ମନୁଷ୍ୟ ପାଇଁ ମିତବ୍ୟୟିତା ଏକ ନୈତିକ ସଦ୍ଗୁଣ, ଯାହା ସାହାଯ୍ୟରେ ସେ ନିଜର ଶକ୍ତିଗୁଡ଼ିକୁ ସୁରକ୍ଷିତ ରଖିପାରେ । ଏକ ନବଯୁବକ ଜୀବନର କାର୍ଯ୍ୟ କ୍ଷେତ୍ରରେ ଯେତେବେଳେ ଅବତରଣ କରେ, ସେତେବେଳେ ତା’ ନିକଟରେ ଶକ୍ତି ସାମର୍ଥ୍ୟର ଏକ ବିଶାଳ ଭଣ୍ଡାର ଥାଏ । ତା’ର ମସ୍ତିଷ୍କରେ, ତା’ର ଶିରା ପ୍ରଶିରାରେ, ତା’ର ମାଂସପେଶୀରେ ଶକ୍ତି ଉତ୍ସାହ ପୂର୍ଣ୍ଣମାତ୍ରାରେ ଥାଏ । ସେ ମନେ କରୁଥାଏ ଯେ ଏ ଶକ୍ତିର ତୀବ୍ର ସ୍ରୋତ ସମ୍ମୁଖରେ କେହି ବନ୍ଧ ବାନ୍ଧି ପାରିବ ନାହିଁ । ସେତେବେଳେ ସେ ନିଜ ମଧ୍ୟରେ ଏକ ପୂର୍ଣ୍ଣତା ଅନୁଭବ କରୁଥାଏ । ସେ ଭାବୁଥାଏ ଏହି ଶକ୍ତି ବଳରେ ସେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ସମାଜକୁ ଚମତ୍କୃତ କରି ଦେବ । ନିଜ ଯୌବନର ଏହି ଶକ୍ତିର ଅଭିମାନରେ ସେ ଭାବେ ଯେ ତା’ର ଶକ୍ତି ଅସୀମ, ଅଫୁରନ୍ତ ଓ ଅଜେୟ; କିନ୍ତୁ ଏହିପରି ଅଭିମାନ ଓ ଦର୍ପରେ ସେ ଯେତେ ବେଳେ ନିଜର ମହାନ୍ ଶକ୍ତିକୁ ମନ ଇଛା ନିକ୍ଷେପ କରିବାକୁ ଲାଗେ, ଅନାବଶ୍ୟକ ଅନାଦୃତ କାର୍ଯ୍ୟରେ ଶକ୍ତିକୁ ବ୍ୟୟ କରିବାକୁ ଲାଗେ ବା ଉଚ୍ଛୃଙ୍ଖଳ ହୋଇ ଶକ୍ତି ରୂପ ଧନକୁ କଉଡ଼ି ବିନିମୟରେ ଛାଡ଼ି ଦେବାକୁ ଲାଗେ, ସେତେବେଳେ ସେ ଯେ କେତେ ବଡ଼ ଭୁଲ୍ କରିଥାଏ ତାହା ତାକୁ ଜଣା ନଥାଏ । ସେ ନିଜର ଶକ୍ତିକୁ କେତେବେଳେ ସିଗାରେଟରେ, କେତେବେଳେ ସରାବରେ ବା ଅନ୍ୟ କେତେବେଳେ ମୈଥୁନ ଇତ୍ୟାଦିରେ ଜଳାଇ ଦିଏ । କେତେବେଳେ ବା ସଂଯମ ହରାଇ ଲୋଭର ବଶବର୍ତ୍ତି ହୋଇ ମତ୍ସ୍ୟ, ମାଂସ ବା ମିଷ୍ଟାନ୍ନ ଇତ୍ୟାଦି ଅତ୍ୟଧିକ ଭାରି ଭୋଜନ ଗ୍ରହଣ କରି ଅଣନିଃଶ୍ୱାସୀ ହୋଇପଡ଼େ ଓ ଆଳସ୍ୟ ଯୋଗୁଁ ଶୋଇ ଶୋଇ ସମୟରୂପକ ମୂଲ୍ୟବାନ ଧନ ନଷ୍ଟ କରିବାକୁ ଲାଗେ । ସେ ଦୋଷପୂର୍ଣ୍ଣ ଜୀବନ ବ୍ୟୟିତ କରିବାକୁ ଗୌରବ ମନେ କରେ । ଆଳସ୍ୟର ଦାସ ହୋଇ ବିଛଣାରେ ପଡ଼ି ରହିବାକୁ, ମହାରାଜା ବା ସାହାଜାଦୀ ହେବାର ଲକ୍ଷଣ ବୋଲି ମନେ କରେ । କୌଣସି କାର୍ଯ୍ୟରେ ସ୍ଥିର ରହିବାକୁ ବା ସ୍ଥିର ଚିତ୍ତରେ କୌଣସି କାର୍ଯ୍ୟ କରିବାକୁ ଅସମ୍ମାନିତ ମନେ କରେ । ସେ ଆୱାରା ଲଫଙ୍ଗା ହୋଇ ବୁଲିବାକୁ, ଫେସନ ଷ୍ଟାଇଲ୍ ପ୍ରଦର୍ଶନ କରି ଆନନ୍ଦ ଓ ଚାତୁର୍ଯ୍ୟ ଅନୁଭବ କରେ; କିନ୍ତୁ ଯେତେବେଳେ ଶେଷରେ ସମସ୍ତ କାର୍ଯ୍ୟରେ ଅକୃତକାର୍ଯ୍ୟ ହୋଇ ମାନସିକ ଦୁଶ୍ଚିନ୍ତା ଓ ଆଘାତର ସମ୍ମୁଖୀନ ହୁଏ, ସେତେବେଳେ ସେ ତା’ର ବିଗତ ଦିନ କଥା ଚିନ୍ତାକରେ । ଯେଉଁ ମହାନ୍ ଶକ୍ତିକୁ ସେ ଅନାଦର କରି ଅପବ୍ୟୟ କରିଛି, ଆଜି ତାହା ସେ ପାଇବ କେଉଁଠି? ତେଣୁ ସମସ୍ତେ ସବୁ ବେଳେ ସମୟ ଏବଂ ଶକ୍ତି ପ୍ରତି ସତର୍କ ରହି ସଠିକ କର୍ମ କରି ଅଗ୍ରସର ହେଲେ ପୂର୍ଣ୍ଣତା ନିଶ୍ଚିତ ମିଳିବ ଏବଂ ସମାଜର ଉନ୍ନତି ହେବ । ସମୀର କୁମାର ସିଂହ,ସଂପାଦକ
ପୂର୍ଣ୍ଣତା
