ଶ୍ରୀ ଜଗନ୍ନାଥ ଜାଗରଣ ଓ ଯଜ୍ଞ ଆୟୋଜିତ

ସ୍ୱର ସମର୍ପଣ ଦ୍ୱାରା

Share this:

ପୁରୀ/ଭୁବନେଶ୍ଵର/ଜମ୍ମୁ/ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ସ୍ୱର ସମର୍ପଣ” ଦ୍ୱାରା ନିକଟରେ ପୁରୀ ଠାରେ ଆନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ଜାଗରଣ ପରିକ୍ରମା ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହ ଉଦଘାଟିତ ହୋଇଯାଇଛି । କରୋନା ମହାମାରୀର ଭୟଙ୍କର ସଙ୍କଟରୁ ସମଗ୍ର ମାନବ ସମାଜକୁ ଉଦ୍ଧାର କରିବା ଏବଂ ପ୍ରତ୍ୟେକ ମଣିଷକୁ ମାନସିକ ତଥା ଶାରୀରିକ ସୁସ୍ଥତା ,ସବଳତା ଓ ସୁରକ୍ଷା ପ୍ରଦାନ କରିବାର ଅଭିପ୍ରାୟ ନେଇ ମହାପ୍ରଭୁଙ୍କୁ ଆବାହନ କରିବା, ଏହି ଧାର୍ମିକ ଆସରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପ୍ରତ୍ୟକ୍ଷ ଓ ପରୋକ୍ଷ (ଭର୍ଚ୍ଚୁଆଲ୍) ଭାବରେ ଆୟୋଜିତ ଏହି ପୂଜା ଓ ଯଜ୍ଞ ରେ ଶ୍ରୀ ମନ୍ଦିରର ମୂଖ୍ୟପୂଜକ  ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ପୌରୋହିତ୍ୟ କରିଥିଲେ । ଜଗତର ନାଥ ଜଗନ୍ନାଥଙ୍କର ଅପାର ଓ ଅନନ୍ୟ ମହିମାକୁ ପୃଥିବୀର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥ ଜାଗରଣ ଜରିଆରେ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କରାଯିବାକୁ ବଡ଼ପଣ୍ଡା ଶ୍ରୀ ସାମନ୍ତ ଏହି ଅବସରରେ ଜଗନ୍ନାଥ ପ୍ରେମୀମାନଙ୍କୁ ଆହ୍ବାନ ଜଣାଇଥିଲେ । ଏହି ଡିଜିଟାଲ ଆଧ୍ୟାତ୍ମିକ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଧର୍ମଗୁରୁ ଗୌରୀ ଶଙ୍କର ସିଂହାରି ବଡ଼ ଠାକୁରଙ୍କର ଅଦ୍ଭୁତ ଲୀଳା ସର୍ବବ୍ୟାପି ଓ ତାଙ୍କର ଅଲୌକିକ ସାନିଧ୍ୟ ସର୍ବବିଦ୍ୟମାନ ବୋଲି ସୁଚାଇଥିଲେ । ପ୍ରାରମ୍ଭରେ ପୂଜା ଓ ଯଜ୍ଞର ମୁଖ୍ୟ ଆୟୋଜକ ଖ୍ୟାତନାମା ସଂଗୀତଜ୍ଞ ତଥା ସ୍ଵର ସମର୍ପଣ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଅଭିମନ୍ୟୁ , ଏହି ଧର୍ମ ସଂସଦ ଦ୍ବାରା ସାରା ସଂସାରରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକୁ ଭିଡିଓ କାନଫରେନସିଂ ଜରିଆରେ ଯୋଡାଯିବାର ବ୍ୟବସ୍ଥା କରାଯାଉଥିବାର ସୂଚନା ପ୍ରଦାନ କରିଥିଲେ । ଶ୍ରୀ ଜଗନ୍ନାଥ ଜାଗରଣ ଭଳି ଅନନ୍ୟ, ଅଭିନବ ଓ ଦୂରଦୃଷ୍ଟି ସଂପନ୍ନ ଧାର୍ମିକ ଅଭିଯାନକୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵଭରି ଶ୍ରଦ୍ଧାଳୁ ମାନେ ସହଯୋଗର ସହିତ ସଫଳ କରାଇବାକୁ ଶ୍ରୀ ଆଚାର୍ଯ୍ୟ ନିବେଦନ ଜଣାଇଥିଲେ । ମହାପ୍ରଭୁଙ୍କର ଭକ୍ତ ମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟାବଳୀ ଯଥା ବିବାହ,ବ୍ରତ, ନାମକରଣ,ଗୃହ ପ୍ରବେଶ ଓ ଜନ୍ମ ଦିନ ଆଦି ପାଳନ କରିବା ଅବସରରେ ଶ୍ରୀ ଜଗନ୍ନାଥ ଜାଗରଣ ପୂଜା ଆୟୋଜନ କରିବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ ୨୦୧୬ ମସିହାରେ ଶ୍ରୀ ଆଚାର୍ଯ୍ୟ ବଡ଼ଠାକୁରଙ୍କର ବିଭିନ୍ନ ପୂଜା ପଦ୍ଧତି ସହିତ ଜଡିତ ଥିବା ପୁରାତନ ଓ ପାରମ୍ପରିକ ସ୍ତୋତ୍ର ଏବଂ ମନ୍ତ୍ରକୁ ଆଧାର କରି ଏହି ଜାଗରଣର ପରିକଳ୍ପନା, ସଂରଚନା ଓ ଉପସ୍ଥାପନା କରି ଆଧ୍ୟାତ୍ମିକ ଜଗତରେ ଖୁବ ସୁନାମ ଅର୍ଜନ କରିଥିଲେ ।  ଶ୍ରୀକ୍ଷେତ୍ରର ଐତିହାସିକ ପ୍ରସିଦ୍ଧି ପ୍ରାପ୍ତ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ଏହି ଭକ୍ତି ମହୋତ୍ସବରେ ବହୁ ମାନ୍ୟଗଣ୍ୟ ସାଧୁ,ସନ୍ଥ, ପଣ୍ଡିତ, ମହାତ୍ମା , ଧର୍ମାତ୍ମା ତଥା ଜଗନ୍ନାଥ ଧର୍ମ, ଦର୍ଶନ ଓ ଚେତନାର ବିଶାରଦ ପ୍ରବଚକ, ଗବେଷକ ଓ ପ୍ରଚାରକ, ପ୍ରମୁଖ ଯୋଗ ଦେଇଥିବା ଦେଖା ଯାଇଥିଲା । ଉଦଘାଟନୀ ଉତ୍ସବର ସମସ୍ତ ଆୟୋଜନ ଦମୟନ୍ତୀ ନାୟକ, କିଶୋର ଚନ୍ଦ୍ର ଜେନା ଏବଂ ହର୍ଷ କୁମାର ଗୁପ୍ତା ପ୍ରମୁଖଙ୍କର ସକ୍ରିୟ ତତ୍ୱାବଧାନରେ ସଂପନ୍ନ ହୋଇଥିଲା ।

RELATED BY