Share this:
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୫-‘ଟି’ କାର୍ଯ୍ୟକ୍ରମ ଅଧୀନରେ ଏକାମ୍ର ଯୋଜନାରେ ବିନ୍ଦୁସାଗରର ପାଣିକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିନ୍ଦୁସାଗର ତାଙ୍କ ପାଇଁ ସର୍ବଦା ଆକର୍ଷଣୀୟ ହୋଇ ରହିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ବିନ୍ଦୁସାଗରର ସୁରକ୍ଷା, ସଂରକ୍ଷଣ, ସଫେଇ ଓ ସୌନ୍ଦର୍ଯ୍ୟକରଣ ସହ ଏକାମ୍ର କ୍ଷେତ୍ରରେ ରହିଥିବା ୨୦ରୁ ଅଧିକ ଛୋଟବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିନ୍ଦୁସାଗରର ପ୍ରତିଟି ଜଳବିନ୍ଦୁ ପବିତ୍ର ବୋଲି ଉଲ୍ଲେଖ କରି ଏହାକୁ ଜାତୀୟ ସଂହତି ଓ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ସେ ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସଂପର୍କ ରହିଛି ଓ ଏହାକୁ ସ୍ୱଚ୍ଛ ରଖିବା ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ହେବାକୁ ଯାଉଥିବାବେଳେ ସମସ୍ତଙ୍କ ସହଯୋଗରେ ଏପରି ରୂପାନ୍ତରଣର ଲକ୍ଷ୍ୟ ପୂରଣ ହେବ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାରତୀୟ ତୈଳ ନିଗମ ଓ ଭାରତୀୟ ରାସାୟନିକ ପ୍ରତିଷ୍ଠାନର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାମ୍ର ଯୋଜନା କାର୍ଯ୍ୟକୁ ଆଗେଇ ନେବା ପାଇଁ ଭାରତୀୟ ପ୍ରନିତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏବଂ ଭାରତ ସରକାର ସମସ୍ତ ସହଯୋଗ ଯୋଗାଇଦେବେବୋଲି ଉଲ୍ଲେଖ କରି ଓଡ଼ିଆ ଜାତିର ଏହି ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଜଣାଇଥିଲେ । ମନ୍ତ୍ରୀ, ପୂର୍ତ୍ତ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକର ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ସାଂସଦ ଶ୍ରୀ ରଘୁନାଥ ମହାପାତ୍ର, ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ, ଆଇସିଟିର କୁଳପତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଚିଲିଠାରେ ୬ ମ୍ୟାଚବିଶିଷ୍ଟ ଟୁର୍ ପାଇଁ ଭାରତୀୟ କନିଷ୍ଠ ମହିଳା ହକି ଦଳରେ ଓଡ଼ିଶାର ମାରିଆନା କୁଜୁର, ଆଜ୍ମିନା କୁଜୁର ଏବଂ ଜୀବନ କିଶୋରୀ ସ୍ଥାନ ପାଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତୀୟ କନିଷ୍ଠ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଛତ୍ରପୁରର ଉପଖଣ୍ଡ ହସ୍ପିଟାଲ୍ ଏବଂ କେଲୁଆପଲ୍ଲୀର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର ଉଚ୍ଚ ମାନର ସରକାରୀ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟାନ୍ତ ରୂପେ ଗ୍ରହଣ କରି ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାର ଅନୁପାଳନ ନିମନ୍ତେ ଏହି ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।