମୁଦାୟ ୭,୦୬୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ୫୧୮୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୨୫ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।  ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୮୪୪ ରହିଛି । ୨୦୮୭ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE