ଏକ ଗୋପନ ସ୍ୱୀକାରୋକ୍ତି

ସେଦିନ ଅନିତା ଠାରୁ ଅକସ୍ମାତ ଫୋନରେ ଏକ ମେସେଜ୍ ପାଇ ବିସ୍ମିତ ହୋଇଯାଇଥିଲେ ଅମିତ୍ । ଅନିତା ମେସେଜରେ ତାଙ୍କୁ ସେଦିନ ଅପରାହ୍ନରେ ବହୁତ ଜରୁରୀ କଥା କହିବାକୁ ଅଛି, ଆସି ଦେଖା କରିବାକୁ ଅମିତ୍‌ଙ୍କୁ ଜଣାଇଥିଲା । ଏଇ ଦୁଇ ତିନି ମାସ ହେବ ସେ ଅନିତାର ବହୁ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ । ସେ ଫୋନ କଲେ ଅନିତା ଆଦୌ ଫୋନ୍ ଗ୍ରହଣ କରୁନଥିଲା । ବାରମ୍ବାର କାଟି ଦେଉଥିଲା ଅଥଚ ଆଗରୁ ଅନିତା ତାଙ୍କ ଫୋନ୍ ନପାଇଲେ ବ୍ୟସ୍ତ ହୋଇପଡୁଥିଲା, ରାଗରେ ଅଭିମାନ କରି ତାଙ୍କୁ ଫୋନ୍‌ରେ ଅଭିଯୋଗ କରୁଥିଲା । ଆପଣ କଣ ମତେ ଟିକେ ଫୋନ୍ କରିବାକୁ ସମୟ ପାଉନାହାଁନ୍ତି ? ଆପଣ କଣ ମୋ ସଙ୍ଗେ ସମ୍ପର୍କ କଟାଇ ଦେବାକୁ ଚାହାଁନ୍ତି । ଆପଣଙ୍କ ସଙ୍ଗେ ଟିକିଏ ଫୋନ୍‌ରେ କଥା ହେଲେ ମୁଁ ଅତ୍ୟନ୍ତ ଶାନ୍ତ ଅନୁଭବ କରେ, ମୋ ହୃଦୟର ଯନ୍ତ୍ରଣା ସବୁ ଭୁଲିଯାଏ, ମୋ ମନର ଟେନ୍‌ସନ୍ ସବୁ ଦୂର ହୋଇଯାଏ, ମୋ ହୃଦୟର ଗୋପନ କଥା ସବୁ ଆପଣଙ୍କୁ ନିଃସଙ୍କୋଚରେ କହି ଅତ୍ୟନ୍ତ ଆଶ୍ୱସ୍ତି ଅନୁଭବ କରେ । ଆପଣ ହେଉଛନ୍ତି ମୋ ଜୀବନର ନାବିକ ଆପଣଙ୍କୁ ମୋର ମନ ଓ ହୃଦୟ ସାରା ଜୀବନ ପାଇଁ ସମର୍ପଣ କରି ସାରିଛି । ମୁଁ ଜୀବନରେ ଯେକୌଣସି ଅବସ୍ଥାରେ ଥାଏନା କାହିଁକି ଆପଣଙ୍କ ପାଇଁ ମୋର ହୃଦୟର ଦ୍ୱାର ସର୍ବଦା ଉନ୍ମୁକ୍ତ ରହିଛି ଏବଂ ରହିଥିବ ମଧ୍ୟ । ଅନିତା ଉଚ୍ଚଶିକ୍ଷିତା, ଏକ ଅଫିସରେ କମ୍ପ୍ୟୁଟର ବିଭାଗରେ କାର୍ଯ୍ୟ କରୁଛି । କିଛି ବର୍ଷ ତଳେ ଏକ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ତାଙ୍କ କନ୍ୟା ସହ ପରିଚିତ ହୋଇଥିଲେ । ସେତେବେଳେ ଏହି କିଶୋରୀ ଚପଳା ଅନିତାର ଆଖିର ଆକର୍ଷଣରେ ସେ ଏକ ଅନ୍ତରଙ୍ଗତାର ଆହ୍ୱାନ ଅନୁଭବ କରୁଥିଲେ । କ୍ରମେ କ୍ରମେ ସେହି ଅନିତା ତାଙ୍କୁ ତା ସହିତ ନିବିଡ଼ ସମ୍ପର୍କର ସୁଯୋଗ ଦେଇ ଆନନ୍ଦରେ ଆତ୍ମହରା ହୋଇଯାଉଥିଲା । ତାଙ୍କ କୋଳରେ ଶୋଇ ସେ ଯେପରି ଏକ ନିରାପଦ ଆଶ୍ରୟ ଅନୁଭବ କରୁଥିଲା, ତାର ଦୁଇ ନୟନରେ କାମନାର ତରଙ୍ଗ ଉଦ୍‌ଭାସିତ ହେଉଥିଲା । ଅମିତ୍ ମଧ୍ୟ ଅନିତାର ସାନିଦ୍ଧ୍ୟ ପାଇ ଉତ୍ତେଜିତ ହୋଇପଡୁଥିଲେ । ଅମିତ୍ ବଦଳି ହୋଇ ଦୂରସ୍ଥାନକୁ ଚାଲିଯାଇଥିଲେ ଏବଂ ଅନିତା ସହ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ପ୍ରାୟ ଦଶ ବର୍ଷ ବିତିଯାଇଥିଲା । ଅକ୍ମସାତ୍ ଅନିତା ସହ ତାଙ୍କର ସେହି ଅଫିସ୍ ଠାରେ ସାକ୍ଷାତ ହୋଇଯାଇଥିଲା । ପ୍ରାୟ ଦର୍ଶବର୍ଷ ବିତିଯାଇଥିଲା । ଅନିତା ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ପ୍ରଣାମ କରିଥିଲା ଏବଂ ଅଫିସରୁ ତାଙ୍କ ସହ ଏକ ରିକ୍ସାରେ ବସି ଏକ ପାର୍କକୁ ଡାକି ନେଇଥିଲା ଏବଂ ତାଙ୍କଠାରୁ ବିଚ୍ଛିନ୍ନ ହେବା ପରେ ତା ଜୀବନର ଅନୁଭୂତିକୁ ସବୁ ଅନର୍ଗଳ ଗପି ଚାଲିଥିଲା । ସେ କହୁଥିଲା, ବହୁ ଯୁବକ ତା’ ପ୍ରତି ଆକୃଷ୍ଟ ହୋଇ ତାକୁ ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ସେସବୁକୁ କେବଳ ଆପଣଙ୍କ ପାଇଁ ପ୍ରତ୍ୟାଖ୍ୟାନ କରି ଆସୁଛି । ସେ କହୁଥିଲା, ଆପଣଙ୍କ କୋଳରେ ଶୋଇ ପଡ଼ିଲେ ମୁଁ ସ୍ୱର୍ଗସୁଖ ଅନୁଭବ କରେ । ଆପଣ ହେଉଛନ୍ତି ମୋ ଜୀବନର ପ୍ରଥମ ଏବଂ ଏକମାତ୍ର ପୁରୁଷ ଯାହାକୁ ମୋର ପ୍ରେମାର୍ଘ୍ୟ ଅର୍ପଣ ପାଇଁ ସାଇତି ରଖିଛି । ମୋ ଉପରେ କେବଳ ଆପଣଙ୍କର ଅଧିକାର ରହିଛି ଆଉ କାହାର ନୁହେଁ ? ଗୋଟିଏ ଝିଅ ତାର ପ୍ରଥମ ପ୍ରେମିକକୁ ତାର ତନୁ, ମନ ଓ ହୃଦୟ ସବୁକିଛି ସମର୍ପଣ କରିବାକୁ ଚାହେଁ । ଯୁବତୀ ଅନିତାର ଏପରି ଅପ୍ରତ୍ୟାଶିତ ଭାବ ବିହ୍ୱଳ କଥାରେ ସେଦିନ ଅମିତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏକ ପୂର୍ଣ୍ଣଗର୍ଭା ତଟିନୀ ପରି ସେ ଯେପରି ତାଙ୍କର ନୀରବ ପ୍ରେମକୁ ଆହ୍ୱାନ କରୁଥିଲା । ଅମିତ୍ ଭାବୁଥିଲେ, ଅନିତା ସହ ତାଙ୍କର ବିବାହ ଅସମ୍ଭବ ଜାଣି ମଧ୍ୟ ଅନିତା ତାଙ୍କ ସହ ଟାଇମ୍ ପାସ୍ ପ୍ରେମ କରିବାକୁ ଚାହୁଁଛି । ସମାଜର ବହୁ ପ୍ରତିବନ୍ଧକ ସେମାନଙ୍କର ମିଳନ ପଥରେ ରହିଛି । ତେଣୁ ଅମିତ୍ କହିଥିଲେ, ଅନିତା, ତୁମର ଭବିଷ୍ୟତ ଅଛି । ତୁମେ ତୁମ ପସନ୍ଦ ଅନୁଯାୟୀ ବିବାହ କର, ଦେଖିବ ଶାନ୍ତି ପାଇବ । ମୋ ସହିତ ଅନିୟମିତ ଦେଖା ସାକ୍ଷାତରେ ତୁମ ମନର ଭୋକ ମରିବ ନାହିଁ ବରଂ ତୁମେ ବେଶୀ କଷ୍ଟ ପାଇବ । ଯାହା ହୋଇଯାଇଛି, ତାହା ଆଉ ଫେରି ଆସିବ ନାହିଁ ତେଣୁ ପଛ କଥା ସବୁ ଭୁଲିଯାଇ ନୂତନ ସଂସାର ଗଢ଼ିବାକୁ ଆଗଭର ହୁଅ । ମୋର ସ୍ନେହ ତୁମ ପ୍ରତି ସର୍ବଦା ଅତୁଟ ରହିଥିବ । ଅନିତା କହୁଥିଲା, ମୋ ଜୀବନରେ ବିବାହର ପ୍ରଶ୍ନ ଉଠୁନାହିଁ, ସମ୍ଭାବନା ମଧ୍ୟ ନାହିଁଘରର ପରିସ୍ଥିତି ମୋ ବିବାହରେ ଏକ ଦୃଢ଼ ପ୍ରତିବନ୍ଧକର ପ୍ରାଚୀର ହୋଇ ରହିଛି । ଘରର ଦୁଃସ୍ଥିତି ଯୋଗୁଁ ମତେ ଚାକିରୀ କରିବାକୁ ପଡୁଛି । ବାପା ଘରର ଦାୟିତ୍ୱ ଆଦୌ ନେଉ ନାହାଁନ୍ତି । ସଦାବେଳେ ଘରେ ଆମକୁ ଗାଳିମନ୍ଦ କରି ଅଶାନ୍ତି ସୃଷ୍ଟି କରୁଛନ୍ତି । ତାଙ୍କ ପାଇଁ ମୋର ଉପର ଭଉଣୀ ବିବାହ ହୋଇପାରୁ ନାହିଁ । ଟଙ୍କା ଖର୍ଚ୍ଚକୁ ଡରି ଯେତେ ପ୍ରସ୍ତାବ ମୋ ନାନୀ ପାଇଁ ଆସିଲେ ବାପା ସବୁ ପ୍ରସ୍ତାବ ଭାଙ୍ଗି ଦେଉଛନ୍ତି । ଆପଣ ଜାଣିଛନ୍ତି ମୋର ବଡ଼ ଭାଇର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା ଏବଂ ସେ ବାବଦରେ ଦୁଇ ଲକ୍ଷ ଟଙ୍କା ରେଳ ବିଭାଗ ତରଫରୁ ମିଳିଥିଲା । ବାପା ସେଥିରୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେବା ପରେ ବାକି ଲକ୍ଷେ ଟଙ୍କା ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରିଦେଇଛି । ସେଥିପାଇଁ ସଦାବେଳେ ସେ ଟଙ୍କା ଉଠାଇବା ପାଇଁ ଘରେ ଝଗଡ଼ା କରୁଛନ୍ତି । ସେହି ଟଙ୍କାରୁ ମାସକୁ ମାସ ମିଳୁଥିବା ହଜାରେ ଟଙ୍କା ସୁଧ ଘର ଚଳିବା ପାଇଁ ନିଅଣ୍ଟ ହେବାରୁ ମୁଁ ଚାକିରୀ କରିବାକୁ ଘରୁ ଗୋଡ଼ କାଢ଼ିଛି । ଆପଣ କହିଲେ, ଏପରି ପରିସ୍ଥିତିରେ ମୁଁ ମୋର ସ୍ୱାର୍ଥ ପାଇଁ ବାହା ହୋଇ ଚାଲିଗଲେ, ମୋର ବୋଉ, ବଡ଼ ଭଉଣୀ ଓ ସାନ ଭାଇଟି ଅତ୍ୟନ୍ତ ନିଃସହାୟ ହୋଇଯିବେ । ବାପାଙ୍କ କଥା ଛାଡ଼ । ସେ ମଠରେ ଖାଇ ଖଟରେ ଶୋଇବା ନୀତି ଧରିଛନ୍ତି । ତେଣୁ ଆପଣ ହିଁ ମୋର ସାରା ଜୀବନର ସାଥି ହୋଇ ରହିବା ମୁଁ ଚାହେଁ । କଣ ମତେ ଆପଣ ଆପଣଙ୍କ ସ୍ନେହରୁ ଦୂରେଇ ଦେବେ ? ପାର୍କରେ ଅମିତ୍ ଓ ଅନିତା ପାଖାପାଖି ହୋଇ ବସିଥିଲେ । ଅନିତାର ହାତକୁ ଧରି ଅମିତ୍ କହିଥିଲେ, ମୁଁ କେବେ ତୁମକୁ ନିରାଶ କରିବି ନାହିଁ, ସେ ସମୟ ଆସୁ, ଦେଖିବା । ଆସ ଯିବା ଡେରି ହେଲାଣି । ଏହାପରେ ଅନିତା କେତେଥର ତାଙ୍କ ପାଖକୁ ଚାଲିଆସିଛି, ସେମାନେ ଖଣ୍ଡଗିରି, ଧଉଳିଗିରି, ରାଜାରାଣୀ ମନ୍ଦିର ପ୍ରଭୃତି ଏକତ୍ର ପ୍ରଦର୍ଶନ କରିଛନ୍ତି । ଘଣ୍ଟେ, ଦୁଇଖଣ୍ଟା ଏକତ୍ର ବସି ଆଳାପରେ ମଗ୍ନ ରୁହନ୍ତି । ଅନିତା ତାର ମନର ବ୍ୟାକୁଳତା ଦୂର କରି ଏକ ନୂତନ ଆନନ୍ଦର ଉତ୍ସରେ ଅଭିଭୂତ ହୋଇ ପ୍ରାଣରେ ଏକ ନୂତନ ଉନ୍ମାଦନା, ବଞ୍ଚିବାର ସ୍ପୃହା, ଶକ୍ତି, ସ୍ମୃତି ଓ ପ୍ରେରଣା ସଂଚୟ କରି ଫେରିଯାଏ କିନ୍ତୁ ଏହି ଦୁଇ ତିନି ମାସ ହେବ ସେ ଅନିତା ଠାରୁ ଆଦୌ ଫୋନ୍ ପାଉନଥିଲେ କିମ୍ବା ତା’ଠାରୁ ତାଙ୍କ ଫୋନର ଉତ୍ତର ପାଉନଥିଲେ । ତା ଜୀବନରେ ଯେପରି କୌଣସି ଜଟିଳ ପରିସ୍ଥିତିର ସମସ୍ୟା ସୃଷ୍ଟି ହୋଇଛି ବୋଲି ଅମିତ୍ ସନ୍ଦିହାର ହୋଇପଡୁଥିଲେ । ଯାହା ସେ ଜାଣି ପାରୁନଥିଲେ । ତେଣୁ ସେଦିନ ଅନିତାର ଫୋନ୍ ବାର୍ତ୍ତା ପାଇ ତାର ଅଫିସ୍ ଠାରେ ଅପରାହ୍ନ ଚାରିଟାରେ ପହଞ୍ଚିଯାଇଥିଲେ । ଅନିତା ତାଙ୍କୁ ଦେଖି ପ୍ରଣାମ କରି ଟିକେ ଅପେକ୍ଷା କରିବାକୁ କହି ଅଫିସ୍ ଭିତରକୁ ଚାଲିଯାଇଥିଲା । କିଛି ସମୟ ପରେ ଏକ ଚାବି ଆଣି ଗୋଟିଏ ରୁମ୍ ଖୋଲି ତାଙ୍କୁ ଭିତରକୁ ଡାକିନେଇ କବାଟ ବନ୍ଦ କରିଦେଇଥିଲା । ସାମନା ସାମନି ଦୁଇଟି ଚେୟାରରେ ସେମାନେ ବସିଥିଲେ । ଅମିତ୍ ଦେଖୁଥିଲେ । ଅନିତାର ସୌନ୍ଦର୍ଯ୍ୟର ଆଭା ସବୁ ନିଷ୍ପ୍ରଭ ହୋଇଯାଇଛି । ମୁହଁ ଶୁଖି ଯାଇଛି । ଶରୀର ରୁଗ୍‌ଣ ଦେଖାଯାଉଛି । ଯେପରି ଏକମାସ ଜ୍ୱରରେ ପୀଡ଼ିତ ହୋଇ ଉଠିଛି । ଯେପରି ଏକ ପ୍ରଚଣ୍ଡ ଝଡ଼ ତା ଉପରେ ବହି ଯାଇଛି । ଅନିତା କହୁଥିଲା, ଆଉ ତିନିଦିନ ପରେ ମୋର ବାହାଘର, କଣ କରିବି ? ବାହା ହେବା ଛଡ଼ା ମୋର ଆଉ କୌଣସି ବିକଳ୍ପ ନାହିଁ । ଆମ ଅଫିସର ମ୍ୟାନେଜିଂ ଡାଇରେକ୍ଟର କବଳରୁ ମୁଁ ମୁକୁଳି ପାରିଲି ନାହିଁ । ଚାକିରୀ କରିବାର ଅସହୟତାର ସେ ଜବରଦସ୍ତ ସୁଯୋଗ ନେଇଛନ୍ତି । ଏପରିକି ମତେ ନେଇ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ୍ କରି ସାରିଛନ୍ତି । ଘରେ ବହୁତ କାନ୍ଦିଛି, ଆପଣଙ୍କୁ କିପରି ଏକଥା କହିବି ? ମୁଁ ଆଜି କଳୁଷିତ ହୋଇଯାଇଛି ଅମିତ୍ ବାବୁ । ଆପଣଙ୍କ ପାଇଁ ସାଇତି ରଖିଥିବା ମୋର ଯୌବନକୁ ସେ ପଳପଳ କରି ଲୁଟି ନେଇଛନ୍ତି । ମୋର ଉପର ଭଉଣୀ ଥାଉ ଥାଉ ମୁଁ କିପରି ବିବାହ କରିବି ? ଘରେ ବୋଉ ଓ ଭଉଣୀ ମତେ ବହୁତ ବୁଝାଇ ରାଜି କରାଇଛନ୍ତି । କହିଲେ ଆମ ପାଇଁ ତୁ କାହିଁକି ତୋର ଜୀବନ ନଷ୍ଟ କରିବୁ ? ତତେ ବର୍ତ୍ତମାନ ୨୭ ବର୍ଷ ହେଲାଣି । ପ୍ରାଇଭେଟ୍ ଚାକିରୀ, ଦରମା ମାସକୁ ମାତ୍ର ୪ ହଜାର ଟଙ୍କା, ସବୁଦିନ କଣ ସେହି ଚାକିରୀରେ ପଡ଼ି ରହିଥିବୁ ? ତୁ ଲ’ ପାସ୍ କରିଛୁ, ବିବାହ ପରେ ଓକିଲାତି କରିବୁ, ତୋର ସାମାଜିକ ସ୍ଥିତି ରହିବ । ମୋର ଘରର ପରିସ୍ଥିତି ହୃଦୟଙ୍ଗମ କରି ସେହି ହୃଦୟବାନ୍ ମ୍ୟାନେଜିଂ ଡାଇରେକ୍ଟର ଆନନ୍ଦ ବାବୁ ବିବାହ ପରେ ମଧ୍ୟ ମୁଁ ଘରକୁ ମୋର ମାସକୁ ମାସ ଦରମା ଦେବା ପାଇଁ ମ୍ମତି ପ୍ରଦାନ କରିଛନ୍ତି ଏବଂ ମୋର ବିବାହ ଖର୍ଚ୍ଚ ପାଇଁ ଏକ ଲକ୍ଷ ଟଙ୍କା ତାଙ୍କର ସଂଚିତ ଅର୍ଥକୁ ଦେବା ସହ ବିବାହ ପାଇଁ କଲ୍ୟାଣ ମଣ୍ଡପ ଓ ଭୋଜିର ସମସ୍ତ ଖର୍ଚ୍ଚର ଦାୟିତ୍ୱ ବହନ କରିଛନ୍ତି । ଅମିତ୍ କହିଥିଲେ, ସେହି ମ୍ୟାନେଜିଙ୍ଗ୍ ଡାଇରେକ୍ଟର ତୁମକୁ ରାତିରେ ବାରମ୍ବାର ଫୋନ୍ କରୁଥିଲେ ବୋଲି ତୁମେ ତାଙ୍କୁ ବାରମ୍ବାର ଭର୍ତ୍ସନା କରୁଥିଲ ମତେ ଆଗରୁ କହୁଥିଲ, ପୁଣି ସେହି ଆନନ୍ଦ ବାବୁଙ୍କୁ କିପରି ବାହା ହେବାକୁ ରାଜି ହେଲ ? ଅନିତା କହିଥିଲା, ସେ କହିଥିଲେ ମୁଁ ଯେତିକି ତାଙ୍କୁ ଅପମାନ କରୁଥିଲି, ସେ ସେତିକି ମୋ ପ୍ରତି ଆକୃଷ୍ଟ ହେଉଥିଲେ । ମୋର ଶିକ୍ଷା, ଜ୍ଞାନ, ଚରିତ୍ର ଓ ବ୍ୟବହାର ଦେଖି ସେ ମତେ ବିବାହ କରିବାର ଦୃଢ଼ ନିଷ୍ପତ୍ତି ନେଇସାରିଥିଲେ ଏବଂ ମତେ ଦିନେ ତାଙ୍କ ଚ୍ୟାମ୍ବରକୁ ଡକାଇ କହିଥିଲେ, ଅନିତା, ମୁଁ ତୁମକୁ ବିବାହ କରି ଏକ ଉପଯୁକ୍ତ ପତ୍ନୀ ପାଇବାକୁ ଚାହେଁ ଏବଂ ତୁମକୁ ନପାଇଲେ ମୁଁ ସାରା ଜୀବନ ଅବିବାହିତ ହୋଇ ରହିଯିବି । ତେଣୁ ବାଧ୍ୟ ହୋଇ ତାଙ୍କ କଥାରେ ମୁଁ ସମ୍ମତି ପ୍ରଦାନ କଲି । ବାପାଙ୍କ କଥାତ ଆପଣ ଜାଣନ୍ତି । ନିଜର ସ୍ୱାର୍ଥ ପାଇଁ ସେ ପତ୍ନୀ ଓ କନ୍ୟାଙ୍କୁ ମଧ୍ୟ ଭଡ଼ା ଲଗାଇଦେବେ । କହିବେ ଝିଅ ଯା ଅମୁକ ମଉସାଙ୍କଠାରୁ ହଜାରେ ଟଙ୍କା ନେଇ ଆସିବୁ ? କେତେ ଦିନ ବାପାଙ୍କୁ ପ୍ରତିରୋଧ କରି ରହିଥିବୁ ? ଚାକିରୀ ଛାଡ଼ିବାକୁ ବହୁବାର ଚେଷ୍ଟା କରି ମଧ୍ୟ ଆଉ କେଉଁଠାରେ ଚାକିରୀ ପାଇ ପାରିଲି ନାହିଁ । ମୋର ଜୀବନର ସମସ୍ତ ଆଶା ଓ କାମନା ସବୁ ଅପୂରଣ ହୋଇ ରହିଗଲା ।ଏକଥା କହି ଅନିତା କାନ୍ଦି ପକାଇଥିଲା । ତାର ଦୁଇ ନୟନରୁ ନୀରାବାଶ୍ରୁ ବହୁଥିଲା । ସେ ଯେପରି ତାଙ୍କର ସାନିଦ୍ଧ୍ୟ ପାଇଁ ବ୍ୟାକୁଳ ହୋଇପଡୁଥିଲା । ଅମିତ୍ କହିଥିଲେ, ‘ଯାହା ହେବାର କଥା, ହୋଇସାରିଛି । ସେଥିପାଇଁ ଅନୁଶୋଚନା ଆଉ କରନାହିଁ । ତୁମ ଭାଗ୍ୟରେ ନୂତନ ସୂର୍ଯ୍ୟୋଦୟ ହେବାକୁ ଯାଉଛି, ତୁମର ଦୁଃଖ ଦୂର ହୋଇଯିବ, ପଛ କଥା ସବୁ ଭୁଲିଯାଅ, ଆଉ ଚିନ୍ତା କାହିଁକି ? ମୋର ଆଶୀର୍ବାଦ ସର୍ବଦା ତୁମ ପ୍ରତି ରହିଛି ଏବଂ ରହିଥିବ ମଧ୍ୟ । ମୁଁ ଯାଉଛି, ବହୁତ ଡେରି ହେଲାଣି ।’ ଅନିତା ତାଙ୍କୁ ପୁନର୍ବାର ପ୍ରଣାମ କରି ବିଦାୟ ଜଣାଇଥିଲା । ବୋଧେ ଅନିତାର ବାହାଘର ହୋଇଯାଇଥିଲା । ଅନିତା ଠାରୁ ସେ ଆଉ କୌଣସି ଫୋନ୍ ପାଇନଥିଲେ । ଅନିତା ଯେପରି ତାଙ୍କ ଜୀବନ ବଳୟରୁ ସବୁଦିନ ପାଇଁ ଅସ୍ତ ହୋଇଯାଇଥିଲା ? ସେଦିନ ଅନିତା ହୃଦୟର ସେହି ଦୁଃଖଭରା ଗୋପନ ସ୍ୱୀକାରୋକ୍ତ ତାଙ୍କ ମନରେ ଗଭୀର ରେଖାପାତ କରି ବାରମ୍ବାର ଆନ୍ଦୋଳିତ ହେବାରେ ଲାଗିଥିଲା ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,ରଘୁନାଥ ଭବନ, ୭୦ଏ, ବିଜେବି ନଗର, ଭୁବନେଶ୍ୱର, Call:8260174676,6371338015


Admin

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ପ୍ରତି ୩ ଜଣରେ ୧ ଗରୀବ,ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ଗରୀବି ନହଟିବା ଅତ୍ୟନ୍ତ ଲଜ୍ଜାଜନକ

Sun Dec 5 , 2021
ଭୁବନେଶ୍ୱର : ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିଛି ଶାସକ ବିଜେଡି । ରାଜ୍ୟରେ ପ୍ରତି ୩ ଜଣରେ ୧ ଗରୀବ । ସଦ୍ୟ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ରାଜ୍ୟର ଦାରିଦ୍ରତା ଏବଂ ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତିକୁ ପଦାରେ ପକାଇଛି । ଦୀର୍ଘ ୨୨ ବର୍ଷ ବିଜେଡି ଶାସନ ପରେ ମଧ୍ୟ ରାଜ୍ୟରେ ଗରୀବି ନହଟିବା ଅତ୍ୟନ୍ତ ଲଜ୍ଜାଜନକ । ବିଶେଷ ଭାବେ ରାଜ୍ୟର ଆଦିବାସୀବହୁଳ ଜିଲ୍ଲା ମାନଙ୍କରେ […]