
ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡ଼ିଶାର ଇତିହାସରେ ପ୍ରଥମ ଓଡ଼ିଆ କ୍ରୀଡ଼ା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍ ହକି’ ରବିବାର ରାତ୍ର ୮ଟା ୧୫ ସମୟରେ ଜର୍ମାନୀର ବର୍ଲିନ୍ ଠାରେ ଅନୁଷ୍ଠିତ ଇଣ୍ଡୋ-ଜର୍ମାନୀ ଚଳଚ୍ଚିତ୍ର ମହୋତ୍ସବରେ ଜିତେନ୍ଦ୍ର ମିଶ୍ରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଯାଇଛି । ଚଳଚ୍ଚିତ୍ର ‘ଦ ମାଉଣ୍ଟେନ୍ ହକି’ର ସଫଳତା ପରେ, ସେ ଉକ୍ତ ଚଳଚ୍ଚିତ୍ରଟିକୁ ବିଶ୍ୱ ଦର୍ଶକଙ୍କ ନିକଟକୁ ନେଇଛନ୍ତି । ଏହା ଆମ ପାଇଁ ଏକ ଗର୍ବର ମୁହୁର୍ତ୍ତ ବୋଲି ପ୍ରଯୋଜକ ରାଜ କିଶୋର ହୋତା ଏବଂ ସହ ପ୍ରଯୋଜକ ସୁବ୍ରଜିତ ପ୍ରଧାନ କହିଛନ୍ତି ।
ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ଅବିନାଶ ପ୍ରଧାନ ଏବଂ ଦେବାଶିଶ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜଣେ ଶିକ୍ଷକଙ୍କ ପ୍ରକୃତ ଭାବପ୍ରବଣତା ଏବଂ ସଂଘର୍ଷପୂର୍ଣ୍ଣ ଯାତ୍ରା ଉପରେ ଆଧାରିତ ।
‘ଦ ମାଉଣ୍ଟେନ୍ ହକି ’କେବଳ କ୍ରୀଡ଼ା ଉପରେ ଆଧାରିତ ଚଳଚ୍ଚିତ୍ର ନୁହେଁ, ଏହା ସହ ଜଡିତ ଏକ ସମ୍ବେଦନଶୀଳ ଭାବନା । ମଣିଷମାନେ କିପରି କଠିନ ପରିସ୍ଥିତି ଏବଂ ଅସୁବିଧାକୁ ବାରମ୍ବାର ଅତିକ୍ରମ କରିଥାନ୍ତି ତାହାର ଏକ ଉପସ୍ଥାପନା । ଜାତୀୟ କ୍ରୀଡ଼ା ପ୍ରତି ପ୍ରକୃତ ପ୍ରେମ ଏବଂ ଏହା ପାଇଁ କିଛି କରିବା ଆଶାକୁ ଦର୍ଶାଉଛି । ଶହ ଶହ କ୍ରୀଡ଼ାବିତ୍, କୋଚ୍ ଏବଂ ଅନୁଷ୍ଠାନ ବହୁ ପରିଶ୍ରମ କରି ଏଥିପାଇଁ କାର୍ଯ୍ୟ କରୁଛନ୍ତି; ଏହି କ୍ଷୁଦ୍ର ଚଳଚ୍ଚିତ୍ର ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ଓଡ଼ିଶା ମାଟିର ସମ୍ମାନ ପାଇଁ ଉତ୍ସର୍ଗ କରାଯାଇଛି ।
ଏହି ଚଳଚ୍ଚିତ୍ରଟି ଏକ ନିସ୍ୱାର୍ଥପର ହକି ପ୍ରଶିକ୍ଷକ ଏବଂ କ୍ରୀଡ଼ା କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର କୁମାର କୁଜୁରଙ୍କ କାହାଣୀ ଉପରେ ବର୍ଣ୍ଣିତ ହୋଇଛି, ଯିଏକି ଅନେକ ଆଦିବାସୀ ଝିଅମାନଙ୍କୁ ହକି ଶିକ୍ଷା ଦେବା ପାଇଁ ବହୁ ସଂଘର୍ଷ ଓ କଷ୍ଟ ମଧ୍ୟ ଦେଇ ଗତି କରିଛନ୍ତି । ଓଡ଼ିଶାର ଦୁର୍ଗମ ଅଞ୍ଚଳ ଆମ୍ଲିଖାମନ ଗାଁର ଏକ ମିଶନାରି ସ୍କୁଲରେ ଉପଯୁକ୍ତ ସୁବିଧା ନଥାଇ ମଧ୍ୟ, ହକିକୁ ବଞ୍ଚାଇ ରଖିବା ପାଇଁ କଠିନ ପରିଶ୍ରମ କରିଛନ୍ତି, ଯାହାକି ତାଙ୍କର ହକି ପ୍ରତି ଥିବା ଉତ୍ସାହ କୁ ପ୍ରଦଶର୍ନ କରୁଛି ।

ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରୁଥିବା ତଥା ଅନେକ ବଲିଉଡ ଚଳଚ୍ଚିତ୍ର ସହିତ କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ରାଜ କିଶୋର ହୋତା ଓଡ଼ିଶା ଆସି ଓଡ଼ିଆ ପ୍ରତିଭାଙ୍କ ସହ ଏକ ଚଳଚ୍ଚିତ୍ର କରିବାକୁ ଭାବିଥିଲେ, ଯାହାକି ତାଙ୍କୁ ଏହି କ୍ରୀଡ଼ା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିବକୁ ପ୍ରୋତ୍ସାହିତ କରିଥିଲା ।ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉତ୍ସାହିତ କରିବା ଏବଂ ଆଗକୁ ନେଇ ବିଶ୍ୱ ଆଗରେ ଉପସ୍ତାପନ କରିବା ତାଙ୍କ ଲକ୍ଷ ବୋଲି ପ୍ରୋଜକ ରାଜ କିଶୋର କହିଛନ୍ତି ।
ଏହି ଚଳଚ୍ଚିତ୍ର ଟିକୁ ଆପଣମାନେ MX Player , Disney plus Hotstar ଏବଂ Fearless ନାମକ ଏକ ଅନ୍ତର୍ଜାତୀୟ OTT ପ୍ଲାଟଫର୍ମ ରେ ଦେଖିପରିବେ ।