୭ଟି ବିଭାଗରେ ନିଯୁକ୍ତି ପାଇଲେ ୪୬୨୩
୨୨ ମାସରେ ୪୪,୦୮୨ ସରକାରୀ ନିଯୁକ୍ତି, ବେସରକାରୀ କ୍ଷେତ୍ରରେ ୯୨,୦୦୦ ନିଯୁକ୍ତି
କାର୍ଯ୍ୟ ସମ୍ପାଦନରେ ବୈଚାରିକ ମତ ପ୍ରତିବନ୍ଧକ ନ ହେଉ, ସରକାରଙ୍କ ଆଭିମୁଖ୍ୟ ହିସାବରେ କାମ କର
ସରକାରୀ ଚାକିରୀ ଜୀବିକା ନୁହେଁ, ଜନସେବାର ପାଇଁ ଅନନ୍ୟ ସୁଯୋଗ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସରକାରୀ ଚାକିରୀ କେବଳ ଏକ ଜୀବିକା ନୁହେଁ, ଜନସାଧାରଣଙ୍କ ସେବା କରିବା ପାଇଁ ଏକ ଅନନ୍ୟ ସୁଯୋଗ ବୋଲି ଆଜି ୧୫ ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଆୟୋଜିତ ୧୫ତମ ନିଯୁକ୍ତିମେଳା ଅବସରରେ ୭ଟି ବିଭାଗର ସମୁଦାୟ ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୧୩ ଜଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୫୪ ଜଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗରେ ୧୪୩ ଜଣ, ଇସ୍ପାତ ଓ ଖଣି ବିଭାଗରେ ୭୭ ଜଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗରେ ୭୦ ଜଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୫୨ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗରେ ୧୪ ଜଣ ନିଯୁକ୍ତି ପତ୍ର ପାଇଛନ୍ତି ।
ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଉଛନ୍ତି, ସରକାରଙ୍କ ପ୍ରକୃତ ଚେହେରା । ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି, ଅନ୍ତିମ ଶ୍ରେଣୀରେ ଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ପହଞ୍ଚାଇବା । ବର୍ତ୍ତମାନ ସାଧାରଣ ଲୋକ ଅନୁଭବ କରୁଛନ୍ତି, ଏ ସରକାର ହେଉଛି ପ୍ରକୃତରେ ଲୋକଙ୍କ ସରକାର । ଏହି ଭାବନାକୁ ଆପଣମାନେ ଆଗେଇନେଲେ, ସରକାରୀ ଚାକିରୀ’ର ମର୍ଯ୍ୟାଦା ରହିବ ଏବଂ ଆପଣମାନେ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବେ ବୋଲି ସେ କହିଥିଲେ ।
ରାଜ୍ୟରେ ଯୁବବର୍ଗଙ୍କ ନିଯୁକ୍ତି ସମ୍ୱନ୍ଧରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ଚାକିରୀରେ ୪୪,୦୮୨ ଓ ବେସରକାରୀ କ୍ଷେତ୍ରରେ ୯୨,୦୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ।
ନବନିଯୁକ୍ତମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ପୂର୍ଣ୍ଣ ଦକ୍ଷତା ଓ କର୍ତ୍ତବ୍ୟବୋଧ, ସମର୍ପଣ ଓ ସ୍ୱଚ୍ଛତାର ସହିତ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କର୍ମକ୍ଷେତ୍ରରେ ପାଳନ କରିବା ପାଇଁ ୫ଟି ପରାମର୍ଶ ଦେଇଥିଲେ ।
୧- ଦୁର୍ନୀତିରୁ ସବୁବେଳେ ଦୂରେଇ ରୁହନ୍ତୁ, ଦୁର୍ନୀତି ବିରୁଦ୍ଧରେ ସରକାର ଶୂନ୍ୟସହନଶୀଳତା ଅବଲମ୍ୱନ କରୁଛନ୍ତି ।
୨- ଗଣତନ୍ତ୍ରରେ ଜନତା ହେଉଛନ୍ତି ଭଗବାନ ଓ ଜନତାଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର । ତେଣୁ ସହୃଦୟତାର ସହିତ ନିଜ ନିଜ ସ୍ତରରେ ଜନତାଙ୍କ କଥା ଶୁଣିବେ ଓ ତା’ର ସମାଧାନ କରିବାକୁ ଚେଷ୍ଟା କରିବେ ।
୩- କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ବୈଚାରିକ ମତ ପ୍ରତିବନ୍ଧକ ହେବା ଉଚିତ ନୁହେଁ । ସରକାରଙ୍କ ଆଭିମୁଖ୍ୟ ହିସାବରେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ।
୪- ସମୟାନୁବର୍ତ୍ତିତା- ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସମ୍ପାଦନ କରିବେ ।
୫- କାର୍ଯ୍ୟକ୍ଷେତ୍ରରେ ଭଦ୍ର ଓ ଶାଳୀନତା ସହିତ ବାର୍ତ୍ତାଳାପ ଓ ବ୍ୟବହାର ପ୍ରଦର୍ଶନ କରିବେ । ନଚେତ୍ ନିଜେ ବଦନାମ୍ ହେବା ସହିତ ସରକାର ବଦନାମ୍ ହେବାର ଆଶଙ୍କା ରହିଛି ।
ଶେଷରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଓ ମହିଳା ମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାରକୁ ନିଜ କାର୍ଯ୍ୟଶୈଳୀର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିବାକୁ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଓ ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ନବନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ମିଳୁଛି । ଜନସେବାକୁ ସର୍ବୋଚ୍ଚ ବୃତ୍ତି ଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ ।
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଓ MSME ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଆପଣମାନଙ୍କ ଏହି ନିଯୁକ୍ତି କେବଳ ଏକ ପଦବୀ ନୁହେଁ, ଏହା ଜନସେବା ପାଇଁ ଆପଣମାନଙ୍କ ଦାୟିତ୍ୱ । ଆଜିଠୁ ଆପଣମାନଙ୍କ ଦାୟିତ୍ୱବୋଧ, ଆପଣମାନଙ୍କ ପାଇଁ ନୂଆ ପରିଚୟ ସୃଷ୍ଟି କରିବ ।
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ, ଏହି ନିଯୁକ୍ତି ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ସେବା କରିବାର ଦାୟିତ୍ୱ ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ରାଜ୍ୟରେ କ୍ରମାଗତ ଭାବରେ ନିଯୁକ୍ତି ମେଳା ଆୟୋଜନ ହୋଇ ଚାଲିଛି । ଏହି ନିଯୁକ୍ତି ସରକାରଙ୍କ ଶକ୍ତି ଓ ସାମର୍ଥ୍ୟକୁ ବୃଦ୍ଧି କରୁଛି ।
କାର୍ଯ୍ୟକ୍ରମରେ MSME ବିଭାଗରେ ନିଯୁକ୍ତି ପାଇଥିବା ଦୃଷ୍ଟିବାଧିତ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ପାଢ଼ୀ, ଜଙ୍ଗଲ ବିଭାଗରେ ACF ଭାବେ ନିଯୁକ୍ତି ପାଇଥିବା ଅଭିଶେକ ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ TGT ଭାବେ ନିଯୁକ୍ତି ପାଇଥିବା ଅଞ୍ଜଳୀ ମୁଣ୍ଡା ଓ ଇସ୍ପାତ ଓ ଖଣି ବିଭାଗରେ ଖଣି ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ତପସ୍ୱିନୀ ପ୍ରିୟଦର୍ଶିନୀ ପ୍ରମୁଖ ସ୍ୱଚ୍ଛ ଓ ପାରଦର୍ଶୀ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ରାଜ୍ୟରେ ଯୁବବର୍ଗଙ୍କୁ ସରକାରୀ ନିଯୁକ୍ତି ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ. ଏନ୍. ତିରୁମାଳା ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ MSME ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।