ସିଏଜି ରିପୋର୍ଟ ରାଜ୍ୟସରକାରଙ୍କ ଅସଲ ମୁଖା ଖୋଲିଦେଇଛି

କୋଟି କୋଟି ଟଙ୍କାର ସରକାରୀ ପାଣ୍ଠିକୁ ଚୋରି ଏବଂ ତୋଷାରପାତ କରି ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ଆତ୍ମସାତ୍ କରିଛନ୍ତି ରାଜ୍ୟସରକାର

Share this:

ଭୁବନେଶ୍ୱର : ରାଜ୍ୟସରକାର ବିଭିନ୍ନ ବିଭାଗର ଅର୍ଥକୁ ହେରଫେର କରିଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ ୨୦୧୬-୧୭ ଏବଂ ୨୦୧୮- ୧୯ରେ ୪୫,୩୪୦ କୋଟି ଟଙ୍କାର ୨୯,୧୩୮ କୋଟି ଟଙ୍କାର ୟୁସି ବାକି ପଡିଛି । ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ଅଡିଟ ବେଳେ ସିଏଜି ୯୬୪ କୋଟି ୩୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଚୋରି, ତୋଷାରପାତ, ଅପବ୍ୟବହାର ଭଳି ଗୁରୁତର ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି । ସିଏଜି ରିପୋର୍ଟ ରାଜ୍ୟସରକାରଙ୍କ ଅସଲ ମୁଖା ଖୋଲିଦେଇଛି । ବିଭିନ୍ନ ଅନିୟମିତତା ସଂପର୍କରେ ସିଏଜି ରାଜ୍ୟସରକାରଙ୍କୁ ଜବାବ ମାଗିଥିଲେ ମଧ୍ୟ ସରକାର କୌଣସି ଉତର ରଖିନଥିଲେ । ଏପରିକି ରେଗୁଲେସନ୍ ଅନ୍‌ ଅଡିଟ୍ ଆଣ୍ଡ ଆକାଉଂଟସ୍‌-୨୦୦୭କୁ ମଧ୍ୟ ରାଜ୍ୟସରକାର ଗୁରୁତ୍ୱ ଦେଇନଥିଲେ । ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ରାଜ୍ୟସରକାର ଆତ୍ମସାତ୍ କରି ଚାଲିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜସ୍ୱ ବିପର୍ଯ୍ୟୟ ବିଭାଗରେ ସର୍ବାଧିକ ୨୪୪.୮୩ କୋଟି, ଗ୍ରାମଉନ୍ନୟନରେ ୧୧୫.୮୬ କୋଟି, ପଞ୍ଚାୟତିରାଜରେ ୧୬୦.୯୫ କୋଟି, ନଗର ଉନ୍ନୟନ ବିଭାଗର ୭୯.୮୬ କୋଟି, ଗୃହ ବିଭାଗର ୮୬.୦୭ କୋଟି ଟଙ୍କାର ହିସାବ ରାଜ୍ୟସରକାର ଦେଇନାହାଁନ୍ତି । ୨୦୧୭ ଫେବୃଆରୀରୁ ୨୦୧୮ ଜୁଲାଇ ମଧ୍ୟରେ ହୋଇଥିବା ଅଡିଟ୍ ବେଳେ ୭ଟି ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଦ୍ୱାରା ଖର୍ଚ୍ଚ ହୋଇଥିବା ୧୭.୦୩ କୋଟି ଟଙ୍କାର ଭାଉଚର ଉପଲବ୍ଧ କରାଯାଇପାରିନଥିଲା । କେବଳ ସେତିକି ନୁହେଁ ଗରିବ ଲୋକଙ୍କୁ ବାର୍ଦ୍ଧକ୍ୟ ଭତା ବଣ୍ଟନ ଆଳରେ ଅନେକ ଅର୍ଥ ଆତ୍ମସାତ କରାଯାଇଛି । ପରୀକ୍ଷାମୂଳକଭାବେ ୯ଟି ପଞ୍ଚାୟତ ସମିତିରେ ମଧୁବାବୁ ପେନସନ ଯୋଜନାରେ ୭୨ଟି ଗାଁର ୧୫୦ଜଣ ମୃତ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତାକୁ ଆତ୍ମସାତ୍ କରାଯାଇଛି । ଏନେଇ ୨୦୧୮ ଜୁନ୍ ଓ ସେପ୍ଟେମ୍ବର ମାସରେ ପଞ୍ଚାୟତରାଜ ସଚିବଙ୍କୁ ଜବାବ ମଗାଯାଇଥିଲେ ମଧ୍ୟ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ଉତର ମିଳିନିଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଭଦ୍ରକ, ବୋଲଗଡ, ଚିଲିକା, କୁଆଁରମୁଣ୍ଡା, କୁଜଙ୍ଗ, ସୁନ୍ଦରଗଡର ନୂଆଗାଁ, ଓଡଗାଁ, ପାଟଣାଗଡ ଓ ସାନଖେମୁଣ୍ଡି ବ୍ଲକର ୧୯ଟି ପଞ୍ଚାୟତର ୧୫୪୯୭ ଜଣ ହିତାଧିକାରୀଙ୍କ ରେକର୍ଡକୁ ଯାଞ୍ଚ ବେଳେ ୭୨ଟି ଗାଁର ୧୫୦ ଜଣ ମୃତ ହିତାଧିକାରୀଙ୍କ ଭତାବାବଦ ୨.୭୯ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡିଛି । ହିତାଧିକାରୀଙ୍କ ମୃତ୍ୟୁ ପରେ ବିତରଣ ଅଧିକାରୀମାନେ ବିତରଣ ପୁସ୍ତିକାରେ ଅନ୍ୟ ଲୋକଙ୍କ ଆଙ୍ଗୁଠି ଛାପ ନେଇ ଭତା ବଣ୍ଟନ କରୁଛନ୍ତି । ଏଥିରୁ ରାଜ୍ୟସରକାର ଏବଂ ତାଙ୍କ ଅଧିକାରୀମାନଙ୍କର ଦୁର୍ନୀତି ଲୋକଲୋଚନକୁ ଆସିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗରେ ଆବଣ୍ଟନ ନିୟନ୍ତ୍ରଣ ବ୍ୟାଙ୍କ ଖାତା ସହ କ୍ୟାସ ବହିର ମେଳ ନହେବା ଫଳରେ ୧ କୋଟି ୩ ଲକ୍ଷ ଟଙ୍କା ଆତ୍ମସାତ ହୋଇଛି । ଜମି ଉପଲବ୍ଧତାକୁ ସୁନିଶ୍ଚିତ ନକରି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ହେବା ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ କୋଟି ୩୧ଲକ୍ଷ ଟଙ୍କା ଅଯଥାରେ ବ୍ୟୟ ହୋଇଛି । ସେହିପରି ମଦ ଲାଇସେନ୍ସ ବାବଦରେ ଲାଇସେନ୍ସଧାରୀଙ୍କଠାରୁ ୧୦.୨୩ କୋଟିର ଅବକାରୀ ଶୁକ୍ଲ ଆଦାୟ କରାଯାଇନାହିଁ । ନୂଆପଡା ଜିଲ୍ଲାର ରେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଶି ୩ ଲକ୍ଷ ଟଙ୍କାର ଭତା ଟଙ୍କା ହେରଫେର କରିଛନ୍ତି । ନୂଆପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ କିରାଣୀ ଓ ପିଅନ ୭ଟି ବ୍ୟାଙ୍କ ଖାତାରୁ ଏକ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜଳସଂପଦ ବିଭାଗରେ ଜଳର ଉପଲବ୍ଧତା ସୁନିଶ୍ଚିତ ନକରି ପ୍ରକଳ୍ପ କାର୍ଯ୍ୟ ସଂପାଦନ କରାଯିବା ଫଳରେ ୩୩.୨୨ କୋଟିର ବ୍ୟୟ ନିଷ୍ଫଳ ହୋଇଛି । ଏହା ସହ ଅତିରିକ୍ତ ସିମେଣ୍ଟ କଂକ୍ରିଟର ବ୍ୟବସ୍ଥା ଯୋଗୁଁ ପରିହାର୍ଯ୍ୟ ବ୍ୟୟ ୧୫.୫୨ କୋଟି ହୋଇଛି । ଯେଉଁ ସିମେଣ୍ଟ ବ୍ୟବହାର ହେବା କଥା ତାହା ନହୋଇ ନିମ୍ନମାନର ସିମେଣ୍ଟ ବ୍ୟବହାର ହେବା ଫଳରେ ସାଢେ ୧୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ମୂଲ୍ୟାଙ୍କନ ଏବଂ ସ୍ୱଳ୍ପ ଶୁକ୍ଲ ହେତୁ ରାଜ୍ୟସରକାର ୭୯୫ କୋଟି ଟଙ୍କାର ରାଜସ୍ୱ ହାନୀ କରିଛନ୍ତି ।   ୨୭୫.୨୭ କୋଟି ବ୍ୟୟ ନକରି ମଧ୍ୟ ରାଜ୍ୟସରକାର ବିନିଯୋଗ ପ୍ରମାଣପତ୍ର କେନ୍ଦ୍ରସରକାରଙ୍କୁ ଦେଇ ବେଆଇନ କାର୍ଯ୍ୟପନ୍ଥାକୁ ଆପଣାଇଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । କୋଇଲା ଦେୟ ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ୧୧୨.୨୬ କୋଟିର କ୍ଷତି ହୋଇଛି । ପଣ୍ୟ ବହି ଏବଂ ଚୁକ୍ତିଭିତିକ ଯାନ କର ଏବଂ ଅତିରିକ୍ତ କର ବାବଦକୁ ୨୬ କୋଟି ୭୪ ଲକ୍ଷ ଏବଂ ଜରିମନା ବାବଦକୁ ୫୩ କୋଟି ୪୮ଲକ୍ଷ ଆଦାୟ ହୋଇନାହିଁ । ଘରୋଇ ସେବାଯାନ ଏବଂ ଶିକ୍ଷାନୁଷ୍ଠାନ ବସ୍ ଠାରୁ କର ବାବଦକୁ ୪ କୋଟି ଏବଂ ଜରିମନା ବାବଦକୁ ୮ କୋଟି ଟଙ୍କା ଆଦାୟ ହୋଇନି । ମହୁଲଫୁଲର ଅଭାବୀବିକ୍ରି ପାଇଁ ମହୁଲ ଫୁଲ ସଂଗ୍ରହକାରୀମାନେ ୬୦ କୋଟି ୬୩ଲକ୍ଷ ହରାଇଛନ୍ତି । ପ୍ରାମାଣିକ ବାର୍ଷିକ ସମୀକ୍ଷା ରିପୋର୍ଟ ଦାଖଲ ନକରିବାରୁ ବ୍ୟବସାୟୀଙ୍କ ବିରୁଦ୍ଧରେ ହୋଇଥିବା ୫ କୋଟି ଟଙ୍କାର ଜରିମନା ଆଦାୟ ହୋଇନାହିଁ କି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ୨୦୧୭-୧୮ ବର୍ଷରେ ରାଜ୍ୟସରକାର ୩୬,୨୮୧.୭୯କୋଟି ଟଙ୍କା ସଂଗୃହିତ ରାଜସ୍ୱରୁ ୪୮,୮୯୨ କୋଟି କେନ୍ଦ୍ର ସରକାରଙ୍କ ଠାରୁ ପ୍ରାପ୍ତ କରିଛନ୍ତି ଅର୍ଥାତ ଏହି ବର୍ଷରେ ରାଜ୍ୟସରକାରଙ୍କ ମୋଟ ରାଜସ୍ୱ ପ୍ରାପ୍ତି ୮୫,୧୭୩.୭୯ କୋଟି ଟଙ୍କା । ମୋଟ ରାଜସ୍ୱର ରାଜ୍ୟସରକାରଙ୍କ ଭାଗ ୪୨.୬୦ ହୋଇଥିବାବେଳେ କେନ୍ଦ୍ରସରକାରଙ୍କ ଭାଗ ୫୭.୪୦ ପ୍ରତିଶତ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

RELATED BY