୨୬ ନଭେମ୍ବର ଦେଶବ୍ୟାପୀ ଧର୍ମଘଟ

ଗୁରୁବାର ଦିନ

Share this:

ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ‘ଦେଶଦ୍ରୋହୀ’ ଆଖ୍ୟା ଦିଆଯାଉଛି । ସାରା ବିଶ୍ୱରେ ଓ ଆମ ଦେଶରେ କୋଭିଡ-୧୯ ମହାମାରୀ ଦେଖାଦେଲା ପରେ ଏହି ଆକ୍ରମଣ ଅତ୍ୟନ୍ତ ନଗ୍ନରୂପ ନେଇଛି । ଏହି ମହାମାରୀକୁ ରୋକିବାରେ ଓ ଜନଗଣଙ୍କର ମୂଲ୍ୟବାନ ଜୀବନକୁ ରକ୍ଷା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ପରିସ୍ଥିତିକୁ ଏକ ଅପୂର୍ବ ସୁଯୋଗ ମନେକରି ଜନଗଣଙ୍କ ଅର୍ଜ୍ଜିତ ଅଧିକାର ଓ ସୁବିଧା ସୁଯୋଗ ଗୁଡିକୁ ଛଡେଇ ନେବାକୁ ବସିଛନ୍ତି । ଶ୍ରମିକ ମାନଙ୍କର ବହୁ ସଂଗ୍ରାମ ଲବ୍ଧ ୪୪ଟି ଶ୍ରମ ଆଇନ ମଧ୍ୟରୁ ୨୯ଟି ଶ୍ରମ ଆଇନ୍‌କୁ ବାତିଲକରି ଓ ବଦଳାଇ ଦେଇ ଜୋର ଜବରଦସ୍ତ ୪ଟି ଶ୍ରମ ସଂହିତା (କୋଡ଼) ଲାଗୁ କରିଛନ୍ତି । ଏହାଛଡା ବାକି ୧୫ଟି ଶ୍ରମ ଆଇନକୁ ସଂପୂର୍ଣ୍ଣ ଉଚ୍ଛେଦ କରିଛନ୍ତି । ଏହା ଫଳରେ ଶ୍ରମିକମାନେ ସଂଗଠନ କରିବା, ଧର୍ମଘଟ କରିବା ଅଧିକାର ହରାଇ ବସି ବସ୍ତୁତଃ କ୍ରୀତଦାସରେ ପରିଣତ ହେବେ । ଶ୍ରମ ଆଇନର ପରିବର୍ତ୍ତନ ଫଳରେ ଦେଶର ୭୪% ଶିଳ୍ପଶ୍ରମିକ ଓ ୭୦% ଶିଳ୍ପ ସଂସ୍ଥା ଶ୍ରମିକ ଶ୍ରମଆଇନ ପରିସର ବାହାରକୁ ଚାଲିଯିବେ । ଏପରିକି ପ୍ରବାସୀ ଶ୍ରମିକମାନେ ମଧ୍ୟ ନିଜ ଅଧିକାର ହରାଇ ବସିବେ । ସରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ ସମେତ ୩ଟି କୃଷି ସଂପର୍କୀତ ଆଇନ ଅସାମ୍ବିଧାନିକଭାବେ ଓ ଜୋରଜବରଦସ୍ତ ପାଶ୍‌ କରାଇଛନ୍ତି । ଏସବୁ ଫଳରେ ଚାଷୀ ସର୍ବସ୍ୱାନ୍ତ ହେବା ସହ ଜମି ହରାଇବ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବ ନାହିଁ ଓ ଦେଶର ଖାଦ୍ୟ ନିରାପତ୍ତା ପ୍ରତି ବିପଦ ଦେଖାଦେବ । ସୁବିଧାରେ ବ୍ୟବସାୟ କରିବା (ଇଜ୍ ଅଫ୍ ଡୁଇଂ ବିଜନେସ୍‌) ନାମରେ ଶ୍ରମିକ, କୃଷକ, କ୍ଷେତମଜଦୁର ମାନଙ୍କ ତଣ୍ଟି କାଟି ଦେଶୀ ବିଦେଶୀ କର୍ପୋରେଟ୍ ସଂସ୍ଥା ମାନଙ୍କ ମୁନାଫା ବୃଦ୍ଧି ପାଇଁ ଏସବୁ ଉଦ୍ଦିଷ୍ଟ । ବର୍ଷକୁ ୨ କୋଟି ବେକାର ଯୁବକଙ୍କୁ ନିଯୁକ୍ତି ଦେବାର ପ୍ରହେଳିକା ଦେଖାଇ ନୂତନ ନିଯୁକ୍ତି ବସ୍ତୁତଃ ବନ୍ଦ କରିଦେଇଛନ୍ତି । ଏଥି ସାଙ୍ଗକୁ ଏହି କୋଭିଡ୍ ସମୟରେ ୧୫ କୋଟି ଶ୍ରମିକ ନିଯୁକ୍ତି ହରାଇଛନ୍ତି । ବେକାର ସମସ୍ୟା ଅତି ଉତ୍କଟ ହୋଇଛି । ଶ୍ରମଜୀବି ଜନଗଣଙ୍କ କ୍ରୟ ଶକ୍ତି ବୃଦ୍ଧି କରି ଦେଶର ଅର୍ଥନୀତିରେ ସୁଧାର ଆଣିବା ପରିବର୍ତ୍ତେ ବୃହତ୍ ଦେଶୀ ବିଦେଶୀ ପୁଞ୍ଜିପତି, କର୍ପୋରେଟ୍ ସଂସ୍ଥା ମାନଙ୍କ ମୁନାଫା ପାଇଁ ୩ଟି କିସ୍ତିରେ ୨୯ ଲକ୍ଷରୁ ଉର୍ଦ୍ଧ୍ୱ ପୁଞ୍ଜିର ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନ ଦେଶର ଅର୍ଥନୀତି ଅତ୍ୟନ୍ତ ଶୋଚନୀୟ । ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଆକାଶ ଛୁଆଁ । ସରକାର ‘ଅତ୍ମନିର୍ଭରଶୀଳ’ ସ୍ଲୋଗାନ ଦେଇ ‘ଆତ୍ମ ବିନାଶର’ ରାସ୍ତା ଧରିଛନ୍ତି । ରେଳବାଇ, ବିମାନବନ୍ଦର, ବନ୍ଦର, କୋଇଲା, ଶକ୍ତି, ତୈଳ ଓ ବାଷ୍ପ, ବ୍ୟାଙ୍କ ଓ ବୀମା ଭଳି ଆର୍ଥୀକ କ୍ଷେତ୍ର, ପ୍ରତିରକ୍ଷା ଓ ଲାଭଜନକ ସରକାରୀ ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡିକ ବାଲି ଗୋଡି ମୂଲ୍ୟରେ କର୍ପୋରେଟ୍ ସଂସ୍ଥା ମାନଙ୍କୁ ଟେକି ଦେଉଛନ୍ତି । କେନ୍ଦ୍ର ସରକାରୀ ସଂସ୍ଥା ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକରେ ଶ୍ରମିକ କର୍ମଚାରୀ ମାନଙ୍କୁ ଅବସର ବୟସ ଯଥେଷ୍ଟ ପୂର୍ବରୁ ବିଦା କରିଦେବା ପାଇଁ ଘୃଣ୍ୟ ସର୍କୁଲାର ଜାରି କରିଛନ୍ତି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡି.ଏ) ଓ ପେନସନର୍ସ ମାନଙ୍କ ମହଙ୍ଗା ସାହାଯ୍ୟ (ଡି.ଆର) ଦେଢ ବର୍ଷ ପାଇଁ ବନ୍ଦ କରି ଦେଇଛନ୍ତି । କୋଭିଡ ମୁକାବିଲା କ୍ଷେତ୍ରରେ କାମ କରୁଥିବା ସ୍କିମ୍ ଶ୍ରମିକମାନଙ୍କ ପାଇଁ କୈାଣସି ପ୍ରୋତ୍ସାହନ ରାଶି ନାହିଁ । ଆଶା, ଅଙ୍ଗନୱାଡି, ପାଚିକା ଓ ଗଣଶିକ୍ଷକ ଆଦି ସ୍କିମ୍ ଶ୍ରମିକ ମାନଙ୍କୁ ଶ୍ରମିକର ମର୍ଯ୍ୟାଦା ଦିଆଯାଉ ନାହିଁ । ନିର୍ମାଣ, ପରିବହନ ଆଦି ଶ୍ରମିକମାନେ ନାଯ୍ୟ ମଜୁରୀ ଓ ସୁବିଧା ସୁଯୋଗରୁ ବଞ୍ଚିତ । ଖାଦ୍ୟ ଗୋଦାମରେ କୋଟି କୋଟି ଟନ୍ ଖାଦ୍ୟଶସ୍ୟ ପଡି ସଢୁଥିବା ବେଳେ ଲୋକେ ଖାଇବାକୁ ନପାଇ ମୃତ୍ୟୁମୁଖରେ ପଡୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କର ଏଭଳି ଜନବିରୋଧୀ ନୀତିକୁ ଯେଉଁମାନେ ବିରୋଧ କଲେ ସେମାନଙ୍କ ବିରୁଦ୍ଧରେ ସି.ବି.ଆଇ, ଇ.ଡି, ଏନ.ଆଇ.ଏ ଓ ପୋଲିସକୁ ବ୍ୟବହାର କରାଯାଉଛି । ଧର୍ମ, ଜାତି ନାମରେ ଦେଶର ଜନଗଣଙ୍କୁ ଭାଗ ଭାଗ କରାଯାଉଛି । ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳା ମାନଙ୍କ ଉପରେ ଆକ୍ରମଣ ବଢି ଚାଲିଛି ।  ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ସ୍ତରରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ଯଥା – ଆଇ.ଏନ.ଟି.ୟୁ.ସି., ଏ.ଆଇ.ଟି.ୟୁ.ସି., ଏଚ.ଏମ.ଏସ୍‌., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଟି.ୟୁ.ସି.ସି., ସେୱା, ଏ.ଆଇ.ସି.ସି.ଟି.ୟୁ., ଏଲ.ପି.ଏଫ୍‌. ଓ ୟୁ.ଟି.ୟୁ.ସି. ତଥା ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର ସରକାରୀ କର୍ମଚାରୀ, ରେଳବାଇ, ପ୍ରତିରକ୍ଷା ଓ କୋଇଲା ଆଦି ସଂସ୍ଥାର ସ୍ୱାଧୀନ ଫେଡେରେସନ / ଆସୋସିଏସନ ମାନଙ୍କ ପକ୍ଷରୁ ଦାବି ଯଥା – ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ନଗଦ ଅର୍ଥ ପ୍ରଦାନ, ପ୍ରତ୍ୟେକ ଲୋକଙ୍କୁ ମାସିକ ୧୦ କି.ଗ୍ରା ଲେଖାଏଁ ଚାଉଳ/ଗହମ ପ୍ରଦାନ, ଏମ୍‌.ଜି.ଏନ୍‌.ଆର.ଇ.ଜି.ଏ. କାମ ପରିସର ବଢାଇ ପ୍ରତ୍ୟେକ ଗ୍ରାମାଞ୍ଚଳ ଶ୍ରମିକଙ୍କୁ ବର୍ଦ୍ଧିତ ମଜୁରୀରେ ବର୍ଷକୁ ୨୦୦ ଦିନ କାମ ଓ ସହରାଞ୍ଚଳ ପାଇଁ ଅନୁରୂପ ଯୋଜନା କରି ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ଓ ଚାଷୀ ବିରୋଧୀ ୩ଟି ଫାର୍ମ ଆଇନ ବାତିଲ, ରେଳବାଇ, କୋଇଲା, ପ୍ରତିରକ୍ଷା, ସମେତ ବ୍ୟାଙ୍କ, ବୀମା ଭଳି ଆର୍ଥୀକ କ୍ଷେତ୍ର, ତୈଳ ଓ ବାଷ୍ପ, ବନ୍ଦର ଆଦି ଲାଭଜନକ ରାଷ୍ଟ୍ରାୟତ୍ତ ଓ ସରକାରୀ ବିଭାଗ ଗୁଡିକର ବିକ୍ରୀ / ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କୁ ଚାକିରୀରୁ ନିକାଲି ଦେବା ପାଇଁ ଉଦ୍ଦିଷ୍ଟ ସର୍କୁଲାର ପ୍ରତ୍ୟାହାର, ସମସ୍ତଙ୍କୁ ପେନସନ୍‌, ଏନ୍‌.ପି.ଏସ. ବାତିଲ, ଇ.ପି.ଏସ୍‌-୯୫ରେ ଉନ୍ନତି ଆଦି ଦାବି ଗୁଡିକ ଉପରେ ଆଗାମୀ ତା୨୬.୧୧.୨୦୨୦ରିଖ ଦେଶବ୍ୟାପୀ ଧର୍ମଘଟ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହାଛଡା ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ନଭେମ୍ବର ୨୬ ଓ ୨୭ ତାରିଖର ଚକାବନ୍ଦ, ରାସ୍ତାରୋକ ଓ ଦିଲ୍ଲୀଚାଲ ଅଭିଯାନ ପାଇଁ କାର୍ଯ୍ୟକ୍ରମ ନିଆଯାଇଛି । ଏହି ଉଭୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ସମସ୍ତ ଶ୍ରମିକ, କର୍ମଚାରୀ, କୃଷକ, କ୍ଷେତମଜଦୁର ଓ ସେମାନଙ୍କ ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ଯୁବ, ଛାତ୍ର, ମହିଳା, ବୁଦ୍ଧିଜୀବି, ବ୍ୟବସାୟୀ ସଂଗଠନ ଓ ଜନସାଧାରଣଙ୍କୁ ନିବେଦନ କରୁଛୁ  ବୋଲି ବିଭିନ୍ନ ସଂଗଠନ ତରଫରୁ ନିବେଦନ କରାଯାଇଛି ।

RELATED BY