ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

ବିଭାଗର ଅଂଶଗ୍ରହଣକୁ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଂଶଗ୍ରହଣକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି ।

ଆଜି ଅପରାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ସଂପର୍କିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଏହିପରି ଉତ୍ସବର ତାତ୍ପର୍ଯ୍ୟ ସାଙ୍ଗକୁ ଓଡ଼ିଶାର ବିକାଶ ଯାତ୍ରାର ତଥ୍ୟ ଦେଶ ତଥା ଦେଶ ବାହାରେ ଉପସ୍ଥାପିତ ହେବା ଆବଶ୍ୟକ ଏବଂ ସେଥିପାଇଁ ବିଭାଗର ଆୟୋଜନ ସୁଦୃଢ଼ ହେବା ବାଞ୍ଛନୀୟ ।

ରଥଯାତ୍ରାରେ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ କୌଣସି ପ୍ରକାର ତ୍ରୁଟିବିଚ୍ୟୁତ ନରଖି ଦଳଗତ ମାନସିକତାରେ ବିଭାଗର କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ରଥଯାତ୍ରା ସଂପର୍କିତ ବିବିଧ କାର୍ଯ୍ୟକ୍ରମ ଉପରେ ବିବରଣୀ ଉପସ୍ଥାପନ କରିଥିଲେ ।

ଚଳିତ ବର୍ଷ ରଥଯାତ୍ରା ପାଇଁ ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀ ପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳ ଷ୍ଟେସନ୍‌ଠାରେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ ।

ଏଠାରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୂଚନା ସରବରାହ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ହେବ ।

ବିଭାଗ ପକ୍ଷରୁ ତିନୋଟି ଫଟୋଚିତ୍ର ପ୍ରଦର୍ଶନ ଆୟୋଜିତ ହେବ । ଏଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବଂ ଓଡ଼ିଶାର ବିକାଶଯାତ୍ରାର ରୂପରେଖ ସମ୍ବଳିତ ଫଟୋଚିତ୍ରମାନ ସ୍ଥାନିତ ହେବ ।

ରଥଯାତ୍ରା ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓଡ଼ିଆରେ ‘ଉତ୍କଳ ପ୍ରସଙ୍ଗ’ ଓ ଇଂରାଜୀରେ ‘ଓଡ଼ିଶା ରିଭ୍ୟୁ’ ପତ୍ରିକା ସମେତ ଶ୍ରୀଜଗନ୍ନାଥଙ୍କ ଜଣାଣ ଏବଂ ରଥଯାତ୍ରା ସୂଚନା ପୁସ୍ତିକା ଉନ୍ମୋଚିତ ହେବା ସହିତ ସୂଚନା କେନ୍ଦ୍ରଗୁଡ଼ିକରେ ବିକ୍ରୟ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନା ସଂପର୍କିତ କାର୍ଯ୍ୟକ୍ରମ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ,ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାରଣା, ଶ୍ରୀ ଦୁର୍ଯ୍ୟୋଧନ ବେହେରା, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
RELIGION

RELATED BY

  • ସୂର୍ଯ୍ୟଙ୍କୁ କେଉଁ ମାସରେ କେଉଁ ମନ୍ତ୍ରରେ ପୂଜା

    ବୈଶାଖ: ମନ୍ତ୍ର: ‘ଓଁ ତପନାଥାୟ ନମଃ’ ଫଳ:ସୁଖ ସମୃଦ୍ଧି, ଭାଗ୍ୟୋଦୟ, ମିତ୍ରପ୍ରାପ୍ତି । ଜ୍ୟେଷ୍ଠ: ମନ୍ତ୍ର: ‘ଓଁ ମିତ୍ରାୟ ନମଃ’ ଫଳ: କୁଷ୍ଠମୁକ୍ତି, ଶକ୍ତି ବୃଦ୍ଧି ଆଷାଢ଼: ମନ୍ତ୍ର: ‘ଓଁ ରବୟେ ନମଃ’ ଫଳ: ଦାରିଦ୍ର‌୍ୟ ଦୂର ହୁଏ, ନିରାମୟ...
  • ରଥଯାତ୍ରା ଆରମ୍ଭ

    ଆଜି ଠାରୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରାୟ ୯ ଦିନ ଧରି ଚାଲିବ । ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଆଜି ଭିନ୍ନ ଭିନ୍ନ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି...
  • ବାଙ୍ଗାଲୋରରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଲେ

    ତିନି ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କ ସ୍ନାନ ପୂର୍ଣ୍ଣିମା  ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଙ୍ଗାଲୋରର ଆଗ୍ରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବ ସ୍ନାନ ତଥା ଗଜାନନ ବେଶ...
  • ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଇଶ୍ୱର

    ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଇଶ୍ୱର । ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ । ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ...
WhatsApp chat