‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଶୁକ୍ରବାର ଦିନ

Share this:

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଶୁକ୍ରବାର ଦିନ  ଭୁବନେଶ୍ୱରଠାରେ ପ୍ରଥମ ଅଗ୍ରଗାମୀ ଦକ୍ଷତା ତାଲିମ ପ୍ରତିଷ୍ଠାନ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି ଏବଂ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଆମେ ଆମର ଯୁବକମାନଙ୍କ ପାଇଁ ଯେକୌଣସି ସ୍ଥାନରେ ଥିବା ସେମାନଙ୍କ ପ୍ରତିପକ୍ଷଙ୍କ ସହିତ ପ୍ରତିଦ୍ୱନ୍ଦିତା ନିମନ୍ତେ ନୂତନ ସୁଯୋଗମାନ ସୃଷ୍ଟି କରିଛୁ । ଯୁବକମାନଙ୍କ ଆଶାଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କୁ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ ।  ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଯୁବକମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁସେମାନଙ୍କ ସକାଶେ ଭିତ୍ତିଭୂମି ଓ ବିଭିନ୍ନ ପ୍ରକରଣ ସୃଷ୍ଟି ଉପରେ ସରକାର ଆଗ୍ରହର ସହିତ ପୁଂଜିବିନିଯୋଗ କରୁଛନ୍ତି । ଆମର ଯୁବକମାନଙ୍କୁ ଉନ୍ନତ ଦକ୍ଷତା ତାଲିମ ଯୋଗାଇଦେବା ସହିତ ବିଶ୍ୱସ୍ତରରେ ସେମାନଙ୍କୁ ପ୍ରତିଦ୍ୱନ୍ଦିତା ପାଇଁ ପ୍ରସ୍ତୁତ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ଏପରି ଉଦ୍ୟମକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଆଗେଇ ନେବ ବୋଲି  ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ବିଗତ ୫ ବର୍ଷରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ର ସଫଳତା ଉପରେ ଆଲୋକପାତ କରିବା ସହିତ ଦକ୍ଷତା ବିକାଶ ଉଦ୍ୟମକୁ ପରବର୍ତ୍ତୀ ପର୍ଯ୍ୟାୟ, ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂପ୍ରସାରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ମନ୍ତ୍ରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କର ମହାନିର୍ଦ୍ଦେଶକ ଶ୍ରୀ କେନିଚି ୟୋକୋୟାମା, ଆଇଟିଇଇଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବ୍ରୁସ୍‌ ପୋହ୍‌ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାର ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଗତ ଜଣାଇବା ସହିତ ଭାରତରେ ଦକ୍ଷତା ବିକାଶ ପରିମଣ୍ଡଳରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଶିଳ୍ପାନୁଷ୍ଠାନ ସହଯୋଗ କେନ୍ଦ୍ର ଏବଂ ସେଗୁଡ଼ିକର ନିୟୋଜନ ଆବଶ୍ୟକତା ନିମନ୍ତେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବରେ କାର୍ଯ୍ୟ କରିବ ।

RELATED BY