କଡାକଡି ଭାବରେ କୋଭିଡ ନିୟମ ପାଳନ କରିବା ସହିତ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡର ନୂଆ ଭାରିଏଣ୍ଟର ଭୟଭୟତା ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି ଏବଂ ଏହା ଗୁରୁତର ପ୍ରଭାବ ପକାଇବାର ମଧ୍ୟ ଆଶଂକା ବ୍ୟକ୍ତ କରିଛନ୍ତି । ଗତ କିଛି ସପ୍ତାହ ହେଲା ଇରୋପରେ ସଂକ୍ରମଣ ବୃଦ୍ଧି ପାଇଛି । ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନସାଧାରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଥମରୁ ହିଁ ଓଡିଶା ଏହି ମହାମୀରୀ ମୁକାବିଲା ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଆସିଛି । ଆହ୍ବାନମୂଳକ ପରିସ୍ଥିତି ସତ୍ତ୍ବେ ଜନସାଧାରଣଙ୍କ ସହଯୋଗରେ ଓଡିଶା ସଫଳତାର ସହିତ ପ୍ରଥମ ଓ ଦ୍ବିତୀୟ ଲହରୀର ମୁକାବିଲା କରିଥିଲା ଏବଂ ବର୍ତ୍ତମାନ ପରିସ୍ଥିତିର ଆମେ ମଧ୍ୟ ସଫଳ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆମର କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ନିୟମର ଯେପରି କଡାକଡି ପାଳନ କରାଯିବ, ସେଥିପ୍ରତି ସତର୍କ ପଦକ୍ଷେପ ନେବାପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି ।  ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ବିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ  କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, Oxygen Supply chainକୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍‌ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ବ ଦେଇଥିଲେ । ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ପୋଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Admin

Leave a Reply

Your email address will not be published. Required fields are marked *

Next Post

ଡିସେମ୍ବର ୧୫ରେ ବିଧାନସଭା ସମ୍ମୁଖରେ କିଷାନ କଂଗ୍ରେସର ଧାରଣା ଓ ପ୍ରତିବାଦ

Wed Dec 1 , 2021
ଭୁବନେଶ୍ୱର : ବୁଧବାର ଦିନ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ପିସିସି ଉପସଭାପତି ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, […]