ଲୋଭ

କାଳିନ୍ଦୀ ଚରଣ ଭଞ୍ଜ

କ୍ଷୁଧାର ତାଡ଼ନା ବିଶ୍ୱର ସମସ୍ତ ଭାଷାକୁ ପଛରେ ପାକଇ ଦିଏ । କ୍ଷୁଧାର ଅନ୍ତର୍ଦାହ, ଦାରୁଣ ତାଡ଼ନାକୁ ଓଠବି ଶତ ଚେଷ୍ଟିତ ସଂକ୍ଷେପରେ କହିପକାଏ । ସେ ବର୍ଷ ରାଜସ୍ଥାନରେ ବର୍ଷା ଅଭାବରୁ ମରୁଡି, ଅନାବୃଷ୍ଟି ଯୋଗୁଁ ଶସ୍ୟନାଶରେ ଖାଦ୍ୟର ଅଭାବ ପଡ଼ିଥିଲା । ଦୁର୍ଭକ୍ଷ ଯୋଗୁଁ ବ୍ୟାପକ ଅକାଳ ମୃତ୍ୟୁ ହେଲା । ନିଜକୁ ଓ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ କିଛି ଗୋଟାଏ ବ୍ୟବସ୍ଥା କରିବା ପାଇଁ ସିଦ୍ଧାନ୍ତ ନେଲେ ଦୁଇ ବନ୍ଧୁ ହରି ସିଂହ ଓ ଗୋପାଳ ସିଂହ । ସେ ଦୁହିଁଙ୍କର କ୍ଷୀରନୀର ସଂପର୍କ । ଦୁହେଁ ଦୁହିଁଙ୍କ ଜୀବନ ଦିଆନିଆ ସାଙ୍ଗ । ଗାଅାଁର ଘର ସିନା ଅଲଗା, କିନ୍ତୁ ମନଗୋଟେ, ପରାଣ ବି ଗୋଟେ ଦୁଇଜଣଙ୍କର । ପାଖ ସହରକୁ ଯାଇ କିଛି ବ୍ୟବସାୟ ବା କାମଧନ୍ଦା କରି ଅର୍ଥ ଉପାର୍ଜନ କରିବାର ଲକ୍ଷ୍ୟ ନେଇ ଚାଲିଲେ । ସହର ଓ ଗାଁ ମଧ୍ୟରେ ବିରାଟ ଜଙ୍ଗଲ । ତା ମଧ୍ୟରେ ଥାଏ ଗୋଟିଏ ପାଦଚଲା ରାସ୍ତା । ଜଙ୍ଗଲ ଘଂଚ, ଗହଳିଆ, ଘନତାର ସୁଯୋଗ ନେଇ ଡକାୟତମାନଙ୍କର ଆଡ୍ଡା ଥାଏ । ଝରଣା ପାଖାପାଖି କେତେ ଗୁଡ଼ିଏ ଜାଗାରେ ମୁନି, ଋଷିଙ୍କର ଆଶ୍ରମ ବି ଦୃଶ୍ୟମାନ ହୁଏ । ସାଙ୍ଗଦ୍ୱୟଙ୍କ ହସ୍ତରେ ଥିଲା ଖଣ୍ଡା, ବର୍ଚ୍ଛା, ମାରଣାସ୍ତ୍ର । ସେମାନେ ଥିଲେ ରାଜପୁତ । ଦେହରେ ଅମାପ ବଳ । ଜଙ୍ଗଲର ପଶୁ, ଦସ୍ୟୁମାନଙ୍କୁ ଖାତିର ନକରି ଭୟ-ଭାବହୀନ ହୋଇ ସାହସ ବାନ୍ଧି ଚାଲିଲେ ଜଙ୍ଗଲ ରାସ୍ତାରେ । କିଛି ବାଟ ଯିବାପରେ ଦେଖିଲେ ବିପରୀତ ଦିଗରୁ ଜଣେ ପକ୍ୱ ଶୁଶ୍ରୁ ଗୈରିକ ବସ୍ତ୍ର ପରିଧାନ କରିଥିବା ଜଣେ ସାଧୁ ଧଇଁସଇଁ ହୋଇ ଧାଇଁଛନ୍ତି । ଦୁଇ ବନ୍ଧୁକୁ ଦେଖି ସାଧୁ ଅଟକି ଯାଇ କହିଲେ “ଆଗକୁ ଯାଅ ନାହିଁ । ଆଗରେ ଏକ ପ୍ରଚଣ୍ଡ ଭୂତୁଣୀ ଅଛି ତୁମକୁ ଶେଷ କରିଦେବ ।” ଯୁବକଦ୍ୱୟ ଅଧିକ କିଛି ସ୍ପଷ୍ଟୀକରଣ ସାଧୁଙ୍କ ପାଖରୁ ଚାହୁଁଥିଲେ । ସେ କିନ୍ତୁ ଅଟକିଲେ ନାହିଁ । ପୂର୍ବବତ୍‍ ଦୌଡ଼ିବାକୁ ଆରମ୍ଭ କରିଦେଲେ । ସନ୍ନ୍ୟାସୀଙ୍କ କଥା ବଡ଼ ବିଚିତ୍ର ଲାଗିଲା ଯୁବକଦ୍ୱୟଙ୍କୁ । ଭାବିଲେ ସନ୍ନ୍ୟାସୀ ତ ବୃଦ୍ଧ ଓ କୌଣସି ଆଶଙ୍କା କରି ବା କୌଣସି କାରଣରୁ ଭୟଭୀତ ହୋଇ ଜୀବନ ବିକଳରେ ପଳାଉଛନ୍ତି । ଯୁବକ ହରିସିଂହ ସାଙ୍ଗକୁ କହିଲା ଆରେ ତୁ ଡରିଗଲୁ କି ? ଆମେ ପରା ରାଜପୁତ ଯୁବକ, ହାତରେ ରହିଛି ଅନେକ ଅସ୍ତ୍ରଶସ୍ତ୍ର । ଚାଲ ଦେଖିବା ଘଟଣାଟା କ’ଣ ?କିଛିଦିନ ତଳେ ଦସ୍ୟୁମାନେ ରାଜାଙ୍କ ଉଆସରୁ ଅନେକ ମୂଲ୍ୟବାନ ସୁନା, ରୂପା, ହୀରା, ଲୀଳା ଚୋରି କରି ଜଙ୍ଗଲ ଆଡ଼କୁ ଚାଲି ଆସିଥିଲେ । ପ୍ରାସାଦର ପ୍ରହରୀମାନେ ସେମାନଙ୍କୁ ଧରିବା ପାଇଁ ପିଛା କରିଥିଲେ । ପ୍ରହରୀଙ୍କ ଗୁଳିମାଡ଼ରେ କେତେକ ମୃତାହତ ହେଲେ । ଅନ୍ୟମାନେ ଧରାପଡ଼ିଯିବା ଭୟରେ ଚୋରି ଧନ ସବୁକୁ ରାସ୍ତାକଡ଼ର ଏକ ଗଛମୂଳେ ଫୋପାଡ଼ି ଦେଇ ଚାଲିଗଲେ । ସାଧୁ ଜଣଙ୍କ ସେ ରାସ୍ତାରେ ଦେଖିଥିଲେ ସୁନା, ରୂପା, ହୀରା ଦାମୀ ଚିଜଗୁଡ଼ିକୁ । ଅନ୍ୟ କୌଣସି କାରଣ ଥାଉନା କାହିଁକି ସେ ନିଶ୍ଚିତ ଥିଲେ ଏହା ଡାକୁଙ୍କ କାମ ଏବଂ ଲୁଟ୍‍ ହୋଇଥିବା ରାଜାଙ୍କ ପ୍ରାସାଦର ଧନ । କେଉଁ ମୁହୂର୍ତ୍ତରେ ରାଜାଙ୍କ ସୈନ୍ୟମାନେ ପହଞ୍ଚିଯିବାର ଆଶଙ୍କା ସାଧୁଙ୍କ ମନରେ ଥିଲା । ଦ୍ୱିତୀୟରେ ସାଧୁଜଣଙ୍କ ଥିଲେ ସଂସାର ଭୋଗବିଳାସ, ସହାବସ୍ଥାନଠୁ ଦୂରରେ । ଏଣୁ ରାସ୍ତାରେ ଦେଖା ହୋଇଥିବା ଯୁବକଦ୍ୱୟଙ୍କୁ ଭିନ୍ନ ଏକ ଢଙ୍ଗରେ ସତର୍କ, ସାବଧାନ କରିଦେଇ ନିଜ ରାସ୍ତାରେ ସାଧୁ ଚାଲିଗଲେ । କିଛି ବାଟ ଚାଲିଯିବା ପରେ ଦୁଇ ବନ୍ଧୁ ଦେଖିପାରିଲେ ଚକ୍‍ ଚକ୍‍ ମାରୁଥିବା କିଛି ବସ୍ତା । ପାଖକୁ ଗଲେ । ହାତରେ ଜିନିଷଗୁଡ଼ିକୁ ଏପାଖ ସେପାଖ କରି ଗୋପାଳ କହିଲା ବୁଝିଲ ହରି ମନେ ହେଉଛି ଏ ଗୁଡ଼ା ଅସଲି ସୁନା, ରୂପା, ହୀରାର ମୋହର । ହରି ହସିଦେଇ କହିଲା “ଆମେ ବନ୍ଧୁୁ ଏକ ଭଲ ବେଳାରେ ଘରୁ ବାହରିଥିଲେ, ନଚେତ୍‍ ଏ ମୂଲ୍ୟବାନ ପଦାର୍ଥ ମିଳନ୍ତା ବା କେମିତି । ଅନ୍ୟ ଜଣଙ୍କ କହିଲା “ବୁଝିଲୁ କଭି କଭି ଆଲ୍ଲା ଛପର ଫାଡକେ ଦେତା ଭି’ । ମଧ୍ୟାହ୍ନ ସମୟ । କ୍ଷୁଧା, ତୃଷ୍ଣାରେ ଯୁବକ ଦ୍ୱୟ ପୀଡ଼ିତ । ହରି ଗୋପାଳକୁ କହିଲା ତୁ ପାଖ ଗାଅାଁକୁ ଯାଇ କିଛି ଖାଦ୍ୟ ଓ ପାନୀୟ ନେଇଆ । ମୁଁ ଏଗୁଡ଼ିକ ଜଗି ବସିଛି । ଆସିଲେ ଖାଇପିଇ ଏସବୁ ସ୍ୱର୍ଣ୍ଣକାର ପାଖରେ ବିକ୍ରୟ କରି ଗୃହକୁ ଫେରିଯିବା । ଦାମୀ ମୋହର ସବୁର ଏକକ ଭାବେ ଦାବିଦାର ହେବା ପାଇଁ ଦୁଇ ବନ୍ଧୁଙ୍କ ମଧ୍ୟରେ ସେତେବେଳେ ପ୍ରବଳ ଆଶକ୍ତି ସୃଷ୍ଟି ହେଲାଣି । ଖାଦ୍ୟ ପାଇଁ ବନ୍ଧୁଙ୍କୁ ପଠାଇ ଦେବା ପରେ ଧନକୁ ଜଗିଥିବା ବନ୍ଧୁ ହରି ମନେ ମନେ ସ୍ଥିର କଲା ଖାଦ୍ୟ ନେଇ ଫେରିବା ମାତ୍ରେ ତରବାରିରେ ତାକୁ ଶେଷ କରିଦେଲେ ସକଳ ସ୍ୱର୍ଣ୍ଣ ମୋହରର ସେ ଅଧିକାର ହେବ । ଏଣେ ଖାଦ୍ୟ ଆଣିବାକୁ ଯାଇଥିବା ବନ୍ଧୁ ଗୋପାଳ ମନରେ ସେଇ ବାସନା ଥିଲା । ଖାଦ୍ୟରେ ଜହର ମିଶାଇଦେଲେ ତାକୁ ଖାଇବା ପରେ ହରି ରାସ୍ତାରୁ ହଟିଯିବ । ଗୋପାଳ ପେଟ ଭରି ଖାଇପିଇ ହରି ପାଇଁ ଆଣିଥିବା ଖାଦ୍ୟରେ ଜହର ମିଶାଇ ଫେରିଲା । ଗୋପାଳ ଖାଦ୍ୟ ନେଇ ଫେରିଲା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ହରି ଗୋପାଳକୁ ଅପ୍ରତ୍ୟାଶିତ ତରବାରୀ ଚୋଟରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲା । ବେଶ୍‍ ଆଶ୍ୱସ୍ତ ହେଲା ରାସ୍ତାରୁ କଣ୍ଟା ହଟିଯାଇଥିବା ଯୋଗୁଁ । ଏହି ଖାଦ୍ୟ ଖାଇସାରି ସବୁତକ ଧନ ବିକ୍ରୟ କରି ଘରକୁ ଫେରିବ । ଘରେ ପଚାରିଲେ କହିବ ଜଙ୍ଗଲ ମଧ୍ୟରେ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇଲା । ଏବେ ଖାଦ୍ୟ ଖାଇ ସାରି କିଛି କ୍ଷଣ ପରେ ବିଷଜ୍ୱାଳାରେ ଛାଟିପିଟି ହୋଇ ଆଖି ପତା ମୁଜି ହୋଇଗଲା । ଅକାଳେ ସେଠି ପଡ଼ି ମଲା ହରି । ଏ ମଧ୍ୟରେ ରାଜାଙ୍କ ସୈନିକମାନେ ଜଙ୍ଗଲ ତଲାସ କରି ମୋହର ଓ ପାଖରେ ପଡ଼ିଥିବା ଦୁଇ ମୃତ ଶରୀର ଦେଖି ଆଶ୍ଚର୍ଯ୍ୟ ହେଲେ । ସେମାନେ ଅନୁମାନ କଲେ କେହି ଜଣେ ତୃତୀୟ ବ୍ୟକ୍ତି ଏ ଧନ ନେବା ପାଇଁ ଏ ଦୁଇଜଣଙ୍କୁ ହତ୍ୟା କରି ଆମକୁ ଦେଖି ପାଖରେ ଲୁଚିଯାଇଛି । ସୁଯୋଗ ଉଣ୍ଡି ଧନତକ ଧରି ଚାଲିଯବ । ଏଣୁ ସେମାନେ ପାଖ ଘଞ୍ଚଲତା ମଧ୍ୟରେ ଲୁଚି ପ୍ରହରା ଦେଲେ । ରାତି ପାହି ସକାଳ ହେଲା । ସାଧୁ ନିଜ କାର୍ଯ୍ୟଶେଷ କରି ପୁନଶ୍ଚ ସେହି ରାସ୍ତାରେ ଫେରି ଯବୁକ ଦ୍ୱୟଙ୍କ ମୃତ ଶରୀର ଦେଖି ଆଶ୍ଚର୍ଯ୍ୟ ହେଲେ । ସ୍ୱତଃ ପାଟିରୁ ତାଙ୍କର ବାହାରି ପଡ଼ିଲା “କହିଥିଲିନା ଭୂତୁଣୀ ତୁମକୁ ଖାଇଯିବ । ଧନରୂପୀ ଭୂତୁଣୀ ସତରେ ଉଭୟଙ୍କୁ ଖାଇଗଲା ‘ । ଏହି କଥା ଭାବୁ ଭାବୁ ସୈନିକମାନେ ସାଧୁଙ୍କୁ ଘେରିଯାଇ ନାନା ପ୍ରଶ୍ନ ପଚାରିଲେ । ସାଧୁ ଯେତେ ପ୍ରକାର କହିଲେ ବି ସେ କଥା ଶୁଣିବାକୁ ରାଜି ନଥିବାବେଳେ । ଗୋଟିଏ କଥା କହୁଥିଲେ “ଆରେ ଭଣ୍ଡ । ଏମାନଙ୍କୁ ହତ୍ୟା କରି ଏ ଧନ ନେଇଯିବାର ତୋର ଇଚ୍ଛା ଥିଲା । ଧରା ପଡ଼ିଗଲୁ ଚାଲ । ତୋର ବିଚାର ଏଠି ନୁହେଁ, ହେବ ରାଜଦରବାରରେ ’ । ଏହା କହି ଦୁଇ ଯୁବକଙ୍କର ମୃତ ଶରୀର, ମୋହର ସାଧୁଙ୍କୁ ଧରି ପହଞ୍ଚିଲେ ଦରବାରେ । ଦରବାରରେ ଅନ୍ୟ ବିଚାର ଚାଲିଥିଲା । ଏ ଦୃଶ୍ୟ ଦେଖି ରାଜସଭାରେ ଯୋଗଦାନକାରୀ ବ୍ୟକ୍ତିମାନେ ଆଶ୍ଚର୍ଯ୍ୟ ହେଲେ । ରାଜା ମଧ୍ୟ ଆସନ ଛାଡ଼ି ଦେଖିଲେ ରାଜକୋଷରୁ ଲୁଣ୍ଠିତ ଧନ ସାଧୁ ଓ ଦୁଇଟା ମୃତ ଶରୀର । ଏହାର ପ୍ରକୃତ ତଥ୍ୟ ଅନୁସନ୍ଧାନ କରି ଦରବାରରେ କେସ୍‍ ଉପସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମହାରାଜ । ସାଧୁଙ୍କୁ ନାନା ପ୍ରଶ୍ନ ପଚାରି ଓ ସୈନିକ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ ବୁଝି ଗଲେ ସାଧୁ ନିର୍ଦ୍ଦୋଷ । ଧନଲୁଣ୍ଠନ ବା ଯୁବକଦ୍ୱୟଙ୍କ ମୃତ୍ୟୁ ପାଇଁ ଦାୟୀ ନୁହନ୍ତି ସେ । ପରଦିନ ଧନଚୋରି, ଯୁବକଦ୍ୱୟଙ୍କ ହତ୍ୟା ମାମଲା ଦରବାରରେ ଉପସ୍ଥାପନ କଲେ ମନ୍ତ୍ରୀ । ଦରବାର ଜନଗହଳି ଥିଲା । ସମସ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ମହାରାଜାଙ୍କ ନିଷ୍ପତ୍ତି, ଅଭିମତ, ରାୟକୁ । ସାଧୁଙ୍କୁ ଫାଶୀ ଦଣ୍ଡ ହୋଇଯିବ ଭାବୁଥିଲେ ଉପସ୍ଥିତ ଦର୍ଶକ । ମହାରାଜା ମୋହର ପଡ଼ିଥିବା ଜଙ୍ଗଲର ଗଛମଳ ଓ ତାର ପାରିପାଶ୍ୱିର୍କ ଅବସ୍ତା ଅନୁଧ୍ୟାନ କଲେ, ସାଧୁଙ୍କ ଆଶ୍ରମ ବିଷୟ ବୁଝିଲେ । ଏହା ସହ ଜହର ମିଶ୍ରିତ ଖାଦ୍ୟ ଖାଇ ଯୁବକର ମୃତ୍ୟୁ ହେବା ସହ ବଳକା ଖାଦ୍ୟ ଖାଇ ଜୀବଜନ୍ତୁ ମରିଥିବାର ପ୍ରମାଣ ସ୍ୱଚକ୍ଷୁରେ ଦେଖିଲେ । ମନ୍ତ୍ରୀଙ୍କ ମତାମତ ସହ ନିଜର ବିଚାର ମେଳ ଖାଉଥିବାରୁ ସାଧୁଙ୍କୁ ଦଣ୍ଡମୁକ୍ତ କରିଦେଲେ । ତେବେ ଏଠାରେ ଅସୀମାଂସିତ ପ୍ରଶ୍ନ ହୋଇଗଲା ଯବୁକଦ୍ୱୟଙ୍କୁ ମାରିଲା କିଏ ? ଏହାର ଉତ୍ତର କୌଣସି ସଦସ୍ୟ ଏପରିକି ମନ୍ତ୍ରୀ ଦେଇ ପାରିଲେ ନାହିଁ । ମହାରାଜାଙ୍କ ବିଶ୍ୱାସ ଥିଲା ସାଧୁହିଁ ଏହାର ଉତ୍ତର ଦେଇ ପାରିବେ । ଏଣୁ ବିନମ୍ର ସହ ସାଧୁଙ୍କୁ ଏହାର ଉତ୍ତର ଦେବାକୁ ଅନୁରୋଧ କଲେ । ସାଧୁ ଖୁବ୍‍ ଉତ୍ସାହିତ ହୋଇ କହିଲେ ହେ ରାଜନ ! ଯୁଗେ ଯୁଗେ ପୃଥିବୀରେ ଧନ, କ୍ଷମତା ଓ ସୁନ୍ଦରୀ ସ୍ତ୍ରୀଙ୍କ୍‍ ପାଇଁ ଲଢ଼େଇ, ସଂଗ୍ର୍ରାମ ଯୁଦ୍ଧ, ବିଭୀଷିକା ବା ଆତଙ୍କ ଚାଲିଛି । ଏଠି ଧନ ହିଁ ଆଲୋଚନାର ବିଷୟ । ଟଙ୍କା, କଉଡି, ସୁନାରୂପା, ମଣିମାଣିକ, ଭୂମି ଓ ଶସ୍ୟାଦି, ସଂପଦ ବିଭବ ବା ଆଦର ସାମଗ୍ରୀକୁ ବୁଝାଏ । ଏହି ଧନ ପାଇଁ ମନୁଷ୍ୟ ପ୍ରାଣ ଓ ଧର୍ମ ତ୍ୟାଗ କରେ ଧନାର୍ଥ ଜୀବତ ତ୍ୟାଗେ ଧର୍ମତ୍ୱାଗଶ୍ଚ ଧାବନମ୍‍” । ମହାରାଜ ସାଧୁଙ୍କ ବକ୍ତବ୍ୟ, ଆଲୋଚ୍ୟ, କଥନୀୟ ବିଷୟକୁ ଖୁବ୍‍ ଉଚ୍ଚା ପ୍ରଶଂସା କରି କହିଲେ । ‘ମହାଭାଗ ଆପଣଙ୍କ ମତାମତ ଗ୍ରହଣୀୟ, ସ୍ୱୀକାର୍ଯ୍ୟ । କିନ୍ତୁ ମୃତ ଯୁବକଦ୍ୱୟଙ୍କ ମୃତ୍ୟୁର କାରଣ ଉନ୍ମୋଚନ କରି ଆମର ସନ୍ଦେହ ସଂଶୟ ଦୂର କରନ୍ତୁ’ । ସାଧୁ କହିଲେ ମହାରାଜ “ଧନ ପାଇଁ ଅତି ବିବେକବାନ, ବିଚାରବନ୍ତ ଲୋକ ସମୟେ ସମୟେ ଅତି କୁତ୍ସିତ କାର୍ଯ୍ୟ କରିବାକୁ ଦ୍ୱିଧା କରିନଥାନ୍ତି । ମନୁଷ୍ୟ ସେତେବେଳେ ଦାନବ ପାଲଟି ଯାଏ । ଯେକୌଣସି ପୈଶାଚିକ କାର୍ଯ୍ୟକରି ସଫଳତା ପାଇଁ ଚେଷ୍ଟା କରେ । ଏହାର ପରିଣାମ ସଂପର୍କରେ ଚିନ୍ତା ନକରି ଆନନ୍ଦରେ ଆତ୍ମହରା ହୋଇଥାଏ । ଏହି ଯୁବକଦ୍ୱୟଙ୍କ ମଧ୍ୟରେ ମୋହର ଗୁଡ଼ିକୁ ଏକକ ଭାବେ ହାତେଇ ନେବା ପାଇଁ ଜଣେ ଅନ୍ୟଜଣଙ୍କୁ ହତ୍ୟା କରିଛି । ଅନ୍ୟ ଯୁବକ ଜହର ମିଶାଇ ଆଣିଥିବା ଖାଦ୍ୟ ଖାଇ ବନ୍ଧୁ ତାଙ୍କର ବିଷଜ୍ୱାଳାରେ ମୃତ୍ୟୁ ବରଣ କରିଥିବାର ପ୍ରମାଣ ସିଦ୍ଧ, ପ୍ରମାଣୀକୃତ ବୋଲି ପାରିପାଶ୍ୱିର୍କ ଅବସ୍ଥାରୁ ସୂଚନା ବା ସଂକେତ ମିଳେ ।’ ମହାରାଜା ସାଧୁଙ୍କ ଗୁଣବତ୍ତାରେ ଖୁସି ହୋଇ ସମ୍ମାନିତ କରିବା ସହ ଆଶ୍ରମର ଉନ୍ନତି ପାଇଁ କିଛି ଅର୍ଥ ଦାନ କଲେ । ସେଦିନ ପାଇଁ ଦରବାର କାର୍ଯ୍ୟକ୍ରମ ସ୍ଥଗିତ ରହିଲା । ପରଦିନ ମହାରାଜା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ତାଙ୍କ ରାଜ୍ୟର ଦୁଇ ସୁସ୍ଥ ସବଳ ନିରପରାଧ ଯୁବକଙ୍କ ଅପମୃତ୍ୟୁ ପାଇଁ ଆମ ଶାସନ କ’ଣ ଦାୟୀ ନୁହେଁ ? ମନ୍ତ୍ରୀ: କି କଥା କହୁଛନ୍ତି ମହାରାଜ । ଆମେ କିପରି ସେଥିପାଇଁ ଦାୟୀ ହେବୁ? ରାଜା ହସି ଦେଇ କହିଲେ ମନ୍ତ୍ରୀବର ! ଯଦି ଆମରି ରାତ୍ରି ପ୍ରହରୀ ସୁରକ୍ଷାବଳ ନିଜର କର୍ତ୍ତବ୍ୟ ପାଳନ କରି ରାଜପ୍ରାସାଦକୁ ସତର୍କତା ସହ ପ୍ରହରା ଦେଇଥାନ୍ତେ, ଡାକୁମାନେ ସ୍ୱର୍ଣ୍ଣମୁତ୍ରା ସହ ଅନ୍ୟମୂଲ୍ୟବାନ ପଦାର୍ଥ ଚୋରାଇ ପାରିଥାନ୍ତେ କି? ପରେ ସେମାନଙ୍କୁ ଗୋଡ଼ାଇବାରୁ ଭୟରେ ଅପହୃତ ଦ୍ରବ୍ୟଗୁଡ଼ିକୁ ଛାଡ଼ି ଚାଲିଯାଇଥିଲେ ଜଙ୍ଗଲର ସେହି ସଂକୀର୍ଣ୍ଣ ରାସ୍ତାପାଶ୍ୱର୍ ବୃକ୍ଷମୂଳରେ । ସାଧାରଣ ପଥଚାରୀ ଏହି ଯୁବକ ଦ୍ୱୟ ମୂଲ୍ୟବାନ ପଦାର୍ଥଗୁଡ଼ିକୁ ଦେଖି ଲୋଭାବିଷ୍ଟରେ ଏକକ ଭାବେ ହାତେଇବା ପାଇଁ ଚେଷ୍ଟା କରି ମୃତ୍ୟୁ ମୁଖରେ ପଡ଼ିଲେ । ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀଙ୍କ କର୍ତ୍ତବ୍ୟ ସଂପାଦନର ଅବହେଳା ଯୋଗୁଁ ରାଜା ଓ ରାଜ୍ୟବାସୀ ପାପର ଭାଗିଦାରୀ ହେବେ । ମୃତ ଯୁବକଦ୍ୱୟଙ୍କ ଦୁଃଖ ପାଇଁ ଆମେ ଦାୟୀ ହେବା । ରାଜ୍ୟରେ ଶାନ୍ତିଶୃଙ୍ଖଳା ନାହିଁ, ଏପରିକି ରାଜପ୍ରାସାଦରୁ ଚୋରି ହେଉଥିବା କଥା ପ୍ରଚାରିତ ହେଲେ ଚୋରି, ଡକାୟତି ବୃଦ୍ଧି ହେବ । ସାଧାରଣ ଜନତା ଦୁଖଃ ଭୋଗିବେ । ଏଣୁ ଯଥା ଶୀଘ୍ର ଦୋଷୀ ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ମୃତ ଯୁବକଙ୍କ ପରିବାରଙ୍କୁ ଡକାଇ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେଲେ ମହାରାଜ ।

କାଳିନ୍ଦୀ ଚରଣ ଭଞ୍ଜ
୭୮୯, ଲକ୍ଷ୍ମୀସାଗର, ଭୁବନେଶ୍ୱର-୬
ମୋ : ୯୩୩୭୮୮୭୮୯୮

Categories
STORY & POEM

RELATED BY

  • କଟକ-ଦି ସିଟି ଅଫ୍‌ ମ୍ୟୁଜିୟମ୍ସ ପୁସ୍ତକ ଉନ୍ମୋଚିତ

    ଭୁବନେଶ୍ୱର: “ହଜାର ବର୍ଷର ପୁରାତନ ସିଲଭର ସିଟି ଭାବେ ପରିଚିତ କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ୱପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ କଟକରେ ଅବସ୍ଥିତ ସଂଗ୍ରହାଳୟଗୁଡ଼ିକୁ ପରିଦର୍ଶନ କଲେ ବିସ୍ତୃତ ଭାବେ ଜାଣିହେବ ।...
  • ଓଡ଼ିଶାର ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର

    ୨୦୧୯ ବର୍ଷ ପାଇଁକେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ...
  • କବି ଅନନ୍ତ ପଟ୍ଟନାୟକ ଥିଲେ ଓଡ଼ିଆ ପ୍ରଗତି ସାହିତ୍ୟର ପ୍ରମୁଖ କର୍ଣ୍ଣଧାର

    ଭୁବନେଶ୍ୱର: ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ସାମ୍ୟବାଦୀ ଚେତନା ଭାରତ ବର୍ଷର ସ୍ୱାଧୀନତା ଓ ଭାରତରେ ସମାଜ-ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠାର ଆହ୍ୱାନ ମଧ୍ୟରେ ସୀମିତ ନରହି ସମଗ୍ର ମଣିଷ ସମାଜ ଲାଗି ତାଙ୍କର ବିଶ୍ୱଦୃଷ୍ଟି ହିଁ ପ୍ରତିପାଦିତ ହୋଇଥିଲା । କବି...
  • ଶେଷହୀନ ସନ୍ତରଣ

    ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଶେଷହୀନ ସନ୍ତରଣ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ । ଫୋଟ-ଡାହଣରୁ ପ୍ରଥମ ରକ୍ଷକ ନାୟକ...
WhatsApp chat