ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ କରୁଛି

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣୟନ କରାଯାଇଥିବା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ‘ପୁସିଙ୍ଗ କାର୍ଡ’ ସଦୃଶ । ଏହି ମୁଲ୍ୟହୀନ ‘ପୁସିଙ୍ଗ କାର୍ଡ’ର ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ମୟୁରଭଞ୍ଜ ଗସ୍ତ କରିଛନ୍ତି । ଅନ୍ୟ ପଟେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅପମାନିତ କରିବାକୁ ଯାଇ ଶାସକ ବିଜେଡି ସମସ୍ତ ପ୍ରକାରର ଅଗଣତାନ୍ତ୍ରୀକ ପନ୍ଥାକୁ ଆପଣାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାରୁ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବା କଥା । ମାତ୍ର ମୟୁରଭଞ୍ଜ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଜନପ୍ରତିନିଧିମାନେ ଭାରତୀୟ ଜନତା ପାର୍ଟୀର ହୋଇଥିବା କାରଣରୁ ଜାଣିଶୁଣି ଅଭିସନ୍ଧିମୂଳକ ଭାବେ ସରକାରୀ କାର୍ଯ୍ୟକ୍ରମରୁ ଦୁରେଇ ରଖାଗଲା । ବାରିପଦାରେ ବିଜେପି ମହିଳା କାର୍ଯ୍ୟକର୍ତାଙ୍କୁ ପ୍ରବେଶ କରିବାକୁ ବିରୋଧ କରାଯାଇଥିବାବେଳେ ଅନ୍ୟ ପଟେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ । ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ଶାସକ ବିଜେଡି ହିଂସାର ଆଶ୍ରୟ ନେଉଛି । ଏହି ଘଟଣାକୁ ବିରୋଧ କରାଯିବାରୁ ଶାସକ ବିଜେଡି ହିଂସାର ଆଶ୍ରୟ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୟୁରଭଞ୍ଜ ଜିଲ୍ଲାରେ ଶାସକ ବିଜେଡିର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ତାଙ୍କ ଦୋ ମୁହାଁ ଚରିତ୍ରର ଖୁଲାସା କରିଛି । ସେହିପରି କଟକ ଜିଲ୍ଲା ବଡମ୍ବାଠାରେ ମଧ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ କରୁଛି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବୀ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜି ବାରିପଦା, ବଡମ୍ବାଠାରେ ଯେଉଁ ମାନେ ବିଜେପି କାର୍ଯ୍ୟକର୍ତାମାନଙ୍କୁ ମରଣାନ୍ତକ ଆକ୍ରମଣ କରି ମାରି ଦେବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୁଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ଆଗାମୀ ଦିନରେ ହିଂସ୍ର ଶାସକ ବିଜେଡି ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଉପସ୍ଥିତ ଥିଲେ ।

Admin

Leave a Reply

Your email address will not be published. Required fields are marked *

Next Post

ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Sat Oct 23 , 2021
ବାରିପଦା: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ […]