ପ୍ରତାରଣା ଏକ ପ୍ରେମର

ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର ଜୀବନକୁ ସୁନ୍ଦର, ସରସ ଓ ଆନନ୍ଦମୟ କରିବା ବଦଳରେ ତା\’ ଜୀବନରେ ପଳପଳ ଦୁଃଖ ଆଣି ଦେଇଥାଏ ଏବଂ ସେହି ପ୍ରେମ ଯେ ପ୍ରତାରଣରେ ପରିଣତ ହୋଇ ତା ଜୀବନକୁ ଦୁଃଖ, ଯନ୍ତ୍ରଣା ଓ ମାନସିକ ଗ୍ଳାନିରେ ଜର୍ଜରିତ କରିଥାଏ ତାହା ସେ କେବେ ଆଶା କରିନଥାଏ ।
“ଏକ ବେବଫାସେ ପ୍ୟାର କିୟା
ଉସ୍‌କେ ନଜରକୋ ପ୍ୟାର କିୟା
ହାଏରେ ମୈନେ ଏ କ୍ୟା କିୟା
ଏ କିୟା କିୟା…
ପୁରୁଣା ଆୱାରା ଫିଲ୍ମର ଏହି ଗୀତ ସେଦିନ ଟିଭିରେ ଦେଖି ମମତା କାନ୍ଦି ପକାଇଥିଲା । ସୁନ୍ଦରୀ ମମତା ଉଚ୍ଚଶିକ୍ଷା ଲାଭ କରି ଏକ ବ୍ୟାଙ୍କରେ ଚାକିରି କରିଥିଲା । ତାର ଅସାଧାରଣ ଜ୍ଞାନ, ଦକ୍ଷତା, ମଧୁରକଥା ଓ ପ୍ରତିଭାରେ ସେ ସମସ୍ତଙ୍କୁ ପ୍ରଭାବିତ କରୁଥିଲା । ତାର ଦକ୍ଷତା ବଳରେ ସେ ମଧ୍ୟ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀକୁ ଉନ୍ନୀତ ହୋଇଥଲା । ସେହି ବ୍ୟାଙ୍କର ମ୍ୟାନେଜର ରମେଶ ସେହି ସୁନ୍ଦର ମଧୁରଭାଷୀ ମମତାଙ୍କ ପ୍ରତି ଆକୃଷ୍ଟ ହୋଇ ତାକୁ ବାରମ୍ବାର ବିଭିନ୍ନ କାମ ବାହାନାରେ ତାଙ୍କ ରୁମ୍‌କୁ ଡକାଇବା, ରାତିରେ ତା’ସହ ଫୋନରେ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ କରି ମମତାର ହୃଦୟରେ ତାଙ୍କ ପ୍ରତି ପ୍ରେମର ଆକର୍ଷଣ ସୃଷ୍ଟି କରିବାରେ ଲାଗିଥିଲେ । ତାର ଉଚ୍ଚ ପ୍ରଶଂସା କରିବା ସହ ବ୍ୟାଙ୍କ ଛୁଟି ପରେ ତାକୁ ଗାଡ଼ିରେ ବସାଇ ପାର୍କକୁ ନେଇ ଗପିବା ଓ ହୋଟେଲକୁ ନେଇ ଚା, ଜଳଖିଆ ଖୁଆଇବା ସହ ବିଭିନ୍ନ ସ୍ଥାନ ବୁଲାବୁଲି କରି ତାଙ୍କ ପ୍ରତି ମମତାର ଏକ ନିବିଡ଼ ଆକର୍ଷଣ ସୃଷ୍ଟି କରୁଥିଲେ । ଶ୍ୟାମଳ ରଙ୍ଗ, ମଧ୍ୟମ ସ୍ୱାସ୍ଥ୍ୟ, ଉଚ୍ଚତା ଓ ଗମ୍ଭୀର ସ୍ୱଭାବର ରମେଶ ପ୍ରତି ମମତା ମଧ୍ୟ ସୁନ୍ଦର ଭବିଷ୍ୟତର ଆଶା ନେଇ ପ୍ରେମର ପ୍ରଥମ ସୋପାନରେ ଉପନୀତ ହୋଇ ସାରିଥିଲା । ଅବଶେଷରେ ରମେଶ ମଧ୍ୟ ମମତାକୁ ତାଙ୍କ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଘରର ପାରିବାରିକ ପରିସ୍ଥିତିକୁ ନେଇ କେବେ ବିବାହ କରିବାର କଳ୍ପନା କରିନଥିବା ମମତା ମଧ୍ୟ ରମେଶଙ୍କୁ ଏକାନ୍ତ ନିଜର ମନେ କରି ସୁନେଲି ସ୍ୱପ୍ନରେ ମଜ୍ଜି ଯାଇ ତାଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପଡ଼ିଥିଲା । ମମତା କହିଥିଲା, ଦେଖନ୍ତୁ, ଆମର ମଧ୍ୟବିତ୍ତ ପରିବାର । ଆପଣଙ୍କ ସହ ମୋର ବିବାହ ପାଇଁ ଆମ ଘରେ ମୋର ପିତା, ମାତାଙ୍କର ସ୍ୱୀକୃତି ଆବଶ୍ୟକ । ଆପଣଙ୍କ ପିତାମାତା ମଧ୍ୟ ଏ ବିବାହରେ ସେମାନଙ୍କର ସମ୍ମତି ଦେବା ଜରୁରୀ । ଅବଶ୍ୟ ଆମ ଦୁହିଁଙ୍କର ଜାତି ବ୍ରାହ୍ମଣ । ତେଣୁ ଆପଣ ଆପଣଙ୍କ ପରିବାରର ସ୍ୱୀକୃତି ନେଇ ମୋର ପିତାମାତାଙ୍କୁ ଏହି ବିବାହ ପାଇଁ ଆମ ଘରକୁ ଆସି ପ୍ରସ୍ତାବ ଦିଅନ୍ତୁ । ଆପଣଙ୍କ ପ୍ରତି ମୋର ଯଥେଷ୍ଟ ମମତା ଅଛି । ରମେଶ ସେହି ଅନୁସାରେ ତାଙ୍କର ପିତାମାତାଙ୍କର ଏ ବିବାହ ପାଇଁ ସମ୍ମତି ନେଇ ମମତାଙ୍କ ପିତାମାତାଙ୍କୁ ଏହି ବିବାହ ପ୍ରସ୍ତାବ ଦେଇଥିଲେ । ମମତାର ପିତାମାତା ଅନିଚ୍ଛା ସତ୍ତ୍ୱେ ମମତାର ଏ ବିବାହରେ ଆଗ୍ରହ ଥିବାରୁ ସେମାନେ ରାଜି ହୋଇଯାଇଥିଲେ । ଅବଶ୍ୟ ମମତା ଏକ ସର୍ତ୍ତ ରଖିଥିଲା ଯେ, ବିବାହ ପରେ ମଧ୍ୟ ସେ ଚାକିରୀ କରି ତାର ପରିବାରକୁ ଆର୍ଥିକ ସାହାଯ୍ୟ ଦେବ । ତାର ବିବାହ ଭଲରେ ହୋଇଯାଇଥିଲା । କିନ୍ତୁ ବିବାହର ମାତ୍ର ପନ୍ଦରଦିନ ପରେ ରମେଶ ମମତାର ଚାକିରି ଯିବା ବନ୍ଦ କରିଦେଲେ ଏବଂ କହିଥିଲେ ମୋର ବିଦେଶରେ ଚାକିରି ହୋଇଯିବ, ସେଠାକୁ ଚାଲିଯିବା ଏବଂ ତୁମେ ମଧ୍ୟ ସେଠାରେ ଚାକିରି କରିବ । ମମତାର ମୋବାଇଲ୍ ଫୋନ୍ ମଧ୍ୟ ତାର ତକିଆ ତଳକୁ ତାର ଶାଶୁ ଲୁଚାଇ ନେଇଗଲେ । ମମତା ତାର ପରିବାର ସହ କଥାବାର୍ତ୍ତା କରିବାର ବାଟ ବନ୍ଦ କରିଦେଲେ । ବିବାହର ବର୍ଷକ ପରେ ମମତା ମଧ୍ୟ ଏକ ପୁତ୍ର ସନ୍ତାନର ଜନନୀ ହୋଇସାରିଥିଲା । ଏହା ମଧ୍ୟରେ ତାର ଶାଶୁ ତା\’ପ୍ରତି ମାନସିକ ଅତ୍ୟାଚାର ଆରମ୍ଭ କରିଦେଇଥିଲେ । ରମେଶଙ୍କୁ ଶିଖାଇ ତାକୁ ତା’ସ୍ୱାମୀଙ୍କ ଦ୍ୱାରା ମାଡ଼ଗାଳି ଦେବା ଆରମ୍ଭ କରିଦେଇଥିଲେ । ଛୋଟ ପୁଅଟିର ମୁହଁକୁ ଚାହିଁ ମମତା ସବୁ ମାଡ଼ଗାଳି ଓ ଦୁଃଖ ସହି ତାଙ୍କ ଗ୍ରାମରୁ ସେ ସହରକୁ ଚାଲିଆସି ଭଡ଼ାଘରେ ରହିଥିଲେ ଏବଂ ତାର ବୋଉ ମଧ୍ୟ ଆସି ତାକୁ ବହୁତ ସାହାଯ୍ୟ କରୁଥିଲେ । ତାର ସ୍ୱାମୀ ରମେଶଙ୍କର ମଧ୍ୟ ତା\’ପ୍ରତି ଥିବା ପ୍ରେମ ଆସ୍ତେ ଆସ୍ତେ ବଦଳିଯାଇ ତାକୁ ପ୍ରତ୍ୟହ ମାଡ଼ଗାଳି ଦେବା ସହ ମମତା ପ୍ରତି ଅତ୍ୟନ୍ତ ଅବହେଳା ପ୍ରଦର୍ଶନ କରୁଥିଲେ । ମମତାକୁ ବିବାହ ପୂର୍ବରୁ ରମେଶ ଦେଇଥିବା ସବୁ ପ୍ରେମମୟ ପ୍ରତିଶ୍ରୁତି ପାଣି ଫୋଟକା ପରି ଉଭେଇ ଯାଇଥିଲା । ମମତା ପ୍ରତି ତାର ସ୍ୱାମୀଙ୍କର ପ୍ରେମ ଯେ ଏତେଶୀଘ୍ର ପରିବର୍ତ୍ତନ ହୋଇଯିବ ମମତା କେବେ ଆଶା କରିନଥିଲା, ଯାହା ସେ ଏବେ ଅନୁଭବ କରୁଥିଲା । ରମେଶ ସେଠାରୁ ଚାକିରି ଛାଡ଼ି ଅନ୍ୟ ଏକ ସହରରେ ଥିବା ଏକ ପ୍ରାଇଭେଟ୍ ବ୍ୟାଙ୍କରେ ଚାକିରି ପାଇ ଚାଲିଗଲେ । ପତ୍ନୀ ଓ ତାଙ୍କର ଛୋଟ ପୁଅକୁ ମଧ୍ୟ ସାଙ୍ଗରେ ନେଲେ ନାହିଁ । ଅତ୍ୟନ୍ତ ଦୁଃଖ ଅଭାବ ସତ୍ତ୍ୱେ ପିଲାଟିର ଯତ୍ନ ନେବାରେ ଲାଗିଥିଲେ ମମତା । କିନ୍ତୁ ସେଠାରେ ରମେଶ ଅନ୍ୟ ଜଣେ ଅଧସ୍ତନ ମହିଳା କର୍ମଚାରୀ ରୀତାକୁ ପ୍ରେମ ଜାଲରେ ଫସାଇ ତା’ସହିତ ଶାରିରୀକ ସଂପର୍କ ରଖିବାରେ ଲାଗିଥିଲେ । ପତ୍ନୀଙ୍କୁ ଚଳିବା ପାଇଁ କିଛି ଅର୍ଥ ପ୍ରଦାନ କରି ସେଠାରେ ରୀତାଙ୍କ ସହିତ ନିଜର ପ୍ରେମ ଚରିତାର୍ଥ କରିବାରେ ଲାଗିଥିଲେ । ମମତା ସେଠାର ଅନ୍ୟ କର୍ମଚାରୀଙ୍କ ଠାରୁ ଏ ସମ୍ବାଦ ପାଇ ଅତ୍ୟନ୍ତ ଭାଙ୍ଗିପଡ଼ି ସ୍ୱାମୀଙ୍କୁ ଏହାର ଦୃଢ଼ ପ୍ରତିବାଦ ଜଣାଇଥିଲେ । କିନ୍ତୁ ରମେଶ ଏଥିରେ ଉତ୍‌କ୍ଷିପ୍ତ ହୋଇ ମମତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ । ସୁନ୍ଦର ପତ୍ନୀ ଓ ଛୋଟ ପୁଅ ଥିବା ସତ୍ତ୍ୱେ ରମେଶଙ୍କର ଏପରି ଚରିତ୍ରସ୍ଖଳନ ମମତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତାଙ୍କୁ ପ୍ରେମ ବିବାହ କରି ପୁଣି ଆଉ ଜଣେ ବିବାହିତା ମହିଳା ଅଧସ୍ତନ କର୍ମଚାରୀଙ୍କ ସହ ପାପ ପ୍ରଣୟରେ ଲିପ୍ତ ହୋଇ ରମେଶ ଦିନକୁ ଦିନ ନିର୍ଦ୍ଦୟ ହୋଇ ମମତାଙ୍କୁ ଅକଥନୀୟ ଅତ୍ୟାଚାର କରି ପତ୍ନୀଙ୍କୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ମମତା ସ୍ୱାମୀଙ୍କର ଏହି ନିଷ୍ଠୁର ବ୍ୟବହାରରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାରେ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ରମେଶ ଆଉ ମମତାଙ୍କୁ ଦୁର୍ବ୍ୟବହାର କରିବେ ନାହିଁ ଓ ତାଙ୍କର ପ୍ରେମିକା ବିବାହିତା ରୀତାଙ୍କ ସହ ଆଉ ସଂପର୍କ ରଖିବେ ନାହିଁ ବୋଲି ଲିଖିତ ଅଣ୍ଡରଟେକିଂ ଦେଇ ପତ୍ନୀ ମମତାଙ୍କୁ ନେଇ ଘରକୁ ଫେରିଥିଲେ । ତଥାପି କିଛିଦିନ ପରେ ରମେଶ ତାଙ୍କର ପ୍ରେମିକା ରୀତା ସହ ପ୍ରେମ ସଂପର୍କ ବଜାୟ ରଖି ପତ୍ନୀ ମମତାଙ୍କୁ ହତାଦର କରିବାରେ ଲାଗିଥିଲେ । ପତ୍ନୀଙ୍କୁ ସେ କେବେ କୌଣସି ଯାନିଯାତ୍ରା, ବିବାହ ଉତ୍ସବ ଆଦିକୁ ସଙ୍ଗରେ ନେଇ ଯାଇନଥିଲେ । ପତ୍ନୀଙ୍କୁ ସେ କେବେବି ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏପରିକି ଶାଢ଼ୀ ଖଣ୍ଡେ କିଣି ଦେଉନଥିଲେ । ମମତାଙ୍କ ବୋଉ ତାଙ୍କର ନିତ୍ୟ ପ୍ରସାଧାନ ସାମଗ୍ରୀ ଓ ଶାଢ଼ୀ ପ୍ରଭୃତି ଆଣି ମମତାଙ୍କୁ ଦେଉଥିଲେ । ରମେଶଙ୍କର ଏହି ବ୍ୟଭିଚାର କାର୍ଯ୍ୟକଳାପ ଯୋଗୁଁ ସେହି ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ ରମେଶ ଓ ତାଙ୍କର ରକ୍ଷିତା ପ୍ରେମିକା ଦୁହିଁଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ । ପତ୍ନୀ ମମତାଙ୍କୁ ତାଙ୍କ ଗ୍ରାମରେ ନେଇ ଛାଡ଼ିଦେବାକୁ ରମେଶ ଅଡ଼ିବସିଥିଲେ । ଆଠ ବର୍ଷର ପୁଅ ସେଠାରେ ଇଂଲିଶ ମିଡିୟମ ସ୍କୁଲରେ ପଢ଼ୁଥାଏ । ଅର୍ଥାଭାବ ଦର୍ଶାଇ ମୁଁ ଆଉ ତୁମକୁ ପୋଷି ପାରିବି ନାହିଁ, ଗ୍ରାମକୁ ଯିବାକୁ ହେବ କହିବାରୁ ମମତା ତାଙ୍କ ଗ୍ରାମରେ ତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ଗାଳି ଓ ନିର୍ଯାତନା କଥା ମନେ ପକାଇ ଏବଂ ଭଲ ପଢ଼ୁଥିବା ମେଧାବୀ ପୁଅର ସ୍କୁଲ ଶିକ୍ଷା ଲାଭରେ ବାଧା ସୃଷ୍ଟି ହେବା ଆଶଙ୍କାରେ ସେ ତାଙ୍କ ଗ୍ରାମରେ ରହିବାକୁ ମନା କରିଦେଇଥିଲେ । ତାଙ୍କ ସ୍ୱାମୀ ମମତାକୁ ତାଙ୍କ ଗ୍ରାମକୁ ଯିବାକୁ ବାଧ୍ୟ କରି ତାଙ୍କର ନିଜ ଜିନିଷପତ୍ର ଗାଡ଼ିରେ ନେଇ ଗ୍ରାମକୁ ଚାଲିଯାଇଥିଲେ । ଅଗତ୍ୟା ମମତା ପାଖରେ ରଥିବା ସମସ୍ତ ସୁନାଗହଣା ବିକ୍ରୟ କରି ବାକିଥିବା ଘରର ତିନି ମାସର ଘରଭଡ଼ା ଦେଇ ଅନ୍ୟ ଏକ ଘର ଭଡ଼ା ନେବାକୁ ମମତା ସ୍ଥିର କରିଥିଲେ । ମାତ୍ର ତିନି ଦିନ ପରେ ରମେଶ ପୁଣି ସେଠାକୁ ଆସି କହିଥିଲେ, ଆଉ ଗୋଟେ ଭଲ ଘର ମୁଁ ଦେଖିଛି, ସେଠାକୁ ଯିବା, ମୁଁ ଘରଭଡ଼ା ଦେବି ଏବଂ ତୁମେ ଘର ଖର୍ଚ୍ଚ ଚଳାଇବ । ମୋର ଚାକିରି ହୋଇଗଲେ ମୁଁ ଘରର ସବୁ ଖର୍ଚ୍ଚ ବହନ କରିବି । ତୁମେ ଏହି ଦୁଇ ତିନି ମାସ ମୋର ଚାକିରି ହେବା ପର୍ଯ୍ୟନ୍ତ ଘର ଖର୍ଚ୍ଚ ତୁଲାଇବ । ମମତା କହିଥିଲା, ମୁଁ ଚାକିରି ଖୋଜୁଛି ଓ ଚାକିରି କଲେ ଘରର ଖର୍ଚ୍ଚ ଚଳାଇବି । ସେ ପର୍ଯ୍ୟନ୍ତ ବାପଘରୁ ଟଙ୍କା ଆଣି ଏହି ଦୁଇମାସ ମୁଁ ଘରର ଖର୍ଚ୍ଚର୍ ଚଳାଇବି । ରମେଶ ଆଉ ଗୋଟେ ଘର ବୁଝି ଦୁଇ ମାସର ଅଗ୍ରିମ ଭଡ଼ା ଦେଇ ସେଠାକୁ ଘରର ସମସ୍ତ ଜିନିପତ୍ର ନେଇ ସେହି ଭଡ଼ା ଘରକୁ ଚାଲିଗଲେ । ସେଠାରେ ସାପକୁଣ୍ଡଳୀ ମାରି ଦ୍ୱାର ଜଗିବା ପରି ରମେଶ ମମତାଙ୍କୁ ଜଗିରହିବାରେ ଲାଗିଥିଲେ । ତାକୁ କାହା ସହ ଫୋନରେ କଥା ହେବାକୁ ବାରଣ କରୁଥିଲେ । ଟିକେ ଟିକେ କଥାରେ ରାଗିଯାଇ ମମତା ଉପରକୁ ଚା କପ୍ ଫୋପାଡ଼ିବା ଓ ଗାଳିଦେବା ପ୍ରଭୃତି ସହ ତାଙ୍କୁ ଗାରଡେଇ ଚାହିଁ ତା’ପ୍ରତି ତାଙ୍କର ଘୃଣାଭାବ ପ୍ରକଟିତ କରୁଥିଲେ । ଚାକିରି ପାଇଁ ଚେଷ୍ଟା ନକରି ସେ ଦେହରେ ସୁବାସିତ ବଡ଼ି ସ୍ପ୍ରେ ପକାଇ ଘରୁ ବୁଲି ବାହାରୁଥିଲେ । ତାଙ୍କ ଗ୍ରାମରେ ରହି ମମତା ଶାଶୁ-ଶ୍ୱଶୁରଙ୍କୁ ରାନ୍ଧି କାହିଁକି ଖାଇବାକୁ ଦେବ ନାହିଁ ଏହି ରାଗରେ ମମତାଙ୍କୁ ଘୃଣା ଓ କ୍ରୋଧ ଦୃଷ୍ଟିରେ ଚାହୁଁଥିଲେ । ସଂସାର ପ୍ରତି ମମତାଙ୍କର ମୋହ ମାୟା ତୁଟିବାରେ ଲାଗିଥିଲା । ଜୀବନ ପ୍ରତି ତାଙ୍କର ବିତୃଷ୍ଟା ଆସିଯାଇଥିଲା । ମରିବା ପାଇଁ ଚାହୁଁଥିଲେ ମଧ୍ୟ ପୁଅକୁ ଶିକ୍ଷାଲାଭ ଦେଇ ସକ୍ଷମ କରାଇବା ପାଇଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ମମତା ସିଦ୍ଧାନ୍ତ ନେଇ ସେହି ର୍ଦୁବ୍ୟବହାର କରୁଥିବା ସ୍ୱାମୀ ରମେଶଙ୍କର ସବୁ ଅତ୍ୟାଚାର ସହି ପଡ଼ିରହିବାକୁ ବାଧ୍ୟ ହେଉଥିଲେ ମମତା ।
“ଦୁନିଆଁ ମେ ହମ୍ ଆୟେ ହେଁ
ଜୀନା ହି ପଡ଼େଗା
ଗିର୍ ଗିରକେ ମୁସିବତ ମେଁ
ସମ୍ଭଲତେ ହି ରହେଁଗେ
ଜିନ୍ଦେଗୀ ଅଗର ଜହର
ହାଏ ତ ପିନାହିଁ ପଡ଼େଗା
ଦୁନିଆ ମେ ହମ୍ ଆୟେ ହେଁ ଜୀନାହି ପଡ଼େଗା ।”
ପୁରୁଣା ହିନ୍ଦି ଫିଲ୍ମ “ମଦର ଇଣ୍ଡିଆ’ର ଏହି ଗୀତଟି ଟିଭିରୁ ଦେଖି ମମତା ବଞ୍ଚି ରହିବାକୁ ଦୃଢ଼ ନିଷ୍ପତ୍ତି ନେଇ ଜୀବନର ସମସ୍ତ ସୁଖକୁ ଜଳାଞ୍ଜଳି ଦେଇ ଅଗ୍ରସର ହେବାରେ ଲାଗିଥିଲେ । ରମେଶଙ୍କ ପ୍ରେମ ଜାଲରେ ଫସିଯାଇ ଆଜି ଏପରି ଅତ୍ୟାଚାରିତ ହେଉଛନ୍ତି, ତାଙ୍କ ପ୍ରତି ତିଳେ ଦୟା ଓ ମମତା ନଥିବାର ଅନୁଭବ କରୁଥିଲେ ମମତା । ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ସଂପର୍କ ରଖି ତାଙ୍କ ପଛରେ ଅଜସ୍ର ଅର୍ଥବ୍ୟୟ କରି ତାଙ୍କୁ ମଝି ନଈରେ ଠେଲି ଦେବା ପରି ଅବସ୍ଥା ସୃଷ୍ଟି କରିବା ଆଉ ସହ୍ୟ କରିପାରୁନଥିଲେ ମମତା । ଯାହାଙ୍କ ପ୍ରେମରେ ବଶୀଭୂତ ହୋଇ ଏକ ସୁନେଲି କଳ୍ପନାରେ ଭାସି ଯାଇଥିବା ମମତା ଆଜି ତାଙ୍କ ଜୀବନଟା ଯେ ବିଷମୟ ହୋଇଯାଇଛି ଓ ତାଙ୍କର ଆଶା ଓ କାମନା ଯେ ଆଜି ଧୂଳିସାତ୍ ହୋଇଯାଇଛି ଏବଂ ତାଙ୍କର କେବଳ ନୀରବରେ ଅଶ୍ରୁପାତ କରିବା ଛଡ଼ା ଆଉ କିଛି ବିକଳ୍ପ ଦେଖି ପାରୁନଥିଲେ ମମତା ? । ତାଙ୍କ ସ୍ୱାମୀ ରମେଶଙ୍କର ସେଦିନର ଛଳନାର ପ୍ରେମ ଆଜି ଯେ ପ୍ରତାରଣରେ ପାଲଟିଯିବ ଏକଥା କେବେ କଳ୍ପନା କରିପାରିନଥିଲେ ମମତା ? ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,Call:8260174676,6371338015

Admin

Leave a Reply

Your email address will not be published. Required fields are marked *

Next Post

ଜଳବାୟୁ ପରିବର୍ତ୍ତନ ଉପରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ : ମନ୍ତ୍ରୀ ଡ. ଅରୁଣ କୁମାର

Wed Oct 27 , 2021
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଳ୍ପନା ପ୍ରସ୍ତୁତ ଦିଗ୍‌ଦର୍ଶନ ତଥା ଭାରତବର୍ଷରେ ଜଳବାୟୁ ପରିବର୍ତ୍ତନର ନେତୃତ୍ୱ ନେବାରେ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ ଓଡ଼ିଶା ଜଳବାୟୁ ପରିବର୍ତ୍ତନ ଉପରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି । ମଙ୍ଗଳବାର ରାଜ୍ୟ କୃଷି ଭବନରେ ସବୁଜ କୃଷି ପ୍ରକଳ୍ପର ୩ ଦିନିଆ ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳା ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ […]