କୋଭିଡ୍ ମୃତ୍ୟୁକୁ ନେଇ ବାଚାଳାମି କରୁଛନ୍ତି ରାଜ୍ୟ ସରକାର : ଗୋଲକ ମହାପାତ୍ର

ଭୁବନେଶ୍ୱର : ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍ ମୃତ୍ୟୁର ଘୋଷଣା ଆରମ୍ଭ କଲେ । ଦୈନିକ ୩୦ ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୬୦ ପାର୍ କରିଥିଲା । ସରକାରଙ୍କ ଯୁକ୍ତି ଥିଲା ଯେ ବିଭିନ୍ନ କାରଣ ପାଇଁ ଅଡିଟ୍ ହୋଇପାରି ନ ଥିବା କୋଭିଡ୍ ମୃତ୍ୟୁ ଏବେ ଘୋଷଣା କରାଯିବ । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବାକି ରହିଯାଇଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ । ଜୁଲାଇ ସରିଗଲା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଗଲା ଆଉ ୧୫ଦିନ ଭିତରେ ଘୋଷଣା ଶେଷ ହେବ । ପରେ କୁହାଗଲା ଅଗଷ୍ଟ ଶେଷ ମାସ ଶେଷ ଆଡ଼କୁ ସରିଯିବ । ଏବେ ଅଗଷ୍ଟ ମାସ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍ ମୃତ୍ୟୁ ପୂର୍ବଭଳି ଜାରି ରହିଛି । ଯଦିଓ ସଂଖ୍ୟା ପୂର୍ବ ତୁଳନାରେ କମ୍ ରହିଛି ତଥାପି ବର୍ତମାନର ସଂକ୍ରମିତଙ୍କ ସଂଖ୍ୟାକୁ ଦେଖିଲେ ଯଥେଷ୍ଟ ଅଧିକ । ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍ ମୃତ୍ୟୁ ଇତି ମଧ୍ୟରେ ୮ ହଜାର ୯୨ରେ ପହଞ୍ଚିଛି । କୋଭିଡରେ ୮ହଜାର ମୃତ୍ୟୁ ହୋଇଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ରହିଛି । କେବଳ କରୋନାର ଦ୍ୱିତୀୟ ଲହରରେ ଏବେ ସୁଦ୍ଧା ରାଜ୍ୟରେ ୬୨୬୯ରୁ ଉର୍ଦ୍ଧ୍ୱ ଲୋକଙ୍କ କରୋନାରେ ମୃତ୍ୟୁ ହେଲାଣି । ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ୧୮୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ଡ଼ାଟା ମେନିପୁଲେସନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । ପ୍ରଚାର ସର୍ବସ୍ୱ ଓଡ଼ିଶା ସରକାର ନିଜର “ବିଶ୍ୱସ୍ତରୀୟ କୋଭିଡ଼୍ ପରିଚାଳନା” ପ୍ରଚାରରେ ବ୍ୟସ୍ତ ଥିଲେ, ଏପଟେ ଗରିବ, ମଫସଲ, ଦଳିତ, ଆଦିବାସୀ ଓଡିଆ ଲୋକ ଓଡ଼ିଶାର କୋଣ ଅନୁକୋଣରେ ଚିକିତ୍ସା ନପାଇ ମୃତ୍ୟୁବରଣ କରୁଥିଲେ । ତଥ୍ୟ ଅନୁଯାୟୀ, ୨୦୧୯ରେ ଓଡିଶା ସରକାର ୩,୪୨,୯୪୭ ମୃତ୍ୟୁ ପଞ୍ଜିକରଣ କରିଥିବାବେଳେ ୨୦୨୦ ରେ ଏହା ୩, ୬୨, ୯୮୨ ଥିଲା । ୨୦୨୦ ରେ ୨୦,୦୦୦ ରୁ ଅଧିକ ମୃତ୍ୟୁ ହୁଏତ କୋଭିଡ଼ -୧୯ ଦ୍ୱାରା ହୋଇଛି , କିନ୍ତୁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ଏହା ସହ ମେଳ ଖାଉନି । ୨୦୨୦ ମସିହାରେ ରାଜ୍ୟ ସରକାର କେବଳ ୧୮୭୬ କୋଭିଡ଼ ମୃତ୍ୟୁ ଘୋଷଣା କରିଥିବାବେଳେ ୨୦୨୧ ମସିହାରେ ଏପର୍ଯ୍ୟନ୍ତ ୬୨୬୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ସମାନ ସମୟ ପାଇଁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଗୁଣ ଥିଲା । ସେହି ଚାରି ମାସରେ ସାରା ରାଜ୍ୟରେ ୧,୫୦,୦୦୦ ମୃତ୍ୟୁ ପଞ୍ଜିକୃତ ହୋଇଥିବାବେଳେ କେବଳ ୧,୩୫୬ କୋଭିଡ଼ ମୃତ୍ୟୁକୁ ସରକାର ସ୍ୱୀକାର କରିଛନ୍ତି । ୧୧ ସେପ୍ଟେମ୍ବର୨୦୨୧ ସୁଦ୍ଧା ଓଡିଶାରେ ୧୦,୧୫, ୭୧୩ କୋଭିଡ ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି ଯାହା ଭାରତର ମୋଟ ମାମଲାର ୩.୦୫% ଥିଲା । ତେବେ, ୪.୨ କୋଟି ଜନସଂଖ୍ୟା ପାଇଁ ମହାମାରୀ ଆରମ୍ଭରୁ ସରକାରୀ ମୃତ୍ୟୁ ସଂଖ୍ୟା ହେଉଛି ୮,୧୪୫ ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୧.୮୩%, ଓଡ଼ିଶା ସରକାର କ’ଣ ଏମିତି ପଦକ୍ଷେପ ନେଲେ ଯେ ସବୁ ପରେ ବି ପାଖାପାଖି ବର୍ଷେ ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ୧୨-୧୭ ରହୁ ଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ) ଶୁଣାଣି ବେଳେ ମାନ୍ୟବର ଓଡିଶା ହାଇକୋର୍ଟ ଏକ ସରକାରୀ ସତ୍ୟପାଠରେ ଅନେକ ଅସଙ୍ଗତି ଦର୍ଶାଇଥିଲେ । ରାଜ୍ୟ ସରକାର କହିଛନ୍ତି ଯେ, ଚଳିତ ବର୍ଷ ଜୁଲାଇ ୧୫ ରୁ ଅଗଷ୍ଟ ୩୧ ମଧ୍ୟରେ ୩୦୯୭ ମୃତ୍ୟୁ ଘଟିଥିବା ବେଳେ ପରବର୍ତୀ ସମୟରେ ଦାଖଲ ହୋଇଥିବା ଅନ୍ୟ ଏକ ସତ୍ୟନାମାରେ ସରକାର କହିଛନ୍ତି ଯେ ଅଗଷ୍ଟ ୩୧ ସୁଦ୍ଧା ମହାମାରୀ ହେତୁ ଓଡିଶାରେ ୮,୦୨୨ ଜଣଙ୍କ ମୃତ୍ୟୁ ଘଟିଛି । ସରକାରଙ୍କ ତଥ୍ୟ ରିପୋର୍ଟ ଏବଂ ଗଣନା ପଦ୍ଧତିକୁ ମାନ୍ୟବର ହାଇକୋର୍ଟ ମଧ୍ୟ ଭର୍ତ୍ସନା କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏପ୍ରିଲ ୨୦୨୧ରେ ଯେତେବେଳେ ଭାରତ କୋଭିଡ୍ -୧୯ ର ଏକ ମାରାତ୍ମକ ଦ୍ୱିତୀୟ ଲହର କବଳରେ ଥିଲା ସେ ସମୟରେ ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା କିନ୍ତୁ RTPCR ପରୀକ୍ଷା ପାଇଁ ରାଜ୍ୟରେ କେବଳ ୧୩ଟି ପରୀକ୍ଷାଗାର ଥିଲା । RT-PCR ପରୀକ୍ଷଣ କୋଭିଡ଼ ଚିହ୍ନଟ ପାଇଁ ନିତ୍ୟାନ୍ତ ଆବଶ୍ୟକ । ୧୩ଟି ରୁ ୯ଟି ଲ୍ୟାବ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଥିଲା । (ଏହି ସଂଖ୍ୟା ବର୍ତର୍ମାନ ୨୦ଟି କେନ୍ଦ୍ରକୁ ଯାଇଛି, ସେଥି ମଧ୍ୟରୁ ୧୧ଟି ରାଜଧାନୀରେ ଅଛି) । ନୂଆପଡା, ନବରଙ୍ଗପୁର, ମୟୂରଭଞ୍ଜ, ଦେବଗଡ, ଏବଂ କଳାହାଣ୍ଡି ପରି ଅଧିକାଂଶ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲାର ବାସିନ୍ଦାଙ୍କୁ ଆଜି ମଧ୍ୟ ପରୀକ୍ଷା ଫଳାଫଳ ପାଇଁ ଅତି କମରେ ୭-୧୦ ଦିନ ଅପେକ୍ଷା କରିବାକୁ ପଡୁଛି । ଆଜି ଏହି ମହାମାରୀ ମାଲକାନଗିରିରେ ବଣ୍ଡା, ରାୟଗଡାରେ ଡ଼ଙ୍ଗରିଆ କନ୍ଧ, ମୟୂରଭଞ୍ଜରେ ଖଡ଼ିଆ ଏବଂ ସୁନ୍ଦରଗଡ ରେ ପାଉଡ଼ି ଭୂୟାଁଙ୍କ ପରି “ଆଦିମ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ’ ମଧ୍ୟରେ ବ୍ୟାପିଛି । ୩୦%ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲାଗୁଡିକ ମାନବ ବିକାଶ ସୂଚକାଙ୍କରେ ନିମ୍ନ ୫୦ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛନ୍ତି । ମହାମାରୀ ସମୟରେ ମଧ୍ୟ ସେମାନେ ଅତ୍ୟାଧିକ ଅସୁରକ୍ଷିତ ରହିଛନ୍ତି । ରାଜ୍ୟର ମୋଟ ୨,୮୪୯ ଆଇସିୟୁ ଶଯ୍ୟା ମଧ୍ୟରୁ କଟକ ଏବଂ ଖୋର୍ଦ୍ଧା ଦୁଇଟି ଜିଲ୍ଲାରେ ୧,୩୭୮ଟି ଆଇସିୟୁ ରହିଛି । ରାୟଗଡା, ମାଲକାନଗିରି ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ କେବଳ ୧୦ ଟି ଆଇସିୟୁ ଶଯ୍ୟା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶାରେ ଦୁର୍ବଳ ସ୍ୱାସ୍ଥ୍ୟ ଭିର୍ତିଭୂମି ଥିବାରୁ ଓଡିଶାବାସୀ ଉନ୍ନତ ମାନର ଚିକିତ୍ସାରୁ ବଞ୍ଚିତ ରହୁଛନ୍ତି । ଡ଼ାକ୍ତର ଉପଲବ୍ଧି କ୍ଷେତ୍ରରେ ଓଡିଶା ୧୨ତମ ରାଜ୍ୟ – ଦେଶରେ ଜନସଂଖ୍ୟା ଅନୁପାତରେ ୧୮୬୪ ଜନସଂଖ୍ୟାରେ ଜଣେ ଡାକ୍ତର ଅଛନ୍ତି । ସେହିପରି ସମଗ୍ର ଭାରତରେ ହାରାହାରି ୧୪୫୬ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ଅଛନ୍ତି । ଭାରତର ଜାତୀୟ ହାର ୧୩୯ ତୁଳନାରେ ଓଡିଶାରେ ୧ ଲକ୍ଷ ଜନସଂଖ୍ୟାରେ ହସ୍ପିଟାଲ୍ ବେଡ୍ ସଂଖ୍ୟା ରହିଛି ୫୯ଟି । ସେହିପରି କର୍ଣ୍ଣାଟକରେ ଏହି ୧ ଲକ୍ଷ ଜନସଂଖ୍ୟାରେ ୩୯୮ଟି ବେଡ୍‌, କେରଳରେ ୨୮୨ଟି ବେଡ୍‌, ଆନ୍ଧ୍ରପ୍ରଦେଶରେ ୨୦୫ଟି ବେଡ଼୍ ଏବଂ ଉତ୍ତରପ୍ରଦେଶରେ ୧୨୫ ଟି ବେଡ୍ ପ୍ରତି ୧ ଲକ୍ଷ ଜନସଂଖ୍ୟା ପାଇଁ ରହିଛି । ୨୦୨୦ ଆର୍ଥକ ବର୍ଷରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଣ୍ଡ ପିଛା ମାତ୍ର ୧୫୦୧ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହା ଜାତୀୟ ହାରର ୧୯୪୪ ଟଙ୍କା । କେରଳରେ ଏହା ମୁଣ୍ଡ ପିଛା ୨୦୮୫ ଟଙ୍କା, ଆନ୍ଧ୍ରପ୍ରଦେଶରେ ୨୨୬୧ ଟଙ୍କା ଏବଂ ଆସାମରେ ୨୦୫୩ ଟଙ୍କା ରହିଛି । ପଞ୍ଚଦଶ ଆର୍ଥକ କମିଶନ ଅନୁଯାୟୀ, ଓଡିଶାରେ ବର୍ତ୍ତମାନ ପ୍ରତି ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତର ନଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ ଏହି ମାନଦଣ୍ଡ ପୂରଣ କରିବା ପାଇଁ ଓଡ଼ିଶାକୁ ୨୦୩୫ ବର୍ଷ ଅର୍ଥାତ୍ ଆହୁରି ୧୪ରୁ ଅଧିକ ବର୍ଷ ଲାଗିଯିବ । ନିକଟରେ ନୀତି ଆୟୋଗର ପ୍ରକାଶିତ ଏସଡିଜି ଇଣ୍ଡେକ୍ସ ୩.୦ ଅନୁଯାୟୀ, ଏସଡିଜି-୨ ଜିରୋ ହଙ୍ଗରରେ ଓଡିଶା ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଥିରେ ମାତୃ ଓ ଶିଶୁ ପୁଷ୍ଟିକର ଉପାଦାନ ଅନ୍ତର୍ଭୁକ୍ତ । ଏସଡିଜି ସୂଚକାଙ୍କ ୩.୦ ଅନୁଯାୟୀ ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ମୋଟ ୨୮ ରାଜ୍ୟରୁ ଓଡିଶା ୧୮ତମ ସ୍ଥାନରେ ରହିଛି । କେରଳ ତୁଳନାରେ ଓଡ଼ିଶାରେ ମାତୃ ମୃତ୍ୟୁ ଅନୁପାତ ୧ ଲକ୍ଷରେ ୧୫୦ ରହିଛି । ଯେତେବେଳେ କି କେରଳର ମାତୃ ମୃତ୍ୟୁହାର ଅନୁପାତ ୧ ଲକ୍ଷରେ ୪୩ ରହିଛି । ରାଜ୍ୟରେ ୫ ବର୍ଷରୁ କମ ମୃତ୍ୟୁ ହାର ରହିଛି – ପ୍ରତି ୧ ହଜାରରେ ୪୪ ଜଣ । ଯେତେବେଳେ କି କେରଳରେ ଏହି ସଂଖ୍ୟା ୧୦୦୦ ତୁଳନାରେ ୧୦ ଜଣ ରହିଛି । ରାଜ୍ୟରେ ପ୍ରତି ୧୦ ହଜାର ଲୋକଙ୍କ ପାଇଁ ଡାକ୍ତର, ନର୍ସ ଏବଂ ମିଡ଼ୱାଇଭ୍ସ ଅଛନ୍ତି ୩୯ ଜଣ । ଯେତେବେଳେ କେରଳକୁ ତୁଳନା କଲେ କେରଳରେ ଏହି ସଂଖ୍ୟା ୧୧୫ ରହିଛି । ଗ୍ରାମୀଣ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ପିଏଚସିରେ ୬୬୮୮ ଡାକ୍ତର ଆବଶ୍ୟକ ଥିବାବେଳେ କେବଳ ୧୩୨୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ଯେଉଁମାନଙ୍କ ମଧ୍ୟରୁ ଏବେ ବି ୪୦୯ଟି ପଦବୀ ଖାଲି ରହିଛି । ଜିଲ୍ଲା ଡାକ୍ତରଖାନା ଗୁଡିକରେ ୧୪୨୭ ଡ଼ାକ୍ତର ପଦବୀ ଥିବା ବେଳେ ମାତ୍ର ୧୦୯୪ ଡାକ୍ତର ଏବଂ ରାଜ୍ୟର ସବ-ଡିଭିଜନାଲ ହସ୍ପିଟାଲରେ ୫୬୭ ଟି ପଦବୀ ପରିବର୍ତ୍ତେ ୩୪୭ ଜଣ ଡାକ୍ତର ଅଛନ୍ତି । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ରେ ୧୫୨୯ଟି ପଦବୀ ରହିଥିବା ବେଳେ ୧୨୭୬ ଟି ପଦବୀ ଖାଲି ପଡ଼ିଛି । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ଅନୁଯାୟୀ, ବର୍ତମାନର ଜନସଂଖ୍ୟାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟର ଗ୍ରାମୀଣ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ନୁହେଁ । ରାଜ୍ୟରେ ଥିବା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ ଜନସଂଖ୍ୟା ମଧ୍ୟରୁ ୫ ହଜାର ୨୨୯ ଜଣ ଲୋକଙ୍କ ପାଇଁ ଓଡିଶାର ଗୋଟିଏ ସବ୍ ସେଣ୍ଟର ରହିଛି । ସେହିପରି ୨୭,୧୫୧ ଜଣ ଲୋକଙ୍କ ପାଇଁ ଗୋଟିଏ ପିଏଚସି ଏବଂ ୯୨,୭୬୦ ଲୋକଙ୍କ ପାଇଁ ଗୋଟିଏ ସିଏଚସି ରହିଛି । ରାଜ୍ୟରେ ୬୭ ପ୍ରତିଶତ ଶିଶୁକନ୍ୟା ରକ୍ତହୀନତାର ଶିକାର । ସମଗ୍ର ରାଜ୍ୟରେ ୬୨ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତା ଏବଂ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ।୧୫ ତମ ଆର୍ଥକ କମିଶନ ସୁପାରିଶ ଅନୁସାରେ ଓଡ଼ିଶାକୁ ସ୍ୱାସ୍ଥ୍ୟ ଅନୁଦାନ ପାଇଁ ୨୪୫୪ କୋଟି ଟଙ୍କା ଦିଆଯାଇଛି । ୨୦୨୧-୨୨ରେ ୪୬୨ କୋଟି, ୨୦୨୨-୨୩ରେ ୪୬୨ କୋଟି, ୨୦୨୩-୨୪ରେ ୪୮୫ କୋଟି, ୨୦୨୪-୨୫ରେ ୫୧୦ କୋଟି, ୨୦୨୫-୨୬ରେ ୫୩୫ କୋଟି, ସମୁଦାୟ ୨୪୫୪ କୋଟି ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ୨୧ ବର୍ଷର ଲମ୍ବା ଶାସନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଜ ଉଦ୍ୟମରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ ହୋଇନାହିଁ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ୯୨୦କୋଟି ଟଙ୍କା ସହାୟତାରେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଯଦି ସେମାନେ ପ୍ରକୃତରେ ଓଡିଆ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ, ତେବେ ସେମାନେ କାହିଁକି ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା କରୁନାହାଁନ୍ତି ? ରାଜ୍ୟରେ ଦୁଇଟି ଇକମୋ ମେସିନ୍ ଥାଇ ମଧ୍ୟ ଓଡିଶା କାହିଁକି ଗମ୍ଭୀର ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ସଂଘର୍ଷ କରୁଛି ? କୌଣସି ଡାକ୍ତରଖାନାରେ କାହିଁକି ଗୋଟିଏ ବି ପିଏସଏ ଅମ୍ଳଜାନ ପ୍ଲାଣ୍ଟର ବ୍ୟବସ୍ଥା ପୂର୍ବରୁ ହୋଇନାହିଁ ? ବର୍ତର୍ମାନ ଦେଶର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଆମର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଓଡିଶାରେ ପିଏମ କେୟାର ଏବଂ କେନ୍ଦ୍ରୀୟ ପିଏସୟୁର ସହଯୋଗରେ ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତିିଭୂମିକୁ ସଦୃଢ଼ କରିବାର ସଫେଇ ଦେଇ ଏହି କ୍ଷେତ୍ରରେ ୮ ହଜାର କୋଟି ନିବେଶ ହେଉଛି ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏହି ୮୫୦୦ କୋଟି ଟଙ୍କା କିପରି ବିନିଯୋଗ କରିବେ ତାହା ଏବେ ସନ୍ଦେହରେ । ୮୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କର କୌଣସି ଯୋଜନା ଅଛି ନାହିଁ ? ଏହି ସଂଖ୍ୟାଗୁଡିକ କେବଳ ସାଙ୍କେତିକ ଭାବରେ ବିବେଚନା କରାଯିବ ନା ଏହି ପାଣ୍ଠି ବର୍ଷ ବର୍ଷ ଧରି କେବଳ ବ୍ୟବହାର ନ ହୋଇ ପଡ଼ି ରହିବ । ରାଜ୍ୟ ସରକାରଙ୍କ ପୁରୁଣା ରେକର୍ଡ କାରଣରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଣ୍ଠିର ପ୍ରଭାବଶାଳୀ ତଥା ଦକ୍ଷ ଉପଯୋଗକୁ ନେଇ ଆମେ ସନ୍ଦେହ କରୁଛୁ । ସିଏଜି ୨୦୧୯-୨୦ ରିପୋର୍ଟ ଅନୁସାରେ, କୋଣାର୍କରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଞ୍ଜୁର ହୋଇଥିବା ୫.୯୬ କୋଟି ଟଙ୍କା ମୂଲ୍ୟର ଅପବ୍ୟବହାର କରାଯାଇଛି । ଅନୁରୂପ ଭାବରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) ଦ୍ୱାରା ଔଷଧ ଏବଂ ଚିକିତ୍ସା ଉପକରଣ ଅଧିଗ୍ରହଣରେ ୪.୧୮ କୋଟି ଟଙ୍କାର ଅପବ୍ୟବହାର ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜି ସାରା ଦେଶ ଓ ରାଜ୍ୟ ମାନେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଏହି ଲହର ଆମର ଶିଶୁ ମାନଙ୍କୁ ବିଶେଷ ପ୍ରଭାବିତ କରିପାରେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କିଛି ପ୍ରଶ୍ନର ଉତର ରଖନ୍ତୁ । ୧. ସ୍ଥାୟୀ ଶଯ୍ୟା ସଂଖ୍ୟା ବାସ୍ତବିକ କେତେ ବଢିଛି ? ଆଦିବାସୀ ଅଧ୍ୟଷିତ ଜିଲ୍ଲା ମାନଙ୍କରେ ଆଇସିୟୁ ଶଯ୍ୟା କେତେ ବଢିଛି ? ୨. କେତୋଟି ସଦର ମହକୁମାରେ RTPCR ପରୀକ୍ଷାଗାର କିମ୍ବା ନମୁନା ସଂଗ୍ରହ ବ୍ୟବସ୍ଥା ହୋଇ ସାରିଛି ? ୩. କେତୋଟି ଡାକ୍ତରଖାନାରେ ନିଜସ୍ୱ ଅକ୍ସିଜେନ ପ୍ଳାଣ୍ଟର ବ୍ୟବସ୍ଥା ହୋଇ ସାରିଲାଣି ? କେନ୍ଦ୍ର ସରକାର ଦ୍ୱାରା ଦିଆ ଯାଇଥିବା ଅକ୍ସିଜେନ ପ୍ଳାଣ୍ଟ ସବୁ କାର୍ଯକ୍ଷମ ହେଲାଣି କି ?୪. ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ NICU ଓ ଶିଶୁ ରୋଗ ବିଭାଗ ଓ ବିଶେଷଜ୍ଞ ମାନେ ରାଜ୍ୟର ସମସ୍ତ CHC ରେ ଉପଲବ୍ଧ ହେଇ ସାରିଛି କି ? ୫. ଅତ୍ୟାବଶକ ଔଷଧ ଗୁଡିକ ରାଜ୍ୟ ଔଷଧ ନିଗମ ପାଖରେ ମହଜୁଦ ଅଛି ତ ? ଭୁବନେଶ୍ୱର ଛାଡ଼ି ରାଜ୍ୟରେ ଅନ୍ୟ ଜାଗାରେ ଔଷଧ ରଖିବାର ବ୍ୟବସ୍ଥା ହୋଇଛି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । କମ୍ୟୁନିଟି ହେଲଥ୍ ସେଣ୍ଟର(ଗ୍ରାମୀଣ)ରେ ୩୭୭ ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ଥିବା ସମୟରେ ମାତ୍ର ୫୫ଜଣ ନିଯୁକ୍ତ ହୋଇଛନ୍ତି, ଏବେ ବି ୩୨୨ଟି ପଦବୀ ଖାଲି ପଡିଛି । କମ୍ୟୁନିଟି ହେଲଥ୍ ସେଣ୍ଟର(ଆଦିବାସୀ ଅଞ୍ଚଳରେ) ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ୧୩୪ ଥିବାବେଳେ ମାତ୍ର ୧୭ ଜଣ ନିଯୁକ୍ତ ହୋଇଛନ୍ତି । ଏବେ ବି ୧୧୭ ଟି ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ କେବେ ରାଜ୍ୟ ସରକାର ପୂରମ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ସମବାୟ ପ୍ରକୋଷ୍ଠ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Admin

Leave a Reply

Your email address will not be published.

Next Post

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ସହିତ ୫୮୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Wed Sep 15 , 2021
ରାଉରକେଲା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଉରକେଲା ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ୱିତୀୟ ଜିଲ୍ଲା । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ  ପଟ୍ଟନାୟକ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍‌ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ । […]