ଅନୁତାପ ଏକ ଉପେକ୍ଷିତ ପ୍ରେମର

ସୁବ୍ରତ ସେଦିନ ତାଙ୍କର ଇପ୍‌ସିତା ପ୍ରେମିକା ସୁରେଖାର କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବାର ଖବର ପାଇ ଭାଙ୍ଗି ପଡ଼ିଥିଲେ । ସୁରେଖା ସମ୍ବଲପୁରର ଗଙ୍ଗାଧର ମେହେର କଲେଜର ବି.କମ୍‌. ଛାତ୍ରୀ, ଦେଖିବାକୁ ବହୁତ ସୁନ୍ଦରୀ, ଗୋରୀ, ଚକାମୁହଁ, ଫୁଲକାଫୁଲ୍‌କା ଗାଲ, ଆଖିରେ କାମନାର ଚାହାଣୀ, ମୁଣ୍ଡରେ ସାମ୍ପୁକରା ଖୋଲା ଘଞ୍ଚ କେଶ, ମଧ୍ୟମ ସ୍ୱାସ୍ଥ୍ୟ, ଆକର୍ଷଣୀୟା ମୁଖଶ୍ରୀ, ସୁଗଠିତ ଅଙ୍ଗ ପାଇଁ ସୁରେଖା ପ୍ରଥମେ ମଡ଼େଲିଂରେ ଶ୍ରେଷ୍ଠସ୍ଥାନ ପାଇ ପୁରସ୍କୃତ ହେବା ପରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରି ସୁନାମ ଅର୍ଜନ କରିଥିଲେ । ଏହାଛଡ଼ା ଓଡ଼ିଶୀ ନୃତ୍ୟରେ ମଧ୍ୟ ସୁରେଖା ନିପୁଣା ଥିଲେ । ଦୁଇ ତିନୋଟି ଆଲବମ୍‌ରେ ନୃତ୍ୟ ପ୍ରଦର୍ଶନ ପରେ ସେ ଓଡ଼ିଆ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରି ତାଙ୍କର ଦକ୍ଷତା ପ୍ରମାଣିତ କରି ଉଚ୍ଚ ପ୍ରଶଂସା ଲାଭ କରୁଥିଲେ । ସୁରେଖାଙ୍କ ପାଖକୁ ଅସଂଖ୍ୟ ଫୋନ୍ କଲ୍ ତାଙ୍କ ପ୍ରଶଂସକମାନଙ୍କ ଠାରୁ ପ୍ରତିଦିନ ଆସୁଥିଲା । ସୁରେଖାଙ୍କ ମା ସମ୍ବଲପୁର ସରକାରୀ ଡାକ୍ତରଖାନାରେ ଡାକ୍ତରାଣୀ ଥିବାବେଳେ ପିତା ମଧ୍ୟ ଜଣେ ପଦସ୍ଥ ସରକାରୀ ଅଫିସର ଥିଲେ । ଆଭିଜାତ୍ୟ ସମ୍ପନ୍ନ ପରିବାର । ଡଉଲଡାଉଲ ସୁନ୍ଦରୀ ସୁରେଖାଙ୍କୁ ସେଦିନ ପ୍ରଥମେ କଲେଜରେ ଦେଖି ସୁବ୍ରତ ବିସ୍ମିତ ହୋଇପଡ଼ିଥିଲେ । ସେ ଭାବୁଥିଲେ, ସ୍ୱର୍ଗର ଇନ୍ଦ୍ରସଭାର ରୂପସୀ ନର୍ତ୍ତକୀ ମେନକା କଣ ସତରେ ଏଠାକୁ ଚାଲିଆସିଛନ୍ତି ? ସୁବ୍ରତ ପାଖ କଲେଜରେ ବିଏ ପଢ଼ୁଥାନ୍ତି । ଅତ୍ୟନ୍ତ ସୁନ୍ଦରୀ ସୁରେଖାଙ୍କୁ ଦେଖି ସୁବ୍ରତ ସୁରେଖା ପ୍ରତି ଏକ ଅଜଣା ଆକର୍ଷଣରେ ବାନ୍ଧି ହୋଇଯାଇଥିଲେ । ସୁବ୍ରତ ଦେଖିବାକୁ ସୁନ୍ଦର, ସ୍ୱାସ୍ଥ୍ୟବାନ ଯୁବକ, ମୁହଁରେ ସରୁ ନିଶ, ଜିନ୍ ପ୍ୟାଣ୍ଟ ଓ ଇନ୍ ସାର୍ଟ କରି ପିନ୍ଧି କଲେଜର ହିରୋ ରୂପେ ବନ୍ଧୁମାନଙ୍କ ମଧ୍ୟରେ ପରିଚିତ ଥିଲେ । ସୁରେଖାଙ୍କୁ ଦେଖିବା ଦିନଠାରୁ ତାର ଅପୂର୍ବ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ ସୁରେଖା ପ୍ରତି ଏକ ଦୁର୍ବାର ପ୍ରେମର ଆକର୍ଷଣ ଅନୁଭବ କରୁଥିଲେ… । ସୁରେଖାକୁ ଟିକେ ଦେଖିବା ପାଇଁ ସେ କେଲଜର ପ୍ରବେଶ ଗେଟ୍ ନିକଟରେ ପ୍ରତିଦିନ ପ୍ରତୀକ୍ଷା କରି ରହୁଥିଲେ … । ସୁରେଖା ଯେପରି ତାଙ୍କ ହୃଦୟରେ ପ୍ରେମର ଗଭୀର ରେଖାପାତ କରି ତାଙ୍କୁ ଅତିକ୍ରମ କରି ଚାଲିଯାଉଥିଲା କିନ୍ତୁ ସେ ସୁରେଖା ସହ ଦୁଇପଦ କଥାବାର୍ତ୍ତା କରି ତାଙ୍କ ପ୍ରେମର ସଂନ୍ଦେଶ ସୁରେଖାକୁ ଦେବାକୁ ସୁଯୋଗ ପାଉ ନଥିଲେ… ? ନୂତନ ବର୍ଷ ଆସି ଯାଇଥିଲା.. ଏବଂ ଏହି ଅବସରରେ ସେ ସୁରେଖାଙ୍କ ନାମରେ ଏକ ନବବର୍ଷର ଅଭିନନ୍ଦନ ପତ୍ର ପଠାଇ ସେଥିରେ ଲେଖିଥିଲେ, ‘ସୁରେଖା, ମୋର ନୂତନ ବର୍ଷର ଶୁଭେଚ୍ଛା ନେବ, ତୁମକୁ ଟିକିଏ ଦେଖିଲେ ମୋ ହୃଦୟରେ ଶତପଦ୍ମର ରୋମାଞ୍ଚ ଜାଗ୍ରତ ହେଉଛି । ମୋ ଦେହରେ ଏକ ଅଜଣା କାମନାର ଶିହରଣ ଖେଳିଯାଉଛି, ତୁମ ମାଦକଭରା ଆଖିର ପ୍ରେମର ପଞ୍ଚଶର ମୋ ନୟନରେ ବିଦ୍ଧ ହୋଇଯାଉଛି, ତୁମକୁ ପାଇଲେ ମୋ ଜୀବନଟା ସାର୍ଥକ ହୋଇଯିବ ? ଓ I Love You, Surekha, କଲେଜରେ ତୁମକୁ ଦେଖିବା ଦିନଠାରୁ ତୁମର ସୁନ୍ଦର କମନୀୟ ମୁଖଶ୍ରୀର ଛବି ଦେଖି ମୁଁ ତୁମ ପ୍ରତି ମୋହିତ ହୋଇ ପ୍ରେମାସକ୍ତ ହୋଇପଡୁଛି… । ଆସନ୍ତା କାଲି ମୁଁ କଲେଜ ଗେଟ୍ ପାଖରେ ତୁମକୁ ମୋ ପ୍ରେମର ପ୍ରଥମ ଉପହାର ଗୋଟିଏ ରକ୍ତ ଗୋଲପ ଧରି ଅପେକ୍ଷାରତ ଥିବି, ଏବଂ ମୋ ପ୍ରେମର ଅଭିନନ୍ଦନ ପତ୍ରର ଉତ୍ତର କାଲି ଦେବ ବୋଲି ଆଶା କରୁଛି ? ଇତି, ତୁମର ନିବିଡ଼ ପ୍ରେମ ପ୍ରାପ୍ତିର ଆଶାବାଦୀ, ସୁବ୍ରତ ।’ ତା’ ପରଦିନ ସୁବ୍ରତ ନିର୍ଦ୍ଧାରିତ କଲେଜଗେଟ୍ ସମ୍ମୁଖରେ ଗୋଟିଏ ରକ୍ତ ଗୋଲାପ ଫୁଲ ଧରି ସୁରେଖାର ପ୍ରତୀକ୍ଷାରତ ଥିଲେ, ସୁରେଖା ଆସି ସୁବ୍ରତଙ୍କୁ କଣେଇ ଚାହିଁ ଦେଇ ତାଙ୍କ ନିକଟରେ ତାଙ୍କୁ ଅତିକ୍ରମ କରି ଚାଲିଯାଇଥିଲା କିନ୍ତୁ ସୁବ୍ରତଙ୍କୁ କୌଣସି ଚିଠି ଦେଇନଥିଲା କି ତାଙ୍କ ହାତରୁ ଗୋଲାପ ଫୁଲଟି ନେଇନଥିଲା । ସୁବ୍ରତ ସୁରେଖାର ଏପରି ବ୍ୟବହାର ଆଶା କରି ନଥିଲେ ତେଣୁ ସେ ଦୁଃଖରେ ଅଭିଭୂତ ସେଠାରୁ ଫେରି ଆସିଥିଲେ । ବାଟରେ ସେ ସୁରେଖା ସହ ଦେଖାହେଲେ ମଧ୍ୟ ସେ ସାହାସ କରି ସୁରେଖା ସହ କଥାବାର୍ତ୍ତା କରିପାରୁ ନଥିଲେ । ମାତ୍ର କୋଡ଼ିଏ ବର୍ଷର ଯୁବକ ସୁବ୍ରତ, ଲାଜକୁଳା ସ୍ୱଭାବ, ପ୍ରେମର ପ୍ରଥମ ପାହାଚରେ ପାଦଦେଉ ଦେଉ ଏକ ତରଫା ପ୍ରେମର ବିଫଳତାରେ ସେ ଉଦାସୀନ ହୋଇପଡ଼ିଥିଲେ । ସୁବ୍ରତ ଭାବୁଥିଲେ, ଆଜି ସୁରେଖା ତାଙ୍କର ପବିତ୍ର ପ୍ରେମକୁ ଉପେକ୍ଷା କରିଚାଲିଯାଇଛି,କିନ୍ତୁ ଦିନେ ସମୟ ଆସିବ, ସୁରେଖା ତାଙ୍କର ଅନାବିଳ ପ୍ରେମକୁ ହୃଦୟଙ୍ଗମ କରି ତାଙ୍କ ପାଖକୁ ଫେରିଆସିବ ? ସୁରେଖା ଆଜି ଜଣେ ସୁନ୍ଦରୀ, ନୃତ୍ୟନିପୁଣା, ଚଳଚିତ୍ର ଅଭିନେତ୍ରୀ ହୋଇ ବହୁ ଉଚ୍ଚ ସ୍ୱପ୍ନ ରାଇଜରେ ଘୁରି ବୁଲୁଚି, ବହୁ ଚଳଚ୍ଚିତ୍ର ପ୍ରଯୋଜକମାନେ ସୁରେଖାକୁ ସେମାନଙ୍କ ଫିଲ୍ମରେ ଅଭିନୟ ପାଇଁ ଚୁକ୍ତିବଦ୍ଧ କରିବାକୁ ବ୍ୟଗ୍ର ହୋଇପଡୁଛନ୍ତି । ଜଣେ ସଫଳ ଅଭିନେତ୍ରୀ ଭାବେ ସୁରେଖା ଶୀର୍ଷକୁ ଉଠୁଥିବା ବେଳେ ବିବାହ ତାଙ୍କ ଅଭିନେତ୍ରୀ ଜୀବନର ପ୍ରତିବନ୍ଧକ ହେବ ଭାବି ବୋଧେ ସେ ସରଳ ଯୁବକ ସୁବ୍ରତଙ୍କର ପ୍ରେମନିବେଦନକୁ ହେୟ ଚକ୍ଷୁରେ ଦେଖି ସୁବ୍ରତଙ୍କୁ ତାଙ୍କର ସମାସ୍କନ୍ଦ ମନେ ନକରି ତାଙ୍କ ସହ ସମ୍ପର୍କ ନରଖିବାକୁ ଉଚିତ୍ ମନେ କରିଥିଲେ …? ଅକସ୍ମାତ ଦିନେ ସୁବ୍ରତ ଜଣେ ପରିଚିତ ଡାକ୍ତରଙ୍କ ସହ ବାଇକରେ ଯାଉଥିବା ସମୟରେ ସେହି ଡାକ୍ତର ଜଣଙ୍କ ସୁରେଖାର ମାଙ୍କ ସହ କଥାବାର୍ତ୍ତା ପାଇଁ ସୁରେଖା ଘର ନିକଟରେ ପହଞ୍ଚିଥିଲେ । ସେଠାରେ ସୁରେଖାର ମାଙ୍କ ସହ ସୁବ୍ରତର ପରିଚୟ କରାଇଦେଇଥିଲେ । ସୁରେଖାର ମା କହିଥିଲେ, ହଁ ମୁଁ ତାଙ୍କୁ ଜାଣିଛି ସିଏ ସୁରେଖା ପାଖକୁ ‘ନିୟୁ ଇୟରସ ଗ୍ରିଟିଙ୍ଗ୍‌ସ’ ପଠାଇଥିଲେ ।’ ସୁବ୍ରତ ସେଠାରେ ଅପ୍ରସ୍ତୁତ ହୋଇଯାଇଥିଲେ । ତାଙ୍କର ଅଭିନନ୍ଦନ ପତ୍ରଟି ସୁରେଖାର ମା ପଢ଼ିଥିବାରୁ କାଳେ କିଛି ଅପମାନ ଦେଇପାରନ୍ତି ବୋଲି ସୁବ୍ରତ ସେଠାରେ ମନରେ ଆଶଙ୍କା କରୁଥିଲେ.. ? କିନ୍ତୁ ସୁରେଖାର ମା କିଛି ମନ୍ତବ୍ୟ ଦେଇନଥିଲେ । ସୁରେଖା ସେମାନଙ୍କୁ କଫି ଆଣି ଦେଇଥିଲା । ସୁରେଖାକୁ ସେଠାରେ ଦେଖି ସୁବ୍ରତ ଆନନ୍ଦ ଅନୁଭବ କରୁଥିଲେ । ସୁରେଖାର ପ୍ରେମଲାଭ କରିବାର ଆଶା ଭଗବାନଙ୍କର ଅପୂର୍ବ ସଂଯୋଗରୁ ତାଙ୍କ ମନରେ ପୁନର୍ବାର ଉଜ୍ଜିବିତ ହେବାରେ ଲାଗିଥିଲା.. । କିଛିଦିନ ପରେ ସୁବ୍ରତ ଏକ କାର୍ଯ୍ୟରେ ସମ୍ବଲପୁରରୁ ରେଢ଼ାଖୋଲ ତାଙ୍କ ମଟର ସାଇକେଲରେ ଯାଉଥିଲେ । ହଠାତ୍ ସୁରେଖାର ମା’ଙ୍କର ମାରୁତି କାର ତାଙ୍କୁ ଦ୍ରୁତ ଗତିରେ ଅତିକ୍ରମ କରି ଚାଲିଗଲା.. । କାର୍ ଭିତରେ ସୁରେଖା ଓ ତାର ମା’ଙ୍କୁ ଦେଖି ସୁବ୍ରତ ସୁରେଖା ଚଳାଉଥିବା କାରକୁ ମଟର ସାଇକେଲର ଗତି ବଢ଼ାଇ ପିଛା କରୁଥିଲେ ମଧ୍ୟ ତାଙ୍କ କାର୍ ନିକଟରେ ପହଞ୍ଚି ପାରୁନଥିଲେ । ଦୈବାତ୍ ଆଗରୁ ଆଗରୁ ଆସୁଥିବା ଏକ ଟ୍ରକର ଚକ ରାସ୍ତାର ଖାଲଥିବା ସ୍ଥାନରେ ବର୍ଷା ପାଣି ଉପରେ ମାଡ଼ିଯିବାର ଉକ୍ତ କାଦୁଆ ପାଣିର ଛିଟିକା ସୁରେଖାର ର କାର ଉପରେ ପଡ଼ିଥିଲା । ସୁରେଖା କାର ଅଟକାଇ କାରର ସାମନା କାଚ ଉପରେ ପାଣି ପକାଇ ପରିଷ୍କାର କରୁଥିବା ବେଳେ ସୁବ୍ରତ ସେଠାରେ ପହଞ୍ଚି ଯାଇଥିଲେ ଏବଂ ସୁରେଖାର ମାଙ୍କୁ ନମସ୍କାର କରି ତାଙ୍କୁ କୁଆଡ଼େ ଯାଉଛନ୍ତି ବୋଲି ପଚାରିଥିଲେ । ସୁରେଖାର ମା କହିଥିଲେ, ସୁରେଖାର ଆଜି ଭୁବନେଶ୍ୱର ଠାରେ ଚଳଚ୍ଚିତ୍ର ସୁଟିଂ ଅଛି । ଡେରି ହୋଇଗଲାଣି, ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ହେବ’ ବୋଲି ସୁବ୍ରତଙ୍କୁ କହିଥିଲେ । ସୁବ୍ରତ କହିଥିଲେ, ମୁଁ ରେଢ଼ାଖୋଲ ଏକ କାମରେ ଯାଉଛି, ଆପଣଙ୍କ କାର୍ ଏତେ ସ୍ପିଡ୍‌ରେ ଯାଉଥିବାର ଦେଖିଲି, ମାଡାମ୍‌, ଏତେ ଦ୍ରୁତ ଗତିରେ କାର ଚଲାନ୍ତୁ ନାହିଁ, ବାଟରେ କିଛି ଅଘଟଣ ଘଟିପାରେ ? ସୁରେଖା କହିଥିଲେ, ‘ମୋର ଦ୍ରୁତ ଗତିରେ କାର ଚଳାଇବା ଅଭ୍ୟାସ ଅଛି, ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ, କାର ସର୍ବଦା ମୋ ନିୟନ୍ତ୍ରଣରେ ଥାଏ ।’ ବଡ଼ ଲୋକଙ୍କୁ ଉତ୍ତର ନାହିଁ ଭାବି ସୁବ୍ରତ ନିରବ ରହିଥିଲେ ଏବଂ ସୁରେଖା ଠାରୁ ପାଣି ବୋତଲ ମାଗି ପାଣି ପିଇ ରେଢ଼ାଖୋଲ ଅଭିମୁଖେ ଚାଲିଯାଇଥିଲେ । ସୁରେଖାର ମା’ଙ୍କ ଉପସ୍ଥିତିରେ ସୁରେଖା ସହ ସୁବ୍ରତ କଥାବାର୍ତ୍ତା ହେବାର ସୁଯୋଗ ପାଇନଥିଲେ.. । ସୁବ୍ରତ ବିଏ ପାସ୍ କରି ଭୁବନେଶ୍ୱର ଠାରେ ଏକ ସାପ୍ତାହିକ ଅନୁସନ୍ଧାନମୂଳକ ସମ୍ବାଦପତ୍ରର ସହ ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସମାଜର ହିତ ପାଇଁ ଓଡ଼ିଶାର ଜନସାଧାରଙ୍କର ପ୍ରକୃତ ଅବସ୍ଥା ଅନୁଧ୍ୟାନ କରି ବିଭିନ୍ନ ଘଟଣାର ସମ୍ବାଦ ଓ ଫଟୋ ସମ୍ବାଦପତ୍ରରେ ସରକାରଙ୍କର ଦୃଷ୍ଟି ଆକର୍ଷଣ ଓ ପ୍ରତିକାର ପାଇଁ ପ୍ରକାଶ କରିବାକୁ ସୁବ୍ରତ ନିଜ ବ୍ରତ ରୂପେ ସିଦ୍ଧାନ୍ତ ନେଇ ସାମ୍ବାଦିକତା ବୃତ୍ତିକୁ ଗ୍ରହଣ କରି ନେଇଥିଲେ… । କ୍ରମଶଃ ସେ ସୁରେଖାକୁ ପାଇବାର ଆଶା ହରାଇ ବସିଥିଲେ… ? ଅକସ୍ମାତ ସମ୍ବଲପୁରଠାରେ ଏକ ମନ୍ଦିରରେ ସୁବ୍ରତ ସକାଳେ ଦର୍ଶନ କରି ଜଳନ୍ତା ଦୀପ ପ୍ରଦର୍ଶନ ସମୟରେ ସୁରେଖା ସେଠାରେ ଉପସ୍ଥିତ ହୋଇ ତାଙ୍କ ଦୀପରୁ ତା ଦୀପରେ ଅଗ୍ନି ସଂଯୋଗ କରିଥିଲା । ସୁବ୍ରତ ସୁରେଖା ତାଙ୍କ ଦୀପରୁ ଅଗ୍ନି ସଂଯୋଗ କରିବା ପ୍ରଭୁଙ୍କ ଆଶୀର୍ବାଦ ମନେ କରି ସୁରେଖା ସହ କଥାବାର୍ତ୍ତା କରିବା ପାଇଁ ପଛକୁ ଚାହିଁଲା ବେଳକୁ ସୁରେଖାର ମାଙ୍କୁ ସୁରେଖା ପଛରେ ଠିଆ ହୋଇଥିବାର ଦେଖି ଅଗତ୍ୟା ସୁରେଖା ସହ କଥାହେବାର ଇଚ୍ଛାରୁ ନିବୃତ୍ତ ରହିଥିଲେ । ସୁରେଖାର ମା ସୁରେଖାଙ୍କୁ ଛାଇ ପରି ସର୍ବଦା ଜଗିରହୁଥିବାର ସୁବ୍ରତ ଅନୁଭବ କରୁଥିଲେ । କିନ୍ତୁ ସେଦିନ ସୁରେଖାଙ୍କୁ ଦେଖିବାର ସୌଭାଗ୍ୟ ମନେ କରି ସୁବ୍ରତ ଆନନ୍ଦିତ ହୋଇପଡ଼ିଥିଲେ । ଭାବୁଥିଲେ, ସୁରେଖା ତାଙ୍କ ହୃଦୟରେ ବାରମ୍ବାର ପ୍ରେମର ସମାନ୍ତରାଳ ରେଖା ସୃଷ୍ଟି କରି ଚାଲିଯାଉଛି ଅଥଚ ସୁରେଖା ସହ ମିଳନର କେନ୍ଦ୍ରବିନ୍ଦୁ ଠାରେ ସେ ପହଞ୍ଚି ପାରୁ ନାହାଁନ୍ତି…? ସୁରେଖାର ମା ବୋଧେ ସୁରେଖାକୁ ତାର ଚଳଚ୍ଚିତ୍ର ଅଭିନେତ୍ରୀ ଜୀବନର ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି ନହେବା ପାଇଁ ସୁରେଖାକୁ ତାଙ୍କ ଠାରୁ ଦୂରେଇ ଦେଉଛନ୍ତି… ? ଦୁଇ ବର୍ଷ ବିତିଯାଇଥିଲା… । ଭୁବନେଶ୍ୱରଠାରେ ସୁବ୍ରତ ନିଜ ସମ୍ପାଦନାରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶନ କରି ସେଥିରେ ଓଡ଼ିଶାର ମୁଖ୍ୟ ନ୍ୟୁଜ୍ ପ୍ରକାଶନରେ ବ୍ୟସ୍ତ ରହିଥିଲେ । ହଠାତ୍ ସୁବ୍ରତ ଦିନେ ଖବର ପାଇଲେ ଯେ ସୁରେଖା ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର ମହୁରତରେ ଯୋଗଦେବା ପାଇଁ ତାର ମାଙ୍କ ସହ କାରରେ ଭୁବନେଶ୍ୱର ଆସୁଥିବା ବେଳେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କାରେ ଗୁରୁତର ଆହତ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ କରିବା ଏବଂ ତାର ମା’ଙ୍କର ଦୁର୍ଘଟଣା ସ୍ଥଳରେ ହିଁ ପ୍ରାଣହାନି ଘଟିଛି… । ସୁବ୍ରତ ସୁରେଖାଙ୍କର ଏହି ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ସମ୍ବାଦ ଶୁଣି ମର୍ମାହତ ହୋଇପଡ଼ିଥିଲେ ଏବଂ ସୁରେଖାଙ୍କର ଜୀବନ ପ୍ରତି ବିପଦ ହଟିଯାଉ ବୋଲି ଭଗବାନଙ୍କୁ ଆକୁଳ ପ୍ରାର୍ଥନା ମନେ ମନେ ଜଣାଇଥିଲେ । ସୁରେଖା ବୁର୍ଲାରେ କିଛିଦିନ ଚିକିତ୍ସିତ ହୋଇ ସଂଜ୍ଞା ଫେରିବା ପରେ ତାର ବାପା ତାକୁ ଦିଲ୍ଲୀକୁ ଅଧିକ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସୁରେଖା ସହ ସୁବ୍ରତଙ୍କର ଆଉ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା । ସେଦିନ ସେ ସୁରେଖାର ମା’ଙ୍କୁ ଦ୍ରୁତ ଗତିରେ କାର ନଚଳାଇବାକୁ ଦେଇଥିବା ଉପଦେଶ ଯଦି ସେ ମାନିଥାନ୍ତେ ତେବେ ଏପରି ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁବରଣ କରିନଥାନ୍ତେ ଏବଂ ତାଙ୍କର ଇପ୍‌ସିତା ପ୍ରେମିକା ସୁରେଖା ସୁରକ୍ଷିତ ଥାଆନ୍ତା …? ସୁରେଖାକୁ ଚଳଚ୍ଚିତ୍ରରେ ଅଭିନୟ କରାଇ ପ୍ରଚୁର ଅର୍ଥ ରୋଜଗାର କରିବାର ଲୋଭ ଦିନେ ସୁରେଖାର ମାଙ୍କୁ ଅକାଳ ମୃତ୍ୟୁ ଦିଗକୁ ଟାଣିନେବ ଏହା ବୋଧେ ସୁରେଖାର ମା ଭାବି ପାରିନଥିଲେ… ? ଦିଲ୍ଲୀ ଠାରେ ପ୍ରାୟ ଦୁଇ ବର୍ଷ ଶଯ୍ୟାଶାୟୀ ହୋଇ ଚିକିତ୍ସିତ ହେବା ପରେ ସୁରେଖା ସୁସ୍ଥ ହୋଇ ସମ୍ବଲପୁରସ୍ଥିତ ତାଙ୍କ ଘରକୁ ପିତାଙ୍କ ସହ ଫେରି ଆସିଥିବାର ସମ୍ବାଦ ପାଇ ସୁରେଖାକୁ ଦେଖିବା ପାଇଁ ମନସ୍ଥ କରି ସୁବ୍ରତ ଦିନେ ସନ୍ଧ୍ୟାରେ ସୁରେଖା ଘରଠାରେ ପହଞ୍ଚି ଯାଇଥିଲେ । ସୁରେଖାର ବାପା ଘରେ ଉପସ୍ଥିତ ଥିଲେ । ସୁବ୍ରତ ତାଙ୍କୁ ସୁରେଖାର ମାଙ୍କର ଆକସ୍ମିକ ଦେହାନ୍ତ ପାଇଁ ଗଭୀର ଦୁଃଖ ଓ ସମବେଦନା ଜଣାଇ ସୁରେଖା କିପରି ଅଛି ଓ ତାକୁ ଦେଖା କରିବା ପାଇଁ ଚାଲିଆସିଛି ବୋଲି କହିଥିଲେ । ସୁରେଖାର ପିତା ସୁରେଖାକୁ ଡାକି ଦେଉଛି କହି ଭିତରକୁ ଚାଲି ଯାଇଥିଲେ । ସୁରେଖା ଭଲ ଭାବରେ ଚାଲି ପାରୁନଥିଲା, ଧିରେ ଧିରେ ଯେପରି ଚାଲିବାରେ କଷ୍ଟ ହେଉଛି ଜଣାପଡୁଥିଲା । ସେ ଆସ୍ତେ ଆସ୍ତେ ଆସି ସୁବ୍ରତଙ୍କ ସମ୍ମୁଖ ସୋଫାରେ ବସିଥିଲା । ସୁବ୍ରତ ସୁରେଖାର ମୁହଁକୁ ଦେଖି ଚମକି ପଡ଼ିଥିଲେ । ସୁରେଖାର ମୁହଁରେ କେତୋଟି କଟାଚିହ୍ନ ମୁହଁର ଆକୃତି ଟିକେ ଚେପଟା ହୋଇ ଗୋଟେପଟକୁ ଅଳ୍ପ ବଙ୍କା ହୋଇଯାଇଛି । ତାର ଶରୀର ଆଗ ଅପେକ୍ଷା ବହୁତ ମୋଟା ହୋଇଯାଇଛି । ଅପୂର୍ବ ସୁନ୍ଦରୀ ସୁରେଖାର ମୁଖମଣ୍ଡଳ ଏହି ଦୁର୍ଘଟଣାରେ ପରିବର୍ତ୍ତନ ହୋଇ ସେ ଅସୁନ୍ଦରୀ ହୋଇଯାଇଥିଲା । ନିଜର ମାନସୀ ସୁରେଖାର ଏପରି ମୁହଁକୁ ସୁବ୍ରତ ଚାହିଁପାରୁନଥିଲେ… ? ସେ ଆଉ ସ୍ୱର୍ଗର ସୁନ୍ଦରୀ ଅପ୍‌ସରା ଇନ୍ଦ୍ରସଭାରେ ନର୍ତ୍ତକୀ ମେନକା କି ଉର୍ବଶୀ ନଥିଲା, ସେ ଶ୍ରୀହୀନା ସୁରେଖାରେ ପରିଣତ ହୋଇଯାଇଥିଲା.. । ସୁବ୍ରତ ଭାବୁଥିଲେ, ସୁବ୍ରତଙ୍କୁ ଯଦି ସେତେବେଳେ ସୁରେଖା ବିବାହ କରିଥାନ୍ତା ଏବଂ ପରେ ଯଦି ଦୁର୍ଘଟଣାରେ ଏପରି ବିରୂପା ହୋଇଯାଇଥାନ୍ତା, ତେବେ ସେ ନିଶ୍ଚୟ ତାଙ୍କର ପତ୍ନୀ ସୁରେଖା ପ୍ରତି ନିଜର ପ୍ରେମ ବଜାୟ ରଖିଥାନ୍ତେ… । କିନ୍ତୁ ସୁରେଖା କେବେ ତାଙ୍କୁ ପଦେ କଥା ନକହି ତାଙ୍କର ପ୍ରେମକୁ ଜାଣିଜାଣି ଉପେକ୍ଷା କରି ଚାଲିଯାଉଥିଲା… । ତାକୁ ସେ କେତେଥର କଲେଜ ଗେଟ୍ ପାଖରେ ଘଣ୍ଟାଘଣ୍ଟା ଧରି ପ୍ରତୀକ୍ଷା କରି ରହିଥାନ୍ତି, କିନ୍ତୁ ସୁରେଖା ତାଙ୍କ ପ୍ରତୀକ୍ଷାର ମୂଲ୍ୟ ବୁଝି ନଥିଲା… । ଚଳଚ୍ଚିତ୍ର ଅଭିନେତ୍ରୀ ପାଲଟି ଖ୍ୟାତି ଅର୍ଜନ କରିଥିବା ସୁନ୍ଦରୀ ସୁରେଖା ସେତେବେଳେ ବୋଧେ ‘ଧରାକୁ ସରା’ ମନେ କରୁଥିଲା.. ? ‘ଅତି ଗର୍ବେ ହତ ଲଙ୍କା’ ପରି ଭଗବାନ୍ ବୋଧେ ତାର ଗର୍ବ ସହ୍ୟ କରି ନପାରି, ତାଙ୍କର ନିରୀହ, ସରଳ, ଓ ଅନାବିଳ ପ୍ରେମକୁ ହତାଦର କରିଚାଲିଯାଇଥିବାର ପରିଣାମ ସ୍ୱରୂପ ତାର ଏପରି ଦୁର୍ଦ୍ଦଶା କରିଦେଇଛନ୍ତି… ? ଏହିପରି ଭାବାମଗ୍ନ ଥିବା ସମୟରେ ସୁରେଖା ତାଙ୍କୁ ପ୍ରଶ୍ନ କରିଥିଲା, ‘ସୁବ୍ରତ, ଆପଣ ବିବାହ କଲେଣି ?’ ସୁରେଖା ବୋଧେ ଭାବୁଥିଲା, ସୁବ୍ରତ ଏବେବି ତାକୁ ଭଲ ପାଉଛନ୍ତି, ତାକୁ ବିବାହ କରିବାକୁ ପ୍ରତୀକ୍ଷା କରି ରହିଛନ୍ତି ଏବଂ ତାଙ୍କ ମନର କଥା ବୋଧେ ପ୍ରକାଶ କରି ନପାରି ନୀରବରେ ତଳକୁ ମୁହଁ ପୋତି ବସି ରହିଛନ୍ତି…? ତେଣୁ ତା’ ତରଫରୁ ତାର ବିବାହ ପ୍ରସଙ୍ଗ ଉତ୍‌ଥାପନ ପାଇଁ ସୁବ୍ରତଙ୍କୁ ନିଜର ପରୋକ୍ଷ ସମ୍ମତି ଜଣାଇଥିଲା ଏବଂ ପ୍ରକୃତରେ ସୁବ୍ରତ ବିବାହ କରିଛନ୍ତି କି ନାହିଁ ଜାଣିବା ପାଇଁ ଉତ୍ସୁକ ହୋଇପଡ଼ି ଏପରି ପ୍ରଶ୍ନ ସୁରେଖା ସୁବ୍ରତଙ୍କୁ ପଚାରିଥିଲା.. । ସୁବ୍ରତ ସୁରେଖାର ଏପରି ପ୍ରଶ୍ନ ଶୁଣି ବିବ୍ରତ ହୋଇପଡ଼ିଥିଲେ । ସୁରେଖାକୁ କହିଥିଲେ, ‘ନା, ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ।’ ସୁରେଖା କହିଥିଲା, ‘ନା, ଆପଣ ମିଛ କହୁଛନ୍ତି… ?’ ପୁଃନର୍ବାର ସୁରେଖାକୁ ବିବାହ କରିବାକୁ ନିଜ ତରଫରୁ କହିବା ପାଇଁ ସୁବ୍ରତଙ୍କର କଣ୍ଠରୋଧ ହୋଇଯାଇଥିଲା । ସେ ଭାବୁଥିଲେ, ସୁନ୍ଦରୀ ସୁରେଖାର ସେ ଦିନର ଚଳଚ୍ଚିତ୍ର ଅଭିନୟ କରିବାର ନିଶା, ପ୍ରଜାପତି ପରି ଉଡ଼ିବୁଲିବାର ସ୍ପୃହା, ବଡ଼ ବଡ଼ ସୌଖିନ ହୋଟେଲରେ ଚଳଚ୍ଚିତ୍ର ପ୍ରଯୋଜକ ମାନଙ୍କର ଆତିଥ୍ୟତା ଏବଂ ତାର ଚାରିପଟେ ଘୁରିବୁଲୁଥିବା ସୁନ୍ଦର ଅଭିନେତା ଯୁବକମାନଙ୍କ ସହ ତାର ମିଳାମିଶା ଆଜି ସବୁ ଭାଙ୍ଗିଯାଇଛି, ସେ ଆଜି ସୌନ୍ଦର୍ଯ୍ୟହୀନା ହୋଇ ଯେପରି ସମସ୍ତଙ୍କର ଅଲୋଡ଼ା ହୋଇ ‘ଅଶୋକ ବନର ସୀତା’ ପରି ବିଳାପ କରୁଛି । ସୁବ୍ରତଙ୍କର ପ୍ରଥମ ପ୍ରେମର ଅଭିନନ୍ଦନକୁ ଉପେକ୍ଷା କରି ସେ ଆଜି ଜୀବନର ଲକ୍ଷ୍ୟ ପଥରେ ହାରିଯାଇଛି…, ସେ ବର୍ତ୍ତମାନ ବିବାହ କରି ଏକ ନିରାପଦ ଆଶ୍ରୟ ଚାହେଁ ? ତାର ସୌନ୍ଦର୍ଯ୍ୟର ବିକଶିତ ଫୁଲରୁ ଆଜି ମଧୁ ନିଃଶେଷ ହୋଇଯାଇଛି ଏବଂ ନୂତନ ମଧୁପ ଭ୍ରମର ମାନେ ଆଉ ତା ଚାରିପଟେ ଘୁରି ବୁଲୁ ନାହାଁନ୍ତି । ତାର ବଞ୍ଚିବାର ଅବଲମ୍ବନ ଏକମାତ୍ର ବିବାହ ଏବଂ ଯାହାକୁ ସେ ବିବାହ କରିବ, ସେ ସୁରେଖାର ଦୁର୍ଘଟଣା ଗ୍ରସ୍ତ ଶରୀରର ସେବା, ଯତ୍ନ ଓ ଦରକାରୀ ଚିକିତ୍ସା କରାଇ ତାର ଅଚଳ ଶରୀରର ସହାୟକ ହେବ… ? ତେଣୁ ପ୍ରେମର ପ୍ରଥମ ସୋପାନରେ ପାଦ ଦେଇ ତାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ନବବର୍ଷର ଅଭିନନ୍ଦନ ପତ୍ରରେ ତାକୁ ‘‘I Love You’’ ଜଣାଇଥିବା ସେହି ଯବୁକ ଆଜି ତା ସମ୍ମୁଖରେ ଉପସ୍ଥିତ । ତେଣୁ ଏହି ସୁଯୋଗକୁ ହାତଛଡ଼ା ନକରି ସେ ସୁବ୍ରତଙ୍କୁ ତାର ବିବାହ କରିବାର ପରୋକ୍ଷ ସମ୍ମତି ନିଜଆଡ଼ୁ ଉପସ୍ଥାପନା କରିସାରିଛି । ସୁବ୍ରତ ଭାବୁଥିଲେ, ସେ ସେହି କଲେଜରେ ପଢ଼ୁଥିବା ସମୟର ଅତ୍ୟନ୍ତ ସୁନ୍ଦରୀ ସୁରେଖାକୁ ବିବାହ କରି ତା ସହ ଆନନ୍ଦମୟ ଜୀବନ ବିତାଇବାର କଳ୍ପନା କରିଥିଲେ… । କିନ୍ତୁ ସେହି ସୁନ୍ଦରୀ ସୁରେଖାରୁ ବିକୃତ ଅସୁନ୍ଦରୀ ଅତ୍ୟଧିକ ମୋଟି ଶକ୍ତିଶହୀନା ସୁରେଖାକୁ ବର୍ତ୍ତମାନ ବିବାହ କଲେ ସେ ଆଦୌ ଶକ୍ତି ପାଇବେ ନାହିଁ, ସେ ଅନୁତାପ ବହ୍ନିରେ ଜୀବନ ସାରା ଦଗ୍ଧ ହେଉଥିବେ ଏବଂ ସୁରେଖା ତାଙ୍କ ଉପରେ ବୋଝ ହୋଇଯିବ? ତାଙ୍କର ନବର୍ଷର ଅଭିନନ୍ଦନରେ ସାହସିକ ପ୍ରଥମ ପ୍ରେମ ନିବେଦନକୁ ଉପେକ୍ଷା କରିଥିବା ସେହି ସୁନ୍ଦରୀ ସୁରେଖା, ଆଜି ଦୁର୍ଘଟଣାରେ ସୌନ୍ଦର୍ଯ୍ୟହୀନାରେ ପରିଣତ ହୋଇଯାଇଛି ଏବଂ ବାଧ୍ୟହୋଇ ତାର ବିଳମ୍ବିିତ ପ୍ରେମର ସ୍ୱୀକୃତୀକୁ ଆଜି ପ୍ରତ୍ୟାଖ୍ୟାନ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ସୁବ୍ରତ ଦେଖିପାରୁନଥିଲେ… ? କିଛି ବର୍ଷ ସୁରେଖା ଯେପରି ତାଙ୍କର ପ୍ରେମର ନିବେଦନ ଉପେକ୍ଷା କରି ନୀରବ ରହିଯାଇଥିଲା, ଆଜି ସେ ସେହିପରି ନୀରବରେ ସୁରେଖାର ତାଙ୍କୁ ବିବାହ କରିବାର ପରୋକ୍ଷ ବିଳମ୍ବିିତ ସ୍ୱୀକୃତିକୁ ଉପେକ୍ଷା କରି ପରେ ଆସିବି କହି ସୁରେଖା ଠାରୁ ବିଦାୟ ନେଇ ସୁବ୍ରତ ସେଠାରୁ ଫେରି ଆସିଥିଲେ । ସୁରେଖା ସୁବ୍ରତଙ୍କର ପ୍ରଥମ ପ୍ରେମର ଅଭିନନ୍ଦନ ‘ଆଇ ଲଭ୍ ୟୁ’,କୁ ଉପେକ୍ଷା କରିଥିବାରୁ ଆଜି ତାର ଅନୁତାପ ଉପେକ୍ଷିତ ପ୍ରେମର ବହ୍ନିରେ ବୋଧେ ପରିଣତ ହୋଇଯାଇଛି…? ସୁନ୍ଦରୀ ସୁରେଖାଙ୍କର ପ୍ରେମ ଲାଭ କରିବାର ଆଶା କରିଯାଇଥିବା ସୁବ୍ରତଙ୍କ ମନରେ ସୁରେଖା ପ୍ରତି ତାଙ୍କର ଅର୍ନ୍ତନିହିତ ପ୍ରେମରେ ବୋଧେ ନିଷିଦ୍ଧ ଲକ୍ଷ୍ମଣ ରେଖା ଟାଣି ହୋଇଯାଇଥିଲା… ?

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,ରଘୁନାଥ ଭବନ, ୭୧ଏ, ବିଜେବି ନଗର, ଭୁବନେଶ୍ୱର, Call:8260174676,6371338015


Admin

Leave a Reply

Your email address will not be published. Required fields are marked *

Next Post

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ପ୍ରସ୍ତୁତ ହେଉଛି : ବସନ୍ତ ପଣ୍ଡା

Fri Oct 22 , 2021
ଭବାନୀପାଟଣା : ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ମମିତା ମେହେରଙ୍କ ଲାପଟପ, ମୋବାଇଲ ଓ ପେନ ଡ୍ରାଇଭରେ ଅନେକ ତଥ୍ୟ ରହିଛି । ଏ ସବୁ କୁଆଡେ ଗଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ପୋଲିସ ଯଦି ସ୍ୱଚ୍ଛ ତଦନ୍ତ […]