ବିଜେପି ସରକାରର ୬ବର୍ଷ ଶାସନରେ ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଓଡ଼ିଶାର ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ପରଖିବା ପାଇଁ ଦାବୀ କଲା ପିସିସି କିଷାନ କଂଗ୍ରେସ

Share this:

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ ଗତ ୬ ବର୍ଷ ମଧ୍ୟରେ ଓଡ଼ିଶା ଚାଷୀଙ୍କୁ ଯେଉଁ ୬୦ ହଜାର ୮୩୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ମନ୍ତ୍ରୀ ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହା ଜନମଙ୍ଗଳ ରାଷ୍ଟ୍ରରେ ଏହି ସରକାରଙ୍କର ବାହାବା ନେବାରେ ଆବଶ୍ୟକତା ନାହିଁ । ତଳ ସ୍ତରରୁ ଓଡ଼ିଶାର ଚାଷୀଙ୍କ ବାସ୍ତବ ସ୍ଥିତି ପରଖିବା ଏକାନ୍ତ ଜରୁରୀ । ଅନ୍ୟ ପକ୍ଷରେ ଦେଖିଲେ ଆତ୍ମଗାରିମା କରି କେବଳ ପ୍ରଚାର ଓ ପ୍ରସାର କଲେ ଚାଷୀର ବିକାଶ ହେବା ସମ୍ଭବ ନୁହେଁ ବୋଲି ମଙ୍ଗଳବାର ଦିନ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତତ୍‌କାଳୀନ ୟୁପିଏ ସରକାରଙ୍କ ସମୟରେ ଦେଶର ଅନ୍ନଦାତା ଋଣ ବୋଝରେ ଥିବା ୫ କୋଟି ଚାଷୀଙ୍କଠାରୁ ୭୨ହଜାର ୬୮୦ କୋଟି ଟଙ୍କା ଋଣ ଛାଡ଼ କରିଥିଲେ । ଏଥିରେ ଓଡ଼ିଶା ରାଜ୍ୟର ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ୨୬ ହଜାର କୋଟି ଟଙ୍କାର ସିଧାସଳଖ ଋଣ ବୋଝରୁ ମୁକ୍ତ ହୋଇଥିଲେ ଏବଂ ପ୍ରତି ପଞ୍ଚାୟତ ସ୍ତରରେ ଥିବା ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକର ଭିତିିଭୂମି ସୁଦୃଢ଼ୀକରଣ କରାଯାଇଥିଲା । ସେହିପରି ଜାତୀୟ ଉଦ୍ୟାନ କୃଷି ମିଶନ, ଖାଦ୍ୟ ନିରାପତ୍ତା ମିଶନଠାରୁ ଆରମ୍ଭ କରି ଅନେକଗୁଡ଼ିଏ କୃଷି କୃଷକର ବିକାଶ ପାଇଁ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ବିଶେଷ କରି ଚାଷୀକୁ ଅନ୍ୟପାଖରେ ହାତ ନ ପତାଇ କୃଷି ଭିତିଭୂମିକୁ ସୁଦୃଢ଼ୀକରଣ କରିବା ସହିତ ଚାଷୀକୁଳ କିପରି ସଶକ୍ତ ହେବେ ସେଥିପ୍ରତ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବର୍ତମାନ ସରକାର ସିଧାସଳଖ ଚାଷୀଙ୍କ କିଛି ଖାତାକୁ ଖାଲି ଟଙ୍କା ପଠାଇ ଦେଲେ ହେବ ନାହିଁ । ଚାଷୀ ପରିସଂଖ୍ୟାନରେ ସମସ୍ତ ଚାଷୀ କିପରି ଏହି ସୁବିଧା ପାଇବେ ଏଥିପ୍ରତିି ଗୁରୁତ୍ୱ ଦେବା ଜରୁରୀ ।  ଓଡ଼ିଶା ଚାଷୀଙ୍କଠାରୁ ଧାନ କିଣାରେ କେନ୍ଦ୍ର ସରକାର ଯେଉଁ ୫୩ହଜାର ୬୮୦ କୋଟି ୨୫ ଲକ୍ଷ ଟଙ୍କା ଯୋଗାଇଛନ୍ତି ଏହା ସମୁଦ୍ରକୁ ସଙ୍ଖେ । କାରଣ କେନ୍ଦ୍ର ଘୋଷିତ ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ପାଇ ପାରିଲେ ନାହିଁ । ଫଳରେ ଅଭାବୀ ବିକ୍ରିର ଶିକାର ହୋଇ ଧାନ କ୍ୱିଂଟାଲ ପିଚ୍ଛା ୧୨ଶହ ରୁ ୧୩ ଶହ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । ଗୋଦାମ ଓ ମଣ୍ଡି ବ୍ୟବସ୍ଥା ବିପର୍ଯ୍ୟୟ, ଭାରତୀୟ ଖାଦ୍ୟ ନିଗମ ଚାଷୀଙ୍କଠାରୁ ଧାନ ନ କିଣୁଥିବା ବେଳେ ମିଲର ଓ ସରକାରଙ୍କ ମଧ୍ୟସ୍ଥିରେ ଧାନ କ୍ରୟ କରାଯାଉଛି । ଏମ.ଏସ୍‌.ପି କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସୁନିଶ୍ଚିତ ବ୍ୟବସ୍ଥା କରାଗଲା ନାହିଁ । ତତ୍‌କାଳୀନ ବିଜେପି ସରକାର ସମୟରେ ଧାନ କ୍ୱିାଂଲରେ ଏମ.ଏସ୍‌.ପି ୫୬୦ ଟଙ୍କା ଥିଲା । ୟୁପିଏ ସରକାରର ୧୦ ବର୍ଷ ଶାସନରେ ଏହାର ଅଢ଼େଇଗୁଣା ବୃଦ୍ଧି କରାଯାଇ ଧାନ କ୍ୱିଂଟାଲ ୧୩୧୦ଟଙ୍କା କରାଯାଇଥିଲା । ବର୍ତମାନର ବିଜେପି ସରକାରର ୬ ବର୍ଷ ଶାସନ କାଳରେ ମାତ୍ର ଦେଢ଼ଗୁଣା ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା କରାଯାଇଛି । ଏକ କ୍ୱିଂଟାଲ ଧାନ ଉତ୍ପାଦନରେ ଓଡ଼ିଶାରେ ୨୪୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ସେହି ଅନୁପାତରେ ଧାନ କ୍ୱିଂଟାଲ ୩୬୦୦ଟଙ୍କା ହେବା ପରିବର୍ତେ ଗତ ବିଧାନସଭାର ସର୍ବ ସମ୍ମତିକ୍ରମେ ୨୯୩୦ଟଙ୍କା ନିଷ୍ପତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ୨୦୧୪ ନିର୍ବାଚନରେ ସ୍ୱାମୀନାଥନ କମିଟିର ସୁପାରିଷ ଅନୁଯାୟୀ ଧାନ କ୍ୱିଂଟାଲ ଦେଢ଼ଗୁଣା କରିବା କଥା କହିଥିଲେ । କିନ୍ତୁ କେନ୍ଦ୍ରମନ୍ତ୍ରୀ ଏହା ବୋଧହୁଏ ଭୁଲିଯାଇଛନ୍ତି । ଧାନର ଅଭାବୀ ବିକ୍ରି ଓ ସୁବ୍ୟବସ୍ଥିତ ଭାବରେ ଧାନ କ୍ରୟ ପାଇଁ ଉଭୟ ସରକାର ଆଜି ପର୍ଯ୍ୟନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି କି?  ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଉଭୟ ବିଜେଡ଼ି ଓ ବିଜେପି ଦଳ କ୍ଷମତାସୀନ ହେବା ପାଇଁ ଚାଷୀଙ୍କ ହିତ କଳ୍ପେ ଯେଉଁ ପାଲା କରୁଥିଲେ ଏଥିରେ ଚାଷୀ କେତେ ସହାୟତା ପାଇଛନ୍ତି, ଖାଲି ଚାଷୀଙ୍କ ସଂଖ୍ୟା ନ କହି ଟଙ୍କାର ଟିପ୍‌ପଣୀ ଦେଲେ ଠିକ୍ ହେବ ନାହିଁ । କାରଣ ଓଡ଼ିଶାରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ  ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଥିରେ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର କେତେ ଚାଷୀଙ୍କୁ ପିଏମ୍ କିଷାନ ଯୋଜନା ଓ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି ? ଯଦି ୧୬ଲକ୍ଷ ଚାଷୀଙ୍କୁ ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାର ସହାୟତା ଦେଲେ ଆଉ ଅବଶିଷ୍ଠାଶଂ ଚାଷୀଙ୍କୁ କାହିଁକି ସହାୟତା ଯୋଗାଇ ଦିଆଯାଇନାହିଁ ବୋଲି  କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ପାଲଟା ପ୍ରଶ୍ନ କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ପରସ୍ପର ଜଡ଼ିତ । ଏହି ତୁଳନାରେ ଆଜି ପର୍ଯ୍ୟନ୍ତ କାହିଁକି ଉଭୟ ସରକାରଙ୍କ ପାଖରେ ବିଭିନ୍ନ ବର୍ଗର ଚାଷୀଙ୍କ ପରିସଂଖ୍ୟାନର ସୂଚନା ପ୍ରଦାନ କରାଯାଉ ନାହିଁ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା – କୃଷି କୃଷକର ଉନ୍ନତି କଳ୍ପେ ପୂର୍ବରୁ ଦେଶରେ ରାଷ୍ଟ୍ରୀୟ କୃଷି ବୀମା ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା । ଫଳରେ ଚାଷୀ ସରକାରଙ୍କ ପାଖରେ ତାର ହକ୍ ଦାବୀକରି ସୁବିଧା ପାଉଥିଲା । ପ୍ରଧାନମନ୍ତ୍ରୀ ଏହାକୁ ସରଳୀକରଣ କରିବା ପାଇଁ ଉକ୍ତ ସଂସ୍ଥାକୁ ବାଦ୍ ଦେଇ ଯେଉଁ ଘରୋଇ କମ୍ପାନୀଗୁଡ଼ିକ ହାତରେ ଟେକିଦେଇ ୨୦୧୬ ଖରିଫଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏଥିରେ ବହୁ ତୃଟିମଧ୍ୟ ରହିଛି ଏବଂ ଚାଷୀ ଅପେକ୍ଷା କମ୍ପାନୀ ଅଧିକ ଲାଭ ପାଉଛନ୍ତି । ଏହା କେନ୍ଦ୍ର ସରକାରଙ୍କ କମ୍ପାନୀ ସହିତ ସଲାସୁତୁରାର ଏକ ପ୍ରମୁଖ ନମୁନା । ବିଗତ ୪ବର୍ଷ ମଧ୍ୟରେ ରାଜ୍ୟର ଯେଉଁ ୨୦ ଲକ୍ଷ ୯୪ ହଜାର ଚାଷୀ ସିଧାସଳଖ ବୀମା ସହାୟତା ପାଇଛନ୍ତି ଏହା ସ୍ୱାଗତଯୋଗ୍ୟ । କିନ୍ତୁ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଓ କେନ୍ଦ୍ର ରାଜ୍ୟ ସରକାରଙ୍କମଧ୍ୟରେ ସମନ୍ୱୟର ଅଭାବରୁ ବରଗଡ଼ ଜିଲ୍ଲାର ପଦ୍ମପୁର ସବ୍‌ଡ଼ିଭିଜନ, ସମ୍ବଲପୁର ଓ ଉପକୂଳବର୍ତୀ କେତୋଟି ଅଂଚଳରେ ଚାଷୀମାନେ ମଧ୍ୟ ବୀମା ସହାୟତା ପାଇ ପାରି ନାହାନ୍ତି । ସରକାରଙ୍କ ପୋର୍ଟାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି । ଲକ୍ଷ୍ୟଧାର୍ଯ୍ୟ ଓ ଘୋଷଣା ଏହି ବୀମା ଯୋଜନାରେ ସର୍ବସ୍ୱ ହୋଇଛି ବୋଲି ପିସିସି କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି । ଯଦି କେନ୍ଦ୍ର ସରକାର ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଚାଷ ଓ ଚାଷୀଙ୍କ ପ୍ରତି ବିଶେଷ ସମ୍ବେଦନଶୀଳ ଚାଷୀଙ୍କ ବାସ୍ତବ ସ୍ଥିତିକୁ ପରଖିବା ସହିତ ରାଜ୍ୟକୁ ଠିକଣା ସମୟରେ ତାଗିଦ୍‌, ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ, ଧାନ କ୍ରୟ କ୍ଷେତ୍ରରେ ଏମଏସପିକୁ ସୁନିଶ୍ଚିତ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି, ପ୍ରତି ପଞ୍ଚାୟତରେ ମଣ୍ଡି ଓ ଗୋଦାମଘର ପ୍ରତିଷ୍ଠା, ଏଫସିଆଇ ଜରିଆରେ ସିଧାସଳଖ ଧାନ କ୍ରୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ତୃଟି ସଂଶୋଧନ, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି କୃଷି ଇନପୁଟ୍ ସହାୟତାର ୩ଗୁଣା ବୃଦ୍ଧି, ପ୍ରତି ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ଭତା ଯୋଗାଇ ଦେବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପିସିସି ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିକ ଓ ସାଧାରଣ ସଂପାଦକ ଅରବିନ୍ଦ ସାମଲ ଉପସ୍ଥିତ ଥିଲେ ।

RELATED BY