ଯାହାର ସରଳ ହୃଦୟ ମିତ୍ର ଅଛି, ତା’ର ଜୀବନ ଧନ୍ୟ ଅଟେ

ଏ ଜଗତରେ ଯାହାର ନିଷ୍କପଟ ସ୍ନେହ ଓ ସରଳ ହୃଦୟ ମିତ୍ର ଅଛି, ତା’ର ଜୀବନ ଧନ୍ୟ ଅଟେ ଏବଂ ସେ ପ୍ରକୃତରେ ଭାଗ୍ୟବାନ । ମାତା, ପିତା, ଭାଇଠାର ଯେଉଁ ସୁଖ ମିଳେ ନାହିଁ, ତାହା ଏକ ସ୍ନେହୀ, ନିଷ୍କପଟ ମିତ୍ରଠାରୁ ମିଳିଥାଏ । ଜଣେ ସୁହୃଦୟ ମିତ୍ର ଉପରେ ଯେପରି ବିଶ୍ୱାସ ବୃଦ୍ଧି ପାଇଥାଏ, ସେପରି ବିଶ୍ୱାସ ମାତା ପିତା, ସ୍ତ୍ରୀ ପ୍ରତି ମଧ୍ୟ ସୃଷ୍ଟି ହୋଇନଥାଏ । ଏକ ପ୍ରକୃତ ମିତ୍ର ମନୁଷ୍ୟର ସୁଦିନ ଦୁର୍ଦ୍ଦିନରେ ସମାନ ଭାବରେ ପ୍ରତି ରଖିଥାଏ । ବାଲିକଣା ପରି ମିତ୍ରର ସାମାନ୍ୟ ଦୁଃଖକୁ ଯେଉଁ ବ୍ୟକ୍ତି ପର୍ବତ ପରି ଏବଂ ନିଜର ପର୍ବତ ପରି ଦୁଃଖରୁ ବାଲିକଣା ପରି ମନେ କରି ସମୟ ପଡି଼ଲେ ତନ, ମନ, ଧନର ପ୍ରତି ବଦଳରେ ମିତ୍ରକୁ ସାହାଯ୍ୟ କରେ ଏବଂ ମିତ୍ର ସହ ଛାଇ ପରି ରହିଥାଏ । ନିଜର ଶକ୍ତି, ସାମର୍ଥ୍ୟ ବିନିମୟରେ ମିତ୍ରକୁ ବିପଦରୁ ଊର୍ଦ୍ଧ୍ୱରେ ରଖିବା ପାଇଁ ସେ ଚେଷ୍ଟା କରେ, ମିତ୍ରର ଗୁଣକୁ ସର୍ବତ୍ର ପ୍ରକାଶ କରେ ଏବଂ ଦୁର୍ଗୁଣକୁ ଲୁଚାଇ ରଖେ, ମିତ୍ରର ଗୁପ୍ତ ରହସ୍ୟ ପ୍ରକଟ ହେବାକୁ ଦିଏ ନାହିଁ । ସେହିପରି ମିତ୍ର ହିଁ ପ୍ରକୃତ ମିତ୍ର ଏବଂ କେବଳ ଈଶ୍ୱରଙ୍କ କୃପା ବଳରେ ହିଁ ଏପରି ମିତ୍ର ମିଳିଥାଏ । କିନ୍ତୁ ଆଜିକାଲିର ମିତ୍ରମାନେ କେବଳ ସ୍ୱାର୍ଥର ସାଥୀ । ଯେ ପର୍ଯ୍ୟନ୍ତ ତୁମେ ଖୁଆଉଥିବ, ପିଆଉଥିବ ଏବଂ ଯେ ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ସେମାନେ ମାଗିଲା ମାତ୍ରେ ଦାନ କରି ପାରୁଥିବ ଏବଂ ଯେ ପର୍ଯ୍ୟନ୍ତ ତୁମଠାରେ ଧନ ଐଶ୍ୱର୍ଯ୍ୟ ଥିବ ବା ଯେ ପର୍ଯ୍ୟନ୍ତ ତୁମେ ଉଚ୍ଚପଦରେ ଅଧିଷ୍ଠିତ ଥିବ; ସେ ପର୍ଯ୍ୟନ୍ତ ତୁମର ମିତ୍ର ମାଛିପରି ତୁମ ଚତୁଃପାଶ୍ୱର୍ରେ ଘୁରି ବଲୁଥିବେ । ତୁମେ ଯଦି ଭାଗ୍ୟ ବିପର୍ଯ୍ୟୟ ଯୋଗୁଁ ଅଭାବଗ୍ରସ୍ତ ହେଲା ବା ଯଦି କୌଣସି କାରଣରୁ ତୁମର ସମ୍ମାନ ପ୍ରତିଷ୍ଠା ବିପନ୍ନ ହେବାର ଜଣାଗଲା, ସେତେବେଳେ ସେହି ମିତ୍ର ତୁମକୁ ମଝି ସମୁଦ୍ରରେ ତ୍ୟାଗ କରି ପଳାୟନ କରିବାକୁ ଲାଗିବେ । ଆଜିକାଲି ପ୍ରକୃତ ମିତ୍ର କାହିଁ ? ମନୁଷ୍ୟ ନିଜର ବୁଦ୍ଧିହୀନତା ଯୋଗୁଁ ଖୋସାମଦକାରୀଙ୍କୁ ମିତ୍ର ମନେ କରି ଦୁଃଖ ପାଏ । ତୁମର ଭଲଦିନରେ ଏପରି ମିତ୍ର ତୁମର ସମସ୍ତ ଦୋଷ ଦୁର୍ବଳତା ସମ୍ବନ୍ଧରେ କିଛି ଜାଣି ନେଇଥିବେ । ତୁମର ଦୁର୍ଦ୍ଦିନରେ ବା ସେମାନଙ୍କର ସ୍ୱାର୍ଥରେ ବାଧା ପଡ଼ିଲା ମାତ୍ରେ ସେହି ଦୋଷର, ଦୁର୍ବଳତାର ପ୍ରଚାର କରି ନିଜର ମତଲବ ହାସଲ ପାଇଁ ଚେଷ୍ଟା କରିବେ କିମ୍ବା ଡରାଇ ଧମକାଇ ଜୀବନକୁ ଦୁର୍ବିସହ କରି ପଳାଇବେ । ତୁମର ସର୍ବନାଶ ପାଇଁ ସମସ୍ତ ବିଦ୍ୟା ବୁଦ୍ଧି କୌଶଳ ପ୍ରୟୋଗ କରୁଥିବେ । ଆଜିକାଲି ପ୍ରକୃତ ମିତ୍ର ମିଳିବା ଦୁର୍ଲ୍ଲଭ । କୌଣସି ପୂଣ୍ୟାତ୍ମା ବ୍ୟକ୍ତିକୁ ଏପରି ମିତ୍ର ହୁଏତ ମିଳୁଥିବ । ନିଷ୍କପଟ ମିତ୍ର ଆଜିକାଲି ଦେଖିବାକୁ ବିରଳ, ସେହିପରି ନିଷ୍କପଟ ବନ୍ଧୁ ମଧ୍ୟ ଦେଖିବାକୁ ବିରଳ । ଯେ ପର୍ଯ୍ୟନ୍ତ ତୁମ ନିକଟରେ ଲକ୍ଷ୍ମୀ ବିରାଜମାନ କରୁଥିବେ, ସେ ପର୍ଯ୍ୟନ୍ତ ତୁମର କୁଟୂମ୍ବ ପ୍ରିୟଜନ ନିଜର ହୋଇଥିବେ; କିନ୍ତୁ ଲକ୍ଷ୍ମୀଛଡ଼ା ବ୍ୟକ୍ତିର କେହି ପ୍ରିୟ ହୋଇ ରହି ନଥାନ୍ତି ।

Admin

Leave a Reply

Your email address will not be published. Required fields are marked *

Next Post

ନବୀନ ସରକାରଙ୍କ କମାଲ୍ _5 T : ସ୍ମାର୍ଟ ସିଟିର ସ୍ମାର୍ଟ ଡ୍ରେନ ପାଣିରେ ଭାସି ୧୫ ବର୍ଷର ଛାତ୍ର ନିଖୋଜ, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କଲା କଂଗ୍ରେସ

Mon Sep 20 , 2021
ଭୁବନେଶ୍ୱର:ରବିବାର ଦିନ ଶତାବ୍ଦୀ କଲୋନୀ ଠାରୁ ଜାଗମରା ନୂଆ ରୋଡ଼ ରାସ୍ତାକୁ ସଂଯୋଗ କରୁଥିବା ଖୋଲା ଡ୍ରେନରେ ୧୫ ବର୍ଷର ଛାତ୍ର ଭାସି ନିଖୋଜ ହୋଇଯାଇଥିବା ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଜାଗମରା ନୂଆ ରୋଡ଼ ଠାରେ ତିନି ଘଣ୍ଟା ଧରି ରାସ୍ତା ଅବରୋଧ କରାଯିବା ସହ ନିଖୋଜ ଛାତ୍ରର ପରିବାରକୁ ସରକାର ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି […]