ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ମା’ ସୁଭଦ୍ରାଙ୍କ

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ମହାସ୍ନାନ( ୧୦୮ ଗରା ପାଣିରେ ଗାଧୋଇବା) ପର୍ବ ଶେଷ,ଅଣସରରେ ରହିବେ୧୪ ଦିନ, ଜୁଲାଇ ୦୨ ତାରିଖ ଦିନ ମହାପ୍ରଭୁ ସୁସ୍ଥ ହୋଇ ଭକ୍ତଙ୍କୁ ଦେବେ ନବଯୌବନ ଦର୍ଶନ ।

ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ସ୍ନାନ ଯାତ୍ରା ଏକ ପ୍ରଧାନ ଯାତ୍ରା । ସ୍ନାନ ମଣ୍ଡପରେ ପତିତମାନଙ୍କୁ ଦର୍ଶନ ଦେଉଥିବାରୁ ଏହାକୁ ମଧ୍ୟ ପତିତ ପାବନ ଯାତ୍ରା କୁହାଯାଏ ।
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳାଯାର,
ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର ।
ଜ୍ୟେଷ୍ଠମାସ ପୂର୍ଣ୍ଣମା ତିଥିରେ ପବିତ୍ର ନୀଳାଚଳ ଧାମରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଆର୍ବିଭାବ ହୋଇଥିବାରୁ ଠାକୁରଙ୍କ ଜନ୍ମ ଦିବସ ରୂପେ ଦେବସ୍ନାନ ମହୋତ୍ସବ ଅନୁଷ୍ଠିତ ହୁଏ ।

ଜ୍ୟେଷ୍ଠୀମାସୀ ସିତପକ୍ଷେ ପୌର୍ଣ୍ଣମ୍ୟ ଜଗଦୀଶ୍ୱରମ୍‍,
ସ୍ନାପୟେ ତୀର୍ଥ ତୋୟେନ ସର୍ବମଙ୍ଗଳ ସିଦ୍ଧୟେ ।

ଏହି ଦିନ ପବିତ୍ର ସ୍ୱର୍ଣ୍ଣକୂପର ୧୦୮ କଳସୀ ଜଳରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଠାକୁରମାନଙ୍କୁ ସ୍ନାନ କରାଇଥିଲେ । ଏହିଦିନ ସକଳ ପୂର୍ଣ୍ଣତୋୟା ତୀର୍ଥଜଳ ସମୂହ ନୀଳାଚଳ ଧାମସ୍ଥ ପବିତ୍ର ସ୍ୱର୍ଣ୍ଣ କୂପରେ ଆବିର୍ଭାବ ହୋଇଥାନ୍ତି ଓ ଦେବସ୍ନାନ ପରେ ବାହୁଡ଼ି ଯାଆନ୍ତି । ଚତୁର୍ଦ୍ଦଶୀ ଦିନ ରାତ୍ରରେ ବଡସିଂହାର ଭୋଗ ଓ ପହୁଡ ଆଳତି ପରେ ମହାଲକ୍ଷ୍ମୀ ଓ ମଦନମୋହନଙ୍କ ଚଳନ୍ତି ପ୍ରତିମାଙ୍କୁ ଦକ୍ଷିଣଘରକୁ ଏବଂ ସରସ୍ୱତୀ ଓ ନୀଳମାଧବଙ୍କୁ ଖଟଶେଯ ଘରକୁ ନିଆଯାଏ । ମଙ୍ଗଳାର୍ପଣ, ସେନାପଟା ଲାଗି, ଡୋରଲାଗି ଓ ପୁଷ୍ପାଞ୍ଜଳି ହୁଏ ।
ପୂର୍ଣ୍ଣମୀ ଦିନ ଭୋରରୁ ରତ୍ନସିଂହାସନ (ରତ୍ନବେଦୀ) ଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଚାରମାଳ ବନ୍ଧାଯାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗରେ ସେନାପଟାରେ ବାହୁଟକଣ୍ଟ ହେବାର ପାରମ୍ପରିକ ବିଧି ରହିଛି । ଏହି ବାହୁଟକଣ୍ଟ ନିମନ୍ତେ ବଉଳକାଠ ସାକ୍ଷୀଗୋପାଳସ୍ଥିତ ବକୁଳବନରୁ ପ୍ରତି ବର୍ଷ ଶ୍ରୀମନ୍ଦିରକୁ ଆସିଥାଏ । ଏହି ବଉଳକାଠ ଆଣିବା ନିମନ୍ତେ ଶ୍ରୀମନ୍ଦିରର ତତ୍ତ୍୍ୱାବଧାରକ ମେକାପଙ୍କ ନେତୃତ୍ୱରେ ଜଣେ ବିଶ୍ୱକର୍ମା ସେବକ ଓ ଅନ୍ୟ ଚାରି ଜଣ ଭୋଇ ସେବକ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ସାକ୍ଷୀଗୋପାଳ ଯାତ୍ରା କରନ୍ତି । ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଆଠ ହାତ ଲମ୍ବ ଓ ତିନି ଫୁଟ ଗୋଲେଇ ବିଶିଷ୍ଠ ଏକ ବଉଳକାଠକୁ ଏକ ସୁସଜ୍ଜିତ ଶଗଡ଼ରେ ଅଣାଯାଏ । ଦେବସ୍ନାନ ପୂର୍ଣ୍ଣିମା ଅନୁରୂପ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ସମୟରେ ମଧ୍ୟ ଶ୍ରୀଜୀଉଙ୍କର ବାହୁଟକଣ୍ଟ ନୀତି ଅନୁଷ୍ଠିତ ହୁଏ । ସେବକମାନେ ଧାଡ଼ି ପହଣ୍ଡିରେ ଘଣ୍ଟ, ଛତା ଓ କାହାଳୀ ସହ ଠାକୁରମାନଙ୍କୁ ସୁଦର୍ଶନଙ୍କ ସହ ରତ୍ନସିଂହାସନରୁ ଅବତରଣ କରାଇ ସାତପାହାଚ ଓ କୀର୍ତ୍ତନ ଚକଡା ଦେଇ ଆନନ୍ଦ ବଜାର ମଧ୍ୟରେ ଥିବା ସ୍ନାନ ମଣ୍ଡପ ବା ସ୍ନାନବେଦୀରେ ଅଧିଷ୍ଠିତ କରାନ୍ତି । ଠାକୁରମାନେ ମଙ୍ଗଳ ଆଳତି, ମଇଲମ ଓ ତଡ଼ପ ଲାଗି ହୁଅନ୍ତି । ତାପରେ ଅବକାଶ ପୂଜା, ରୋଷ ହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜାହୁଏ । ତାପରେ ରୂପା ପିଙ୍ଗଣରେ କର୍ପୂର ଜଳ ନେଇ ଠାକୁରମାନଙ୍କର ଶ୍ରୀମୁଖ ଧୋପଖାଳ ପୋଛା (ଅଧରପୋଛା) ହୁଏ ।
କେବଳ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଶ୍ରୀମନ୍ଦିରର ଉତ୍ତର ପାଶ୍ୱର୍ରେ ମା’ ଶୀତଳାଙ୍କ ସମ୍ମୁଖସ୍ଥ ସର୍ବପୁରାତନ ସ୍ୱର୍ଣ୍ଣକୂପର ଅଭ୍ୟନ୍ତର ପରିଷ୍କାର କରାଯାଇ ଜଳରେ ଅଷ୍ଟଗନ୍ଧ, କୁଷ୍ଣାଗୁରୁ, ଉଶୀର, ଗୋରଚନା, ଦେବଦାରୁ, ସୁଧା, ହରିତାଳ, ବାହାଡା, ଆମଳକୀ, ମଞ୍ଜିଷ୍ଠା, ତାମ୍ରପର୍ଣ୍ଣି, ସୋମପର୍ଣ୍ଣି ଓ ଲୋଧି ପ୍ରଭୃତି ମହୌଷଧି ମିଶ୍ରଣ ଓ ଜଳ ଅଭିମନ୍ତ୍ରଣ କରାଯାଏ ।
ଉତ୍ତରଦ୍ୱାର (ହସ୍ତୀଦ୍ୱାର) ପ୍ରବେଶ ପଥର ଦକ୍ଷିଣ ପଟେ ବେଢ଼ା ମଧ୍ୟରେ ବିରାଜିତା ପାତାଳ ସମ୍ଭୂତା ମା’ ଶୀତଳାଙ୍କ କେବଳ ମସ୍ତକହିଁ ଦୃଶ୍ୟମାନ । କଳିଯୁଗ ଶେଷରେ ଦେବୀ ସମ୍ପୂର୍ଣ୍ଣ ଆବିର୍ଭାବ ହେବେ ବୋଲି ଜନଶ୍ରୁତି ରହିଛି । ଦେବୀ ଶୀତଳା ଓ ବାହାନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସ୍ୱର୍ଣ୍ଣକୂପ ଅବସ୍ଥିତ । ଏହା ପ୍ରଣୀତା କୂପ ନାମରେ ସୁବିଖ୍ୟାତ । ଏହି କୂପର ରକ୍ଷକ ଅଧିଷ୍ଠାତ୍ରୀ ହେଉଛନ୍ତି ମା’ ଶୀତଳା । ଏହି ସ୍ୱର୍ଣ୍ଣକୂପ ଉତ୍ତର ହାତୀଦ୍ୱାର ପ୍ରବେଶ ପଥରେ ବେଢା ମଧ୍ୟରେ ଦକ୍ଷିଣକୁ ଶୀତଳାଙ୍କ ସମ୍ମୁଖରେ ଅବସ୍ଥିତ ।
ସୁନା ଗୋସ୍ୱାମୀ, ମୁଦିରଥ ଓ ଗରାବଡୁ ସେବକମାନେ ଶ୍ରୀମନ୍ଦିର ସୁନାକୂପରୁ ୧୦୮ଗଡୁ ଅଭିମନ୍ତ୍ରିତ ମହୌଷଧି ଜଳ ଅଧିବାସ ଘରକୁ ବିଜେ କରାଇବା ପରେ ଏଥିରେ ଚନ୍ଦନ, କର୍ପୂର, କେଶର ଓ ଚୁଆ ମିଶ୍ରଣ କରାଯାଏ । ପୂଜାପଣ୍ଡାମାନେ ଏହି ସୁବାସିତ ଜଳକୁ ସଂସ୍କାର କରନ୍ତି । ଏଥିରେ ଗୋଟିଏ ଲେଖାଏଁ ନଡ଼ିଆ ଓ ନୂଆ କରିଆ ରଖାଯାଏ । ଏହାପରେ ସେବାୟତମାନେ ଏହି ପବିତ୍ର ସୁବାସିତ ଜଳକୁ ରୂପା ପିଙ୍ଗଣରେ ନେଇ ଠାକୁରମାନଙ୍କୁ ସ୍ନାନ କରାନ୍ତି । ଶ୍ରୀବଳଭଦ୍ରଙ୍କୁ ୩୩ଗଡୁ, ଶ୍ରୀଜଗନ୍ନାଥଙ୍କୁ ୩୫ଗଡ଼ୁ, ସୁଭଦ୍ରାଙ୍କୁ ୨୨ଗଡୁ ଓ ସୁଦର୍ଶନଙ୍କୁ ୧୮ଗଡୁ ଜଳରେ ସ୍ନାନ କରାଯାଏ ।

‘ଅଭିଷେକଂ ପ୍ରକର୍ତ୍ତବ୍ୟଂ ସର୍ବତୀର୍ଥଜଳେ ତଥା’ (ପୁରୁଷୋତ୍ତମ ସିଂହତା) ।

ସ୍ନାନ ପରେ ମଇଲମ, ବେଶ ଓ ସର୍ବାଙ୍ଗ ପରେ ବୋଇରାଣୀ ଲୁଗା ପିନ୍ଧନ୍ତି ଓ ମହନ୍ତଙ୍କ ଶାଢ଼ୀ ବନ୍ଧା ହୁଅନ୍ତି । ରତ୍ନଖଚିତ ସୁନାଚିତା ଲାଗି ହୁଅନ୍ତି । ଗଜପତି ମହାରାଜା ମେହେନା ଯାନରେ ଆସି ସ୍ନାନବେଦୀରେ ଉପସ୍ଥିତ ହୋଇ ସୁନା ମାର୍ଜନୀରେ ଛେରାପହଁରା କାର୍ଯ୍ୟକରନ୍ତି । ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଏହି କାର୍ଯ୍ୟ ତୁଲାଇଥାନ୍ତି । ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ ଯୋଗାଇଥିବା ହାତୀବେଶ ବା ଗଜାନନ (ଶ୍ରୀଗଣେଶ) ବେଶ ଅନୁଷ୍ଠିତ ହୁଏ । ପୁଷ୍ପାଳକ ଓ ଦଇତାପତିମାନେ ଏହି ବେଶ କରନ୍ତି । ତାପରେ ସକାଳ ଧୂପ ଅନ୍ନ ଓ ପିଠା ଭୋଗ କରାଯାଏ । ଧୂପ ପରେ ପରମାଣିକ ଦର୍ଶନ ଓ ତାପରେ ସାଧାରଣ ଦର୍ଶନ ପାଇଁ ସାହାଣମେଲା ହୁଏ । ଏହି ବେଶ ଦର୍ଶନରେ ଅନନ୍ତଫଳ ପ୍ରାପ୍ତି ହୁଏ ।
ସ୍ନାନମଣ୍ଡପରେ ଠାକୁରମାନେ ଯେଉଁ ହାତୀବେଶ ବା ଗଜାନନ ବେଶ ହୁଅନ୍ତି, ତାହା ପ୍ରକୃତପକ୍ଷେ ଗଣପତି (ଶ୍ରୀଗଶେଶ) ବେଶ ଅଟେ । କିମ୍ବଦନ୍ତୀ ଅନୁଯାୟୀ ମଧ୍ୟ ଯୁଗରେ ଭଟ୍ଟିପୁରମ୍‍ରୁ ଗଣପତି ଭଟ୍ଟ ନାମରେ ଜନୈକ ଗଣପତି ସାଧକ ପରମଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତତ୍ତ ଶ୍ରୀକ୍ଷେତ୍ରକୁ ଆସିଥିଲେ । ସେଦିନ ସ୍ନାନ ମହୋତ୍ସବ ଥିଲା । ଗଣପତି ଭଟ୍ଟ ନିଜର ଇଷ୍ଟ ଗଣପତିଙ୍କ ବ୍ୟତୀତ ଅନ୍ୟ କୌଣସି ଦେବତାଙ୍କୁ ପ୍ରଣାମ କରନ୍ତି ନାହିଁ । ବ୍ରହ୍ମପୁରାଣରୁ ସେ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ ପୁରୁଷୋତ୍ତମ ବୋଲି ଜ୍ଞାତ ହୋଇଥିଲେ ହେଁ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରି ତାଙ୍କର ଅନ୍ତରରେ ସାମାନ୍ୟତମ ଭକ୍ତି ମଧ୍ୟ ଜାଗ୍ରତ ହେଲା ନାହିଁ । ତେଣୁ ସାଧକ ଗଣପତି ଭଟ୍ଟ ମହାଶୟ ଠାକୁରଙ୍କୁ ପ୍ରଣାମ ନକରି ଚାଲିଗଲେ ।
ରାତ୍ରରେ ଭଟ୍ଟଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ହେବାରୁ ସେ ପୁନର୍ବାର ସ୍ନାନମଣ୍ଡପକୁ ଯାଇ ଦେଖିଲେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ହରିଦ୍ରା ଗଣପତି ଓ ଖଦିର ଗଣପତି ରୂପ ଧାରଣ କରି ଶୁଣ୍ଢଦ୍ୱାରା ନୈବେଦ୍ୟ ଗ୍ରହଣ କରୁଛନ୍ତି । ଭକ୍ତି ଗଦ୍‍ଗଦ୍‍ ହୃଦୟରେ ଗଣପତି ଭଟ୍ଟ ଦାରୁବ୍ରହ୍ମଙ୍କୁ ପ୍ରଣତି ଜଣାଇଲେ, ସେହିଦିନଠାରୁ ପ୍ରଭୁ ସ୍ନାନମଣ୍ଡପରେ ଶ୍ରୀଗଣପତି ବା ଶ୍ରୀଗଣେଶ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଭକ୍ତ “ବାଞ୍ଛାକଳ୍ପତରୁ” ନାମରେ ଖ୍ୟାତିଲାଭ କରିଛନ୍ତି ।
ସ୍ନାନପୂର୍ଣ୍ଣମୀ ଦିନ ପ୍ରାୟ ମଧ୍ୟ ରାତ୍ରରେ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ଠାକୁରମାନଙ୍କୁ ସ୍ନାନବେଦୀରୁ ଅଣସର କକ୍ଷର ଅନବସର ପିଣ୍ଡିକୁ ଗୋଟି ପହଣ୍ଡିରେ ବାହୁଡା ବିଜେ କରାନ୍ତି । ଏଠାରେ ଦଇତାପତିମାନେ ଆଷାଢ଼ ଅମାବାସ୍ୟ । ପର୍ଯ୍ୟନ୍ତ ନିଜସ୍ୱ ଗୁପ୍ତସେବା କରନ୍ତି । ଅଣସର ଘରେ ଠାକୁରମାନେ ଚେରମୂଳ ମହୌଷଧି ଜ୍ୱର ନିବାରଣ ନିମନ୍ତେ ସେବନ କରନ୍ତି । ଭକ୍ତମାନଙ୍କୁ ୧୫ଦିନ ପାଇଁ ଠାକୁରମାନଙ୍କ ଶ୍ରୀମୁଖ ଦର୍ଶନ ନିଷେଧ ହୁଏ । ଏହି ସମୟରେ ବ୍ରହ୍ମଗିରିର ଶ୍ରୀଅଲାରନାଥ ଦେବଙ୍କୁ ଦର୍ଶନ କଲେ ଅନନ୍ତ ଫଳ ପ୍ରାପ୍ତି ହୁଏ । ଏହି ସମୟରେ ଶ୍ରୀମନ୍ଦିରରେ ଦଶ ଅବତାର ପଟ୍ଟଚିତ୍ର ଦେବତା (ପଟ୍ଟିଦେବତା) ପୂଜିତ ହୁଅନ୍ତି । ଅମାବାସ୍ୟା ରାତ୍ରର ଶେଷ ପ୍ରହରରେ ପଟ୍ଟି ଦେବତାଙ୍କର ବାହୁଡା ବିଜେ ହୋଇ ତାଟି ଖୋଲାଯାଏ ।

“ଅଦ୍ୟ ପଞ୍ଚଦଶୀ ଘସ୍ରେ ରାତ୍ରୌ ଯାମତ୍ରୟେ ଗତେ ।
ସ୍ନାତ୍ୱା ଚାର୍ଯ୍ୟସ୍ତଦା ଶୀଘ୍ରଂ ପଟ୍ଟଦେବସ୍ୟ ପୂର୍ବବତ୍‍ ।।”

ଅନବସର ପରେ ଆଷାଢ଼ ଶୁକ୍ଳ ପ୍ରତିପଦ ଦିନ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ପୂଜା ଆଦି ଦୈନିକ ନୀତିମାନ ହୁଏ । ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରୋତ୍ସବ ହୁଏ । ତାପରେ ନବଯୌବନ ଦର୍ଶନ ହୋଇଥାଏ । ଏହି ଦର୍ଶନରେ ଅନନ୍ତ ଫଳ ପ୍ରାପ୍ତି ହୋଇଥାଏ । ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୁଏ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ସୁଭଦ୍ରା ଦେବୀ ନବ ଦିନାତ୍ମକ ଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି । ପ୍ରତିପଦ ଉଭା ପଡିଲେ, ଠାକୁରମାନେ ସେଦିନ ଅଣସର ପିଣ୍ଡିରେ ରହନ୍ତି ଓ ପରଦିନ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୁଏ ।

ପଣ୍ଡିତ ରାମକୃଷ୍ଣ ମିଶ୍ର,ଏ.ଏଲ.-୫୩, ବୀର ସୁରେନ୍ଦ୍ର ସାଏ ନଗର, ଭୁବନେଶ୍ୱର

ମୋ- ୮୮୯୫୦୪୪୪୫୫

Categories
NATIONAL

RELATED BY

  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...
  • ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତ

    ବିଂଶତମ ପଶୁସମ୍ପଦ ଗଣନା ଫଳାଫଳ ପ୍ରକାଶିତ,୨୦୧୨ ତୁଳନାରେ ପଶୁସମ୍ପଦ ସଂଖ୍ୟାରେ ୪.୬% ବୃଦ୍ଧି  ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତରେ ପହଁଚିଲା ମତ୍ସ୍ୟ, ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ...