ପ୍ରେମ ଏକ ବିଚ୍ଛେଦର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ ଗଭୀର ହୋଇ ଦୁଇଟି ହୃଦୟର ମିଳନ ହୋଇଥାଏ । ସେହି ପ୍ରେମର ଯଦି ବିଚ୍ଛେଦ ହୋଇଯାଏ, ତେବେ ହୃଦୟରେ ଗଭୀର ଦୁଃଖ ସୃଷ୍ଟି ହୋଇ ସାରା ଜୀବନ ଯନ୍ତ୍ରଣା ଜର୍ଜରିତ ହୋଇ କଟାଇବାକୁ ପଡ଼ିଥାଏ । ‘ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି; କିନ୍ତୁ ମନ ପୋଡ଼ିଗଲେ କେହି ଜାଣେନା…’ । କେବଳ ପ୍ରେମର ଅନୁଭବି ହିଁ ସେହି ପ୍ରେମାଗ୍ନିରେ ଛଟପଟ ହେଉଥାଏ । ପରେଶ ମଧ୍ୟ ପ୍ରାକ୍‍ ଯୌବନରେ ଏକ ସୁନ୍ଦରୀ ତରୁଣୀ ମିନତୀର ନୟନରେ ଆକର୍ଷଣରେ ତା’ପ୍ରତି ପ୍ରେମାଶକ୍ତ ହୋଇ ପଡ଼ିଥିଲେ । କିନ୍ତୁ ନିୟତିର କୃପାଦୃଷ୍ଟି ଅଭାବରୁ ସେମାଙ୍କର ପ୍ରେମର ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା.. । ସେଦିନ ଅପରାହ୍ନରେ ପରେଶ ଶଯ୍ୟାରେ ବିଶ୍ରାମ ନେଉଥିଲେ । ହଠାତ୍‍ ତାଙ୍କ ଫୋନର ହ୍ୱାଟସଆପ୍‍ରେ ଏକ ମେସେଜ୍‍ ଆସିଥିଲା । ପରେଶ ଫୋନର ହ୍ୱାଟସ ଆପ୍‍ ଖୋଲିବାରୁ ଏକ ପୁରୁଣା ହିନ୍ଦି ଫିଲ୍ମ “ଅସଲି ନକଲି’ର ଏକ ଗୀତ ମିନତୀ ଗାଇ ମେସେଜ୍‍ କରିଥିଲା । ଗୀତଟି ଏହିପରି…

‘ତେରା ମେରା ପ୍ୟାର୍‍ ଅମର
ଫିର୍‍ କ୍ୟୋଂ ମୁଝିକୋ ଲଗତା ହେ ଡର’

ପରେଶ ଏହି ଗୀତଟି ଶୁଣି ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । ଭାବୁଥିଲେ ଏବେବି ମିନତୀ ତାଙ୍କୁ ମନେ ରଖିଛି । ତାର ତାଙ୍କ ପ୍ରତି ଅମର ପ୍ରେମର ବାର୍ତ୍ତା ଜଣାଇ ତାଙ୍କୁ ସନ୍ତ୍ୱନା ଦେଉଛି । ଯେଉଁ ମିନତୀକୁ ସେ ଅତ୍ୟନ୍ତ ଭଲ ପାଇ ତାକୁ ପ୍ରେମ କରୁଥିଲେ, ତାକୁ ବିବାହ କରିବାକୁ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ । ମିନତୀ ମଧ୍ୟ ତାଙ୍କୁ ହୃଦୟ ଦେଇ ମନ ପ୍ରାଣରେ ତାଙ୍କୁ ବିବାହ କରିବାକୁ ସିଦ୍ଧାନ୍ତ ନେଇ ସାରିଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସେମାନଙ୍କ ପ୍ରେମର ବିଚ୍ଛେଦ ହୋଇଯାଇଥିଲା । ସେ ଏକ ସହରରେ ଚାକିରୀ କରୁଥାନ୍ତି । ମିନତୀ ସେହି ସହରରେ କଲେଜରେ ପଢ଼ୁଥାଏ । ତାଙ୍କ ଅଫିସ୍‍ ନିକଟରେ ମିନତୀର ପରିବାର ରହୁଥାନ୍ତି । ସେହି ଅଫିସ୍‍ ଯିବା ବାଟରେ ମିନତୀର ଘର ପଡେ । ଅକସ୍ମାତ୍‍ ମିନତୀ କଲେଜ୍‍ ଯିବା ସମୟରେ ପରେଶଙ୍କର ମିନତୀ ସହ ଦୃଷ୍ଟି ବିନିମୟ ହୁଏ । ମିନତୀର ବଡ଼ଭାଇ ସହ ତାଙ୍କର ପରିଚୟ ହୋଇଥିଲା ସେ ଏକ କାମରେ ତାଙ୍କ ଅଫିସକୁ ଆସିଥିଲା । ଗୋଟେ ସାର୍ଟିଫିକେଟ୍‍ ଟାଇପ୍‍ କରି ତାଙ୍କ ଠାରୁ ଆଟେଷ୍ଟେଡ୍‍ କରାଇ ନେଇଥିଲା । ହଠାତ୍‍ ମିନତୀର ଭାଇ ଆସି ତାଙ୍କୁ କହିଥିଲା, ଆସନ୍ତାକାଲି ମୋ ସାନ ଭଉଣୀର ଜନ୍ମଦିନ ଆମ ଘରକୁ ଆସିବେ । ସେଠାରେ ଖାଇବେ, ବାପା ଓ ମା ଆପଣଙ୍କୁ ଡାକିଛନ୍ତି । ପରେଶ ମିନତୀ ଘରକୁ ଯିବାକୁ ଶୁଣି ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ମିନତୀ ପାଇଁ ଗୋଟେ ଭଲ ଡ୍ରେସ୍‍ କିଣି ନେଇ ଅପରାହ୍ନରେ ତା’ଘରେ ତା ଜନ୍ମଦିନରେ ପହଞ୍ଚି ଯାଇଥିଲେ । ମିନତୀର ମା ବହୁ ସୁସ୍ୱାଦୁକର ଖାଦ୍ୟ, ପିଠା ଓ ଖିରି ପ୍ରଭୃତି ତାଙ୍କୁ ଖାଇବାକୁ ଦେଇଥିଲେ । ମିନତୀ ଲାଜ ଲାଜ ହୋଇ ତାଙ୍କ ପଛରେ ଠିଆ ହୋଇଥାଏ । ମିନତୀର ପରିବାରର ସ୍ନେହରେ ପରେଶ ବାନ୍ଧି ହୋଇଯାଇଥିଲେ । ମିନତୀ ଭଲ ଗୀତ ଗାଏ ବୋଲି ତାର ମା ପରେଶଙ୍କୁ ଜଣାଇଥିଲେ । ପରେଶ ମଧ୍ୟ ମିନତୀକୁ ଗୀତଟିଏ ଗାଇବାକୁ କହିଥିଲେ । ତାର ମା ବାଧ୍ୟ କରିବାରୁ ସେ ଟିକିଏ ଦୂରରେ ଚୌକିରେ ବସି ପୁରୁଣା ହିନ୍ଦି ଫିଲ୍ମ ‘ଦିଲ୍‍ଲଗି’ର ଏହି ଗୀତଟି ଗାଇଥିଲା ।

‘ ତୁ ମେରା ଚାନ୍ଦ ମେଁ ତେରି ଚାନ୍ଦନୀ
ତୁ ମେରା ରାଗ୍‍ ମେଁ ତେରି ରାଗନି ।
ଜବତକ ଚମକେ ଚାଁନ୍ଦ ସିତାରେ
କଭି ଛୁଟେନା ଏ ସାଥ
ସାଥ ହିଁ ବିନା ସାଥ ହି ମରନା
ଉଲଫତ କି ଏହେ ରୀତ
ହାଁ ଉଲଫତ୍‍ କି ହେ ରୀତ

ପରେଶ ମିନତୀର ମଧୁର କଣ୍ଠର ଏହି ଗୀତଟି ଶୁଣି ମୁଗ୍ଧ ହୋଇଯାଇଥିଲେ । ସେ ଭାବୁଥିଲେ ମିନତୀର ସ୍ନେହ ପାଇଲେ ତାଙ୍କ ଜୀବନ ଧନ୍ୟ ହୋଇଯିବ ଓ ମିନତୀର ସୁମଧୁର ଗୀତ ଶୁଣିବାର ସୌଭାଗ୍ୟ ସେ ପାଇପାରିବେ.. । ମିନତୀ ତାଙ୍କୁ ଦିନେ ଫୋନ୍‍ କରି କହିଥିଲା, ଆପଣ ହେଉଛନ୍ତି ମୋର ମନ ହୃଦୟର ଦେବତା, ଆପଣଙ୍କ ପ୍ରତି ମୋର ମନରେ ଗଭୀର ଆକର୍ଷଣ ସୃଷ୍ଟି ହୋଇଛି, ଆପଣଙ୍କ ସ୍ନେହ ବିନା ମୁଁ ବଞ୍ଚିପାରିବି ନାହିଁ । ଆପଣ ଆମ ଘରକୁ ଆସିବେ, କଥା ହେବା ଓ ଆପଣଙ୍କୁ ମୁଁ ଅପେକ୍ଷା କରିଥିବି । ପରେଶ ମିନତୀର ଫୋନ୍‍ ପାଇ ବିଚଳିତ ହୋଇପଡ଼ିଥିଲେ ଓ ତାର ମନୋଭାବ ବୁଝିପାରି ଆନନ୍ଦିତ ହୋଇ କହିଥିଲେ, ମିନତୀ, ମୁଁ ଆଜି ସନ୍ଧ୍ୟାରେ ତୁମ ଘରକୁ ଯିବି, ବ୍ୟସ୍ତ ହେବ ନାହିଁ । ସେଦିନ ପରେଶ ସନ୍ଧ୍ୟାରେ ମିନତୀର ଘରେ ପହଞ୍ଚି ଯାଇଥିଲେ । ମିନତୀ ତାଙ୍କୁ ପ୍ରଣାମ ଜଣାଇଥିଲା । ମିନତୀ ପରେଶଙ୍କୁ ଚା ଓ ଜଳଖିଆ ଆଣି ଦେଇଥିଲା । ଜଳଖିଆ ଖାଇସାରି ମିନତୀ ଠାରୁ ପାଣି ଗ୍ଲାସ ନେବା ବେଳେ ତା ହାତରେ ସ୍ପର୍ଶ ପାଇ ମିନତୀ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇପଡ଼ିଥିଲେ । ପରେଶ ମିନତୀକୁ ଗୋଟିଏ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ମିନତୀ ଗାଇଥିଲା-

‘ତୁମ ପାସ ରହେୟା ଦୂର ରହେ
ଦିଲ୍‍ ମେଁ ସମୟେ ରହତେ ହୋ
ଇତନା ବତାଦେ କୋଇ ହମେଁ
କ୍ୟା ପ୍ୟାର୍‍ ଇସକୋ କହତେ ହେଁ… ।

ଏହି ଗୀତ ଶୁଣି ପରେଶ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ, ମିନତୀ, ତୁମେ ଏତେ ସୁନ୍ଦର ଗୀତ ଗାଉଛ ଓ ତୁମର କଣ୍ଠ ଅତ୍ୟନ୍ତ ମଧୁର । ତୁମର ଏହି ଗୀତ ଶୁଣି ମୁଁ ତୁମକୁ ଭଲ ପାଇ ବସିଛି ଏବଂ ମୁଁ ତୁମକୁ ବିବାହ କରିବାକୁ ଚାହେଁ । ମିନତୀ ମଧ୍ୟ କହିଥିଲା, ପରେଶ ବାବୁ, ଆପଣଙ୍କୁ ମୁଁ ମଧ୍ୟ ହୃଦୟରେ ଭଲ ପାଇସାରିଛି,ଆପଣଙ୍କ ଛଡ଼ା ମୁଁ ଆଉ କାହାକୁ ବିବାହ କରିବି ନାହିଁ । ଆପଣ ମୋର ବାପା ଓ ମା’ଙ୍କୁ ଆମର ବିବାହ ପାଇଁ ପ୍ରସ୍ତାବ ଦେବେ ଏବଂ ଆପଣଙ୍କ ଘରେ ଆପଣଙ୍କ ପିତାମାତାଙ୍କୁ ଆମର ବିବାହ ପାଇଁ ରାଜି କରାଇବେ । ଘରେ ଆଉ କେହି ନଥିଲେ । ପରେଶ ମିନତୀକୁ ପାଖକୁ ଭିଡି ଆଣି ଦୃଢ଼ ଆଲିଙ୍ଗନ କରି ମିନତୀ ପ୍ରତି ତାଙ୍କର ପ୍ରେମରେ ଆତ୍ମହରା ହୋଇଯାଇଥିଲେ । ମିନତୀ ମଧ୍ୟ ନୀରବରେ ପରେଶଙ୍କର ଆଲିଙ୍ଗନରେ ଉତ୍ତେଜିତା ହୋଇପଡୁଥିଲା । ତାର ବୁକୁ ଉତ୍ତପ୍ତ ହୋଇଆସୁଥିଲା । ପରେଶ ତାକୁ ଛାଡ଼ିଦେଇଥିଲେ । କିଛି ସମୟ ପରେ ମିନତୀ କହିଥିଲା, ଆପଣ ମତେ ଏଠାରୁ ଶୀଘ୍ର ନେଇଯାଆନ୍ତୁ, ଆପଣଙ୍କୁ ବିବାହ କଲେ ମୋର ପ୍ରେମର ଅର୍ଘ୍ୟ ଆପଣଙ୍କୁ ଅର୍ପଣ କରିବି ଏବଂ ମୋର ପ୍ରେମ ସାର୍ଥକ ହେବ । ପରେଶ ମଧ୍ୟ ତାକୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଥିଲେ, ତୁମର ପ୍ରେମ ହେଉଛି ମୋର ଜୀବନ, ତୁମର ପ୍ରେମ ବିନା ମୁଁ ବଞ୍ଚିପାରିବି ନାହିଁ । ଏହା ଶୁଣି ମିନତୀ ମଧ୍ୟ ଆନନ୍ଦରେ ପରେଶଙ୍କୁ କୁଣ୍ଢାଇ ପକାଇଥିଲା । ପରେଶ ତାର ମୁଣ୍ଡକୁ ଆଉଁସି ଦେଇ ତାର ଦେହର ସ୍ପର୍ଶ ଅନୁଭବ କରୁଥିଲେ । ଦୁଇଟି ହୃଦୟର ପ୍ରେମର ମିଳନରେ ଉଭୟେ ଯେପରି ଆନନ୍ଦରେ ନିମଗ୍ନ ହୋଇପଡୁଥିଲେ… । କିଛି ସମୟ ପରେ ପରେଶ ସେଠାରୁ ଫେରି ଆସିଥିଲେ… । ପରେଶ ମଧ୍ୟ ମଝିରେ ମଝିରେ ମିନତୀ ଘରକୁ ଯାଇ ତାକୁ ଦେଖା କରିଆସନ୍ତି । ହଠାତ୍‍ ପରେଶଙ୍କର ଦୂରସ୍ଥାନକୁ ବଦଳି ହୋଇଗଲା । ମିନତୀର ପରିବାର ପରେଶଙ୍କ ସହ ବିବାହ ପାଇଁ ତାଙ୍କ ଘରକୁ ଯାଇ ପ୍ରସ୍ତାବ ପକାଇଥିଲେ । କିନ୍ତୁ ପରେଶଙ୍କର ବାପା ମିନତୀଙ୍କ ପରିବାର ଅନ୍ୟ ଜାତିର ହୋଇଥିବାରୁ ଏ ବିବାହ ପାଇଁ ମନା କରିଦେଇଥିଲେ । ପରେଶ ଅନ୍ୟ ଝିଅକୁ ବିବାହ ପାଇଁ ଅନିଚ୍ଛା ସତ୍ତ୍ୱେ ପରେଶଙ୍କର ପରିବାର ପରେଶଙ୍କୁ ଅନ୍ୟ ଏକ ଝିଅ ସହିତ ବିବାହ କରାଇଦେଲେ । ମିନତୀ ମଧ୍ୟ ପରେଶଙ୍କର ବିବାହ ସମ୍ବାଦ ପାଇ ଭାଙ୍ଗିପଡ଼ିଥିଲା, କିଛି ବର୍ଷ ପରେ ମିନତୀର ପରିବାର ମିନତୀକୁ ଅନ୍ୟକୁ ବିବାହ କରିଦେଲେ । ମିନତୀ ପରେଶଙ୍କୁ ଫୋନ୍‍ କରି କହିଥିଲା, ଆପଣ ତ ମତେ ଛାଡ଼ି ପରିବାର ଚାପରେ ଅନ୍ୟତ୍ର ବିବାହ କଲେ । ଏକା ଏକା ମୁଁ କିପରି କଟାଇଥାନ୍ତି ଏ ଜୀବନ? ‘କବିତା, ବନିତା ଲତା ବିନାଶ୍ରୟେ ନତିଷ୍ଠତି ।’ ଆପଣଙ୍କ ଅନାବିଳ ପ୍ରେମର ସ୍ମୃତି ନେଇ ମୁଁ ବଞ୍ଚି ରହିଛି ଏବେବି ଆପଣ ମୋ ହୃଦୟରେ ଅଛନ୍ତି ଏବଂ ଶେଷ ପର୍ଯ୍ୟନ୍ତ ରହିଥିବେ ମଧ୍ୟ । ପରେଶ ମିନତୀର ପ୍ରେମର ଅଭାବ ଅନୁଭବ କରୁଥିଲେ ମଧ୍ୟ ବିବାହିତ ଜୀବନ ମିନତୀର ନିବିଡ଼ ପ୍ରେମର ସ୍ମୃତିରେ କଟାଉଥିଲେ । ମିନତୀ ତାଙ୍କୁ ଚିଠି ଦେଇ ଲେଖିଥିଲା, ଆପଣ ମତେ ବିବାହ କରିପାରି ନଥିବାରୁ ମୁଁ ଆପଣଙ୍କୁ ଦୋଷ ଦେଉନାହିଁ । ସବୁ ମୋ ଭାଗ୍ୟର ଦୋଷ । ଯାହାଙ୍କୁ ହୃଦୟ ଦେଇ ମୋର ପ୍ରେମ ସମର୍ପଣ କରିଥିଲି , ତାଙ୍କୁ ମୁଁ ବିବାହ କରିପାରିଲି ନାହିଁ । ମୋର ପ୍ରେମ ଅପୂର୍ଣ୍ଣ ରହିଗଲା, ଏ ଜନ୍ମରେ ନହେଲେ ନାହିଁ, ପରଜନ୍ମରେ ମୁଁ ଆପଣଙ୍କର ପତ୍ନୀ ହେବାର କାମନା କରି ଶେଷ ନିଶ୍ୱାସ ନେବି । ପରେଶ ଭାବୁଥିଲେ, ମିନତୀର ସେହି ଫୋନର ଗୀତଟି ତାଙ୍କୁ ତାର ପ୍ରେମର ବାସ୍ତବତା, ଆମର ପ୍ରେମ ହେଉଛି ଅମର । ରାଧାକୃଷ୍ଣଙ୍କ ପ୍ରେମ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଯୁଗଯୁଗ ଧରି ଅମର ହୋଇରହିଛି । ସେହିପରି ମିନତୀ ସହ ତାଙ୍କର ପ୍ରେମର ମିଳନ ନହୋଇ ପାରିଥିଲେ ମଧ୍ୟ ମିନତୀ ଏବେବି ତାଙ୍କ ପ୍ରେମକୁ ହୃଦୟରେ ସାଇତି ରଖି ତାର ପ୍ରେମର ସନ୍ଦେଶ ତାଙ୍କୁ ଜଣାଉଛି । ତାଙ୍କୁ ତାର ହୃଦୟର ଗଭୀର ସମବେଦନା ଜଣାଉଛି । ବାସ୍ତବିକ୍‍ ମିନତୀ ତାଙ୍କୁ ଭୁଲ୍‍ ବୁଝି ନାହିଁ, ତାଙ୍କୁ ଏତେ ବର୍ଷ ପରେ ବି ମନେ ରଖିଛି । ତାଙ୍କୁ ଏବେବି ତାର ହୃଦୟରେ ସାଇତି ରଖିଛି । ସେଥିପାଇଁ ସେ ମିନତୀ ପ୍ରତି ତାଙ୍କ ପ୍ରେମର କୃତଜ୍ଞତା ଜ୍ଞାପନ କରୁଥିଲେ ।


ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,୭୦ଏ, ବିଜେବି ନଗର, ଭୁବନେଶ୍ୱର-୧୪, ମୋ-୯୮୬୧୩୫୧୪୩୬ 

RELATED BY

  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...
  • ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

    Share this: ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ ।...
  • ପ୍ରତାରଣା ଏକ ପ୍ରେମର

    Share this:ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର...
  • ପ୍ରତୀକ୍ଷା-ଏକ ମିଳନର

    Share this:ମନୁଷ୍ୟ ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା ତାର ଜୀବନକୁ ଓଲଟପାଲଟ କରି ଦେଇଥାଏ । ମନର ସୁଖ ହରାଇସାରିବା ପରେ ପୁଣି ଏକ ସୁଖ ନେପଥ୍ୟରେ ତା’ପାଇଁ ଅପେକ୍ଷା କରିଥାଏ ତାର ଦୁଃଖପୂର୍ଣ୍ଣ ହୃଦୟକୁ ରୋମାଞ୍ଚକର...