ଫୁଟବଲ ଜଗତ ଜଣେ ଶ୍ରେଷ୍ଠ କିମ୍ବଦନ୍ତୀ ପୁରୁଷଙ୍କୁ ହରାଇଲା : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ

ଡିଏଗୋ ମାରାଡୋନାଙ୍କ ପରଲୋକରେ ଶୋକପ୍ରକାଶ କରି କହିଛନ୍ତି

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ସମ୍ବିଧାନ ଦିବସ ଅବସରରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସମ୍ବିଧାନ ପ୍ରଣୟନ କରିଥିବା ସ୍ୱନାମଧନ୍ୟ ଦୂରଦ୍ରଷ୍ଟାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆମ ସମ୍ବିଧାନରେ ସଂଯୋଜିତ ଆଦର୍ଶଗୁଡ଼ିକୁ କାୟମନୋବାକ୍ୟରେ ଧାରଣ କରିବା ସହ ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ ପାଳନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ତଥା ଗାନ୍ଧିବାଦୀ ଜନନେତା ରବି ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଚସ୍ପତି ଭାବେ ବିଭିନ୍ନ ଲୋକାଭିମୁଖୀ ବ୍ୟବସ୍ଥାର ପ୍ରଣୟନ, ଗାନ୍ଧିଜୀଙ୍କ ନୀତି ଆଦର୍ଶର ପ୍ରସାର ସହ ସାହିତ୍ୟ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସମାଜ ସଂସ୍କାର ସହ ଓଡ଼ିଶାର ପ୍ରଗତି ଧାରାକୁ ତ୍ୱରାନ୍ୱିତ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲିସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଡିଏଗୋ ମାରାଡୋନାଙ୍କ ପରଲୋକରେ ଶୋକପ୍ରକାଶ କରି କହିଛନ୍ତି ଯେ ଫୁଟବଲ ଜଗତ ଜଣେ ଶ୍ରେଷ୍ଠ କିମ୍ବଦନ୍ତୀ ପୁରୁଷଙ୍କୁ ହରାଇଲା । ଏହି ପ୍ରତିଭାବାନ ଖେଳାଳୀ ତାଙ୍କ ଯାଦୁକରୀ କ୍ରୀଡ଼ା ନୈପୁଣ୍ୟ ଦ୍ୱାରା ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କୁ ସମ୍ମୋହିତ କରିଥିଲେ ଏବଂ ଅନେକ ପିଢ଼ି ପର୍ଯ୍ୟନ୍ତ ଫୁଟବଲପ୍ରେମୀମାନଙ୍କ ପାଖରେ ସ୍ମରଣୀୟ ରହିବେ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରବର୍ଗ ତଥା ପ୍ରଶଂସକମାନଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଚତୁର୍ଥ ଆଇଏସ୍‌ସି-ଏଫ୍‌ଆଇସିସିଆଇ ସ୍ୱଚ୍ଛତା ପୁରସ୍କାର ୨୦୨୦ରେ ଶ୍ରେଷ୍ଠ ମଳ ନିଷ୍କାସନ ଓ ବର୍ଜ୍ୟବସ୍ତୁ ପରିଚାଳନା ମଡେଲ୍‌ (ସହର) ଭାବରେ ପୁରସ୍କାରପାଇଥିବାରୁ ବ୍ରହ୍ମପୁର ମହାନଗର ନିଗମକୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନବ, ଗୋଷ୍ଠୀଚାଳିତ ଏବଂ ମଳ ନିଷ୍କାସନ ତଥା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିଗମକୁ ଏହି ପୁରସ୍କାର ମିଳିଛି ବୋଲି ସେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ଵେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରି  ମୁଖ୍ୟମନ୍ତ୍ରୀ ଅସମୟରେ ଝଡ଼ି ପଡ଼ିଥିବା କାଳିଆର ଅମର ଆତ୍ମାର ସଦ୍‌ଗତି କାମନା ସହ କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

RELATED BY