ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାନଗଲେ ୧୨ ଅକ୍ଟୋବରରେ ନବୀନ ନିବାସ ଘେରାଉ

ଡି.ଇଏଲ୍‌.ଇଡି ପରୀକ୍ଷାର୍ଥୀଙ୍କୁ କରୋନା ଆକ୍ରାନ୍ତ କରାନଯାଉ

Share this:

ଭୁବନେଶ୍ୱର : ଅଖିଳଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶା ଡି.ଇଏଲ୍‌.ଇଡି. ଛାତ୍ରସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଶନିବାର ଦିନ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଅଦୂରଦର୍ଶୀ ଶ୍ରେଣୀଗୃହ ପରୀକ୍ଷା ପରିଚାଳନା ନିଷ୍ପତ୍ତିକୁ ଦୃଢ ଭାବେ ନିନ୍ଦା କରାଯାଇଛି । ଶୁକ୍ରବାର ଦିନ କେବଳ ଓଡ଼ିଶାରେ ତିନି ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡି.ଇଏଲ୍‌.ଇଡି. ଛାତ୍ରଛାତ୍ରୀଙ୍କ ପ୍ରଥମ ଓ ଶେଷ ବର୍ଷ ପରୀକ୍ଷା ବିଭିନ୍ନ କେନ୍ଦ୍ରରେ ଶ୍ରେଣୀଗୃହରେ ପରିଚାଳନା କରିବା ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କୁ କରୋନା କରାଳ ଗ୍ରାସରେ ଛାଡ଼ିଦେବା ପାଇଁ ଏକ ଦାୟିତ୍ୱହୀନ ନିଷ୍ପତ୍ତି ବୋଲି କୁହାଯାଇଛି । ପରୀକ୍ଷାର୍ଥୀମାନଙ୍କର ପରୀକ୍ଷାକେନ୍ଦ୍ର ୧୦୦ ରୁ ୧୫୦ କି.ମି. ଦୂରତାରେ ହୋଇଥିବା ବେଳେ ପରୀକ୍ଷାର୍ଥୀ ଓ ତାଙ୍କ ଅଭିଭାବକଙ୍କ ଯାତାୟତ ଓ ପରୀକ୍ଷା ପାଇଁ ୧୫ଦିନ ରହଣି, ପରୀକ୍ଷାର୍ଥୀ ଓ ତାଙ୍କ ପରିବାରବର୍ଗଙ୍କ କରୋନା ଟେଷ୍ଟିଙ୍ଗ୍ ବ୍ୟବସ୍ଥା ସମ୍ପର୍କରେ ସରକାର ଚିନ୍ତା ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏହା ଅନେକ ଛାତ୍ରଛାତ୍ରୀଙ୍କର ଜୀବନହାନୀ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ବି.ଇଡି. ଛାତ୍ରଛାତ୍ରୀଙ୍କ ପରୀକ୍ଷା କରୋନା ସଂକ୍ରମଣ ଭୟରେ ଅନଲାଇନ୍ ମାଧ୍ୟମରେ କରାଯାଇଥିବା ବେଳେ ଡି.ଇଏଲ୍‌.ଇଡି. ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଅଫ୍‌ଲାଇନ୍‌ରେ କରାଯିବା ସରକାରଙ୍କ କରୋନା ମହାମାରୀ ସମ୍ପ୍ରସାରଣ ଯୋଜନା ନୁହେଁତ ? ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ୧୩ ହଜାର ୫ଶହରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାନଗଲେ ୧୨ ଅକ୍ଟୋବରରେ ଏହି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଘେରାଓ କରିବା ପାଇଁ ଏ.ଆଇ.ଏସ୍‌.ଏଫ୍ ଏବଂ ନିଖିଳ ଓଡ଼ିଶା ଡି.ଇଏଲ୍‌.ଇଡି. ଛାତ୍ରସଂଘ ପକ୍ଷରୁ ମିଳିତ ଚେତାବନୀ ଦିଆଯାଇଛି । ଏହି ସମ୍ପର୍କରେ ଡି.ଇଏଲ୍‌.ଇଡି. ସଂସ୍ଥା ଓ ଶିକ୍ଷା ବିଭାଗ ଅବିଳମ୍ବେ ଛାତ୍ର ସମାଜ ହିତରେ ନିଷ୍ପତ୍ତି କରି ପରୀକ୍ଷାର୍ଥୀମାନଙ୍କର ଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେବେବୋଲି ଆଶାପୋଷଣ କରାଯାଇଛି ।

RELATED BY