ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆସିଲେ ସ୍ୱାଗତ କରାଯିବ

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର

Share this:

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଓଏଚ୍‌ପିସି ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ଼୍‌କୋଲ୍‌) ଏବଂ ଜାତୀୟ ଜଳବିଦ୍ୟୁତ ନିଗମ (ଏନ୍‌ଏଚ୍‌ପିସି) ମଧ୍ୟରେ ରାଜ୍ୟରେ ସୌରଶକ୍ତି ଉତ୍ପାଦନ ନିମନ୍ତେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କରମିଶ୍ରଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ରକୁ ଜେଡ୍‌କଲ୍‌ ତରଫରୁ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜି. ଆର୍‌. ଦାଶ ଏବଂ ଏନ୍‌ଏଚ୍‌ପିସି ତରଫରୁ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆର୍‌.କେ. ଜୟସ୍ୱାଲ୍‌ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ତାଙ୍କ ମନ୍ତବ୍ୟ ରଖି କେନ୍ଦ୍ର ସରକାର ତାପଜ ବିଦ୍ୟୁତ ବଦଳରେ ଜଳବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପରିବେଶୀୟ ମଞ୍ଜୁରି ପ୍ରଦାନକୁ ଅଗ୍ରାଧିକାର ଦେବା ଉପରେ ଚିନ୍ତା କରିବା ଆବଶ୍ୟକ । କାରଣ ତାପଜ କେନ୍ଦ୍ରରୁ ଥରେ ଧୂଆଁ ବାୟୁମଣ୍ଡଳକୁ ନିର୍ଗତ ହେଲେ ତାକୁ ଫେରେଇ ଅଣାଯାଇ ପାରିବ ନାହିଁ , ଜଳବିଦ୍ୟୁତ ଯୋଜନା ପାଇଁ କଟା ଯାଇଥିବା ବୃକ୍ଷ ସ୍ଥାନରେ ନୂତନ ବୃକ୍ଷ ରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କହିଥିଲେ । ସବୁଜ ଶକ୍ତି ଉତ୍ପାଦନ ପାଇଁ ଯେ କେହି ଆଗେଇ ଆସିଲେ ତାକୁ ସ୍ୱାଗତ କରାଯିବ ବୋଲି ସେ ମତ ରଖିଥିଲେ । ଅକ୍ଷୟ ଶକ୍ତି ପ୍ରକଳ୍ପ ହୋଇଥିବା ହେତୁ ଏହା ରାଜ୍ୟର ଅକ୍ଷୟ ଶକ୍ତି ଉତ୍ପାଦନ ଆବଶ୍ୟକତାକୁ ପୂରଣ କରିବ ।  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କର ଏ ଦିଗରେ ସର୍ବଦା ସମ୍ମତି ରହିଛି ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ । ଏ ନେଇ କ୍ୟାପ୍‌ଟେନ୍‌ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ଆର୍‌. କେ. ସିଂହଙ୍କ ସହ ମଧ୍ୟ ଫୋନଯୋଗେ ବାର୍ତ୍ତାଳାପ କରି କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ । ପ୍ରସ୍ତାବିତ ସୌରଶକ୍ତି ପ୍ରକଳ୍ପ ରାଜ୍ୟର ପାଖାପାଖି ୧୨ ଗୋଟି ଜଳଭଣ୍ଡାରରେ ଭାସମାନ ଭାବେ ସ୍ଥାପିତ କରାଯିବ ଏବଂ ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରୁ ପ୍ରାୟତଃ ୫୦୦ ମେଗାୱାଟ୍‌ ଶକ୍ତି ଉତ୍ପାଦନ କରାଯାଇପାରିବ । ଏଥି ପାଇଁ ପ୍ରାରମ୍ଭିକ ଭାବେ ୨୫୦୦ କୋଟି ବ୍ୟୟ ଅଟକଳ କରାଯାଇଛି । ପ୍ରାଥମିକ କାର୍ଯ୍ୟଠାରୁ କାର୍ଯ୍ୟାଦେଶ ପ୍ରଦାନ ପାଇଁ ପ୍ରାୟ ୭ରୁ ୮ ମାସ ସମୟ ଲାଗିବ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ସରିବ ବୋଲି ଆକଳନ କରାଯାଇଛି । ଏହା ହେବ ଦେଶର ଏ ଧରଣର ସର୍ବବୃହତ ପ୍ରକଳ୍ପ ଏବଂ ଏହା ବିଶେଷ ଭାବେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ସ୍ଥାପିତ ହେବ । ଏଥି ସହିତ ଏହା କାର୍ଯ୍ୟକାରୀ ହେଲେ ଏ କ୍ଷେତ୍ରରେପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଜଳଭଣ୍ଡାର ଉପରେ ଏହାର ପ୍ୟାନେଲ୍‌ ସ୍ଥାପନ କରାଯିବା ଦୃଷ୍ଟିରୁ ଜମିର ବ୍ୟବହାର ବହୁମାତ୍ରାରେ ହ୍ରାସ ପାଇବ । ତା’ଛଡ଼ା ଜଳ ବାଷ୍ପୀକରଣକୁ ଏହା ରୋକିପାରିବ । ଏହି ପ୍ରକଳ୍ପକୁ ଓଡ଼ିଶା ରାଜ୍ୟ ଓ ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ଅଧୀନରେ ଯୁଗ୍ମ ଭାବେ କାର୍ଯ୍ୟକାରୀ କରାଯିବ । ଏହି ପ୍ରତିକ୍ଷିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ମଣିଷ ସମେତ ପରିବେଶ ଏବଂ ପୃଥିବୀ ପାଇଁ ବହୁ ସହଯୋଗୀ ହେବା ସହ ଦେଶର ଖାଦ୍ୟ ଓ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିପାରିବ ।  ଆଜିର ଏହି କାର୍ଯ୍ୟକ୍ରମ ଜରିଆରେ ଭର୍ଚୁଆଲ୍‌ ଭାବେ ଏକ ସଂକ୍ଷିପ୍ତ ଆଲୋଚନା ଆୟୋଜିତ ହୋଇ ପ୍ରକଳ୍ପ ସଂପର୍କରେ ବିଶଦ ଭାବେ ବିଶେଷଜ୍ଞମାନେ ତାଙ୍କ ମତାମତ ଉପସ୍ଥାପନ କରିଥିଲେ । ଏଥିରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣପୁ ଦ ସେଠୀ, ଏନ୍‌ଏଚ୍‌ପିସିର ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ପ୍ରଶାସକ ଶ୍ରୀ ବିବେକ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

RELATED BY