Share this:
ଭୁବନେଶ୍ୱର: ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ସାମ୍ୟବାଦୀ ଚେତନା ଭାରତ ବର୍ଷର ସ୍ୱାଧୀନତା ଓ ଭାରତରେ ସମାଜ-ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠାର ଆହ୍ୱାନ ମଧ୍ୟରେ ସୀମିତ ନରହି ସମଗ୍ର ମଣିଷ ସମାଜ ଲାଗି ତାଙ୍କର ବିଶ୍ୱଦୃଷ୍ଟି ହିଁ ପ୍ରତିପାଦିତ ହୋଇଥିଲା ।
କବି ଅନନ୍ତ ପଟ୍ଟନାୟକ ଥିଲେ ଓଡ଼ିଆ ସାହିତ୍ୟର ପ୍ରମୁଖ କର୍ଣ୍ଣଧାର ବୋଲି ତାଙ୍କର ୧୦୮ ଜୟନ୍ତୀ ସମାରୋହରେ ବକ୍ତାମାନେ ମତପ୍ରଦାନ କରିଛନ୍ତି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ କବି ତଥା ବିଜେବି କଲେଜ୍ର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ମହାନ୍ତି କବିଙ୍କ ବିଭିନ୍ନ ସାରସ୍ୱତ କୃତି ତାଙ୍କ ସାମ୍ୟବାଦୀ ଚେତନା ଓ ପ୍ରଗତିବାଦୀ ଦୃଷ୍ଟିର ଅବତାରଣା କରିଥିଲେ ।
ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟକ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର କବି ଅନନ୍ତ ପଟ୍ଟନାୟକଙ୍କ ସାରସ୍ୱତ କୃତିଗୁଡ଼ିକରେ ଚମତ୍କାର ଛାନ୍ଦସିକତା ଓ ଧ୍ୱନିମାଧୁର୍ଯ୍ୟ ରହିଥିଲା ବୋଲି ଦର୍ଶାଇ ତାଙ୍କୁ ଓଡ଼ିଆ ସାହିତ୍ୟର ଇତିହାସରେ ଜଣେ ବରେଣ୍ୟ ପ୍ରଗତିବାଦୀ କବି ଭାବରେ ଅଭିହିତ କରିଥିଲେ ।
ଏକାଡେମୀର ସଭାପତି କବି ତଥା ନାଟ୍ୟକାର ଶ୍ରୀ ହରିହର ମିଶ୍ର ଅଧ୍ୟକ୍ଷତା କରି କବି ଅନନ୍ତ ପଟ୍ଟନାୟକଙ୍କୁ ଏକାଧାରରେ ନାଟ୍ୟକାର, ସମାଲୋଚକ, ସଂଗଠକ ଓ ମାନବବାଦୀ କର୍ମୀ ଭାବରେ ବର୍ଣ୍ଣନା କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଅତିଥିମାନେ କବି ଅନନ୍ତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ପରେ ଏକାଡେମୀର ସଚିବ ଡ. ଜୟନ୍ତୀ ରଥ ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକାଡେମୀର ସଂପାଦନା ସହକାରୀ ଶ୍ରୀ ସଂଜୟ ସୁହାଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।