ଶୁଭାରମ୍ଭ ହେଲା ମିସ୍‌କଲ୍ କାର୍ଯ୍ୟକ୍ରମ

ଚାଷୀ ଓ ଶ୍ରମିକ ବିରୋଧି ଆଇନ ବିରୁଦ୍ଧରେ ଆନ୍ଦୋଳନକୁ ଜୋରଦାର କରିବ କଂଗ୍ରେସ

Share this:

ବାଲେଶ୍ୱର :କେନ୍ଦ୍ର ବିଜେପି ସରକାରଙ୍କର ଚାଷ ଏବଂ ଚାଷୀ ବିରୋଧି ଆଇନ ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତି ନେଇଛି । ଏହି ଆନ୍ଦୋଳନରେ ସାଧାରଣ ଜନତାଙ୍କୁ ବିଶେଷ କରି ଚାଷୀମାନଙ୍କୁ ଅଧିକ ସଂଖ୍ୟାରେ ଯୋଡ଼ିବାକୁ ଏକ ଅଭିନବ ମିସ୍‌କଲ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବାଲେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ପୂର୍ବତନ ଏମ୍‌.ଏଲ.ଏ. ଶ୍ରୀ ଯୋଗ ନାରାୟଣ ଦାସ ଓ ଟାଉନ କଂଗ୍ରେସ ସଭାପତି ଶ୍ରୀ ପଦ୍ମଲୋଚନ ଲେଙ୍କାଙ୍କ ଉପସ୍ଥିତିରେ ଏହି ମିସ୍‌କଲ କାର୍ଯ୍ୟକ୍ରମର ପୋଷ୍ଟରକୁ ଉନ୍ମୋଚନ କରିଛନ୍ତି । ଏହା ମାଧ୍ୟମରେ ଯେଉଁମାନେ ଏହି ଆନ୍ଦୋଳନ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି ସେମାନେ ୭୪୦୬୩୪୩୩୩୦ ନମ୍ବରରେ ମିସ୍ କଲ କଲେ ତାଙ୍କ ପାଖକୁ ପିସିସି ପକ୍ଷରୁ ମେସେଜ୍ ଯିବା ସହିତ ସେମାନେ ଆନ୍ଦୋଳନରେ ସାମିଲ୍ ହୋଇପାରିବେ । ଏତଦ୍ ବ୍ୟତୀତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପରେ ଦସ୍ତଖତ ଅଭିଯାନ ମଧ୍ୟ ରାଜ୍ୟବ୍ୟାପି ଚାଲୁଛି ଯାହା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପର୍ଯ୍ୟନ୍ତ ଚାଲିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ରାଜ୍ୟ ବ୍ୟାପି ୧୦ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବାର ଆହ୍ୱାନ ଦିଆଯାଇଛି । ପ୍ରକାଶ ଥାଉକି କେନ୍ଦ୍ର ସରକାର ସଂସଦର ଚଳିତ ମୌସୁମୀ ଅଧିବେଶନ ରେ ୩ଟି ଚାଷୀ ବିରୋଧି ଆଇନକୁ ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ପଦଦଳିତ କରି ଏହାକୁ ପାରିତ କରିଛନ୍ତି । ଏହି ଆଇନ ଦ୍ୱାରା ଚାଷୀ ଏବଂ ଚାଷର ଭାଗ୍ୟ ପୁଞ୍ଜିପତି ଏବଂ କର୍ପୋରେଟ ହାଉସ ହାତକୁ ଚାଲିଯିବ । ଛୋଟ, ନାମମାତ୍ର, ମଧ୍ୟମବର୍ଗ ଏବଂ ଭାଗଚାଷୀ ମାନେ ଏହାଦ୍ୱାରା ଗଭୀର ସଂକଟ ଭିତରକୁ ଠେଲି ହୋଇଯିବେ । ଚାଷୀର ଫସଲ ଉତ୍ପାନଠୁ ଆରମ୍ଭ କରି ତା’ର ବିକ୍ରିବଟା ଦେଶର ବଡ଼ ବଡ଼ ପୁଞ୍ଜିପତି ମାନଙ୍କ ନିୟନ୍ତ୍ରଣକୁ ଚାଲିଯିବ । ମଣ୍ଡି ବା ସମବାୟ ସମିତି ମାଧ୍ୟମରେ ଚାଷୀମାନେ ଯେଉଁଭଳି ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରୁଥିଲେ ତାହା କ୍ରମଶଃ ବନ୍ଦ ହୋଇଯିବ । ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌.ଏସ୍‌.ପି. କଂଗ୍ରେସ ସରକାର ପ୍ରଚଳନ କରିଥିଲା । ଯାହାଦ୍ୱାରା ଛୋଟ ଚାଷୀମାନେ ବହୁଳ ଭାବରେ ଉପକୃତ ହେଉଥିଲେ । ଏହି ନୂଆ ଆଇନ ତାଙ୍କୁ ଉଚ୍ଛେଦ କରିବାର ଏକ ଷଡ଼ଯନ୍ତ୍ର । ଚାଉଳ, ଡାଲି, ତେଲ, ଆଳୁ, ପିଆଜ ଇତ୍ୟାଦିକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଭାବରେ ଆଉ ବିଚାର କରାଯିବ ନାହିଁ । ଏହା ଫଳରେ ଉଭୟ ଚାଷୀ ଏବଂ ଖାଉଟି ପ୍ରଭାବିତ ହେବେ ଏବଂ ଏସବୁର ମୂଲ୍ୟ ଆକାଶ ଛୁଆଁ ହେବ । ଏହି କଳା ଆଇନ ବିରୁଦ୍ଧରେ ଦେଶର ୨୫୦ଟି ଚାଷୀ ସଂଗଠନ ଜୋରଦାର ଆନ୍ଦୋଳନ ଆରମ୍ଭ କରିଛନ୍ତି ଏବଂ କଂଗ୍ରେସ ଦଳ ମଧ୍ୟ ଏହା ବିରୁଦ୍ଧରେ ଦେଶବ୍ୟାପି ଆନ୍ଦୋଳନର ଡାକରା ଦେଇଛି ।  ଅନୁରୂପ ଭାବରେ ଶ୍ରମ ଆଇନର ସଂସ୍କାର ନାମରେ ପୂର୍ବର ଶ୍ରମ ଆଇନ ଗୁଡ଼ିକୁ ଉଚ୍ଛେଦ କରାଯାଇ ଲେବର କୋର୍ଡ ବିଜେପି ସରକାର ପ୍ରଚଳନ କରୁଛନ୍ତି ଯାହା ଶ୍ରମିକ ବିରୋଧି । ଶ୍ରମିକ ମାନଙ୍କର ସର୍ବନିମ୍ନ ଅଧିକାର ସବୁକୁ ଏହା କ୍ଷୂର୍ଣ୍ଣ କରିବ ଏବଂ ପୁଞ୍ଜିପତିମାନଙ୍କୁ ସୁହାଇବ । ତେଣୁ ତା’ ବିରୁଦ୍ଧରେ ମଧ୍ୟ ଆନ୍ଦୋଳନକୁ ତୀବ୍ର କରିବାପାଇଁ କଂଗ୍ରେସ ଡାକରା ଦେଇଛି ।  ଶନିବାର ଦିନ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ପ୍ରରିପ୍ରେକ୍ଷୀରେ ବାଲେଶ୍ୱର ଠାରେ ରାଜ୍ୟସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହେବାପରେ କଂଗ୍ରେସର ରବିବାର ଦିନ କାର୍ଯ୍ୟକ୍ରମକୁ ଏହି ଆନ୍ଦୋଳନକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟ ମୁଖ ପାତ୍ର ଶ୍ରୀ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି । ସବୁଠୁ ପରିତାପର ବିଷୟ ହେଉଛି ଯେ ଓଡ଼ିଶାର ବିଜେଡ଼ି ସରକାର କେନ୍ଦ୍ରର ବିଜେପି ସରକାରଙ୍କ ଏହି ଜନବିରୋଧୀ ଓ କୃଷକ ବିରୋଧି ତିନୋଟି ଆଇନ ପାସ କଲାବେଳେ ତାକୁ ସମର୍ଥନ କରିବା ବିଜେଡ଼ିର ଦୋମୁହଁ ନୀତି ଏବଂ ଅସଲ ଚେହେରାକୁ ପଦାରେ ପକାଇଛି । ଲୋକସଭାରେ ଏହି ଆଇନକୁ ସମର୍ଥନ କଲାବେଳେ ରାଜ୍ୟସଭାରେ ଏହାକୁ ବିରୋଧ କରିବା ଚାଷୀକୂଳକୁ ପ୍ରତାରଣା ଏବଂ ବିଜେଡ଼ିର “ସମଦୂରତ୍ଵ ଥିଓରୀ”ର ଏକ ପ୍ରହସନ ବୋଲି ଶ୍ରୀ ଦାସ ଆକ୍ଷେପ କରିଛନ୍ତି । ବାସ୍ତବରେ ୨୦୧୯ ନିର୍ବାଚନ ପରଠୁ ବିଜେଡ଼ି ଏବଂ ବିଜେପି ଆଉ ପରସ୍ପର ବିରୋଧି ହୋଇ ରହି ନାହାଁନ୍ତି । ବରଂ ପରସ୍ପରର ପରିପୁରକ ହୋଇ ଯାଇଛନ୍ତି ଏବଂ ସେମାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ । ସେମାନେ ଏକ ଏବଂ ଅଭିନ୍ନ ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି ।

RELATED BY