ସିବିଆଇ କ’ଣ କରେ

କେନ୍ଦ୍ର ହେଉ ବା ରାଜ୍ୟ ହେଉ, ଯେଉଁଠାରେ ବି ରହିଥିବା ଗୋଟିଏ ରାଜନୈତିକ ଦଳ ବା ମେଣ୍ଟ ସମ୍ପର୍କରେ ଦୁର୍ନୀତିର ସ୍ୱର ଉଠିଲା ମାତ୍ରେ ତାହାର ପ୍ରତିପକ୍ଷ ଗୋଷ୍ଠୀ ସଙ୍ଗେ ସଙ୍ଗେ ବାହାରିପଡ଼ି ଗଣମାଧ୍ୟମ ଆଗରେ ସିବିଆଇ ତଦନ୍ତର ଚିତ୍କାର ଛାଡ଼ନ୍ତି । ଏବେ ତ କାହା ବାଡ଼ିରୁ ପରିବା ଚୋରି ହେଲେ ବି ଲୋକେ ସିବିଆଇ ତଦନ୍ତ ହିଁ ଉପଯୁକ୍ତ ପଦକ୍ଷେପ ବୋଲି ମାନସିକ ସ୍ତରରେ ବିବେଚନା କରୁଛନ୍ତି । କାରଣ ସାଧାରଣ ପୋଲିସ୍ ପ୍ରଶାସନ ଉପରେ ସର୍ବସାଧାରଣଙ୍କର ଆସ୍ଥା ଶୂନ ତଳକୁ ଖସିଛି । ତେବେ ସବୁ କଥାରେ ସିବିଆଇ ତଦନ୍ତର ଦାବି କରାଯିବା କେତେଦୂର ଯଥାର୍ଥ ବା ଉଚିତ୍ ତାହା ଏବେ ଭିନ୍ନ ଆଲୋଚନାର ପ୍ରସଙ୍ଗ । ସିବିଆଇର ଯେତେବେଳେ ପରିକଳ୍ପନା କରାଯାଇଥିଲା ସେତେବେଳେ ଲକ୍ଷ୍ୟ ରହିଥିଲା ଯେ, କୌଣସି ଜଟିଳ କିମ୍ବା ଗୁରୁତର ପ୍ରସଙ୍ଗ ବା ଘଟଣାରେ ଅତି ଲୁକ୍କାୟିତ ଭାବେ ରହୁଥିବା ଘଟଣାବଳୀ ବା ତଥ୍ୟକୁ ସର୍ବସାଧାରଣଙ୍କୁ ଆଣିବା । କିନ୍ତୁ ବର୍ତ୍ତମାନ ଭାରତୀୟ ରାଜନୀତିର ପରିବର୍ତ୍ତିର୍ତ ଦୃଶ୍ୟପଟ୍ଟରେ ଏହା ଆଉ ସ୍ଥିର ହୋଇ ନାହିଁ । ଏମିତି ଦେଖିବାକୁ ଗଲେ ଆମ ଦେଶର କୌଣସି ରାଜନୈତିକ ଦଳ ଆଦୌ ଦୁର୍ନୀତିମୁକ୍ତ ବୋଲି କୁହାଯାଇପାରିବ ନାହିଁ । ଯେହେତୁ ଗଣତାନ୍ତ୍ରିକ ଭୋଟ ବ୍ୟବସ୍ଥାର ସମାନ୍ତରାଳରେ ଏକ ପୁଞ୍ଜିବାଦୀ ଭୋଟ୍ ବ୍ୟବସ୍ଥା ପରିଚାଳିତ ହେଉଛି ସେ ହେତୁ ସିବିଆଇ ପରି ଏକ ସ୍ୱାଧୀନ ସଂସ୍ଥା ଆଉ ତାହାର ନିରପେକ୍ଷତା ବଜାୟ ରଖିବା ସମ୍ଭବ ହେଉନାହିଁ କହିଲେ ଚଳେ । କେବଳ କାଗଜକଲମରେ ଓ ଲୋକ ବିଶ୍ୱାସରେ ଏହି ସଂସ୍ଥା ନିରପେକ୍ଷ ବୋଲି ଧରାଯାଉଛି । କିନ୍ତୁ ସିବିଆଇ କାହା ବିରୁଦ୍ଧରେ କ’ଣ ତଦନ୍ତ କରିବ ସେ ନେଇ ଏବେ ଏକ ପ୍ରକାର ଦ୍ୱନ୍ଦାତ୍ମକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ପରି ଲାଗୁଛି । ନହେଲେ ଗୋଟିଏଗୋଟିଏ କେସ୍‌ର ପର୍ଦ୍ଦାଫାସ କରିବା ପାଇଁ ଏହାକୁ ବର୍ଷବର୍ଷ ଲାଗୁନଥାନ୍ତା । ଯଦି ସିବିଆଇର ଅନୁସନ୍ଧାନ ରେକର୍ଡ଼ ଦେଖାଯିବ ତେବେ ଜଣାପଡ଼ିବ ଯେ, ସ୍ୱାଧୀନତାର ପରବର୍ତ୍ତି ସମୟରେ କେତେକ ମୁଖ୍ୟମୁଖ୍ୟ କେସ୍ ସିବିଆଇ ଦ୍ୱାରା ଅନୁସନ୍ଧାନ କରାଯାଇ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । କିନ୍ତୁ ବର୍ତ୍ତମାନର ଅନୁସନ୍ଧାନ ଗୁଡ଼ିକ କ୍ଷମତାରେ ଥିବା ସରକାରଙ୍କୁ ସମର୍ପିତ ହେଉଛି । ଅର୍ଥାତ୍ ରିପୋର୍ଟ ପ୍ରଥମେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଦଳୀୟ ଅଧ୍ୟକ୍ଷ କିମ୍ବା ଅଧ୍ୟକ୍ଷା ଅଥବା ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ନିକଟକୁ ଯିବ । ଅବଶ୍ୟ ଏହା ନନ୍‌ଅଫିସିଆଲି । ତା’ପରେ ସେଥିରୁ କାଣ୍ଟଛାଣ୍ଟ କରାଯିବ । ଆଗାମୀ ଭବିଷ୍ୟତ, ନିର୍ବାଚନ ଓ ଦଳୀୟ ସ୍ଥିତିକୁ ଆକଳନକୁ ନେଇ କାହା ମୁଣ୍ଡରେ ଦୋଷ ଲଦାଯିବ ତାହା ସ୍ଥିର ହେବ । ତାପରେ ନିର୍ଦ୍ଧିଷ୍ଟ କେତେଜଣଙ୍କ ନାମ ଲୋକଲୋଚନକୁ ଆସିବ । ଦେଶର ସର୍ବୋଚ୍ଚ ଅନୁସନ୍ଧାନମୂଳକ ସଂସ୍ଥାର କାର୍ଯ୍ୟକଳାପ ନିଃସନ୍ଦେହଜନକ ନରହିବାରେ ଜାତୀୟ ସ୍ତରରେ ଆହୁରି ଅନୁସନ୍ଧାନମୂଳକ ସଂସ୍ଥାର ଗଠନ ହୋଇଛି ।

Admin

Leave a Reply

Your email address will not be published. Required fields are marked *

Next Post

ଆକର୍ଷଣ ଦୁଇଟି ହୃଦୟର

Sun Oct 31 , 2021
ଅନ୍ତରର ଅନୁଭବ ହୃଦୟ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା ମନକୁ ମିଳନ ପାଇଁ ବିଚଳିତ କରିଥାଏ । ସେଦିନ ଶିବରାତ୍ରୀ । ଶୈବପୀଠ ସବୁ ଚଳଚଞ୍ଚଳ । ସହସ୍ରାଧିକ ଭକ୍ତ ଶିବ ମନ୍ଦିରକୁ ଶିବ ଦର୍ଶନ ପାଇଁ ଯାଉଥାନ୍ତି […]