ଧନ ପାପୀକୁ ଅଧିକ ମିଳିଥାଏ

ଆନ୍ତରିକ ଭାବନାର ମାହାତ୍ମ୍ୟ ବହୁତ ଅଧିକ । ଧରାଯାଉ ଜଣେ ଲୋକ ବାହ୍ୟ ଭାବେ କ୍ରିୟା କରୁଛି, ଶରୀର ଦ୍ୱାରା ସେବା କରୁଛି । ଏହା ଅପେକ୍ଷା ମଧ୍ୟ ଆନ୍ତରିକ ଭାବନାର ମାହାତ୍ମ୍ୟ ଅଧିକ । ବଡ଼ ଦୁଃଖର କଥା ହେଲା, ଲୋକେ ଆଜି ଅନ୍ତରରେ ଧନକୁ ଅଧିକ ମହତ୍ୱପୂ୍‍ର୍ଣ୍ଣ ସ୍ଥାନ ଦେଇଛନ୍ତି । ବାସ୍ତବରେ ଏହା ଏତେ ମହତ୍ୱପୂର୍ଣ୍ଣ ଜିନିଷ ନୁହେଁ ବରଂ ଶରୀର ଏହା ଅପେକ୍ଷା ଅଧିକ ମହତ୍ୱପୂର୍ଣ୍ଣ । ଶରୀର ଦ୍ୱାରା ପରିଶ୍ରମ କରି ଯେପରି ସେବା କରାଯାଇପାରେ, ଟଙ୍କା ଦ୍ୱାରା ସେପରି କରାଯାଇପାରେ ନାହିଁ । ଟଙ୍କା ଉପଯୋଗ କରିବାର ସେଭଳି ମାହାତ୍ମ୍ୟ ନାହିଁ । କିନ୍ତୁ ଆଜି ଟଙ୍କା ପ୍ରତି ଲୋକମାନଙ୍କର ବେଶୀ ଲୋଭ । ଶାରୀରିକ ପରିଶ୍ରମ କରିବାକୁ ପ୍ରସ୍ତୁତ, ଭୋକରେ ରହିବା ପାଇଁ ପ୍ରସ୍ତୁତ, କେଉଁଠିକି ଯିବାକୁ ହେଲେ ଗାଡ଼ିରେ ନଯାଇ ଚାଲି ଚାଲି ଯିବା ପାଇଁ ପ୍ରସ୍ତୁତ କିନ୍ତୁ ପଇସା ଖର୍ଚ୍ଚ କରିବା ପାଇଁ ନାରାଜ । ଟଙ୍କାର ମହତ୍ତ୍ୱକୁ ବହୁତ ଅଧିକ ବଢ଼ାଇ ଦିଆ ଯାଇଛି । ଏପରି କି ତାହାକୁ ଶରୀରଠାରୁ ମଧ୍ୟ ଅଧିକ ମହତ୍ତ୍ୱ ଦିଆ ଯାଉଛି । ଶରୀର ଦ୍ୱାରା ପରିଶ୍ରମ କରି ପଇସା ଉପାର୍ଜନ କରାଯାଇପାରେ, କିନ୍ତୁ ପଇସା ଦ୍ୱାରା ଶରୀର ମିଳିପାରିବ ନାହିଁ । ଲକ୍ଷେ, ଦଶ ଲକ୍ଷ, ପଚାଶ ଲକ୍ଷ ଟଙ୍କା ଦେଲେ ମଧ୍ୟ ତା’ ବଦଳରେ ମନୁଷ୍ୟ ଶରୀର ମିଳିବା ସମ୍ଭବ ନୁହେଁ । ମୃତ୍ୟୁ ସମୟରେ କୋଟି କୋଟି ଟଙ୍କା ଦେଲେ ମଧ୍ୟ ମୃତ୍ୟୁରୁ ରକ୍ଷା ପାଇ ପାରିବା ନାହିଁ । ସମଗ୍ର ସଂସାରର ସମସ୍ତ ଧନ ଦେଲେ ମଧ୍ୟ ଘଡ଼ିଏ ବି ଅଧିକ ବଞ୍ଚି ପାରିବା ନାହିଁ । ମାନବଜୀବନର ସମୟ ଏତେ ମୂଲ୍ୟବାନ । ଏପରି ଅମୂଲ୍ୟ ସମୟକୁ ଲୋକେ ବୃଥାରେ ବିତାଇ ଦେଉଛନ୍ତି । ଏତେ ବଡ଼ କ୍ଷତି ଆଉ କିଛି ହୋଇ ନପାରେ । ବିଡ଼ି-ସିଗାରେଟ ଖାଇବାରେ, ଖେଳ-ତାମସା ଦେଖିବାରେ, ତାସ-ପଶା ଖେଳିବାରେ, ବୃଥା ବାର୍ତ୍ତାଳାପରେ, ଥଟାମଜା କରିବାରେ, ପରଚର୍ଚ୍ଚାରେ, ଅନ୍ୟର ନିନ୍ଦା ବା ପ୍ରଶଂସା କରିବାରେ, ଅଧିକ ଶୋଇବାରେ ସମୟ ଖର୍ଚ୍ଚ କରୁଛନ୍ତି । ଏହା କୌଣସି ସାଧାରଣ କ୍ଷତି ନୁହେଁ, ବହୁତ ବଡ଼ କ୍ଷତି । ଦଶ-କୋଡିଏ ହଜାର ଟଙ୍କା ଖର୍ଚ୍ଚ କରିଦେବାଟା କୌଣସି କ୍ଷତିର କଥା ନୁହେଁ, କାରଣ ଏହାକୁ ଛାଡ଼ି ମରିବାକୁ ପଡ଼ିବ । ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଥିଲେ ମଧ୍ୟ ସବୁ ଛାଡ଼ି ମରିବାକୁ ପଡ଼ିବ । କାହାକୁ କିଛି ଦେଇଦେଲେ ବା ସତ୍‍ କାର୍ଯ୍ୟରେ କିଛି ଖର୍ଚ୍ଚ କଲେ କଣ ବା ବଡ଼ କଥା ହୋଇଯିବ? ଏସବୁ ତ ଦିନେ ନିଶ୍ଚିତ ବିଯୁକ୍ତ ହେବ । କାହାର ଅଧିକ ଧନ ହୋଇଯିବାଟା ଯେ ବିଶେଷ ଭଗବତ୍‍ କୃପାର ଲକ୍ଷଣ, ତା’ନୁହେଁ । ଧନାଦି ବସ୍ତୁ ପାପୀକୁ ଅଧିକ ମିଳିଥାଏ । ଧନ ଥାଇ ଆଜି ଅନେକ ବ୍ୟକ୍ତି ବଞ୍ଚିବାକୁ ଚେଷ୍ଟା କଲେ ମଧ୍ୟ ବଞ୍ଚିପାରୁ ନାହାଁନ୍ତି । କରୋନା ସମସ୍ତଙ୍କୁ ଶିକ୍ଷା ଦେଉଛି ।

Admin

Leave a Reply

Your email address will not be published. Required fields are marked *

Next Post

କାଗେଜୀ ଲେମ୍ବୁର ଉପକାରୀତା

Thu Jul 22 , 2021
କାଗେଜୀ ଲେମ୍ବୁ ସହିତ ସମସ୍ତେ ପରିଚିତ । ଲେମ୍ବୁରେ ଭିଟାମିନ୍‍ ‘ସି’ ପ୍ରଚୁର ମାତ୍ରାରେ ଅଛି ଓ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଉନ୍ମାଦ: ଲେମ୍ବୁ ରସକୁ ମଥାରେ ଲେପଦେଲେ ଉନ୍ମାଦ ଓ ପାଗଳପଣ ଦୂର ହୋଇଥାଏ । ମୁଣ୍ଡ ବିନ୍ଧା: ଲେମ୍ବୁକୁ ଦୁଇଫାଲ କରି କାଟି ନିଆଁରେ ସେକି କାନ ମୁଣ୍ଡାରେ ସେକ ଦେଲେ କିଛି ସମୟରେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ । କେଶ […]