ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

ସାନ୍‍ଫ୍ରାନ୍‍ସିସ୍‍କୋ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି । ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଭାରତୀୟ ତଥା ବିଦେଶୀ ଦର୍ଶକମାନେ ମନଭରି ଉପଭୋଗ କରିବା ସାଙ୍ଗକୁ ବେଶ୍‍ ଆଦୃତ କରିଥିବା ଦେଖାଯାଇଥିଲା । ପ୍ରେକ୍ଷାଳୟରେ ଖଚାଖଚ୍‍ ଭରା ଦେଖଣାହାରୀ ସୁଶ୍ରୀ ବେବର୍ତ୍ତାଙ୍କର ଆମେରିକାରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ ପ୍ରତି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଖୁବ୍‍ ଉତ୍କଣ୍ଠା ଓ ଆଗ୍ରହ ପ୍ରଦର୍ଶନ କରିଥିବା ପରିଲ୍ଲଖିତ କରାଯାଇଥିଲା । ନୃତ୍ୟାରମ୍ଭ ପୂର୍ବରୁ ପାରମ୍ପରିକ ପ୍ରଥା ଅନୁଯାୟୀ ସଂସ୍କୃତି ତାଙ୍କର ଗୁରୁ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଜ୍ୟୋତି ରାଉତଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀମତୀ ରାଉତ ତାଙ୍କୁ ଶୁଭକାମନା ଜଣାଇବା ସାଙ୍ଗକୁ ତାଙ୍କର ପାଦରେ ଘୁଙ୍ଗୁର ବାନ୍ଧି ଦେଇଥିଲେ । ସଂସ୍କୃତି ସେ ଦିନ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭରେ ଆବାହନୀ ନୃତ୍ୟ ମଙ୍ଗଳାଚରଣ ଭାବରେ ସରସ୍ୱତୀ ବନ୍ଦନା, ଶୁଦ୍ଧ ନୃତ୍ୟ ମୁଦ୍ରା ପଲ୍ଲବୀ, ଅଭିନୟ ସଂରଚନା ଗୀତା ସାର ଓ ନବରସ ତଥା ସବା ଶେଷରେ ଆତ୍ମା ସହିତ ପରମାତ୍ମାର ମିଳନ ପର୍ବ ମୋକ୍ଷ ପ୍ରଦର୍ଶନ କରିଥିଲେ ସଂସ୍କୃତିଙ୍କର ପ୍ରତ୍ୟେକ ପ୍ରସ୍ତୁତି ଯଥେଷ୍ଟ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା ତଥା ଉପସ୍ଥିତ ଦର୍ଶକମାନଙ୍କୁ ଭଗବତ୍‍ ସତ୍ତାର ସୁରାକ ଓ ଐଶ୍ୱରୀକ ଆନନ୍ଦର ଅଫୁରନ୍ତ ଉତ୍ସାହ ଦେବାକୁ ସକ୍ଷମ ହୋଇଥିଲା । ବିଶେଷ କରି ତାଙ୍କର ବୈଦ୍ୟୁତିକ ପଦଚାଳନା, ଜୀବନ୍ତ ତଥା ନିଖୁଣ ମୁଖାଭିନୟ ଏବଂ ଅସାଧାରଣ ଭ୍ରୁକୁଞ୍ଚନ, ଉଭୟ ସଂସ୍କୃତି ବିଶାରଦ ଓ ନୃତ୍ୟ ସମୀକ୍ଷକମାନଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଗୀତା ସାର ଓ ନବରସ ନୃତ୍ୟ ପରିବେଷଣ ସମୟରେ ତାଙ୍କର ଦକ୍ଷତାପୂର୍ଣ୍ଣ ଓ ମନଲୋଭା ଅଭିନୟ ସମସ୍ତଙ୍କୁ ବିଭୋର ତଥା ଅଭିଭୂତ କରିବା ସହିତ ସେମାନଙ୍କୁ ଭାବାବେଗର ଦୁନିଆରେ ହଜାଇ ମଜାଇ ଦେଇଥିବା ଅନୁଭବ କରାଯାଇଥିଲା । ସେହିପରି ତାଙ୍କଦ୍ୱାରା ପ୍ରସ୍ତୁତ ମୁଦ୍ରା ପଲ୍ଲବୀର ତାଳେ ତାଳେ ଆମେରିକୀୟ ଦର୍ଶକମାନେ ଝୁମିବାରେ ଲାଗିଥିବାର ଦୃଶ୍ୟ ଏବଂ ଘନଘନ କରତାଳି ବର୍ଷଣ କରୁଥିବାର ଅନୁଭୂତି ଅତ୍ୟନ୍ତ ନିଆରା ଓ ମର୍ମସ୍ପର୍ଶୀ ଥିଲା । ମାତ୍ର ଚାରିବର୍ଷ ବୟସରୁ ସଂସ୍କୃତି, ଗୁରୁ ଗାୟତ୍ରୀ ଯୋଶୀଙ୍କଠାରୁ ଓଡ଼ିଶୀ ଶିକ୍ଷା ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ସେ ଗୁରୁ ଜ୍ୟୋତି ରାଉତ, ଗୁରୁ ନୀଲଞ୍ଜନା ରାୟ ଏବଂ ଗୁରୁ କେଶିନୀ ଦେଶାଇଙ୍କ ଠାରୁ ନୃତ୍ୟ ନିପୁଣତା ନେଇ ତାଲିମ ଲାଭ କରିଥିଲେ । ଜ୍ୟୋତି କଳା ମନ୍ଦିରର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ସେ ସାନ୍‍ଫ୍ରାନ୍‍ସିସ୍‍କୋର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବହୁବାର ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏହା ସାଙ୍ଗକୁ ୨୦୧୭ ମସିହାରେ ଭୁବନେଶ୍ୱରଠାରେ ସଂସ୍କୃତି, ସମ୍ମାନସ୍ପଦ ଆନ୍ତର୍ଜାତିକ ଓଡ଼ିଶୀ ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ସେ ଏବେ ବୋଷ୍ଟନ୍‍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ଡିଗ୍ରୀ ଶିକ୍ଷାର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଦୀର୍ଘ ୪ଘଣ୍ଟା ଧରି ଚାଲିଥିବା ‘ରଙ୍ଗ ପୂଜା’ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ ଓ ସମ୍ପନ୍ନ କରିବାରେ ସଂସ୍କୃତିଙ୍କର ପିତା ଧୀରେନ ମୋହନ ବେବର୍ତ୍ତା, ମାତା ମୋନାଲିସା ବେବର୍ତ୍ତା, ଭାଇ ସାତ୍ତ୍ୱିକ ବେବର୍ତ୍ତା ଏବଂ ମାଉସୀ ଶ୍ରୀଜା ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

Admin

Leave a Reply

Your email address will not be published. Required fields are marked *

Next Post

ପୋଲିସ ବିଭାଗର ଅଜବ ନୀତି

Fri Aug 27 , 2021
ଭୁବନେଶ୍ୱର : ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଯୋଜନା ପ୍ରଣୟନ କରିବା ସହିତ ଜାତୀୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ପାଇଁ ମାନବାଧିକାର କମିଶନ ଭଳି ଅର୍ଧନାୟିକ ଅନୁଷ୍ଠାନମାନ ଗଠନ କରିଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ମାନବଧିକାର ଉଲ୍ଲଙ୍ଘନ ରୋକିବାରେ ନା ଧରୁନାହିଁ । ଏ ସମ୍ପର୍କରେ ଗତ କିଛିଦିନ […]