ଆକର୍ଷଣ ଦୁଇଟି ହୃଦୟର

ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା ମନକୁ ମିଳନ ପାଇଁ ବିଚଳିତ କରିଥାଏ । ସେଦିନ ଶିବରାତ୍ରୀ । ଶୈବପୀଠ ସବୁ ଚଳଚଞ୍ଚଳ । ସହସ୍ରାଧିକ ଭକ୍ତ ଶିବ ମନ୍ଦିରକୁ ଶିବ ଦର୍ଶନ ପାଇଁ ଯାଉଥାନ୍ତି । ସେଦିନ ମନୋଜ ପାହାଡ଼ ଉପରେ ଥିବା ସିଦ୍ଧେଶ୍ୱରଙ୍କ ମନ୍ଦିର ଭିତରେ ଶିବ ଦର୍ଶନ ପାଇଁ ଅପେକ୍ଷାରତ ଥିଲେ । ଏହି ସମୟରେ ଏକ ସୁନ୍ଦରୀ ତରୁଣୀ ତାଙ୍କ ନିକଟରେ ପିତାମାତାଙ୍କ ଗହଣରେ ଠିଆ ହୋଇଥାନ୍ତି । ମନୋଜ ଶିବ ମନ୍ଦିରରେ ବ୍ରାହ୍ମଣଙ୍କ ହାତକୁ ନଡ଼ିଆ, ବେଲପତ୍ର ଓ ଅରଖ ଫୁଲ ଇତ୍ୟାଦି ବଢ଼ାଇ ଦେଇ ପୂଜାର୍ଚ୍ଚନା କରି ଆଞ୍ଜୁଳାରେ ପୁଷ୍ପ ଓ ବେଲପତ୍ର ଶିବଙ୍କ୍‍ ଉପରେ ଅର୍ପଣ କରୁଥିଲେ । ଏହି ସମୟରେ ସେହି ତରୁଣୀଟି ମଧ୍ୟ ଶିବଙ୍କୁ ବେଲପତ୍ର ଓ ପୁଷ୍ପ ଧରି ପୁଷ୍ପାଞ୍ଜଳି ପ୍ରଦାନ କରୁଥିଲା । ମନୋଜ ସେହି ତରୁଣୀ ପ୍ରତି ଏକ ଦୁର୍ବାର ଆକର୍ଷଣ ଅନୁଭବ କରି ଶିବଙ୍କୁ ସେହି ତରୁଣୀଙ୍କୁ ଜୀବନ ସାଥି ରୂପେ ପାଇବା ପାଇଁ ମନୋସ୍କାମନା ଜ୍ଞାପନ କରିଥିଲେ । ସେହି ତରୁଣୀଟି ମଧ୍ୟ ତାଙ୍କ ଆଡକୁ କିପରି ଏକ ଆତ୍ମୀୟତା ଭାବରେ ଚାହିଁ ରହିଥାଏ । ସେହି ତରୁଣୀଟି ତାଙ୍କୁ ହଠାତ୍‍ ପଚାରିଥିଲା, ‘ଆପଣ କ’ଣ ଏଠାରେ ରୁହନ୍ତି ?’ ମନୋଜ କହିଥିଲେ ହଁ, ମୁଁ ଏଠାରେ କଲେଜର ଇଂରାଜୀ ଅଧ୍ୟପାକ ଚାକିରୀ କରୁଛି । ତରୁଣୀଟି କହିଥିଲା, ‘ମୁଁ ମଧ୍ୟ କଲେଜରେ ଆଇଏ ପଢ଼ୁଛି । ‘ମୁଁ ଇଂରାଜୀରେ ଟିକେ ଦୁର୍ବଳ, ଆପଣ ମତେ ଟିକିଏ ଇଂରାଜୀ ପାଠ ଘରକୁ ଆସି ବୁଝାଇ ଦେବେ କି?’ ପତଳା ସୁନ୍ଦର ଯୁବକ ମନୋଜ ସେହି ତରୁଣୀ ଅନୁରୋଧରେ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ହଉ, ମୁଁ ତୁମକୁ ଇଂରାଜୀ ବୁଝାଇଦେବି । କଲେଜ୍‍ ସାରି ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ତୁମ ଘରକୁ ଯିବି ଏବଂ ତୁମର ଠିକଣା ମତେ କହିଲେ ମୁଁ ତୁମ ଘରକୁ ଯିବି । ସେହି ତରୁଣୀଟି କହିଥିଲା, ମୋର ନାମ ନନ୍ଦିତା ଏବଂ ତାର ପିତାମାତାଙ୍କ ସହ ମନୋଜର ପରିଚୟ କରାଇ ଦେଇ ଘର ଠିକଣା ଜଣାଇଥିଲା । ନନ୍ଦିତାର ପିତା ମଧ୍ୟ ତାଙ୍କୁ ଅନୁରୋଧ କରି କହିଥିଲେ, ଆପଣ ଆମ ଘରକୁ ଆସନ୍ତୁ, ତାକୁ ଇଂଲିଶ ବୁଝାଇଦେବେ, ମୁଁ ମଧ୍ୟ ଏଠାରେ ଚାକିରୀ କରୁଛି । ଆପଣଙ୍କୁ ପାରିଶ୍ରମିକ ମଧ୍ୟ ଦେବି । ମନୋଜ ଭାବୁଥିଲେ, ଶିବଙ୍କୁ ଏହି ତରୁଣୀକୁ ଜୀବନ ସାଥି ରୂପେ ପାଇବା ପାଇଁ ମନୋସ୍କାମନା ଜଣାଇବା ପରେ ହଠାତ୍‍ ନନ୍ଦିତାର ଏପରି ଅନୁରୋଧ ପାଇ ସେ ବହୁତ ଆନନନ୍ଦିତ ହୋଇ କହିଥିଲେ, “ହଉ, ମୁଁ ଆପଣଙ୍କ ଝିଅକୁ ଇଂଲିଶ ପଢ଼ାଇବାକୁ ଯିବି; କିନ୍ତୁ ମୁଁ ପାରିଶ୍ରମିକ ନେବି ନାହିଁ । ପାରିଶ୍ରମିକ ନେଲେ ବିଦ୍ୟାର ମହତ୍ୱ କମିଯାଏ ଓ ଏହା ବ୍ୟବସାୟିକ ହୋଇଯାଏ ।” ନନ୍ଦିତାର ଆକର୍ଷଣ ତାଙ୍କ ହୃଦୟ ମଧ୍ୟରେ ପ୍ରବେଶ କରିସାରିଥିଲା ଓ ଏପରି ସୁଯୋଗ ମଧ୍ୟ ସେ ହାତଛଡ଼ା କରିବାକୁ ଚାହୁଁନଥିଲେ । ତା’ ପରଦିନ ମନୋଜ ନନ୍ଦିତା ଘରର ଠିକଣା ଅନୁସାରେ ତା ଘର ଠାରେ ପହଞ୍ଚିଯାଇଥିଲେ । ନନ୍ଦିତାର ମା ତାଙ୍କୁ ଚା’ ଆଣି ଦେଇଥିଲେ । ନନ୍ଦିତା ନିକଟରେ ଠିଆହୋଇ ମୁଣ୍ଡକୁ ତଳକୁ କରି ଗୋଡ଼ ନଖରେ ତଳେ ଗାର କାଟୁଥିଲା । ମନୋଜ କହିଥିଲେ, ‘ନନ୍ଦିତା, ତୁମର ଇଂଲିଶ ବହି ନେଇ ଶୀଘ୍ର ଆସ । ପାଠ ବୁଝିବ, କାରଣ ମୋର ଅନ୍ୟଆଡ଼େ କାମ ଅଛି । ନନ୍ଦିତା ଲାଜ ଲାଜ ଅନୁଭବ କରୁଥାଏ । ତାର ଯେପରି ପାଠରେ ମନ ନଥିଲା । ସୁନ୍ଦର ଯୁବକ ମନୋଜଙ୍କୁ ଚାହିଁ ଆତ୍ମସନ୍ତୋଷ ଲାଭ କରୁଥିଲା । ତାର ମା ତାକୁ ବହିପତ୍ର ଆଣି ପାଠ ବୁଝିବାକୁ କହି ଚାଲିଯାଇଥିଲେ । ନନ୍ଦିତା ମଧ୍ୟ ତାର ଇଂଲିଶ ବହି ତାଙ୍କ ପାଖ ଚୌକିରେ ବସି ଇଂଲିଶ ବୁଝିବାକୁ ଆରମ୍ଭ କରିଥିଲା । ନନ୍ଦିତା ମନୋଜଙ୍କୁ ଦେଖି ତାଙ୍କ ପ୍ରତି ସମ୍ମୋହିତା ହୋଇ ପଡୁଥିଲା । ମନୋଜ ପାଠ ପଢ଼ାଇ ସାରିଯିବା ପରେ ନନ୍ଦିତା ତାଙ୍କ ଯିବା ପଥକୁ ଏକ ଲୟରେ ଚାହିଁ ରହିଥିଲା । ଆସ୍ତେ ଆସ୍ତେ ମନୋଜ ଓ ନନ୍ଦିତାର ସଂପର୍କ ନିବିଡ଼ ହେବାରେ ଲାଗିଥିଲା । ନନ୍ଦିତା ଟେବୁଲ୍‍ ତଳେ ତା ଗୋଡ଼ରେ ମନୋଜଙ୍କ ଗୋଡ଼କୁ ବାରମ୍ବାର ସ୍ପର୍ଶ କରୁଥିଲା । ମନୋଜ କିଛି କହିପାରୁ ନଥିଲେ, ନନ୍ଦିତାକୁ ସେ ନିଜର ମନର ପ୍ରେମର ଭାବ ପ୍ରକାଶ କରିପାରୁନଥିଲେ । ସେଦିନ ରବିବାର ଥିଲା । ମନୋଜ ନନ୍ଦିତାକୁ ପଢ଼ାଇବାକୁ ତା’ ଘରକୁ ଯାଇଥିଲେ । ମନୋଜର ପିତାମାତା ବଜାରକୁ ମାର୍କେଟିଂ କରିବାକୁ ଯାଇଥିଲେ । ନନ୍ଦିତା କବାଟ ପାଖରେ ଠିଆ ହୋଇଥାଏ । ସେଠାରେ ଥିବା ରେଡ଼ିଓରୁ ମହମ୍ମଦ ରଫିଙ୍କ ସ୍ୱରର ଏକ ହିନ୍ଦି ଗୀତ ବାଜୁଥିଲା,
‘ମୁଝେ ତୁୁମସେ ମୋହବତ ହାଏ

ମଗର ମେଁ କହ ନେହି ସକତା..”
ନନ୍ଦିତା ଓ ମନୋଜଙ୍କ ମନରେ ସେହି ଗୀତର ପ୍ରଭାବ ପଡୁଥିଲା । ମନୋଜ ହଠାତ୍‍ ନନ୍ଦିତାର ହତାକୁ ଧରି ପକାଇ କହିଥିଲେ, ‘ନନ୍ଦିତା, ମୁଁ ମଧ୍ୟ ତୁମକୁ ଭଲପାଏ, କିନ୍ତୁ କହିପାରୁ ନଥିଲି, ନନ୍ଦିତା ନୀରବରେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ି କହିଥିଲା, ସାର୍‍, ଆପଣ କ’ଣ ମତେ ବିବାହ କରିବେ ? ଆପଣଙ୍କୁ ମୁଁ ହୃଦୟରେ ସ୍ଥାନ ଦେଇସାରିଛି, ଅପାଣଙ୍କୁ ମୁଁ ବିବାହ କରିବାକୁ ଚାହେଁ,ଆପଣଙ୍କ ଛଡ଼ା ମୋ ହୃଦୟରେ ଆଉ କେହି ପ୍ରବେଶ କରିପାରିବେ ନାହିଁ,ଆପଣ ହେଉଛନ୍ତି, ମୋ ତନୁ ମନ ଓ ହୃଦୟର ଦେବତା । ସେଦିନ ଶିବ ମନ୍ଦିରରେ ଆପଣଙ୍କୁ ଦେଖି ମୋର ଜୀବନ ସାଥି ରୂପେ ସ୍ଥିର କରିସାରିଛି, ସେହି ଦୟାମୟ ଶିବ ହିଁ ମୋତେ ଆପଣଙ୍କସହ ସେଠାରେ ଭେଟ କରାଇଦେଇଛନ୍ତି । ଅପାଣଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ । ଆପଣଙ୍କୁ ପାଇବା ଲକ୍ଷ୍ୟରେ ମୁଁ ପିତାମାତାଙ୍କୁ ମୋତେ ଇଂଲିଶ ବୁଝାଇବାକୁ ରାଜି କରେଇଛି । ଆପଣଙ୍କୁ ମୋ ଆଖି ଆଗରୁ ଅନ୍ତର କରିବାକୁ ଚାହେଁ ନାହିଁ । ଆପଣ ଏମିତି ମୋ ଆଗରେ ବସିଥିବେ, ମୁଁ ବସିଥିବି, ଆଖିରେ ଆଖିରେ ଆମେ ମନର କଥା ବ୍ୟକ୍ତ କରୁଥିବା, ହୃଦୟରେ ଆମର ସ୍ନେହ ଅନୁଭବ କରୁଥିବା । ଆପଣ ସେହି ଶିବରାତ୍ରି ଦିନ ମନ୍ଦିରରେ ମତେ ଏକ ଲୟରେ ଚାହିଁ ରହିଥିବା ଦେଖି ଆପଣ ଯେ ମୋ ପ୍ରତି ଆକୃଷ୍ଟ ହୋଇପଡ଼ିଛନ୍ତି, ମୁଁ ଏହା ଅନୁଭବ କରିପାରୁଥିଲି..’ । ମୋନଜ କହିଥିଲେ, ‘ନନ୍ଦିତା, ମୁଁ ତୁମକୁ ବିବାହ କଲେ ମୋ ଜୀବନଟା ସାର୍ଥକ ହୋଇଯିବ । ତୁମ ପ୍ରେମ ଲାଭ କରିବା ପାଇଁ ମୁଁ ତୁମକୁ ନିଶ୍ଚୟ ବିବାହ କରିବି । କିନ୍ତୁ ତୁମ ପିତାମାତା କ’ଣ ମୋ ସହିତ ତୁମର ବିବାହ ପାଇଁ ରାଜି ହେବେ? ତା’ଛଡ଼ା ତୁମେ କରଣ ଏବଂ ମୁଁ ବ୍ରାହ୍ମଣ । ତୁମକୁ ବିବାହ କରିବା ପାଇଁ ମୁଁ ସବୁ ବାଧାବିଘ୍ନ ସହିବାକୁ ପ୍ରସ୍ତୁତ ଅଛି । ଆମ ଘରେ ରାଜି ନହେଲେ ମଧ୍ୟ ମୁଁ ତୁମକୁ ନିଶ୍ଚୟ ବିବାହ କରିବି । ମୁଁ ତୁମକୁ ଭଲ ପାଇ ବସିଛି, ତୁମର ମଧୁର ବ୍ୟବହାର, ତୁମର ଆତ୍ମୀୟତା ଓ ତୁମର ମଧୁର କଣ୍ଠ ସଙ୍ଗୀତ ଶୁଣି ମୁଁ ତୁମ ପ୍ରତି ବିମୋହତି ହୋଇପଡ଼ିଛି ।

ତୁମେ ସେଦିନ ଯେଉଁ ଗୀତଟି ଗାଇଥିଲ..
ଲିଭିଲିଭି ଯାଏ ଆଖି ଲୁହ ଧାର,
କାନ୍ଦି କାନ୍ଦି ମରେ ଆହା ସାହା କାହିଁ ମୋର.. ।”

ସେହି ଗୀତଟ ଶୁଣି ମୁଁ ତୁମ ଅନ୍ତରର ଦୁଃଖ ଅନୁଭବ କରିପାରିଛି । ତୁମ ପାଇଁ ମୁଁ ସବୁ ଝଡ଼ଝଞ୍ଜା ସହି ତୁମକୁ ବିବାହ କରିବାକୁ ସଂକଳ୍ପବଦ୍ଧ ଅଛି । ତୁମେ ମତେ କେବେ ଦୂରେଇ ଦେବ ନାହିଁ ତ?” ନନ୍ଦିତା କହିଥିଲା, ‘ମୋର ପିତାମାତାଙ୍କୁ ଆପଣଙ୍କ ବିବାହ ପ୍ରସ୍ତାବ କଥା କହି ମୁଁ ରାଜି କରେଇବି, ମୋ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ମୋ ହୃଦୟରୁ କେହି ଆପଣଙ୍କୁ ନେଇପାରିବେ ନାହିଁ, ମୁଁ କେବଳ ଆଣଙ୍କର, ଅପାଣଙ୍କ ସ୍ନେହ ପ୍ରେମରେ ମୁଁ ଆହୁତି ହେବାକୁ ଚାହେଁ, ଆପଣଙ୍କ ନିକଟରେ ମୋର ପ୍ରେମକୁ ସମର୍ପଣ କରିପାରିଲେ ମୁଁ ନିଜକୁ କୃତାର୍ଥ ମନେ କରିବି ।’ ନିଆଁ ଓ ଘିଅ ଏକାଠି ରହିନପାରିବା ପରି ମନୋଜ ଉତ୍ତେଜିତ ହୋଇପଡୁଥିଲେ । ନନ୍ଦିତାର ହାତକୁ ଧରି ତାଙ୍କ ପାଖକୁ ଭିଡ଼ି ନେଇଥିଲେ । ନନ୍ଦିତାର ଚକ୍ଷୁ ବନ୍ଦ ହୋଇଯାଇଥିଲା, ଅପୂର୍ବ ଉତ୍ତେଜନାରେ ମନୋଜଙ୍କର ଦୃଢ଼ ଆଲିଙ୍ଗନ ପାଶରେ ସେ ବନ୍ଦୀ ହୋଇପଡ଼ିଥିଲା… । ଏହି ସମୟରେ ନନ୍ଦିତାଙ୍କ ପିତାଙ୍କ ସ୍କୁଟର ଆସିବା ଶବ୍ଦ ଶୁଣି ନନ୍ଦିତା ମନୋଜଙ୍କ ବାହୁବନ୍ଧନୀରୁ ମୁକୁଳି ଆସି ଦୂରରେ ବସି ପଡ଼ିଥିଲା । ତାର ଛାତି ଦମ୍‍ ଦମ୍‍ ପଡୁଥାଏ । ମନୋଜ ମଧ୍ୟ ଉତ୍ତେଜନାରେ ଥରି ଯାଉଥିଲେ, ପାଟିରୁ କଥା ବାହାରୁନଥିଲା । ନନ୍ଦିତାର ପିତାମାତା ଘରକୁ ପଶି ଆସିଥିଲେ । ନନ୍ଦିତା ଓ ମନୋଜଙ୍କର ଦୁଇଟି ହୃଦୟର ଆକର୍ଷଣ ଅସମାପ୍ତ ରହିଯାଇଥିଲା……।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,ରଘୁନାଥ ଭବନ, ୭୧ଏ, ବିଜେବି ନଗର, ଭୁବନେଶ୍ୱର, Call:8260174676,6371338015

Admin

Leave a Reply

Your email address will not be published. Required fields are marked *

Next Post

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର, ଗିରଫ ଓ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ଦିଲ୍ଲୀରେ ବିକ୍ଷୋଭ

Sun Oct 31 , 2021
ନୂଆଦିଲ୍ଲୀ / ଭୂବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଗିରଫ ଓ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବୀରେ ରବିବାର ଦିନ ଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପ୍ରବାସୀ ଓଡିଶାବାସୀ ଦିଲ୍ଲୀସ୍ଥିତ ପଟେଲ ଛକଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ […]