ମଧୁର ଭାଷଣ

ସଦ୍‍ଗୁଣବାନ୍‍ ବ୍ୟକ୍ତିଠାରେ ହୁଏତ ସାଂସାରିକ ବସ୍ତୁର ଅଭାବ ଥାଇପାରେ; କିନ୍ତୁ ମଧୁର ବଚନର ଅଭାବ ନଥାଏ । ମନୁଷ୍ୟ ଧନରେ ଦରିଦ୍ର ହୋଇପାରେ; କିନ୍ତୁ ମିଠା କଥାରେ ଦରିଦ୍ର ହେବା ଉଚିତ୍‍ ନୁହେଁ । ଯେଉଁ ବ୍ୟକ୍ତି ଏକ ଗୁଣବାନ୍‍ ବ୍ୟକ୍ତି ନିକଟକୁ ଯାଏ, ତା ସହିତ ମିଳାମିଶା କରେ, ସେ ତାହାକୁ ଅମୃତ ସମାନ ପ୍ରିୟ ବଚନ ଦ୍ୱାରା ବଶୀଭୂତ କରିଥାଏ । ପ୍ରାଣୀ ପ୍ରତି ଦୟା, ମିତ୍ରତା, ଦାନ ଏବଂ ମଧୁର ବାଣୀ ଏହିପରି ବଶୀକରଣ ଜଗତରେ ଅନ୍ୟ କିଛି ନାହିଁ । ମଧୁର ଭାଷଣ ଦ୍ୱାରା ପର ନିଜର ହୋଇଯାଏ । ବଜ୍ର ହୃଦୟ ବ୍ୟକ୍ତି ନବନୀତ ପରି ନରମ ହୋଇଯାଏ । ମଧୁର ଭାଷଣ ସମ୍ବନ୍ଧରେ ପୃଥିବୀର ବଡ଼ ବଡ଼ ବିଦ୍ୱାନମାନେ ଅନେକ କିଛି କହିଛନ୍ତି, ଅନେକ ମଧ୍ୟ ଲେଖିଛନ୍ତି । ମହତ ବ୍ୟକ୍ତି ଭୁଲ୍‍ରେ ମଧ୍ୟ କଦାପି କଟୂ ବଚନ ପ୍ରୟୋଗ ନକରିବା ଉଚିତ୍‍ । କଠୋର ବଚନ ଯୋଗୁଁ ଘନିଷ୍ଠ ମିତ୍ର ମଧ୍ୟ ଶତ୍ରୁ ହୋଇଯାଏ । କଠୋର ବଚନ କହୁଥିବା ବ୍ୟକ୍ତିଙ୍କୁ ସମସ୍ତେ ଅଭିଶାପ ଦେଉଥାନ୍ତି । କଟୁବାଦୀଠାରୁ ସାଫଲ୍ୟ ଦୂରକୁ ପଳାୟନ କରେ ଓ ଲକ୍ଷ୍ମୀ ତାକୁ ଘୃଣା କରନ୍ତି । ତୀର ଆଘାତ ଭଲ ହୋଇଯାଇପାରେ; କିନ୍ତୁ କଟୂ ବଚନର ଆଘାତ ଜୀବନ ପର୍ଯ୍ୟନ୍ତ ମନୁଷ୍ୟ ମନକୁ ଦଗ୍ଧ କରୁଥାଏ । ସଦ୍‍ ଗୁଣବାନ୍‍ ବ୍ୟକ୍ତି ଭୁଲରେ ମଧ୍ୟ କେବେ ହୃଦୟରେ ଆଘାତ ଲାଗିଲା ଭଳି କଥା କୁହନ୍ତି ନାହିଁ; କାରଣ ଅନ୍ୟର ପ୍ରାଣରେ ଆଘାତ ଲାଗିଲେ ସେମାନଙ୍କର ନିଜ ପ୍ରାଣ କାନ୍ଦି ଉଠେ । ପୁଣି ଗୁଣବାନ୍‍ ବ୍ୟକ୍ତିଙ୍କ ନିକଟରେ କଠୋର ବଚନ ବା ଗାଳି ବୋଲି କୌଣେସି ଦୁର୍ଗୁଣ ନଥାଏ । ଯାହାଠାରେ ଯେଉଁ ପଦାର୍ଥ ଅଭାବ ସେ ଅନ୍ୟକୁ କେଉଁଠୁ ତାହା ଦେବ । ସଦ୍‍ଗୁଣସମ୍ପନ୍ନ ବ୍ୟକ୍ତି ତାଙ୍କୁ ହିଁ କୁହାଯାଏ ଯେ କି ଅନ୍ୟଠାରୁ ବାରମ୍ବାର ଆଘାତ, ଅପମାନ ପାଇଲେ ମଧ୍ୟ ସେମାନଙ୍କ ପ୍ରତି ମଧୁର ବଚନ ବ୍ୟବହାର କରିଥାନ୍ତି । ଭାରାକ୍ରାନ୍ତ ବୃକ୍ଷ ପ୍ରତି ଲୋକେ ପଥର ନିକ୍ଷେପ କରିଥାନ୍ତି ତଥାପି ବୃକ୍ଷ ମିଠାଫଳ ପ୍ରଦାନ କରିଥାଏ । ଦୁଧକୁ ମନୁଷ୍ୟ ନିଆଁ ଉପରେ ରଖି କେତେ ଫୁଟାଏ, ପୁଣି ତାକୁ ବାରମ୍ବାର ମନ୍ଥନ କରେ, ଏହିପରି ବାରମ୍ବାର ପ୍ରହାର ପାଇ ମଧ୍ୟ ସେ ଚିକ୍କଣ ଲହୁଣୀ ଓ ଘୃତ ପ୍ରଦାନ କରେ । ଯେଉଁମାନେ ପ୍ରିୟବାଣୀ ବ୍ୟବହାର କରନ୍ତି, ପ୍ରିୟ ବା ଅପ୍ରିୟ ଯେ କେହି ହେଉ ନା କାହିଁକି ପ୍ରେମ ଓ ମାଧୁର୍ଯ୍ୟ ଢାଳି ସତ୍କାର କରନ୍ତି, ସେମାନେ ଦେବତୁଳ୍ୟ ହୋଇଥାନ୍ତି ।

Admin

Leave a Reply

Your email address will not be published. Required fields are marked *

Next Post

ସ୍ମୃତି-ଏକ ବିଚ୍ଛେଦର

Fri Nov 5 , 2021
ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି କେବେ ଭାବିନଥାଏ । ସେଦିନ ସୁଶାନ୍ତ ଅଫିସରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ହଠାତ୍ ତାଙ୍କର ଫୋନ୍ ବାଜି ଉଠିଥିଲା ଏବଂ ଅପରପଟରୁ ଏକ ଅଜଣା ଅପରିଚିତା […]