ଅଜ୍ଞାନ

ଆଜିର ଏହି ଯୁଗରେ ଲୋକମାନଙ୍କ ଭିତରେ ନିଜର ପ୍ରକୃତ ଅସ୍ତିତ୍ୱ ବିଷୟରେ ସଂପୂର୍ଣ୍ଣ ଜ୍ଞାନର ଅଭାବ ରହିଛି । ନବ ଯୁବା ପିଢ଼ୀ ନିଜର ବ୍ୟବହାର ପାଇଁ ଲୋକମାନଙ୍କର କ୍ରୋଧର ଶିକାର ହେଉଛନ୍ତି । ଏହାସବୁ ସେମାନଙ୍କର ଅଜ୍ଞାନତା ଯୁକ୍ତ ଚରିତ୍ରହୀନତା ପାଇଁ ହେଉଛି । କୌଣସି ମନୁଷ୍ୟର ସବୁଠାରୁ ବଡ଼ ସମ୍ପତ୍ତି ଯଦି କିଛି ଥାଏ, ତାହା ହେଉଛି ତା’ର ଚରିତ୍ର । ଆଜିର ଯୁବା ପିଢ଼ୀ ଚରିତ୍ର ରୂପୀ ଦୌଲତକୁ ରାସ୍ତାରେ ନିଲାମ କରି ଦେଉଛନ୍ତି । ଫେସନ୍‍, କୁସଙ୍ଗ ଏବଂ ଦିଶାହୀନତା ପାଇଁ ସେମାନେ ବିପଥଗାମୀ ହେଉଛନ୍ତି । ସବୁ ପ୍ରକାର ପବିତ୍ରତା ଭିତରେ ମନର ପବିତ୍ରତା ମୁଖ୍ୟ ଅଟେ । ଯଦି ଆପଣ ନିଜ ଭିତରେ ଥିବା ବଦ୍‍ଗୁଣ- କାମ, କ୍ରୋଧ, ଲୋଭ, ମୋହ, ବାସନା, ଈର୍ଷା ଏବଂ ଦ୍ୱେଷ ଏମାନଙ୍କୁ ବୁଦ୍ଧି ବିଚାର ବଳରେ ନ ହଟେଇବେ ବା ଧ୍ୟାନ ପ୍ରଣାଳୀ ଦ୍ୱାରା ଏମାନଙ୍କୁ ଦିଶା ବା ଲକ୍ଷ୍ୟ ନଦେବେ ତା’ହେଲେ ଆପଣଙ୍କର ଶାରୀରିକ ଊର୍ଜା ଏଥିରେ ବ୍ୟର୍ଥ ଚାଲିଯିବ । ଏହିସବୁ ପ୍ରବୃତ୍ତି କେବଳ ଶରୀକୁ ନୁହେଁ, ଭାବ, ମନ, ବଚନ ଏବଂ କର୍ମକୁ ମଧ୍ୟ ଦୂଷିତ କରେ । ଏହାଦ୍ୱାରା ଗୋଟିଏ ପଟେ ଆତ୍ମ ବିକାଶ ବନ୍ଦ ହୋଇଯାଏ ଏବଂ ଅନ୍ୟ ପଟେ ସାମାଜିକ ଏବଂ ସାଂସ୍କୃତିକ ଉନ୍ନତିର ମାର୍ଗ ବି ଅବରୁଦ୍ଧ ହୋଇଯାଏ । ଆଜିକାଲି ଅଜ୍ଞାନତା ପାଇଁ ଲୋକମାନଙ୍କର ମାନସିକ ପତନ ଘଟିଛି । ସେମାନେ ଜାଣିଛନ୍ତି ଯେତେ ପାପ କର୍ମ କରିଥାଅ ନା କାହିଁକି, କୌଣସି ତୀର୍ଥ ସ୍ଥାନକୁ ଚାଲିଗଲେ ସମସ୍ତ ପାପ କର୍ମ ଧୋଇଯାଏ । ସେମାନଙ୍କର ଏହି ମାନସିକତା, ନିଜର ଅଜ୍ଞାନତା ଏବଂ ପଣ୍ଡିତମାନଙ୍କର ବେପାରୀ ବୁଦ୍ଧି ଯୋଗୁଁ ଜନ୍ମ ନେଇଛି । ଆପଣଙ୍କ ହାତରେ ଥିବା ହୀରାକୁ ଆପଣ ଯେତେ ପର୍ଯ୍ୟନ୍ତ ଜାଣି ନାହାନ୍ତି, ସେତେ ପର୍ଯ୍ୟନ୍ତ ତାକୁ ସାମାନ୍ୟ ପଥର ବୋଲି ଭାବି ରାସ୍ତା ଉପରେ ଏମିତି ଫିଙ୍ଗୁଥିବେ । ଆଜିର ଶିକ୍ଷିତ ଯୁବପିଢ଼ୀ ଅନେକ ସମୟରେ କୁସଙ୍ଗରେ ପଡ଼ି ନିଜ ଜୀବନର ବହୁମୂଲ୍ୟ ସମୟକୁ ବ୍ୟର୍ଥରେ ନଷ୍ଟ କରିଦିଅନ୍ତି ଯାହାଫଳରେ ପଶ୍ଚାତାପ କରିବା ଛଡ଼ା ଅନ୍ୟ କିଛି ଉପାୟ ନଥାଏ । କେହି କେହି ଅଜାଣତରେ ନିଶାଦ୍ରବ୍ୟ ସେବନ କରନ୍ତି ତ କେହି ମଦ୍ୟପାନ କରନ୍ତି । ଯୁବପିଢ଼ୀମାନଙ୍କ ଭିତରେ ହିଂସାର ଭାବନା ଏତେ ପ୍ରବଳ ମାତ୍ରାରେ ଦେଖାଯାଏ ଯେ ସେମାନେ ଆଇନ୍‍ କାନୁନ୍‍ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରନ୍ତି । ଅଜ୍ଞାନରେ କିଛି ଭୁଲ୍‍ କାର୍ଯ୍ୟ କରିବା ବା କୌଣସି କୁଅଭ୍ୟାସର ଦାସ ହୋଇଯିବା ଦୁର୍ବଳ ଭିତ୍ତିର ଲକ୍ଷଣ । ମନୁଷ୍ୟ ନିଜ ମନଦ୍ୱାରା ନିଜର ପାଞ୍ଚ ଇନ୍ଦ୍ରିୟଙ୍କର ମାଲିକ ଅଟେ; କିନ୍ତୁ ଇନ୍ଦ୍ରିୟ ସୁଖର ଲାଳସାରେ ଅନୁଶାସନ ଅଭାବରୁ ସେ ପଥଭ୍ରଷ୍ଟ ହୋଇଥାଏ । ନିଆଁରେ ଯେତେ ଅଧିକ ଘିଅ ଢଳାଯିବ ନିଆଁ ସେତେ ହୁତୁହୁତ ହୋଇ ଜଳି ଉଠିବ । ଇନ୍ଦ୍ରିୟ ତୃପ୍ତିରେ ସନ୍ତୋଷ ମିଳିବ ବୋଲି ମଣିଷ ଭାବିଥାଏ; କିନ୍ତୁ ଇନ୍ଦ୍ରିୟମାନଙ୍କୁ ସବୁପ୍ରକାର ସୁଖ ପ୍ରଦାନ କଲାପରେ ସେ ଦେଖେ, ଲାଳାସା ମେଣ୍ଟୁନାହିଁ ବରଂ ଇନ୍ଦ୍ରିୟମାନଙ୍କର ସେବା କରୁକରୁ ସେ ଅନେକ କୁଭ୍ୟାସର ଦାସ ହୋଇଯାଇଛି । ସେଥିପାଇଁ ଇନ୍ଦ୍ରିୟସୁଖରେ ଅତିମାତ୍ରାରେ ଲାଳାୟିତ ହୁଅନ୍ତୁ ନାହିଁ । ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କ ଉପଯୋଗରେ ସନ୍ତୁଳନ ରକ୍ଷା କରନ୍ତୁ । ଆପଣଙ୍କର ନିଦ୍ରା, ଆପଣଙ୍କର ଭୋଜନ ନା ବେଶୀ ହେଉ ନା କମ୍‍, ତାହା ପରିମିତ ମାତ୍ରାରେ ହେଉ । ଆପଣ ଯଦି କାର୍ଯ୍ୟ ଓ ବିଶ୍ରାମକୁ ସମାନ ମାତ୍ରାରେ, ସମାନ ବ୍ୟବଧାନରେ ଆଣିପାରିବେ, ତା’ହେଲେ ଆପଣ ଇନ୍ଦ୍ରିୟମାନଙ୍କର ଗୁଲାମ ନହୋଇ ମାଲିକ ହୋଇଯିବେ । ସମୀର କୁମାର ସିଂହ,ସଂପାଦକ

Admin

Leave a Reply

Your email address will not be published. Required fields are marked *

Next Post

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା,ପୂର୍ବତନ ମନ୍ତ୍ରୀ  ସ୍ବର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରି  ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

Sat Nov 27 , 2021
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କୋରାପୁଟର ୧୨ ଲକ୍ଷ  ଲୋକ ଏହି ସୁବିଧା ପାଇବା ବେଳେ ନବରଙ୍ଗପୁରର ୧୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ସ୍ମାର୍ଟ କାର୍ଡ ପାଇବେ । ଶନିବାର ଦିନ କାର୍ଯ୍ୟକ୍ରମ ସହିତ  ରାଜ୍ୟର […]