ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟି ଗଠନ ଧର୍ମକୁ ଆଖିଠାର

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ କୃଷି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ

Share this:

ଭୁବନେଶ୍ୱର : ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ତିନୋଟି କୃଷି ଆଇନ୍‌ର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି, ଏହି ରାୟକୁ କଂଗ୍ରେସ ଦଳ ସ୍ୱାଗତ କରିବା ସହିତ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ ୪ ଜଣିଆ କମିଟି ଗଠନ କରିଛନ୍ତି, ଏହା ଧର୍ମକୁ ଆଖିଠାର । ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ନିର୍ଦ୍ଧାରଣ ନିମନ୍ତେ ଯେଉଁ କମିଟି ଗଠନ କରାଯାଇଛି, ଏଥିରେ ଦେଶର ଚାଷୀମାନେ ଖୁସି ନୁହନ୍ତି କିମ୍ବା ଏହା ଚାଷୀଙ୍କ ଭରଷାଯୋଗ୍ୟ ନୁହେଁ । ଏହି କମିଟିର ସଦସ୍ୟମାନେ ନିକଟ ଅତୀତରେ ଏହି ତିନୋଟି କୃଷି ଆଇନ୍ ସପକ୍ଷରେ ନିଜର ଯୁକ୍ତି ରଖିବା ସହିତ ସରକାରଙ୍କର ବୋଲକରା ସାଜିଛନ୍ତି । ଯଦି ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ରଖା ଯାଇଥାଏ, ଏହା ବାସ୍ତବତା ଦିଗରେ ସଫଳ ଚାବିକାଠି ନୁହେଁ ବୋଲି ବୁଧବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ପିସିସି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ସରକାର ଏହି କୃଷି ଆଇନ୍ ସଂପର୍କରେ ଯେତେ ସଫେଇ ଦେଲେ ମଧ୍ୟ ଏହା ଚାଷୀଙ୍କ ହିତ ପାଇଁ ନୁହେଁ । ଚାଷୀ ସଂଗଠନଗୁଡିକ ସହିତ ସରକାର ଆଠ ଆଠ ଥର ବୈଠକ କଲେଣି, ଫଳ ଶୂନ । ଫଳରେ ଦେଶର ଅନ୍ନଦାତାଙ୍କ ଦାବି ପ୍ରତି ସଠିକ୍ ମାର୍ଗ ନିର୍ଦ୍ଧାରଣ କରାଯିବା ନିମନ୍ତେ ଗତକାଲି ସୁପ୍ରିମ୍‌କୋର୍ଟ ଏହାର କାର୍ଯ୍ୟକାରିତା ପାଇଁ ଦୁଇ ମାସ ରୋକ୍ ଲଗାଇଛନ୍ତି । ଇତି ମଧ୍ୟରେ ଚାଷୀ ଆନ୍ଦୋଳନ ୫୦ ଦିନରେ ପହଞ୍ଚିଲାଣି । ୬୬ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାଣ ଗଲାଣି । ସରକାରଙ୍କର ଏଥିପ୍ରତି ତିଳେମାତ୍ର ନିଘା ବା ସମବେଦନା ନାହିଁ । ୬୨ କୋଟି କୃଷକ ପରିବାରବର୍ଗଙ୍କ ପ୍ରତି ଚରମ ଅବହେଳା ଓ ପ୍ରତାରଣାରୁ ତୁରନ୍ତ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଯେନତେନ ପ୍ରକାରେ ଚାଷୀଙ୍କ ଆନ୍ଦୋଳନକୁ ଚପାଇ ଦେବା ପାଇଁ ସରକାରଙ୍କର ଏହା ଏକ ମସୁଧା । କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ଦେଶର ସମସ୍ତ ଚାଷୀ ସଂଗଠନ ଆନ୍ଦୋଳନ କରୁଥିବା ବେଳେ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ କାହିଁକି ଏହି କଳା କୃଷି ଆଇନ୍ ବିରୁଦ୍ଧରେ ସ୍ୱର ଉତୋଳନ ନ କରି ନୀରବ ରହିଛି ଏହା ଏକ ପ୍ରଶ୍ନବାଚୀ । ଏଥିରୁ ସ୍ପଷ୍ଟ ଅନୁମେୟ କୃଷକମାନଙ୍କ ପ୍ରତି ବିଜୁ ଜନତା ଦଳର କେତେ ଦରଦ ? ଲୋକସଭାରେ ଏହି ବିଲ୍‌କୁ ପାସ୍ କରିବାରେ ବିଜୁ ଜନତା ଦଳ ନରେନ୍ଦ୍ର ମୋଦିଙ୍କୁ ସହାୟତା କରିଥିଲେ । ବିଲ୍‌ଟି ଉଭୟ ଗୃହରେ ପାସ୍ ହୋଇସାରିଲା ପରେ ଏହାକୁ ଷ୍ଟାଣ୍ଡିଂ କମିଟିକୁ ରେଫର କରିବା ପାଇଁ ଲୋକ ଦେଖାଣିଆ କହିବା କେଉଁ ଯୁକ୍ତିଯୁକ୍ତ ଏହା ଦୟାକରି ଖୋଦ୍ ନବୀନ ବାବୁ ରାଜ୍ୟବାସୀଙ୍କ ସାମନାରେ ତଥ୍ୟ ରଖିବେ କି ? କେନ୍ଦ୍ର ସରକାର ଅବିଳମ୍ବେ ନିଃସର୍ତରେ ଏହି ତିନୋଟି କଳା କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ପିସିସି କିଷାନ କଂଗ୍ରେସ ତରଫରୁ ଦାବି କରାଯାଇଛି । କଳା କୃଷି ଆଇନ୍‌ର ପ୍ରତ୍ୟାହାର ଦାବିରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରାଯାଉଛି । ଏହି କୃଷି ଆଇନ୍‌ର ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନକୁ ରାଜ୍ୟର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ଦୁର୍ବାର କରାଯିବ ବୋଲି ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

RELATED BY